Unknown

 

 

 

 

 

 

 

 

 

 

 

ନୀଳ ଆଲୋକରେ ହତ୍ୟା

ଶ୍ରୀ ରମେଶଚନ୍ଦ୍ର ମିଶ୍ର

 

ବାହାରେ ଚନ୍ଦ୍ର ନାହିଁ ।

 

ଖୁବ୍‌ ବଡ଼ ଝଙ୍କାର ମେଘ ଆକାଶ ଛାତିକୁ ଉଠିଆସିଚି । ଆବୃତ ଆକାଶରେ ତାରାମାନଙ୍କର ଚିହ୍ନ ନାହିଁ । ଚନ୍ଦ୍ରହରା ଲଜ୍ଜାନତ ମୁହଁ ସେମାନେ ଯେମିତି ମେଘ ଓଢ଼ଣା ଆଢ଼ୁଆଳରେ ଲୁଚେଇ ଦେଇଚନ୍ତି ।

 

ମନେ ହେଉଚି, ପୃଥିବୀ ଛାତିରେ କିଏ ଗୋଟାଏ ବହଳା କଳା ଚାଦର ଘୋଡ଼ାଇଦେଇଚି । ରାତିଟା ଆହୁରି ଗାଢ଼ ମନେହେଉଥିଲା ।

 

ଟିକିଏ ତଳେ ଢନ୍‌-ଢନ୍‌ କରି ଗୋଟାଏ ପିଟା ଘଣ୍ଟା ସୂଚେଇ ଦେଇଚି,ରାତି ଅଧକୁ ବଳିପଡ଼ିଲାଣି ।

 

କେଉଁ ଏକ ଅଜଣା ସ୍ଥାନକୁ ଝିଟିପିଟି ଦଳ ଟିଟିକାର ମାରି ନିସ୍ତବ୍‌ଧ ନଗରୀରେ ଶବ୍ଦ ସୃଷ୍ଟି କରୁଚନ୍ତି । ରାସ୍ତାକଡ଼ର ବତୀଖୁଣ୍ଟଗୁଡ଼ିକ ମୂକ ପହରାଦାର ଭଳି ଠିଆ ହୋଇଛନ୍ତି । ଓଦାଳିଆ ରାତିଟା ସେମାନଙ୍କ ତେଜ ଉପରେ ବାଧା ହାଣିବାର ଉଦ୍ୟମ କରିଚାଲିଚି ।

 

ଆଗରେ ଗୋଟାଏ ଦୋମହଲା କୋଠା । ରଙ୍ଗ ଠଉରେଇବା ସମ୍ଭବ ନୁହେଁ । ବିଭିନ୍ନ ରଙ୍ଗର ସମାବେଶ:ଗେରୁଆ,ଧୂସର ଫିକା ଗୋଲାପୀ, ଗାଢ଼ ନୀଳ ଏବଂ ପାଉଁଶିଆ–ଅନେକ ଜାତିର ।

 

ଦୋମହଲାର ଗୋଟାଏ କକ୍ଷରେ କ୍ଷୀଣ ନୀଳ ଆଲୋକ ଜଳୁଚି । ବେଡ଼୍‌ଲ୍ୟାମ୍ପ । ଝରକାର ବହଳ ଖିରା କାଚରେ ଅସ୍ପଷ୍ଟ । ଠିକ୍‌ ପାଖକୁ ଲାଗି ଗୋଟାଏ ଛାୟା..ଉଙ୍କି ମାରି ବୋଧହୁଏ ଭିତରର ଅବସ୍ଥା ଜାଣିବାର ଚେଷ୍ଟା କରୁଚି, କିନ୍ତୁ ନିଷ୍ଫଳ । ଦେଖିବାର କୌଣସି ଅସୁବିଧା ନାହିଁ । କେତୋଟି ଛାଇ ଯେମିତି ଭିତରେ ଦୋହଲୁଚି ।

 

ଶୁଣାଯାଉଚି ବୋତଲ ଗ୍ଳାସ ସଂଘର୍ଷ ଜନିତ ଠୁଣ୍‌-ଠାଣ୍‌ ଶବ୍ଦ । ତା ସଙ୍ଗେ କୌଣସି ଏକ ତରଳ ପଦାର୍ଥ ଢାଳିବାର ଧ୍ୱନି..ଟବ୍‌...ଟବ୍‌ ।

 

ଆଉ ଚାପା ଗଳାର ହସ ।

 

ବାହାରେ ଅପେକ୍ଷା କରିଥିବା ଛାୟାମୂର୍ତ୍ତି ଝରକା କାଚ ପାଖେ କାନ ଡେରି କ’ଣ ଶୁଣିବାର ଚେଷ୍ଟା କରୁଚି ।

 

ସେତିକିବେଳେ ଭିତରୁ ବିକାରଗ୍ରସ୍ତ ଗୋଟିଏ ନାରୀର କଣ୍ଠସ୍ୱର ଶୁଣାଗଲା—ମାଇଁ ସୁଇଟ୍‌, ତୁମେ ଖୁବ୍‌ ଇଏ...ଦେଖନା ଏ ଦେହ, କୌଣସିଟି ମୁଁ ତୁମ ପାଖେ ଲୁଚେଉନି । ତୁମକୁ ନିରୋଳା ପାଇଲେ ମୋର ବେଶପୋଷାକ ଅସମ୍ଭବ ଭାରୀ ବୋଧହୁଏ । ସାମାନ୍ୟ ସୂତାଟାଏ ବି ପାହାଡ଼ ବୋହିଲା ପରି ଲାଗେ । ଖୋଲା ମନ ସଙ୍ଗେ ଖୋଲା ଦେହ, ସାମାନ୍ୟ ଟିକିଏ ବି ବାଧା ନାହିଁ...ନୁହେଁ କି ?

 

ଉତ୍ତରରେ ଗୋଟାଏ ପୁରୁଷର ସ୍ୱର ଶୁଣାଗଲା । କଥାଗୁଡ଼ିକ କେମିତି ଦାନ୍ତ ପାଖରେ ଝୁଣ୍ଟୁଚି । ସ୍ୱର ସଙ୍ଗେ ଜିଭଟା ଯେମିତି ଠିକ୍‌ ଭାବରେ ସଞ୍ଚାଳିତ ହୋଇପାରୁନି ।

 

—ସୂତାଟାଏ ଭାରୀ ବୋଧହେଲାବେଳେ ଗୋଟାଏ ମଣିଷର ବୋଝ ଲଦିଦେବା ଅନ୍ୟାୟ ହେବ ନିଶ୍ଚୟ ।

 

—ଆଃ, କ’ଣ ଯେ ତୁମେ କୁହ ! ଗୋଟାଏ ଦେହର ଭୋକ ନେଇ ଯେତେବେଳେ ମୁଁ ଠିଆ ହେଇଚି, ସେତେବେଳେ...

 

—ମନରେ ଭୋକ ଥିବା ଦରକାର ।

 

—ଅଛି ନିଶ୍ଚୟ ।

 

—କେବଳ ଖାଇଯିବାର ସେ ଭୋକ ?

 

—ନା, ନିଃଶେଷ କରି ଖୁଆଇବାର ପ୍ରବଳତା ।

 

—ଗୋଟିକରେ ପରଷିଦେବ ତ ?

 

—ସେ ପ୍ରଣାମ ଅନେକ ଥର ଦେଇ ସାରିଚି । କିଛି କ’ଣ ଅନୁଭବ କରିପାରିନ ?

 

—ଆଘାତ ପାଇଲ ବୋଧହୁଏ ! ମୁଁ କିନ୍ତୁ କ’ଣ ମନେକରେ, ଜାଣ ?

 

—ଜାଣିବାର ସୁଯୋଗ କେବେ ଦେଲ ?

 

—ସବୁ ସମୟ ପାଇଁ ଯଦି...

 

—ମୁଁ ପ୍ରସ୍ତୁତ....କିନ୍ତୁ ଖୁବ୍‌ ଧୀରେ...ଭେରି ସ୍ଳୋଲି ମାଇଁ ସୁଇଟ୍‌ ସବୁ ସମାଧାନ ହେଇଯିବ ।

 

—ମେ ଥଓର ଓ୍ୱାର୍ଡ଼ କମ୍‌ ଟ୍ରୁ ।

 

—ଡୋଣ୍ଟ ଓରି ।

 

—ତା’ହେଲେ ମୁଁ ବି....

 

—ଆଃ, ନ ପଚାରିଥିଲେ ଚଳିଥାଆନ୍ତା । ପ୍ରତିଥର ସେଇ ଗୋଟାଏ କଥା । ଅଯଥା ସମୟ ନଷ୍ଟରୁ କ’ଣ ପାଅ ?

 

—ଅତ୍ୟଧିକ କ୍ଷୁଧା ଆହାରରେ ତୃପ୍ତି ଆଣେ ।

 

—ସେମିତି ମନେରଖିବା ଉଚିତ ଯେ, ନିବିଡ଼ ଭାବରେ ମିଶିଯିବାରେ ପରମ ତୃପ୍ତି ମିଳିଥାଏ । ସେ କ୍ଷେତ୍ରରେ ସାମାନ୍ୟ ଆବରଣ ବି ଯନ୍ତ୍ରଣାଦାୟକ । ପ୍ଳିଜ୍‌..କୁଇକ୍‍....ମୁଁ ଆଉ ଧୈର୍ଯ୍ୟ ରଖିପାରୁନି....

 

ତା ପରେ...କଥାବାର୍ତ୍ତା କେତେ ସମୟ ପାଇଁ ବନ୍ଦ ହୋଇଗଲା । ଦେହ ସଙ୍ଗେ ଦେହର ସଂଘର୍ଷ ଜନିତ ଶବ୍ଦ..ନୀରବ ଆକ୍ରମଣ ପ୍ରତିଆକ୍ରମଣ ଯେମିତି ଜାରି ରଖିଚି...ଖୁବ୍‌ ଘନିଷ୍ଠ....ଖୁବ୍‌ ନିବିଡ଼....ଭାରୀ ନିଶ୍ୱାସ...

 

ଗୋଟାଏ ଅବ୍ୟକ୍ତ ଘୃଣାରେ ଝରକା ପାଖର ଛାୟାମୂର୍ତ୍ତି ଜର୍ଜରିତ ହୋଇପଡ଼ିଚି । ବାହାରଟା ଘନ ଅନ୍ଧକାରରେ ଆଚ୍ଛନ୍ନ । ମୁହଁର ଅବସ୍ଥା ଜାଣିବାର ଉପାୟ ନାହିଁ । ବାହାରିଆସିଲା ଗୋଟାଏ ଚାପା ଦୀର୍ଘନିଶ୍ୱାସ । କ୍ଷୁବ୍‌ଧ ଅଶରୀରୀ ଯେମିତି ଗମ୍ଭୀର ଫୁତ୍‌କାର ଛାଡ଼ୁଚି ।

 

ଧୀରେ ଧୀରେ ଭିତରର ଅବସ୍ଥା ଶାନ୍ତ ହୋଇଆସିଲା । ନିଶ୍ୱାସର ଓଜନ ଅନେକ କମିଯାଇଚି । ଫସ୍‌ କରି ଦିଆସିଲିଟାଏ ଜଳି ଉଠିଲା । କିଛି ସମୟ ପରେ ନିଆଁ ଗୁଲଟାଏ ଧକ୍‌ ଧକ୍‌ କରିବାରେ ଲାଗିଚି । କେହି ନିଶ୍ଚୟ ସିଗାରେଟ୍‌ ଟାଣୁଚି । କିଏ ସେ ? ବାହାରୁ ଜାଣିବାର ଉପାୟ ନାହିଁ ।

 

ପୁଣି ଶୁଣାଗଲା ବୋତଲ ଗ୍ଳାସର ଠୁଣ୍‌-ଠାଣ୍‌...ଏବଂ କିଛି ତରଳ ଜିନିଷ ଢାଳିବାର ଟବ୍‌ଟବ୍‌ଶବ୍ଦ ।

 

ଜଡ଼ିତ ନାରୀଗଳାରୁ ଶୁଣାଗଲା–ଆମେ ବିଶାଳ ଜନାରଣ୍ୟ ଭିତରେ ସବୁଦିନ ପାଇଁ ହଜିଯିବା...କେହି ଖୋଜି ପାଇବେନି ।

 

ଠିକ୍‌ ଅପରୂପ ଗୋଟାଏ ପୁରୁଷର ଜଡ଼ିତ କଣ୍ଠରୁ ଶୁଣାଗଲା—ଆଇ ନୋ ମାଇଁ ଡ଼ାର୍ଲିଂ-! ଦେବନଗର ପ୍ରଫେସର ଅଚ୍ୟୁତାନନ୍ଦ ପଣ୍ଡା ଆଉ ସମରେନ୍ଦ୍ର ଗୁରୁକୁ ଯେଭଳି ଭାବରେ ଛାଡ଼ିଆସିଲି,ସେଥିରେ ବାସ୍ତବିକ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ନାରାୟଣ ଚୌଧୁରୀ ଆଉ ଚିନ୍ତାମଣି ବେହେରା ବେଳକୁ ଅବଶ୍ୟ ମୋର ଆଶ୍ଚର୍ଯ୍ୟ ହେବାର କିଛି ନ ଥିଲା ।

 

—ଗିରିବାଳା କଥାର ମର୍ଯ୍ୟାଦା ରଖିଜାଣେ, ମାଇଁ ସୁଇଟ୍‌ ! ଆମର ରାସ୍ତାରେ କେହି ଠିଆ ହୋଇପାରିବେନି । ବିଷରଶ୍ମିରେ ଦୁନିଆଟାକୁ ମୁଁ ଜାଳିଦେବି । ୟୁ ହେଲପ୍‌ମି...ମୋର ଇପ୍‌ସିତ ବସ୍ତୁ ଲାଭ କଲାମାତ୍ରେ ଆମେ ହଜିଯିବା ।

 

—କିନ୍ତୁ ଡ୍ରଗିଷ୍ଟ ନାରାୟଣ ଚୌଧୁରୀ ପାଖରେ ତୁମର ପରିଚୟ ଥିଲା ଯଶୋଧାରା ରାଉତ !

 

—ବାଧ୍ୟ ହେଇଥିଲି । କାହାପାଇଁ, ଜାଣ ?

 

—ଜାଣେ । ଜିନିଷଗୁଡ଼ା କୋଉଠି ସାଇତି ରଖ, ସେକଥା କିନ୍ତୁ ଜାଣିପାରେନି ।

 

—ପ୍ରତି କ୍ଷେତ୍ରରେ ମୋ ବଖରାର କାନ୍ଥରେ ଗୋଟାଏ ଟ୍ରେଜେରୀ ରହେ । ସେଥିରେ ସେଗୁଡ଼ିକୁ ରଖିଥାଏ । ମୋର ବିଶ୍ୱାସ, ଏଥର ମୁଁ ମୋର ଇପ୍‌ସିତ ବସ୍ତୁ ଲାଭ କରିବି ।

 

—ତାହାହିଁ ହେଉ, ମାଇଁ ଡ଼ାର୍ଲିଂ ! ଏ ଲୁଚାଛପା ଜୀବନ ଆଉ ଭଲ ଲାଗୁନି । ସମୟ ଗଡ଼ିବା ସଙ୍ଗେ ସଙ୍ଗେ ମ୍ୟାରେଜଟା ଅଶୋଭନୀୟ ମନେ ହେବ । ବୟସ ତୁମର ଯେ ଛତିଶ ଡେଇଁଗଲା ।

 

—ଜୀବନଟା ଆମେ ଏମିତି ବିତେଇଦେବା, ମାଇଁ ସୁଇଟ ! ଅଯଥା ବାହାର ଦୁନିଆକୁ ଜଣେଇବା ମୋର ପସନ୍ଦ ହୁଏନି ।

 

—ଆଚ୍ଛା, ତୁମରି କଥା ହେବ ।

 

କୋଠା ତଳେ ଗୋଟାଏ ଗାଡ଼ିର ହର୍ଣ୍ଣ ଶୁଣାଗଲା ।

 

ସଙ୍ଗେ ସଙ୍ଗେ ସେ ବଖରାର ନୀଳ ଆଲୋକ ଦପ୍‌କରି ଲିଭିଗଲା । ଘଞ୍ଚ ଅନ୍ଧାର ଭିତର ଦେଇ କେହି ଯେମିତି ଦ୍ରୁତଗତିରେ ବାହାରିଗଲେ ।

 

ଫାଟକ ପାର ହୋଇ ଗାଡ଼ି ଭିତରେ ପ୍ରବେଶ କରୁଚି ।

 

ଧୀରେ ଧୀରେ ଛାୟା ମୂର୍ତ୍ତିଟି ଝରକା ପାଖରୁ ଅପସରିଗଲା ଏବଂ ଅଳ୍ପ ସମୟ ପରେ ହତା ପାର ହୋଇ ଅନ୍ଧାର ଭିତରେ ଅଦୃଶ୍ୟ ହୋଇଗଲା ।

 

ଜମିଦାର ନୀଳାଦ୍ରି ଭୂଷଣ ବଳ ପ୍ରସିଦ୍ଧ ନଗର ଉନ୍ମୟନ ଅଫିସର ଭାବରେ ପରିଚିତ । ତାଙ୍କୁ ଜଣେ ଇନ୍ଦ୍ରଜାଲିକ ନଗର ଉନ୍ନୟନକାରୀ ବୋଲି କୁହାଯାଏ; କାରଣ କୌଣସି ନୂଆ ନଗର ତାଙ୍କର ପରାମର୍ଶରେ ଏଭଳି ଗଢ଼ିଉଠେ ଯେ,ମନେହୁଏ କୌଣସି ଦକ୍ଷ ଚିତ୍ରକର ଯେମିତି ତାର ସୂଷ୍ମ ତୂଳିରେ ଗୋଟିଏ ସୁନ୍ଦର ଚିତ୍ର ଆଙ୍କିଦେଇଚି । ବଡ଼ ବଡ଼ ପ୍ଳାନରମାନେ ତାଙ୍କର ପରାମର୍ଶକୁ ସର୍ବଶ୍ରେଷ୍ଠ ମନେକରନ୍ତି ।

 

ଜମିଦାର ନୀଳାଦ୍ରିଭୂଷଣଙ୍କର ପୁଅ ଜଗଦୀଶଚନ୍ଦ୍ର ବଳ ମଧ୍ୟ ଜଣେ ବଡ଼ ଶିଳ୍ପବିଦ୍ । ବୟସ ସତେଇଶ ପୂରି ଅଠେଇଶ ଚାଲିଚି । ବିଦେଶର ବିଶ୍ୱବିଦ୍ୟାଳୟରୁ ସେ ଏ ବିଷୟରେ ଉଚ୍ଚଶିକ୍ଷା ପାଇ ଆସିଚି । ଘରକୁ ଫେରିବାର ମାତ୍ର ତିନିମାସ ହେବ । ଜମିଦାର ସାହେବଙ୍କ ପରିବାର ବିଶେଷ ବଡ଼ ନୁହେଁ । ଜଗଦୀଶଚନ୍ଦ୍ର ବ୍ୟତୀତ ରୁବି ନାମରେ ଗୋଟିଏ ଦୂରସଂପର୍କୀୟ ଝିଅ ତାଙ୍କ ପାଖରେ ଥାଏ । ବୟସ ଚବିଶ ମଧ୍ୟରେ ହେବ । ଜମିଦାର ବଳ ତାକୁ ପାଳି ପୋଷି ଆଣିଚନ୍ତି । ଏମାନଙ୍କ ବ୍ୟତୀତ ଜମିଦାର ସାହେବଙ୍କର ଫଣୀନ୍ଦ୍ର କୁମାର ନାମକ ଜଣେ କକାପୁଅ ଭାଇ ଥାଆନ୍ତି । ତାଙ୍କର ବୟସ ଷାଠିଏ ପାଖାପାଖି ହେବ । ସେ ସୈନ୍ୟବିଭାଗରେ କ୍ୟାପଟେନ୍‌ ଭାବରେ ନିଯୁକ୍ତି ପାଇଥିଲେ । ବର୍ତ୍ତମାନ ଅବସର ନେଇ ଏମାନଙ୍କ ପାଖରେ ରହୁଚନ୍ତି ।

 

ଜମିଦାର ସାହେବଙ୍କର ନିଜ ଘର ପ୍ରସାଦପୁରରେ ଥିଲା । ତାଙ୍କର ପଡ଼ୋଶୀ ନନ୍ଦକିଶୋର ରାୟ ସେଠିକାର ଜଣେ ପ୍ରଚୁର ବିତ୍ତଶାଳୀ ବ୍ୟକ୍ତି । ସାତଟି ଲୁଗାକଳ ବିଭିନ୍ନ ସ୍ଥାନରେ କରିଚନ୍ତି । ପ୍ରତ୍ୟେକ ସ୍ଥାନରେ ବିଶ୍ୱସ୍ତ କର୍ମଚାରୀମାନେ କାରଖାନା ଚଳାନ୍ତି । ଦୁଇଟି ସ୍ତ୍ରୀ ଅକାଳରେ ହରାଇ ବସିଚନ୍ତି । ତୃତୀୟ ସ୍ତ୍ରୀ ଆସିବାର ଗୋଟାଏ ବି ବର୍ଷ ପୂରିନି । ବୟସ ବଳେଇ ପଡ଼ିଥିଲେ ମଧ୍ୟ ସନ୍ତାନ ଲାଭ ସୌଭାଗ୍ୟ ଜୁଟିନି । ଗୋଟାଏ ବିଚିତ୍ର ସଂଯୋଗ ଯେ ତାଙ୍କ ଘରେ ବି ଗୋଟିଏ ଅନାଥା ଝିଅ ତିନିମାସ ହେଲା ଆସି ରହିଚି । ନାମ ତାର ଦୀପାଳି । ସେ ଦୂରସଂପର୍କରେ ନନ୍ଦକିଶୋର ରାୟଙ୍କର ମାଉସୀ ଝିଅ ଭଉଣୀର ଝିଅ । ତାଙ୍କର ସେ ମାଉସୀ ଝିଅ ଭଉଣୀଟି ପକ୍ଷାଘାତାକ୍ରାନ୍ତ ହୋଇ ଡାକ୍ତରଖାନାରେ ପଡ଼ିଚି । ସେ ବିଧବା । ଘରେ ଦୀପାଳି ବ୍ୟତୀତ ଆଉ କେହି ନାହିଁ । ଯୁବତୀ ଝିଅ ଏକୁଟିଆ ଘରେ କେମିତି ରହିବ ? ସେଥିପାଇଁ ସେ ଆସି ନନ୍ଦକିଶୋରଙ୍କ ଘରେ ରହିଚି । ପ୍ରକୃତ ତା’ଠାରେ ସୌନ୍ଦର୍ଯ୍ୟ ପ୍ରଦାନ ପାଇଁ କାଣିଚାଏ ବି କାର୍ପଣ୍ୟ କରିନି । ମନେହେଉଚି, ଅନେକ କାଳ ବସି ବିଧାତା ଯେମିତି ତାର ଦେହ ଆଉ ରୂପକୁ ମାଠି ଚିକ୍‌କଣ କରି ଗଢ଼ିଚି । ଅନେକ ସମୟରେ ଭ୍ରମ ହୁଏ—ଏ କଣ ସେଇ ଦେବୀ, ଯାହାର ପ୍ରଶଂସାରେ ଶାସ୍ତ୍ର ଶତମୁଖ ହୋଇଥିଲା ! ଜଗଦୀଶଚନ୍ଦ୍ର ସେ ରୂପରେ ଯେମିତି ପାଗଳ ହୋଇଉଠିଚି ।

 

ଜମିଦାର ନୀଳାଦ୍ରିଭୂଷଣ ବଳ ଅନେକ ଜାଗା ବୁଲିଚନ୍ତି । ସେ ଜାଣନ୍ତି ଯେ ନିଜକୁ ଦୁନିଆରେ ଆହୁରି ପ୍ରତିଷ୍ଠିତ କରିବାକୁ ହେଲେ,ସେଭଳି ଜଣେ ଖୁବ୍‌ବଡ଼ ସମ୍ଭ୍ରାନ୍ତ ପରିବାର ସହିତ ସମ୍ବନ୍ଧ ସ୍ଥାପନ କରିବା ଉଚିତ । ଯେତେବେଳେ ସେ ଦେଖିଲେ ଜଗଦୀଶଚନ୍ଦ୍ର ନନ୍ଦକିଶୋର ରାୟଙ୍କ ମାଉସୀ ଝିଅ ଭଉଣୀର ଝିଅ ଦୀପାଳିକୁ ଭଲପାଇ ବସିଚି, ସେତେବେଳେ ତାଙ୍କ ଆଗରେ ଆଶାର ଆଲୋକ ଦେଖାଗଲା । ସେ ନନ୍ଦକିଶୋର ରାୟଙ୍କ ସଙ୍ଗେ ସମ୍ବନ୍ଧ ସ୍ଥାପନ କରି ନିଜର ପ୍ରତିପତ୍ତି ଆହୁରି ବଢ଼େଇବାକୁ ତତ୍ପର ହୋଇଉଠିଲେ । ଜାଣି ଶୁଣି ସେ ନନ୍ଦକିଶୋରଙ୍କ ସହିତ ଘନିଷ୍ଠତା ବଢ଼ାଇଦେଲେ । ଘନିଷ୍ଠତା ଯେମିତି ନିବିଡ଼ ହୋଇଉଠେ ସେମିତି ଗୋଟାଏ ସମୟର ଅପେକ୍ଷାର ରହିଥାଆନ୍ତି ।

 

ଖୁବ୍‌ ଦ୍ରୁତ ସେ ଅପେକ୍ଷାର ଅବସାନ ହେଲା । ନନ୍ଦକିଶୋର ରାୟ ତାଙ୍କ ପ୍ରଥମ ଶ୍ୱଶୁରଘର ଇଲାକାରେ ଗୋଟାଏ ଶିଳ୍ପାଞ୍ଚଳ ଗଢ଼ିବାର ମନସ୍ଥ କଲେ । ପୂର୍ବତନ ମୃତ ସ୍ତ୍ରୀଙ୍କ ନାମରେ ସେ ଅଞ୍ଚଳରେ ନାମ ଦମୟନ୍ତୀ ନଗର ରଖାଯିବ ଏବଂ ତାହା ଗୋଟାଏ ସମୃଦ୍ଧିଶାଳୀ ନଗରରେ ଯେମିତି ପରିଗଣିତ ହୁଏ, ତାର ସବୁପ୍ରକାର ଉଦ୍ୟମ କରାଯିବ ।

 

ସ୍ଥାନଟା ଖୁବ୍‌ ସ୍ୱାସ୍ଥ୍ୟକର । ନନ୍ଦକିଶୋର ରାୟ ସେଠାରେ ନିଜର ସ୍ଥାୟୀ ଘର ଗଢ଼ିବାର ମଧ୍ୟ ମନସ୍ଥ କରିଥାନ୍ତି । ତାଙ୍କର ପାରିବାରିକ ଚିକିତ୍ସକ ଡାକ୍ତର ଅପୂର୍ବରଞ୍ଜନ ଦାସ ଏ ପରାମର୍ଶ ଦେଇଥାଆନ୍ତି । ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ସରକାରଙ୍କଠାରୁ ଯଥାଶୀଘ୍ର ଅନୁମୋଦନ ମିଳିଲା ଏବଂ ସରକାରଙ୍କ ପକ୍ଷରୁ ଜମିଦାର ନୀଳାଦ୍ରିଭୂଷଣ ବଳ ସେଠିକାର ନଗର ଉନ୍ମୟନ ମୁଖ୍ୟ ଅଫିସର ଭାବରେ ନିଯୁକ୍ତି ପାଇଲେ । ଯୋଗଯୋଗର ଅପୂର୍ବ ମେଳ ଦେଖାଗଲା । ନନ୍ଦକିଶୋରଙ୍କ ‘ରାୟ ଭିଲା’ ନିକଟରେ ନୀଳାଦ୍ରିଭୂଷଣଙ୍କ ପାଇଁ ଗୋଟାଏ ପ୍ରକାଣ୍ଡ ନିବାସ ଗଢ଼ି ଉଠିଲା ।

 

ଗୋଟାଏ ନୂଆ ସ୍ଥାନରେ ପୂର୍ବର ବନ୍ଧୂତ୍ୱ ଯେ ଆହୁରି ଘନିଷ୍ଠ ହୋଇଉଠିବ, ଏଇଟା ଜମିଦାର ସାହେବ ନିଶ୍ଚିତ ଭାବରେ ଜାଣିଥିଲେ । ସୁଯୋଗ ପାଇ ଦୀପାଳି ସହିତ ଜଗଦୀଶଚନ୍ଦ୍ରର ଯୋଗାଯୋଗା ଯେ ନିବିଡ଼ରୁ ନିବିଡ଼ର ହୋଇଉଠିବ ସେଥିରେ କୌଣସି ସନ୍ଦେହ ନାହିଁ ।

 

ସେମାନେ ଦମୟନ୍ତୀ ନଗର ଆସିବାର ପ୍ରାୟ ଅଢ଼େଇମାସ ହୋଇଗଲାଣି । ନୀଳାନ୍ଦ୍ରି ଭୂଷଣଙ୍କ ଅନୁମୋଦିତ ଢାଞ୍ଚାରେ ସୁନ୍ଦର ଶିଳ୍ପ ନଗରୀଟିଏ ମୁଣ୍ଡ ଟେକି ଉଠିଚି । ଜମିଦାର ସାହେବ କେବଳ ନଗର ଉନ୍ନୟନ କୌଶଳୀ ନୁହନ୍ତି,ନଗରୀର ପୁନାମାନ୍ୱେଷୀ ଥିଲେ ।

 

ସ୍ଥାୟୀ ପ୍ରେକ୍ଷାଳୟ ଏବଂ ମଞ୍ଚକାର୍ଯ୍ୟ ଶେଷ ହେବା ଆଗରୁ ସେ କେତେକ ଭ୍ରାମ୍ୟମାଣ ସିନେମା ଆଉ ଥିଏଟର ଦଳଙ୍କୁ ଦମୟନ୍ତୀ ନଗରକୁ ନିମନ୍ତ୍ରଣ କରି ଆଣିଥିଲେ । ଏହା ମଧ୍ୟରେ ଦୁଇଟି ନାମୀ ସର୍କସ ଦଳ ଆସି ଖେଳ ଦେଖାଇ ଗଲେଣି ।

 

ଧୀରେ ଧୀରେ ଦମୟନ୍ତୀ ନଗରର ଆକର୍ଷଣ ବଢ଼ିବାରେ ଲାଗିଚି । ନୀଳାଦ୍ରୀ ଭୂଷଣଙ୍କ ଉଦ୍ୟମରେ ଯେମିତି କୁହୁକ ଭରିରହିଚି । ସେ ଯାହା ଭଲ ମନେ କରୁଚନ୍ତି—ସେଇଟା ଆଶାତୀତ ଭାବେ ଭଲ ପ୍ରମାଣିତ ହେଉଚି ।

 

ଜଗଦୀଶଚନ୍ଦ୍ର ଆଉ ଦୀପାଳୀର ଭଲପାଇବା ଅନେକଟା ବଢ଼ିଯାଇଚି । ଦିନେ ଖୁବ୍‌ ଭୋରରୁ ସେମାନେ ଖବର ପାଇଲେ ଯେ ଦମୟନ୍ତୀ ନଗରରେ ଦୁଈଟି ନୂଆ ତମ୍ବୁ ପଡ଼ିଚି । ସେଥିରୁ ଗୋଟିଏ ଲମ୍ବା ଟେବୁଲ ପଡ଼ିଚି । ଟେବୁଲଠାରୁ କୋଡ଼ିଏ ଗଜ ଦୂରରେ ଖଣ୍ଡେ ପଟା ଲାଗିଚି । ଟେବୁଲ ଉପରେ ଗୋଟିଏ ହାଲୁକା ବନ୍ଧୁକ ଥୁଆ ହୋଇଥାଏ । ଦୂରରେ ଲାଗିଥିବା ପଟା ଦେହରେ ପ୍ରତି ଗଜେ ଅନ୍ତରରେ ଚାରୋଟି ସରୁ ସୂତା ଝୁଲୁଚି । ପ୍ରଥମ ସୂତାରେ ଦୁଇଖଣ୍ଡି ଦଶଟଙ୍କିଆ ନୋଟ, ଦ୍ୱିତୀୟ ସୂତାରେ ପାଞ୍ଚଖଣ୍ଡ ଦଶଟଙ୍କିଆ ନୋଟ, ତୃତୀୟ ସୂତାରେ ଖଣ୍ଡେ ଶହେଟଙ୍କିଆ ନୋଟ ଏବଂ ଚତୁର୍ଥ ସୂତାରେ ଦୁଇଖଣ୍ଡି ଶହେଟଙ୍କିଆ ନୋଟ ବନ୍ଧା ହୋଇଥାଏ । ଟେବୁଲ ଏପାଖରୁ ଠିଆ ହୋଇ ଗୁଳିକରି ଯିଏ ଯେଉଁ ସୂତା ଛିଣ୍ଡାଇଦେବ ସେ ସେ ସୂତାରେ ବନ୍ଧାଯାଇଥିବା ଟଙ୍କାର ମାଲିକ ହେବ । ତମ୍ବୁର ତେଲେଙ୍ଗା ମାଲିକ ପ୍ରତିଟି ଗୁଳିକୁ ତିନିଟଙ୍କା ମୂଲ୍ୟ ନେଉଚି । କୌଣସି ବ୍ୟକ୍ତି ଚାରୋଟି ଗୁଳିରୁ ଅଧିକ ବ୍ୟବହାର କରିପାରିବନି । ଅର୍ଥାତ୍‍ ଏଇ ଚାରିଥରରେ ସେ ନିଜର ଭାଗ୍ୟ ପରୀକ୍ଷା କରିପାରେ ।

 

ଜଗଦୀଶଚନ୍ଦ୍ର ପାଖରେ ଗୋଟିଏ ହାଲୁକା ବନ୍ଧୁକ ଆଉ ଗୋଟାଏ ରାଇଫଲ ଥାଏ । ବିଦେଶରେ ଶିକ୍ଷାଲାଭ କଲାବେଳେ ସେ ଜଣେ ବିଖ୍ୟାତ ଲକ୍ଷ୍ୟଭେଦୀ ବୋଲି ସୁନାମ ଲାଭ କରିଥିଲା । ପୁଣି ତା’ର ସେଇ ପୁରୁଣା ସଉକଟା ଉଙ୍କିମାରି ଉଠିଲା ।

 

ଅନ୍ୟ ତମ୍ବୁଟା ଜଣେ ଜ୍ୟୋତିଷଙ୍କର ।

 

ସେ ଜ୍ୟୋତିଷଙ୍କ ବିଷୟରେ ଜଣା ପଡ଼ିଥିଲା ଯେ ତାଙ୍କର ନାମ ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀ । ଲୋକଙ୍କର ହାତ ଦେଖି ସେ ଗୋଟିଏ କୋଷ୍ଠୀଚକ୍ର କାଟନ୍ତି ଏବଂ ସେଇଟା ଗୋଟାଏ କାଚର ଗୋଲା ଭିତରେ ରଖି ମଣିଷର ଭୂତ ଏବଂ ଭବିଷ୍ୟତ କଥା କହିପାରନ୍ତି ଜଗଦୀଶଚନ୍ଦ୍ରର କକା କ୍ୟାପଟେନ୍‌ ଫଣୀନ୍ଦ୍ରକୁମାର ସେଦିନ ପ୍ରାତଃଭ୍ରମଣରୁ ଫେରି ଜଗଦୀଶଚନ୍ଦ୍ରକୁ କହିଲେ ଯେ, ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀ ଜଣେ ବିଶ୍ୱବିଖ୍ୟାତ ଜ୍ୟୋତିଷ । ସେ କ୍ୟାପଟେନ୍‌ ବଳଙ୍କ ମନକଥା ନିଜ ଆଡ଼ୁ କହିବାକୁ ଯାଇ ପ୍ରଣାମ ଦେଇଚନ୍ତି ଯେ, କ୍ୟାପେଟନ୍‌ ଆଜିଯାଏ କାହିଁକି ବିବାହ କରିନାହାନ୍ତି ।

 

ଜଗଦୀଶଚନ୍ଦ୍ର ସେ ଜ୍ୟାତିଷଙ୍କ ସଙ୍ଗେ ସାକ୍ଷାତ କରିବାପାଇଁ ବ୍ୟଗ୍ର ହୋଇଉଠିଲା । ତା’ର ଜାଣିବାର କଥା ଯେ,ଦୀପାଳିକୁ ସେ ଯେଭଳି ଭାବରେ ଭଲ ପାଉଚି ସେଇଟା ସବୁଦିନ ଲାଗିରହିବ କି ନାହିଁ ।

 

ନିଜର ରାଇଫଲଟା ନେଇ ଜଗଦୀଶଚନ୍ଦ୍ର‘ରାୟ ଭିଲା’ ଉଦ୍ଦେଶ୍ୟରେ ବାହାରିପଡ଼ିଲା । ନନ୍ଦକିଶୋର ରାୟ ତାଙ୍କର ସ୍ତ୍ରୀ,ଦୀପାଳି ଆଉ ତାଙ୍କର ପାରିବାରିକ ଚିକିତ୍ସକ ଅପୂର୍ବରଞ୍ଜନ ଦାସଙ୍କ ସହିତ ଯେ ଭିଲାରେ ରହୁଥାଆନ୍ତି ।

 

ଦୀପାଳିରୁ ସାଙ୍ଗରେ ନେଇ ଜଗଦୀଶଚନ୍ଦ୍ର ନୂଆ ହୋଇ ପଡ଼ିଥିବା ତମ୍ବୁ ଦୁଇଟି ଆଡ଼େ ଆଗେଇଗଲା । ଦୀପାଳି ଖଣ୍ଡେ ହାଲୁକା ବାଇଗଣୀ ରଙ୍ଗର ଶାଢ଼ି ପିନ୍ଧିଥାଏ । ଖୋଲା ବାଳଗୁଡ଼ାକ ପିଠି ଉପରେ ଲହଡ଼ି ଭାଙ୍ଗୁଚି । ଆଖିର କଜଳଗାରରେ କେମିତି ଗୋଟାଏ ବ୍ଳେଡ଼୍‌ ଭଳି ଆକର୍ଷଣୀୟ ଧାର ରହିଚି । ତାର ଛନ୍ଦଭରା ଲୀଳାୟିତ ଚାଲି ଦର୍ଶକ ରୋମାଞ୍ଚ ସୃଷ୍ଟି କରୁଥିଲା । ସେଦିନ ପବନ ଟିକିଏ ଜୋର ଜଣାପଡ଼ୁଥାଏ । ଆକାଶ ବକ୍ଷରେ ମେଞ୍ଚାଏ ମେଘ ଦେଖାଦେଇଚି । ନିରୋଳା ରାସ୍ତା ଧରି ଆଗେଇ ଯାଉ ଯାଉ ଜଗଦୀଶଚନ୍ଦ୍ର ଗୋଟାଏ ହାତ ଦୀପାଳିର କମରରେ ଘେରାଇ ପଚାରିଲା—ଦୀପା,ତମେ କ’ଣ ମତେ ଭଲପାଅ ?

ଟିକିଏ ହସିଦେଇ ଦୀପାଳି କହିଲା—ଭଲ ପାଇବାର ପ୍ରଥମ ଭାଗଟା କ’ଣ ଏତେ ଅବୋଧ୍ୟ ଯେ ବାରମ୍ବାର ସୂଚନା ଦେଲେ ମଧ୍ୟ ଜାଣିହୁଏ ନି ? ଆଚ୍ଛା, ମୁଁ ବର୍ତ୍ତମାନ ଯଦି ସେଇକଥା ପଚାରେ, ତୁମେ କ’ଣ ମତେ ସତରେ ଭଲପାଅ—ତାହେଲେ ?

—ମୁଁ ଏଭଳି ଭାବରେ ଉତ୍ତରଟା ଦେବି, ଯେଉଁଥିରେ ତୁମ ପ୍ରଶ୍ନର ଯଥାର୍ଥ ଉତ୍ତର ମିଳିଯିବ ।

—କ’ଣ ସେଇଟା ?

—ମୁହଁଟା ଟିକିଏ ମୋ ପାଖକୁ ଆଣ,ଜାଣିବ ।

ଦୀପାଳି ଲାଜରେ ଟିକିଏ ଆଗେଇଯାଇ ଠିଆ ହେଲା ।

ତେଲଙ୍ଗା ଲୋକଟିର ତମ୍ବୁ ପାଖରେ ପହଞ୍ଚି ଜଗଦୀଶଚନ୍ଦ୍ର ନିଜର ରାଇଫଲ୍‌ଟି ବ୍ୟବହାର କରିବାପାଇଁ ଅନୁମତି ମାଗିଲା; କିନ୍ତୁ ତମ୍ବୁରମାଲିକ ତାକୁ ତାର ରାଇଫଲ୍‌ ବ୍ୟବହାର କରିବାପାଇଁ ଅନୁମତି ଦେଲାନି । ଜଗଦୀଶଚନ୍ଦ୍ର ଦୀପାଳି ହାତରେ ତାର ରାଇଫଲଟା ଧରାଇଦେଇ ଟେବୁଲ ଉପରେ ଥୁଆ ହୋଇଥିବା ତେଲେଙ୍ଗାର ବନ୍ଧୁକଟା ଉଠାଇନେଲା । ସେ ଦୁଇଟି ଗୁଳି ବ୍ୟବହାର କରି ଚତୁର୍ଥ ଆଉ ତୃତୀୟ ସୂତାକୁ ଛିଣ୍ଡାଇଦେଲା । ଛଅଟା ଟଙ୍କା ଖର୍ଚ୍ଚ କରି ତିନିଶହ ଟଙ୍କା ଜିତିଯାଇଚି । ଖେଳ ଦେଖୁଥିବା ଲୋକମାନେ ଜଗଦୀଶଚନ୍ଦ୍ରର ପ୍ରଶଂସା କରିବାରେ ଲାଗିଲେ । ବିଚରା ତେଲେଙ୍ଗାର ଆଖି ଖୋଷିହୋଇଗଲା । ସଙ୍କେତରେ ଜଗଦୀଶଚନ୍ଦ୍ରକୁ ତମ୍ବୁ ପଛଆଡ଼େ ଡାକିନେଇ ଗୋଡ଼ ଦୁଇଟା ଧରି ପକାଇଲା । କହିଲା—ଦାନା ଯୋଗାଡ଼ ପାଇଁ ସେ ଫନ୍ଦା ମେଲିଚି; ସେଥିରେ ଆଉ ଧୂଳି ଯେମିତି ନ ପଡ଼େ ।

ଜଗଦୀଶଚନ୍ଦ୍ର ତମ୍ବୁ ପଛପାଖରୁ ଆସି ଦୀପାଳିକୁ ହସି ହସି କହିଲା–ଆସ, ଏଥର ଯିବା-

ତମ୍ବୁ ଭିତରୁ ବାହାରି ଆସିବା ପରେ ଦୀପାଳି ପଚାରିଲା–ଲୋକଟି କ’ଣ କହୁଥିଲା ?

—ବିଚରା ଛାନିଆ ହେଇଯାଇଚି । ଦାନାକନାର ଯୋଗାଡ଼ ପାଇଁ ସେ ଏ ଫନ୍ଦା ମେଲିଚି । ଜଣେ ଭଲ ଲକ୍ଷ୍ୟଭେଦୀକୁ ସେ ହାବୁଡ଼ିବ ବୋଲି ଆଶା କରି ନ ଥିଲା ।

—ତୁମେ କଣ ତାକୁ ଟଙ୍କା ଫେରାଇଦେଲ ?

—ନା ! ଟଙ୍କା ଜିତିଚି , ଫେରାଇବି କାହିଁକି ? ତା’ ବ୍ୟତୀତ ମୁଁ ସେ ଲୋକକୁ କହିବି ଯେ—ସବୁଲୋକ ଗୁଳି ଚଳାଇ ଜାଣନ୍ତି ନି । ସେ ଦୃଷ୍ଟିରୁ ସୂତାରେ କମ୍‌ ଅଙ୍କର ଟଙ୍କା ବାନ୍ଧି ଗୁଳିର ଦାମ ଟଙ୍କାଏ କିମ୍ବା ପଚାଶ ପଇସା ରଖିବା ଉଚିତ ।

—ଏମିତି ଲୋକକୁ ପରାମର୍ଶ ଦେବା କଣ ଉଚିତ ? ବିନା ପରିଶ୍ରମରେ ସେ କେତେ ଲୋକଙ୍କଠାରୁ ଟଙ୍କା ନେଇଯାଇଥିବ, ତାର କଣ ଠିକଣା ଅଛି ! ମୋ ମତରେ ବାକୀ ସତୁରି ଟଙ୍କା ଜିତିବା ଉଚିତ ଥିଲା ।

 

—ସେ ତ ସତ କଥା । ବିଚରା ଯେତେବେଳେ ଗୋଡ଼ ଦୁଇଟା ଧରି ଅନୁରୋଧ କଲା, ସେତେବେଳେ ଆଉ କଣ କରନ୍ତି !

 

କଥାବାର୍ତ୍ତା ହୋଇ ସେମାନେ ଜ୍ୟୋତିଷଙ୍କ ତମ୍ବୁ ପାଖରେ ପହଞ୍ଚିଗଲେ । ଜଗଦୀଶଚନ୍ଦ୍ର ତମ୍ବୁ ଦ୍ୱାର ପାଖରେ କହିଲା—ଦୀପା, ତମେ ଏଇଠି ଅପେକ୍ଷା କର,ମୁଁ ବର୍ତ୍ତମାନ ଫେରିଆସୁଚି ।

 

ଦୀପାଳି ହାତରେ ନିଜର ରାଇଫଲଟା ଧରାଇଦେଇ ଜଗଦୀଶଚନ୍ଦ୍ର ତମ୍ବୁ ଭିତରକୁ ଚାଲିଗଲା । ସେତେବେଳେ ତାର କକା କ୍ୟାପ୍‌ଟେନ୍‌ଫଣୀନ୍ଦ୍ରକୁମାର ସେଆଡ଼େ ଆସୁଥିବାର ଦେଖିପାରିଲା । ତମ୍ବୁ ଭିତରକୁ ଯାଇ ଜଗଦୀଶଚନ୍ଦ୍ର ଦେଖିଲା, ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀ ଏକା ଅଛନ୍ତି । ଖଣ୍ଡେ ଚଉକି ଉପରେ ସେ ବସିଚନ୍ତି । ମୁଣ୍ଡରେ ପରିଷ୍କାର ଧଳା ବେଢାଣର ପଗଡ଼ି । କପାଳରେ ଚଉଡ଼ା ରାମାନନ୍ଦୀ ତିଳକ । ବେକରେ ଦୁଇଟି ମୋତିମାଳି ପଡ଼ିଚି । ଆଗରେ ଥୁଆ ହେଇଚି କାଚର ଗୋଟାଏ ପ୍ରକାଣ୍ଡ ଗୋଲକ । ଖଣ୍ଡେ ଷ୍ଟୁଲ ଉପରେ କେତେଖଣ୍ଡ କାଗଜ ଏବଂ ସୁଦୃଶ୍ୟ ଡ଼ଟ୍‌ପେନ୍‌ଟିଏ ଥୁଆ ହୋଇଚି ।

 

ଜଗଦୀଶଚନ୍ଦ୍ର ହାତ ଯୋଡ଼ି ପଣ୍ଡିତଙ୍କୁ ନମସ୍କାର ଜଣାଇ ତାଙ୍କ ଆଗରେ ଯାଇ ବସିଲା । ପଣ୍ଡିତଙ୍କ ଆଖି ଦୁଇଟା ଅର୍ଦ୍ଧମୁଦ୍ରିତ, ସତେ ଯେପରି ସେ ଧ୍ୟାନରେ ବସିଚନ୍ତି । ସେ ଖୁବ୍‌ଧୀରେ କାଗଜ ଆଉ ପେନ୍‌ଆଡ଼େ ଠାରି ଦେଲେ । କାଗଜ ଦେହରେ ତିନୋଟି ଘର କଟାଯାଇଚି । ବୟସ, ନାମ ଆଉ ଜନ୍ମତାରିଖ । ଜଗଦୀଶଚନ୍ଦ୍ର ଖଣ୍ଡେ କାଗଜରେ ତାର ବୟସ, ନାମ ଆଉ ଜନ୍ମତାରିଖ ଲେଖିଦେଲା ।

 

ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀ ଆଖି ଫିଟାଇ ସେ କାଗଜ ଆଡ଼େ ଚାହିଁଲେ । ଆଖି ଦୁଇଟା ତାଙ୍କର ଖୁବ୍‌ଲାଲ ଦେଖାଯାଉଥାଏ । ମନେ ହେଉଥାଏ,,କୌଣସି ଉଗ୍ର ନିଶା ଜିନିଷ ସେ ବ୍ୟବହାର କରିଚନ୍ତି ।

 

–ଯୁବକ,ତୁମେ କଣ ଆଶା କରୁଚ ?

 

ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀ କାଗଜଟି ଉପରେ ଦୃଷ୍ଟି ରଖି ପଚାରିଲେ ।

 

ଜଗଦୀଶଚନ୍ଦ୍ର ଉତ୍ତର ଦେଲା–ମୁଁ ଗୋଟିଏ ଭଲ ଜୀବନ ସାଥୀ ଆଶା କରୁଚି ।

 

–ଆଉ ସେଇ ଝିଅଟିକୁ ଜୀବନସାଥୀ କରିବାକୁ ଇଚ୍ଛା କରୁଚ, ଯାହାକୁ ତୁମେ ତମ୍ବୁ ବାହାରେ ଛାଡ଼ିଆସିଚ ?

 

ପଣ୍ଡିତଙ୍କ ଏକଥା ଶୁଣି ଜଗଦୀଶଚନ୍ଦ୍ର ବିସ୍ମିତ ହୋଇଗଲା । ମନେ ମନେ ଭାବିଲା, ଏ ଯେ ବିଖ୍ୟାତ ସିଦ୍ଧ ପୁରୁଷ,ସନ୍ଦେହ ନାହିଁ । ଖୁବ୍‌ ଧୀର ଗଳାରେ ସେ ପଚାରିଲା—ପଣ୍ଡିତ ମହାଶୟ, ଆପଣ କଣ ସେ ଝିଅଟିକୁ ଜାଣନ୍ତି ?

 

—ମୁଁ ଅନେକ କିଛି ଜାଣେ । ଜଗଦୀଶଚନ୍ଦ୍ର, ସେ ଝିଅଟିର ନାକ କଣ ?

 

—ଦୀପାଳି ।

 

—ତା ସହିତ ତୁମର କେବେଠାରୁ ଜଣାଶୁଣା ?

 

—ତିନିମାସ ହେବ ।

 

—ତୁମମାନଙ୍କର କଣ ନିର୍ବନ୍ଧ ହୋଇଯାଇଚି ?

 

—ନା, ହେଇନି ।

 

—କିନ୍ତୁ କିଛିଦିନ ତଳେ ତୁମେ ଦୁହେଁ ନିଜ ନିଜ ଭିତରେ ସିଦ୍ଧାନ୍ତ କରିସାରିଚ ଯେ ଦୁହେଁ ସବୁଦିନେ ଏକାଠି ହୋଇ ରହିବ ।

 

ଜଗଦୀଶଚନ୍ଦ୍ର ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀଙ୍କର ଏ ଧରଣର ରହସ୍ୟ ଉଦ୍‌ଘାଟନରେ ପୁଣି ବିସ୍ମିତ ହୋଇଗଲା ।—ହଁ, ଆମେ ଦୁହେଁ ତିନିଦିନ ତଳେ ଏକଥା ସିଦ୍ଧାନ୍ତ କରିସାରିଚୁ ।

 

ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀ ଟିକିଏ କଣ ଭାବି କହିଲେ—ବାବା ଜଗଦୀଶଚନ୍ଦ୍ର, ତମେ କଣ ଦୀପାଳିର ଅତୀତ ସହିତ ପରିଚିତ ?

 

—ଆପଣ କଣ ପଚାରୁଛନ୍ତି, ମୁଁ ବୁଝିପାରୁନି ।

 

—ମୁଁ ପଚାରୁଛି ଯେ ତମେ ସେ ଝିଅଟିର ଅତୀତ ଜୀବନ ବିଷୟରେ କିଛି ଜାଣିଚ କି-?

 

—ନା ।

 

—କେଜାଣି କାହିଁକି ବାବା, ତୁମ ପ୍ରତି ମୋର ସହାନୁଭୂତି ଉଦ୍ରେକ ହେଉଚି । ଦୀପାଳି କିଏ ବୋଲି ମୁଁ ତୁମକୁ ଜଣେଇ ପାରୁନି ।

 

ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀ କଥାଶେଷ କଲାବେଳକୁ ତମ୍ବୁ ବାହାରୁ ଗୁଳି ଚାଲିବାର ଶୁଣାଗଲା । ତମ୍ବୁର କନା ଫାଟିଯାଇଚି । ପରମୁହୂର୍ତ୍ତରେ ଜଗଦୀଶଚନ୍ଦ୍ର ଦେଖିଲା, ଜ୍ୟୋତିଷବିଶାରଦ ଷ୍ଟୁଲଟା ଉପରେ ମୁହଁମାଡ଼ି ପଡ଼ିଚନ୍ତି । ଷ୍ଟୁଲ ଉପରେ ଥିବା କାଗଜ ଲାଲ୍‌ ହୋଇଯାଇଥାଏ । ଗୋଟାଏ କରୁଣ ଚିତ୍କାର ତମ୍ବୁ ଭିତରେ ଖେଳିଗଲା । ଷ୍ଟୁଲ ଉପରୁ ମୁଣ୍ଡଟାକୁ ଉଠାଇବାର ଚେଷ୍ଟାକରି ଜ୍ୟୋତିଷବିଶାରଦ ପାରିଲେନି । ଦେଖୁ ଦେଖୁ ସେ ଅଜ୍ଞାନ ହୋଇଗଲେ-

 

ତାଙ୍କର ବାମକାନ୍ଧ ତଳକୁ ଗୋଟାଏ ଲାଲ୍‌ ଚିହ୍ନ ଦେଖାଯାଉଚି । ଗୁଳିଟା ବାମ କାନ୍ଧ ତଳେ ଲାଗିଚି । ଜଗଦୀଶଚନ୍ଦ୍ର ବିବ୍ରତ ହୋଇପଡ଼ିଲା । ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀଙ୍କୁ ସମ୍ଭାଳିବାପାଇଁ ଧାଇଁଗଲା ବେଳକୁ ସେ ତମ୍ବୁ ବାହାରେ ଦୀପାଳିର ବ୍ୟସ୍ତ ସ୍ୱର ଶୁଣିପାରିଲା :

 

—କ୍ୟାପେଟେନ୍‌ ସାହେବ..କ୍ୟାପେଟେନ୍‌ ସାହେବ, ମୋର କୌଣସି ଦୋଷ ନାହିଁ । କେଜାଣି ମୋର କ’ଣ ହୋଇଗଲା...ଜାଣିପାରିନି...ରାଇଫଲ୍‌ ଟ୍ରିଗାର ଉପରେ ଚାପ ପଡ଼ିଗଲା...ମତେ ରାଇଫଲ୍‌ ନଦେବାକୁ ପ୍ରଥମରୁ ମୁଁ ଜଗଦୀଶବାବୁଙ୍କୁ ମନା କରୁଥିଲି କ୍ୟାପେଟେନ୍‌ ସାହେବ, ଗୁଳି କାହା ଦେହରେ ବାଜିନି ତ ?

 

—ମୁଁ ଯାଇ ଦେଖୁଚି । କ୍ୟାପଟେନ୍‌ ଫଣୀନ୍ଦ୍ରକୁମାର କହିଲେ ।

 

ତମ୍ବୁ ଭିତରେ ଭାରୀ ଜୋତାର ଶବ୍ଦ ଶୁଣାଗଲା । ଦ୍ରୁତ ଗତିରେ କ୍ୟାପଟେନ୍‌ ଭିତରକୁ ପଶିଆସିଲେ । ସେ ଜ୍ୟୋତିଷବିଶାରଦଙ୍କର ଅବସ୍ଥା ଦେଖି ଚିନ୍ତିତ ହୋଇପଡ଼ିଲେ । କ୍ୟାପଟେନ୍‌ଙ୍କ ପଛେ ପଛେ ଦୀପାଳି ମଧ୍ୟ ଭିତରକୁ ଆସିଥିଲା । ଜ୍ୟୋତିଷବିଶାରଦଙ୍କୁ ଆହତ ହୋଇଥିବାର ଦେଖି ସେ ଗୋଟାଏ କୋଣକୁ ରାଇଫଲ୍‌ଟା ଫିଙ୍ଗି ଦେଇ ଦୁଇ ହାତରେ ମୁହ ଲୁଚାଇ କାନ୍ଦି କାନ୍ଦି କହିଲା—ମୋର କୌଣସି ଦୋଷ ନାହିଁ...ସେ ଜୀବନରେ ଅଛନ୍ତି ତ ?

 

କ୍ୟାପଟେନ୍‌ ଜ୍ୟୋତିଷବିଶାଦରଙ୍କ ପାଖରେ ବସିପଡ଼ି ତାଙ୍କର ନାଡ଼ୀ ପରୀକ୍ଷା କରି କହିଲେ—ନାଡ଼ୀ ତ ଠିକ ଚାଲୁଚି । ଆମ୍ଭେମାନେ ପଣ୍ଡିତଙ୍କୁ ଡାକ୍ତରାଖାନାରେ ପହଞ୍ଚାଇଦେବା ଦରକାର ।

 

ଜଗଦୀଶଚନ୍ଦ୍ର ଆଉ କ୍ୟାପଟେନ୍‌ ମିଶି ଜ୍ୟୋତିଷବିଶାଦରଙ୍କୁ ଉଠାଇଲେ । ତମ୍ବୁ ଆଗରେ ସେତେବେଳକୁ ଲୋକଗହଳି ବଢ଼ି ଯାଇଥାଏ । କ୍ୟାପେଟନ୍‌ ଗହଳି ମଧ୍ୟରେ ଠିଆ ହୋଇଥିବା ଜଣେ ଚିହ୍ନା ଲୋକକୁ କହିଲେ—ଦଉଡ଼ିଯାଅ ‘ ଓଭରସିଅରବାବୁଙ୍କୁ କହିବ ଶୀଘ୍ର ଜିପ୍‌ ନେଇ ଆସିବେ ।

 

ଜଗଦୀଶଚନ୍ଦ୍ର ଆଉ କ୍ୟାପଟେନ ଜ୍ୟୋତିବିଶାରଦଙ୍କୁ ଖୁବ୍‌ ସାବଧାନରେ ଆଣି ତମ୍ବୁ ବାହାରେ ଶୁଆଇଦେଲେ । ପୁଣି ଜଗଦୀଶଚନ୍ଦ୍ର ତମ୍ବୁ ଭିତରକୁ ଗଲା । ଦୀପାଳି ସେତେବେଳକୁ ମୁହଁରେ ଲୁଗାକାନି ଚାପି କାନ୍ଦିବାରେ ଲାଗିଥାଏ । ଜଗଦୀଶଚନ୍ଦ୍ର ତାକୁ କୁଣ୍ଢାଇ ଧରି କହିଲା—ମୁଁ ଜାଣେ, ଅଜାଣତରେ ତମର ହାତ ଟ୍ରିଗାର ଉପରେ ପଡ଼ିଯାଇଚି । ତମେ ବ୍ୟସ୍ତ ହୁଅନି । ଯଦି ସେମିତି କୌଣସି ଅସ୍ୱାଭାବିକ ଅବସ୍ଥା ଉପୁଜେ, ତାହେଲେ ମୁଁ ତୁମକୁ ରକ୍ଷା କରିବି ।

 

ଦୀପାଳି ମଧ୍ୟ ଜଗଦୀଶଚନ୍ଦ୍ରକୁ ଜାବୁଡ଼ି ଧରି ପଚାରିଲା—ସେ ଜ୍ୟୋତିଷବିଶାରଦଙ୍କର କିଛି ହେବନି ତ ? କି ଦୁର୍ଯ୍ୟୋଗରେ ମୁଁ ଘରୁ ବାହାରିଥିଲି କେଜାଣି !

 

—ତମେ ଆଦୌ ମନ ଖରାପ କରନି, ଦୀପା ! ସିଧା ତମେ ଏଠାରୁ ତମ ବସାକୁ ଚାଲିଯାଅ । କାକାଙ୍କ ସଙ୍ଗେ ପଣ୍ଡିତଙ୍କୁ ନେଇ ମୁ ଡାକ୍ତରଖାନା ଯାଉଚି । ଭଗବାନଙ୍କର ବରାଦ ଥିଲେ ତାଙ୍କର ଏତେ ଟିକିଏ ବି କ୍ଷତି ହେବନି ।

 

ଜଗଦୀଶଚନ୍ଦ୍ର ତମ୍ବୁ ଭିତରେ ପଡ଼ିଥିବା ରାଇଫଲଟା ଉଠାଇନେଲା ଏବଂ ଦୀପାଳିକୁ ସାଙ୍ଗରେ ଧରି ତମ୍ବୁ ବାହାରକୁ ଆସିଲା । ଦୀପାଳିର ଗୋଡ଼ ଦୁଇଟା ଅସମ୍ଭବ ଭାବରେ ଥରୁଥାଏ ।

 

କିଛି ସମୟପରେ ଓଭରସିୟର ତାଙ୍କର ଜିପ୍‌ ନେଇ ଆସିଲେ । କେତେକ ଲୋକଙ୍କ ସହାୟତାରେ କ୍ୟାପ୍‌ଟେନ୍‌ ଜ୍ୟୋତିଷବିଶାରଦଙ୍କୁ ନେଇ ଜିପ୍‌ର ପଛପାଖରେ ସଜାଡ଼ି ଶୁଆଇଦେଲେ ।

 

ଭିଡ଼ ପାଖେଇ ଜିପ୍‌ଟା ଡାକ୍ତରଖାନାଆଡ଼େ ଆଗେଇ ଚାଲିଲା ।

 

ଦିନ ବାରଟା ବାଜିଚି ।

 

ଜଗଦୀଶଚନ୍ଦ୍ର ତାଙ୍କ ଘରର ବାହାର କକ୍ଷରେ ଖୁବ୍‌ ବ୍ୟସ୍ତତାର ସହିତ ପଦଚାରଣା କରୁଥାଏ । କେତେବେଳେ ସେ ପିଠି ପାଖେ ନେଇ ହାତ ଦୁଇଟା ଛନ୍ଦି ଦେଉଥାଏ । କେତେବେଳେ କପାଳ ଉପରେ ଦେଖା ଦେଇଥିବା ଝାଳଗୁଡ଼ାକ ନିଗାଡ଼ି ଆଣୁଥାଏ । ହଠାତ୍‌ ସେ ଗୋଟାଏ ଧୀର ପାଦଶବ୍ଦ ଶୁଣିବାକୁ ପାଇଲା । ପର ମୁହୂର୍ତ୍ତରେ ରୁବି ସେ କକ୍ଷରେ ପ୍ରବେଶ କଲା । ଚବିଶବର୍ଷ ବୟସର ଝିଅଟା । ଦେହରେ ପୂର୍ଣ୍ଣ ଯୌବନ ଫୁଟିଉଠିଚି । ତା’ର ଗଢ଼ଣ ତା’ର ସୌନ୍ଦର୍ଯ୍ୟକୁ ପରିଷ୍କାର ଭାବରେ ପ୍ରକାଶ କରୁଥାଏ । ଅତି ସରଳ ବେଶଭୂଷା ।

 

ମୁହଁରେ ସଦାବେଳେ ଚେନାଏ ହସ ଲାଗି ରହିଚି । ହାତରେ ସେ କପେ ଚା’ ଧରିଥାଏ-

 

ରୁବି ଭିତରକୁ ଆସି କହିଲା–ମିଛରେ ତମେ ଗୁଡ଼ାଏ ଚିନ୍ତା କରୁଚ । ଦୁନିଆରେ ଅନେକ ଦୁର୍ଘଟଣା ଘଟିଯାଉଚି । ବିଚାରୀ ଦୀପାଳିର ଦୋଷ କ’ଣ ଯେ ? ତମେ ଏଥର ଖା–ପିଅ କର । ଆଜି ତମେ ସାମାନ୍ୟ ଟିକିଏ ଜଳଖିଆ ବି କରିନ । ନିଅ,ଚା’ ଟିକିଏ ପିଅ ।

 

ଜଗଦୀଶଚନ୍ଦ୍ର ତା ହାତରୁ ଚା’ କପ୍‌ଟା ନେଲା । ରୁବିର ସହାନୂଭୂତିପୂର୍ଣ୍ଣ କଥା ତା’ର ବ୍ୟସ୍ତ ମନରେ କିଛିଟା ଆଶ୍ୱସ୍ତି ଦେଲା ।

 

—କ’ଣ ଖଣ୍ଡେ ବ୍ରେଡ୍‍ ଗରମ କରି ଆଣିବି ?

 

—ଆଣ ।

 

ବ୍ରେଡ୍‍ଗରମ କରି ଆଣିବାପାଇଁ ରୁବି ଚାଲିଗଲା । ଜଗଦୀଶଚନ୍ଦ୍ର ଢୋକେ ଦୁଇ ଢୋକ ଚା’ ପିଇଲାବେଳକୁ ଅଦୂର ଟେବୁଲ ଉପରେ ଥିବା ଟେଲିଫୋନ୍‌ଟା ଝଣ୍‌ ଝଣ୍ କରିଉଠିଲା । ସେମାନେ ଏଠାକୁ ଆସିବା ଆଗରୁ ଜମିଦାର ସାହେବ ‘ରାୟ ଭିଲା’ ଆଉ ତାଙ୍କ ନିଜ କୋଠି ପାଇ ପ୍ରଥମରୁ ଟେଲିଫୋନ୍‌ ବ୍ୟବସ୍ଥା କରାଇ ସାରି ଥାଆନ୍ତି ।

 

ଜଗଦୀଶଚନ୍ଦ୍ର ଚା’ ପ୍ଳେଟ୍‌ଟା ରଖିଦେଇ ଟେବୁଲ ପାଖକୁ ଯାଇ ରିସିଭରଟା ଉଠାଇନେଲା । ସେ ଡାକ୍ତର ଅପୂର୍ବରଞ୍ଜନ ଦାସଙ୍କଠାରୁ ଫୋନ୍‌ ପାଇବାପାଇଁ ଅପେକ୍ଷା କରିଥାଏ-। ଏଇ ଅଳ୍ପ ସମୟ ହେଲା ସେ ଡାକ୍ତରଖାନାକୁ ଯାଇଥାଆନ୍ତି ।

 

ଡାକ୍ତର ଦାସ ସେ ଫୋନ୍‌କରିଥିଲେ ।

 

–କହନ୍ତୁ ଡକ୍ଟର ଦାସ,ପଣ୍ଡିତ ଜୀବନାନନ୍ଦ କେମିତି ଅଛନ୍ତି ? ଜୀବନରେ ଅଛନ୍ତି ତ ?

 

–ହଁ, ଜୀବିତ ଅଛନ୍ତି ।

 

ଆଶ୍ୱସ୍ତିର ନିଶ୍ୱାସ ପକାଇ ଜଗଦୀଶଚନ୍ଦ୍ର ପଚାରିଲା—ସେ ବଞ୍ଚି ଯିବେ ତ ?

 

—ହଁ, ବଞ୍ଚିଯିବେ । ଆପଣଙ୍କ ସଙ୍ଗେ ସେ ଦେଖା କରିବାକୁ ଇଚ୍ଛା କରୁଚନ୍ତି ।

 

—ମୋ ସଙ୍ଗେ ?

 

—ହଁ, ଆପଣଙ୍କ ସଙ୍ଗେ । ଆପଣ ଆସିବେ ତ ?

 

—ତାଙ୍କ ସଙ୍ଗେ ଦେଖା କରିବାକୁ ଡାକ୍ତର କ’ଣ ମତେ ଅନୁମତି ଦେବେ ?

 

—ଡାକ୍ତର କୌଣସି ଆପତ୍ତି କରିବେନି । ଆପଣ ଶୀଘ୍ର ଚାଲିଆସନ୍ତୁ ।

 

—ପଣ୍ଡିତ ଯେ ଭଲ ଅଛନ୍ତି, ସେ ସୁସମ୍ବାଦଟା ଦୀପାଳିକୁ ଜଣାଇ, ମୁଁ ବର୍ତ୍ତମାନ ଯାଉଚି-

 

—ଆପଣ ଦୀପାଳିଙ୍କ ସଙ୍ଗେ ଦେଖା କରିବାକୁ ଯାଆନ୍ତୁ ନି । ତାଙ୍କୁ ଫୋନ୍‌ରେ ଜଣେଇ ଦିଅନ୍ତୁ ଯେ ପଣ୍ଡିତ ଟିକିଏ ଭଲ ଅଛନ୍ତି ।

 

ହଠାତ୍‌ ଡାକ୍ତର ଦାସଙ୍କର କ’ଣ ଯେମିତି ମନେ ପଡ଼ିଗଲା । ସେ କହିଲେ—ଦୀପାଳିଙ୍କ ସହିତ କୌଣସି ସମ୍ବନ୍ଧ ନ ରଖି, କୌଣସି କଥା ନ କହିଲେ ଅଧିକ ଭଲ ହେବ ।

 

—କାରଣ ?

 

—ଦୀପାଳିଙ୍କ ଉପରେ ଏ ଦୁର୍ଘଟଣାର ଗଭୀର ପ୍ରଭାବ ପଡ଼ିଚି । ସୁସମ୍ବାଦଟା ପାଇବାମାତ୍ରେ ଖୁସିରେ ସେ ହୁଏତ, ପାଗଳୀ ହୋଇଯାଇପାରନ୍ତି ।

 

—ଓ....

 

—ବିଗତ ଦୁଇଘଣ୍ଟା ମଧ୍ୟରେ ପଣ୍ଡିତଙ୍କ ଅବସ୍ଥା ଜାଣିବାପାଇଁ ଦୀପାଳି ଡାକ୍ତରଖାନାକୁ କେତେଥର ଫୋନ୍‌ କଲେଣି । ସେଥିରୁ ଜଣାପଡ଼ୁଚି ଯେ ତାଙ୍କ ମନରେ ଅନେକ ଉଦ୍‌ବେଗ ପୂରି ରହିଚି । ତେଣୁ ସୁସମ୍ବାଦଟା ତାଙ୍କୁ ନ ଜଣାଇବାପାଇଁ ମୁଁ ଆପଣଙ୍କୁ ମନା କରୁଚି । ପ୍ରତିଥର ମୁଁ ଦୀପାଳିଙ୍କୁ ଜଣାଇଦେଇଛି ଯେ ଆଉ ଦୁଇଘଣ୍ଟା ପରେ ପଣ୍ଡିତଙ୍କ ଅବସ୍ଥା ବିଷୟରେ ଯାହା କିଛି ଜଣା ପଡ଼ିବ ।

 

—ଆପଣ ଠିକ୍‌ ବିଚାର କରିଚନ୍ତି । ଦୀପାଳିକୁ କୌଣସି ଖବର ଦେବା ପ୍ରକୃତରେ ଉଚିତ ହେବନି । ଆଚ୍ଛା, ମୁଁ ବର୍ତ୍ତମାନ ଯାଉଚି ।

 

—ଶୁଣନ୍ତୁ, ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀ ଇଚ୍ଛା କରୁଚନ୍ତି, ଆପଣ ଏକା ଆସି ତାଙ୍କ ସଙ୍ଗେ ସାକ୍ଷାତ କରିବେ । ସାଙ୍ଗରେ ଆଉ କାହାରିକୁ ଆଣିବେନି । ମୁଁ ଆପଣଙ୍କୁ ଫୋନ୍‌ କରିଥିଲି ଏବଂ ଆପଣ ପଣ୍ଡିତଙ୍କ ସଙ୍ଗେ ଦେଖା କରିବାକୁ ଆସୁଛନ୍ତି ବୋଲି କାହାରିକୁ କହିବେନି ।

 

—ଠିକ୍‌ ଅଛି, ମୁଁ କାହାରିକୁ କିଛି କହିବିନି । ଏକୁଟିଆ ଯିବି ।

 

କହିଦେଇ ଜଗଦୀଶଚନ୍ଦ୍ର ରିସିଭରଟା କ୍ରେଡ଼୍‌ଲ ଉପରେ ରଖିଦେଲା ।

 

ରୁବି ବ୍ରେଡ୍‍ଗରମ କରି ନେଇଆସିଲା । ଜଗଦୀଶଚନ୍ଦ୍ର ପାଖକୁ ଆସି କହିଲା—ଶୁଣୁଚି,ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀ ଶେଷ ଅବସ୍ଥାରେ ଆସି ପହଞ୍ଚିଲେଣି !

 

—ଏକଥା କୋଉଠୁ ଶୁଣିଲ ?

 

—ଘରେ ସମସ୍ତେ କୁହାକୁହି ହେଉଛନ୍ତି । ମତେ ଡ଼ର ଲାଗୁଚି ଯେ ଯଦି ସେ ଜ୍ୟୋତିଷ ବିଶାରଦ ମରିଯାଆନ୍ତି, ତାହେଲେ ଦୀପାଳି ବଡ଼ ବିପଦରେ ପଡ଼ିଯିବ । ତାର ଅଜାଣତରେ ଗୁଳିଟା ଫୁଟିଯାଇଚି । ସେଥିପାଇଁ କ୍ୟାପଟେନ୍‌ କାକା ଏବଂ ଅନ୍ୟ ଲୋକମାନେ ସାକ୍ଷୀ ଅଛନ୍ତି; କିନ୍ତୁ ତମେତ ଜାଣ, ଏଭଳି ଘଟଣାରେ ପୋଲିସ ଅଯଥା ହଇରାଣ କରେ ।

 

ଖଣ୍ଡେ ବ୍ରେଡ୍‍ପାଟିରେ ପୂରାଇ ଚୋବାଉ ଚୋବାଉ ଜଗଦୀଶଚନ୍ଦ୍ର କହିଲା—ପୋଲିସ କଥା ଦେଖାଯିବ ।

 

ଅଧଘଣ୍ଟାଏ ପରେ ଜଗଦୀଶଚନ୍ଦ୍ର ଡାକ୍ତରଖାନାରେ ପହଞ୍ଚିଗଲା । ଡାକ୍ତର ଅପୂର୍ବରଞ୍ଜନ ଦାସ ବାହାରେ ଠିଆ ହୋଇ ତାକୁ ଅପେକ୍ଷା କରିଥିଲେ । ସେ ତାକୁ ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀଙ୍କ ଖଟିଆ ପାଖକୁ ନେଇଯିବା ଆଗରୁ ପରିଦର୍ଶକ କକ୍ଷକୁ ନେଇଯାଇ କେମିତି ଗୋଟାଏ ନେଇଯିବା ଆଗରୁ ପରିଦର୍ଶକ କକ୍ଷକୁ ନେଇଯାଇ କେମିତି ଗୋଟାଏ କୁଣ୍ଠିତ ଭାବରେ କହିଲେ—ମୁଁ ଆପଣଙ୍କୁ ଗୋଟାଏ କଥା କହିବାକୁ ଇଚ୍ଛା କରୁଚି ।

 

ଗମ୍ଭୀର ହୋଇ ଜଗଦୀଶଚନ୍ଦ୍ର କହିଲା—କହନ୍ତୁ ।

 

—ଛଳନା ଦେଖାଇବାଟା ମୁଁ ପସନ୍ଦ କରେନି ।

 

ଜଗଦୀଶଚନ୍ଦ୍ର ବିସ୍ମିତ ହୋଇ ପଚରିଲା—କଣ ସେ ଛଳନା ?

 

ଡାକ୍ତର ଅପୂର୍ବରଞ୍ଜନ ଦାସ ଉତ୍ତର ଦେବାଆଗରୁ ଟିକିଏ ସାବଧାନ ହୋଇଗଲେ । ତା ପରେ କହିଲେ—ଖୁବ୍‌ ଗୋଟାଏ ଆହତ ହେଲାଭଳି ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀ ବାହାନା କାଢ଼ୁଚନ୍ତି, ସତେ ଯେମିତି ତାଙ୍କର ଜୀବନ ଅଳ୍ପ ସମୟ ପରେ ଛାଡ଼ିଯିବ । ଅଥଚ ତାଙ୍କର ସେ କ୍ଷତଟା ବିଶେଷ କ୍ଷତିକାରକ ନୁହେଁ ।

 

ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀ ତା ହେଲେ ବିଶେଷ ଭାବରେ ଆହତ ହୋଇ ନାହାନ୍ତି-?

 

—ମୋଟେ ନୁହେଁ । ତାଙ୍କର ସେଇଟା ଅତି ସାଧାରଣ କ୍ଷତ ହଠାତ୍‌ ଗୋଟାଏ ଆକସ୍ମିକ ଆଘାତ ଯୋଗୁ ସେ ଅଜ୍ଞାନ ହୋଇପଡ଼ିଥିଲେ, ଯେଉଁଥିରେ କି ସମସ୍ତେ ଭାବିବେ ତାଙ୍କର ଜୀବନ ଖୁବ୍‌ ସଂକଟାପନ୍ନ ହୋଇପଡ଼ିଚି । ଚିକିତ୍ସକବର୍ଗ ପରୀକ୍ଷା କରି ଦେଖିବା ପରେ ଏକଥା ମତ ଦେଇଚନ୍ତି ଯେ ଆଘାତଟା ବିପଦ୍‌ଜନକ ନୁହେ । ଯେ ପର୍ଯ୍ୟନ୍ତ ଗୁଳି ସିଧା ବକ୍ଷ ଭେଦ ନ କରେ, ସେ ପର୍ଯ୍ୟନ୍ତ ବିପଦର କୌଣସି ସମ୍ଭାବନା ନାହିଁ ।

 

—ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀ ଏମିତି ମରିଯିବା ଭଳି ବାହାନା କାହିଁକି ଦେଖାଉଚନ୍ତି ? ତାଙ୍କର ଏଭଳି ବାହାନା ଫଳରେ ଦୀପାଳି ଉପରେ ହତ୍ୟା ଦୋଷାରୋପ ହୋଇପାରେ । ପ୍ରଥମରୁ ତ ସେ ନିଜକୁ ଅପରାଧୀ ବୋଲି ଭାବିବସିଚି ।

 

—ମୁଁ କେବଳ ଏତିକି ଜାଣେ, ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀ ଚେତନା ଫେରିପାଇବା ମାତ୍ରେ ଡାକ୍ତରଙ୍କୁ ଅନୁରୋଧ କରିଚନ୍ତି ଯେ, ସେ ବିପଦଯୁକ୍ତ ହେବା କଥା ବାହାରେ ଯେମିତି ପ୍ରକାଶ ନ ପାଏ । କ୍ୟାପଟେନ ସାହେବଙ୍କୁ ମଧ୍ୟ ସେ ସେଇଭଳି ଅନୁରୋଧ କରିଚନ୍ତି ।

 

—କିନ୍ତୁ ତାଙ୍କର ଉଦ୍ଦେଶ୍ୟଟା କଣ ?

 

—ମୁଁ ପଣ୍ଡିତଙ୍କୁ କହିଦେଇଚି ଯେ ମୁଁ ଜଣେ ଡାକ୍ତର । ଅଧିକ ସମୟ ପର୍ଯ୍ୟନ୍ତ ପ୍ରକୃତ ଅବସ୍ଥା ଲୁଚେଇ ରଖିପାରିବିନି । ଆସନ୍ତୁ, ମୁଁ ତାଙ୍କ କ୍ୟାବିନ୍‌କୁ ଆପଣଙ୍କୁ ନେଇଯିବି ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ ଜଗଦୀଶଚନ୍ଦ୍ରକୁ ପଣ୍ଡିତଙ୍କ କ୍ୟାବିନ୍‌କୁ ନେଇଗଲେ । ତାକୁ ସେଠାରେ ଛାଡ଼ିଦେଇ ବାହାରକୁ ଚାଲି ଆସିଲେ ।

 

ଜଗଦୀଶଚନ୍ଦ୍ର ଦେଖିଲା, ପଣ୍ଡିତ ଜୀବନାନନ୍ଦ ଖଣ୍ଡିଏ ତକିଆକୁ ଆଉଜି ଖଟ ଉପରେ ବସିଛନ୍ତି । ସେ ଖୁବ୍‌ ପ୍ରଫୁଲ୍ଲ ଦୃଷ୍ଟିରେ ଜଗଦୀଚନ୍ଦ୍ର ଆଡ଼େ ଚାହିଁ ରହିଲେ—ଆପଣ ମତେ ଅନ୍ୟ କିଛି ଭାବୁଚନ୍ତି ?

 

କିଛି ନ କହି ଜଗଦୀଶଚନ୍ଦ୍ର ଚୁପ୍‌ ରହିଲା । ତା’ପରେ କଣ ଟିକିଏ ଭାବିବା ପରେ କହିଲା—ମୁଁ ଅନ୍ୟ କିଛି ଭାବୁନି । କେବଳ ଗୋଟାଏ କଥା ମୁଁ ଆପଣଙ୍କୁ ପଚାରିବାକୁ ଇଚ୍ଛା କରୁଚି-। ଯେତେବେଳେ ଗୁଳି ଲାଗି ଆପଣ ବେହୋସ ହୋଇଗଲେ,ସେତେବେଳେ ଦୀପାଳି ବିଷୟରେ କଣ କହିବାକୁ ଇଚ୍ଛା କରୁଥିଲେ ।

 

—ସେ କଥା ତ ମୁଁ ନିଶ୍ଚୟ ଆପଣଙ୍କୁ କହିବି । ଆପଣ ପ୍ରଥମେ ମୋର ଗୋଟାଏ ପ୍ରଶ୍ନର ଉତ୍ତର ଦିଅନ୍ତୁ । ଆପଣ କଣ ଦୀପାଳିକୁ ଖୁବ୍‌ ଭଲପାଆନ୍ତି ?

 

—ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।

 

—ଏକଥା ଜାଣି ଖୁବ୍‌ ଦୁଃଖିତ । ଆପଣଙ୍କର ଏ ଅଟଳତା ବହୁତ ଦୁଃଖଦାୟକ ।

 

—କାହିଁକି ?

 

—ମତେ କହନ୍ତୁ ତ ଦୀପାଳି ଏହା ମଧ୍ୟରେ କିମ୍ବା କୌଣସି ଗୋଟାଏ ଦିନ ହୋଟେଲ କିମ୍ବା ରେଷ୍ଟୁରେଣ୍ଟରେ ଖାଇବା ପିଇବା କରିବାକୁ ମଧ୍ୟ ବାଧ୍ୟ କରିନି ତ ?

 

ଜଗଦୀଶଚନ୍ଦ୍ର ପୁଣି ଥରକ ପାଇଁ ବିସ୍ମିତ ହୋଇଗଲା । ସେ ମନେ ମନେ ଭାବିବାକୁ ଲାଗିଲା, ଏ କି ଧରଣର ଜ୍ୟୋତିଷ, ଯେ କି ସବୁକଥା ଜାଣିପାରଚି । ସେ ଧୀର ଭାବରେ ଉତ୍ତର ଦେଲା—ମୁଁ କଥା ଦେଇଚି ଯେ କାଲି ତାକୁ ନେଇ ଶାନ୍ତାଗଡ଼ ଯିବି । ସେଠାରେ କୌଣସି ଗୋଟାଏ ଭଲ ରେଷ୍ଟୁରାଣ୍ଟରେ ଖିଆପିଆ କରିବୁ ।

 

—କାଲି ?

 

—ଆଜ୍ଞା, ହଁ ।

 

—ସେ ବି ବଡ଼ ଦୁଃଖର କଥା ।

 

ଜଗଦୀଶଚନ୍ଦ୍ର ଚିଡ଼ି ଉଠିଲା । ଦୀପାଳି ଆଉ ତା ମଧ୍ୟରେ ଯେଉଁ ଭଲପାଇବା ବଢ଼ିଉଠିଚି ସେଥିରେ ପଣ୍ଡିତଙ୍କର ଦୁଃଖ କରିବାର କଣ ଅଛି ! ସେ ଟିକିଏ ବିରକ୍ତ ସ୍ୱରରେ କହିଲା–ଆପଣ ଏମିତି କଥା କହୁଚନ୍ତି, ଯେଉଁଥିରୁ ମନେହୁଏ, ଦୀପାଳି ଉପରେ ଆପଣ ଦୋଷାରୋପ କରୁଚନ୍ତି । ସତେ ଯେମିତି ଆପଣ କହିବାକୁ ଚାହୁଚନ୍ତି, ଦୀପାଳିର ନାମ ଦୀପାଳି ନୁହେଁ ।

 

ନାଟକୀୟ ଭାବରେ ପଣ୍ଡିତ କହିଲେ—ପ୍ରକୃତରେ ତାର ନାମ ଦୀପାଳି ନୁହେଁ । ତା’ର ନାମ ଗିରିବାଳା ।

 

—ଆପଣ ଏ କଣ କହୁଛନ୍ତି ? ବର୍ତ୍ତମାନ ତାର ବୟସ କେତେ ହେବ ଯେ ସେ ତାର ଛଦ୍ମ ନାମରେ କାହାକୁ ଠକେଇବାର ଚେଷ୍ଟା କରିବ ।

 

—ଆପଣଙ୍କର ବିଚାରରେ ଦୀପାଳି ଓରଫ ଗିରିବାଳାର ବୟସ କେତେ ହେବ ?

 

—ଖୁବ୍‌ ବେଶି ବାଇଶ ବର୍ଷ ।

 

—ଆପଣ ଏକଥା କେମିତି ଜାଣିଲେ ଯେ ତାକୁ ବାଇଶବର୍ଷ ହେବ ? ତାର ବୟସ ଛତିଶ ବର୍ଷରୁ କମ୍‌ ହେବନି ।

 

—ଆପଣ କଣ ଆପଣଙ୍କ ଜ୍ୟୋତିଷବିଦ୍ୟା ବଳରେ ଏକଥା ଜାଣିପାରିଚନ୍ତି ?

 

ସେତିକିବେଳେ କ୍ୟାବିନ ବାହାରେ ଡାକ୍ତର ଅପୂର୍ବରଞ୍ଜନ ଦାସଙ୍କ କାଶିବା ଶବ୍ଦ ଶୁଣାଗଲା ।

 

ପଣ୍ଡିତ କହିଲେ—ଭିତରକୁ ଆସନ୍ତୁ, ଡାକ୍ତରସାହେବ !

 

ଡାକ୍ତର ଅପୂର୍ବରଞ୍ଜନ ଦାସ କ୍ୟାବିନ ଭିତରକୁ ଆସିଲେ । ପଣ୍ଡିତ ତାଙ୍କୁ ବସିବାପାଇଁ ଠାରିଦେଇ କହିଲେ—ଡାକ୍ତର ସାହେବ, ଆପଣ ମୋର ବିଶେଷ ଆହତ ହୋଈ ନ ଥିବା କଥା ଲୁଚେଇ ରଖିବାକୁ ରାଜି ନୁଅନ୍ତି । ଆପଣ ଧମକ ଦେଇଚନ୍ତି ଯେ ଅଧିକ ସମୟ ସେ କଥା ଲୁଚେଇ ହେବନି । ଯାହାହେଉ, ଆଉ ବେଶି ସମୟ ସେ କଷ୍ଟ କରିବାକୁ ପଡ଼ିବନି ।

 

ତା’ପରେ ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀ ଜଗଦୀଶଚନ୍ଦ୍ର ଆଡ଼େ ଚାହିଁ କହିଲେ—ଆପଣ ମୋ କଥା ବିଶ୍ୱାସ କରୁନାହାନ୍ତି ଯେ ଦୀପାଳି ଓରଫ ଗିରିବାଳାର ବୟସ ଛତିଶ ବର୍ଷରୁ କମ୍‌ ହେବନି ବୋଲି ?

 

—ମୁଁ ଆପଣଙ୍କର କୌଣସି କଥା ବିଶ୍ୱାସ କରିପାରୁନି ।

 

—କାରଣ ?

 

—ଆଜିକାଲିର ଜ୍ୟୋତିଷମାନଙ୍କୁ ସବୁଠାରୁ ବେଶି ମିଛୁଆ ବୋଲି ଜାଣେ ।

 

—ହେଲା ଏବେ,ମୁଁ ମାନୁଚି ଯେ ଆଜିକାଲିର ଜ୍ୟୋତିଷମାନେ ସବୁଠାରୁ ବେଶି ମିଛୁଆ । କିନ୍ତୁ ଆଜିକାଲିର ରହସ୍ୟାନୁନ୍ଧାନୀମାନଙ୍କ ବିଷୟରେ ଆପଣଙ୍କର ମତ କଣ ?

 

—ରହସ୍ୟାନୁସନ୍ଧାନୀ ? ଆପଣ କଣ କହିବାକୁ ଇଚ୍ଛା କରୁଚନ୍ତି ? କିଏ ଆପଣ.... ?

 

—ମୁଁ ଜୟନ୍ତ ପାଣିଗ୍ରାହୀ ।

 

—ଜୟନ୍ତ ପାଣିଗ୍ରାହୀ !!

 

ଡାକ୍ତର ଅପୂର୍ବରଞ୍ଜନ ଦାସ ଆଉ ଜଗଦୀଶଚନ୍ଦ୍ର ମୁହଁରୁ ଏକସଙ୍ଗରେ ବାହାରିପଡ଼ିଲା–ଆପଣ ଜୟନ୍ତକୁମାର ପାଣିଗ୍ରାହୀ ? ସ୍ୱନାମଧନ୍ୟ ପ୍ରାଇଭେଟ୍‌ ଡ଼ିଟେକଟିଭ ?

 

—ହଁ, ମୁଁ ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀ ନୁହେଁ, ଜୟନ୍ତ ପାଣିଗ୍ରାହୀ; ଗିରିବାଳାର ଅନୁସନ୍ଧାନ ପାଇଁ ଜ୍ୟୋତିଷାଚାର୍ଯ୍ୟ ସାଜି ଏଠାକୁ ଆସିଚି ।

 

—କାହିଁକି, ଗିରିବାଳା କଣ କରିଚି ?

 

—କାଲି ମୋର ଜଣେ ସହକାରୀ ଏଠାରେ ଆସି ପହଞ୍ଚିବ ଏବଂ ତା ପରେ ମୁଁ ଆପଣମାନଙ୍କୁ ଜଣେଇବି ଯେ କାହିଁକି ଗିରବାଳା ପିଛା ଧରିବାପାଇଁ ମୁଁ ଏଠିକି ଆସିଚି । ତେବେ ମୁଁ ଆପଣଙ୍କୁ ଏତିକି କହିପାରେ ଯେ ପ୍ରସାଦପୁରର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ମତେ ଗିରିବାଳା ସମ୍ବନ୍ଧରେ ଖୋଜଖବର ନେବାପାଇଁ ଅନେକ ଦିନ ତଳେ ନିଯୁକ୍ତ କରିଚନ୍ତି । ଅର୍ଥାତ୍‌ ଆପଣମାନଙ୍କର ଏଠାକୁ ଆସିବାର ମାତ୍ର ସାତଦିନ ଆଗରୁ ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ ଆଉ ଜଗଦୀଶଚନ୍ଦ୍ର କିଛିସମୟ ପାଇଁ କୌଣସି କଥା କହିପାରିଲେନି । ସେମାନେ ଏପର୍ଯ୍ୟନ୍ତ ବି ପୂର୍ଣ୍ଣଭାବେ ବିସ୍ମୟରୁ ମୁକ୍ତିଲାଭ କରିପାରିନାହାନ୍ତି ଯେ ସେମାନଙ୍କ ଆଗରେ ଯେଉଁ ଲୋକଟି ତକିଆକୁ ଆଉଜି ଖଟଉପରେ ବସିଚି ସେ ଜ୍ୟୋତିଷ ବିଶରଦ ନୁହେଁ, ସ୍ୱନାମଧନ୍ୟ ରହସ୍ୟାନ୍ୱେଷୀ ଜୟନ୍ତ କୁମାର ପାଣିଗ୍ରାଣୀ ।

 

ଜଗଦୀଶ ଚନ୍ଦ୍ର ପଚାରିଲା—ଗିରିବାଳା ଏମିତି କଣ କରିଚି ଯେ ଆପଣ ତ ପିଛା ଧରି ଏପର୍ଯ୍ୟନ୍ତ ଆସିଚନ୍ତି ?

 

—ସେ ତିନିଜଣ ଲୋକଙ୍କୁ ବିଷରଶ୍ମି ଦ୍ୱାରା ହତ୍ୟା କରିଚି । ମୃତ ବ୍ୟକ୍ତି ତିନିଜଣଯାକ ହେଉଚନ୍ତି ତାର ସ୍ୱାମୀ । ବର୍ତ୍ତମାନ ସେମାନଙ୍କର ସମ୍ପତ୍ତି ତା ପାଖରେ ରହିଚି ।

 

ଆଶ୍ଚର୍ଯ୍ୟ ହୋଇ ଜଗଦୀଶଚନ୍ଦ୍ର ପଚାରିଲା—ଗିରିବାଳା ତାହେଲେ କେତେକ ଥର ବିବାହ କରିସାରିଚି ?

 

—କାହିଁକି, ଏକଥାଟା ଶୁଣି ଆପଣ କଣ ବିଶ୍ୱାସ କରିପାରୁ ନାହାନ୍ତି ? ଗିରିବାଳାର ପ୍ରଥମ ସ୍ୱାମୀ ପ୍ରସାଦପୁର କଲେଜର ଜଣେ ପ୍ରଫେସର ଥିଲେ । ତାଙ୍କର ନାମ ଥିଲା ଅଚ୍ୟୁତାନନ୍ଦ ପଣ୍ଡା । ଅନ୍ୟଜଣକ ହେଲେ ସମରେନ୍ଦ୍ର ଗୁରୁ । ଆଉ ତୃତୀୟ....

 

—ହେ ଭଗବାନ, ମୁଁ ଏ କଣ ଶୁଣୁଚି !

 

—ସେ ଝିଅଟିଠାରୁ ଆପଣ ଯେତିକି ଦୂରେଇ ରହିବେ ସେତିକି ମଙ୍ଗଳ ।

 

—ଆପଣ ଏ କଣ କହୁଚନ୍ତି ?

 

—ମୁଁ କେବଳ ଆପଣଙ୍କ ଭଲ ପାଇଁ କହୁଚି । ତାର ହତ୍ୟା କରିବାର ଏମିତି ଗୋଟାଏ ସ୍ୱଭାବ ହୋଇଚି ଯେ ପୋଲିସ ବି ତାକୁ ଧରିପାରୁନି ।

 

—ଏକଥା କେମିତି ହେଉଚି ? ଆପଣ ଯେତେବେଳେ ହତ୍ୟାକାରିଣୀ ବୋଲି ତାକୁ ଜାଣିପାରୁଚନ୍ତି., ସେତେବେଳେ ଗିରଫ କରୁନାହାନ୍ତି କାହିଁକି ?

 

—ଆପଣ ଏକଥା ଭୁଲିଯାଉଚନ୍ତି ଯେ ଆଇନ କୌଣସି ବ୍ୟକ୍ତିକୁ ଗିରଫ କରିବା ଆଗରୁ ପ୍ରମାଣ ପାଇବାକୁ ଇଚ୍ଛା କରେ । ଏକାଭଳି ତିନି ତିନିଟା ହତ୍ୟାକାଣ୍ଡ ଘଟିଗଲାଣି; କିନ୍ତୁ କାହାରି ପ୍ରମାଣ ମିଳିନାହିଁ ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ ପଚାରିଲେ—ଆପଣ ଏସବୁ କଥା କେମିତି ଜାଣିବାକୁ ପାଇଲେ ?

 

—ଯେଉଁ ବ୍ୟକ୍ତି ଏ ବିଷୟରେ ମତେ ଖୋଜଖବର ନେବାପାଇଁ ମୁକରିର କରିଛନ୍ତି, ସେ ଗିରିବାଳାକୁ ପ୍ରାୟ ଏଗାର ବର୍ଷ ତଳୁ ଜାଣିଚନ୍ତି । ମତେ ସେ କହିଚନ୍ତି ଯେ ଆଜିକି ଏଗାର ବର୍ଷ ତଳେ ଅଚ୍ୟୁତାନନ୍ଦ ପଣ୍ଡା ପ୍ରସାଦପୁର କଲେଜର ପ୍ରଫେସର ଥିଲେ । ସେ ତାଙ୍କ ଲାଇବ୍ରେରୀ କକ୍ଷରେ ମୃତ ଅବସ୍ଥାରେ ମିଳିଥିଲେ ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ କହିଲେ—ସେ ବିଷୟ ମୁଁ ଜାଣେ । ଖବରକାଗଜରେ ସେତେବେଳେ ସମ୍ପୂର୍ଣ୍ଣ ସମ୍ବାଦଟା ପଢ଼ିଥିଲି । ତାଙ୍କର ସ୍ତ୍ରୀ ସେତେବେଳେ ଘରେ ନ ଥିଲେ । ଦୁଇଦିନ ଆଗରୁ ତାଙ୍କର ବାପଘରକୁ ଚାଲିଯାଇଥିଲେ । ପ୍ରଫେସରଙ୍କ ମୃତଦେହ ଗୋଟାଏ ସୋଫା ଉପରେ ପଡ଼ିଥିବାର ଦେଖାଯାଇଥିଲା । ତାଙ୍କ ଦେହର ବିଷ ଚରିଯାଇଥିବାର ଲକ୍ଷଣ ଦେଖାଯାଇଥିଲା । ରେ’ ପଦ୍ଧତିରେ ବିଷପ୍ରୟୋଗ ହେଇଚି ବୋଲି ମତେ ପ୍ରକାଶ ପାଇଥିଲା ।

 

ଜୟନ୍ତ ସଳଖ ହୋଇ ବସି ଡାକ୍ତରଙ୍କ ଆଡ଼େ ଚାହିଁ କହିଲା—ଡକ୍ଟର ଦାସ, ଆପଣ ରେ ପଏଜନଂ ପ୍ରତିକ୍ରିୟା ସଙ୍ଗେ ଭଲ ଭାବରେ ପରିଚିତ ଥିବେ । ଆପଣ ଜାଣୁଥିବେ ଯେ ଡିପ୍‌ରେ’ ବିଷଯୁକ୍ତ ହେଲେ ଲୋକର ମୃତ୍ୟୁ ନିମିଷକ ମଧ୍ୟ ରେ ହୋଇଥାଏ ।

 

—କିନ୍ତୁ ପ୍ରଫେସର ପଣ୍ଡାଙ୍କ ମୃତ୍ୟୁ ସମ୍ପର୍କରେ ପୋଲିସ ରିପୋର୍ଟ ଦେଇଥିଲେ ଯେ ସେ ଆତ୍ମହତ୍ୟା କରି ମରିଚନ୍ତି । ଯେ କୌଣସି ଲୋକ ହେଉନା କାହିଁକି, ରେ ପ୍ରୟୋଗ କଲେ ସହଜରେ ଜାଣିପାରିବନି । ଆପଣ ଯଦି ପ୍ରଫେସର ପଣ୍ଡାଙ୍କ କେସ୍‌ ଅନୁଧ୍ୟାନ କରି ଦେଖିଥିବେ, ତା ହେଲେ ନିଶ୍ଚୟ ଦ୍ୱନ୍ଦରେ ପଡ଼ିଥିବେ । କାରଣ, ପ୍ରଫେସର ପଣ୍ଡାଙ୍କ ଲାଇବ୍ରେରୀ ଘରର ଦ୍ୱାର ଝରକା ସବୁ ଭିତରୁ ବନ୍ଦ ଥିଲା । ଦ୍ୱାରଟା ଏମିତି ଦୃଢ଼ ଭାବରେ ବନ୍ଦ ଥିଲା ଯେ,ଲୋକମାନେ ଭାଙ୍ଗିଲା ବେଳକୁ ନୟାନ୍ତ ହୋଇଯାଇଥିଲେ । ଖବର ପ୍ରକାଶ ପାଇଥିଲା ଯେ ତାଙ୍କର ଝରକା ପାଖେ ଥିବା ଗୋଟାଏ ବହି ଆଲମରି କିଛି ଦୂର ଘୁଞ୍ଚିଯାଇଥିଲା । ଯେତେବେଳେ ତାଙ୍କର ସ୍ତ୍ରୀଙ୍କୁ ଡକାଇ ଅଣାଗଲା, ସେତେବେଳେ ସେ ମୃତଦେହ ଦେଖି ବେହୋସ ହୋଇଯାଇଥିଲେ ।

 

ଜଗଦୀଶଚନ୍ଦ୍ର ପଚାରିଲା—ଦୀପାଳି କଣ ସେତେବେଳେ ପ୍ରଫେସର ପଣ୍ଡାଙ୍କର ସ୍ତ୍ରୀ ହୋଇଥିଲା ?

 

ଜୟନ୍ତ କହିଲା—ହଁ, ସେତେବେଳେ ତାର ନାମ ଥିଲା ଗିରିବାଳା । ଦୁଇବର୍ଷ ପରେ ପୁଣି ସେମିତି ଗୋଟାଏ ଘଟଣା ହେଇଥିଲା । ଜଣେ ବ୍ୟବସାୟୀ ସମରେନ୍ଦ୍ର ଗୁରୁଙ୍କୁ ତାଙ୍କ ବୈଠକଘରେ ଠିକ୍ ସେଇଭଳି ଅବସ୍ଥାରେ ମୃତ୍ୟୁ ବରଣ କରି ପଡ଼ିଥିବାର ଦେଖାଯାଇଛି । ଦେହରେ ସେମିତି ବିଷ ଚରିଯାଇଥିବାର ଲକ୍ଷଣ । ତାଙ୍କର ସ୍ତ୍ରୀ ମଧ୍ୟ ତାଙ୍କ ମୃତ୍ୟୁର ଦୁଇଦିନ ଆଗରୁ ବାପଘରକୁ ଚାଲିଯାଇଥିଲା । ତାକୁ ଯେତେବେଳେ ଡକାଇ ଅଣାଗଲା, ସେ ବି ମୃତଦେହ ଦେଖି ବେହୋସ ହୋଇଗଲା । ସେ ସ୍ତ୍ରୀ ଜଣକ ବି ସେଇ ଗିରିବାଳା ।

 

ଜଗଦୀଶଚନ୍ଦ୍ର ଗୋଟାଏ ଦୀର୍ଘନିଶ୍ୱାସ ପକାଇଲା ।

 

ଜୟନ୍ତ ପୁଣି କହିଲା—ମୁଁ କେବଳ ସମରେନ୍ଦ୍ର ଗୁରୁଙ୍କ ମୃତ୍ୟୁ ଖବରଟା ଖବରକାଗଜରୁ ପଢ଼ିବାକୁ ପାଇଥିଲି । ଯେଉଁ କକ୍ଷରେ ସେ ମୃତ ଅବସ୍ଥାରେ ପଡ଼ିଥିବାର ଦେଖାଯାଇଥିଲା,ତାର ଝରକା କବାଟ ଭିତରୁ ବନ୍ଦ ଥିବାର ଜଣାଯାଏ । ପୋଲିସ ତାର ତଦନ୍ତରେ ସେଇଟାକୁ କେବଳ ଆତ୍ମହତ୍ୟା ବୋଲି ପ୍ରମାଣିତ କରି ଚୁପ୍‌ ହୋଇଯାଇଥିଲା ।

 

—ସେଥିରେ ବି ଗିରିବାଳା ନିରପରାଧା ପ୍ରମାଣିତ ହେଲା ? ଗମ୍ଭୀର ହୋଇ ଜଗଦୀଶଚନ୍ଦ୍ର ପଚାରିଲା ।

 

ଜୟନ୍ତ ଅନୁରୂପ ଗମ୍ଭୀର ସ୍ୱରରେ କହିଲା—ହଁ । ତା’ପରେ ଜଣେ ହାଉସ ସର୍ଜନ ନାରାୟଣ ଚୌଧୁରୀଙ୍କ ପାଳି ଆସିଲା । ତାଙ୍କର ସ୍ତ୍ରୀ ନ ହେଲେ ବି ପ୍ରେମିକା ଭାବରେ ସ୍ୱୀକୃତି ଲାଭ କରିଥିବା ମହିଳା ଜଣକ ବାପଘରକୁ ଯିବାର ତିନିଦିନ ପରେ, ଡାକ୍ତର ଚୌଧୁରୀଙ୍କୁ ବି ତାଙ୍କ ବୈଠକ କକ୍ଷରେ ମୃତ ଅବସ୍ଥାରେ ପଡ଼ିଥିବାର ଦେଖାଯାଇଥିଲା ।

 

ଜଗଦୀଶଚନ୍ଦ୍ର କହିଲା—ହଁ, ଏ ବିଷୟଟା ମୁଁ ସେତେବେଳେ ଖବରକାଗଜରୁ ପଢ଼ିଥିଲି-। ଏଭଳି ଭାବରେ ତାଙ୍କର ମୃତ୍ୟୁ ହେଇଥିଲା ଯେ ପୋଲିସ ଅନେକ ଚେଷ୍ଟା କରି ମଧ୍ୟ କିଛି ଜାଣିପାରିନି । ମୋର ଠିକ୍‌ ମନେଅଛି, ତାଙ୍କର ସେ ପ୍ରେମିକାଟିର ନାମ ଯଶୋଧାରା ରାଉତ ଥିଲା-

 

–ସେଇ ଯଶୋଧରା ରାଉତ ହିଁ ଗିରିବାଳା । ନାମ ବଦଳାଇ ସେ ନାରାୟଣ ଚୌଧୁରୀଙ୍କ ପାଖରେ ପହଞ୍ଚିଥିଲା ।

 

–ସେଥର ବି ପୋଲିସ କ’ଣ ଗିରିବାଳାକୁ ସନ୍ଦେହ କରିପାରିଲାନି ଯେ ସେ ନାମ ବଦଳାଇ ସେଠାରେ ପହଞ୍ଚିଚି ?

 

—ନାମ ବଦଳାଇ କେହି ଯେବେ କୌଣସି ସ୍ଥାନରେ ଆଶ୍ରୟ ନେବାର ଚେଷ୍ଟା କରେ ସେଇଟା ଅପରାଧ ବୋଲି ଅନେକ କ୍ଷେତ୍ରରେ ଧରାଯାଏନି । କିଛି ଟା ଧନ ହାତରେ ପଡ଼ିବା ପରେ ଗିରିବାଳା ଅନ୍ତର୍ଦ୍ଧାନ ହୋଇଗଲା । ପୋଲିସ ବି ତା’ କଥା ଭୁଲିଗଲା । କିନ୍ତୁ ଯେଉଁ ବ୍ୟକ୍ତି ମତେ ଏ ତଦନ୍ତ ଭାର ଦେଇଛନ୍ତି ସେ କୌଣସି ପ୍ରକାରେ ତା’ର ଦେଖା ପାଇଯାଇଚନ୍ତି । ବର୍ଷକ ତଳେ ମଣ୍ଡାକୋଟରେ ଗୋଟାଏ ଘଟଣା ଘଟିଗଲା । ଚିନ୍ତାମଣି ବେହେରା ନାମକ ଜଣେ କଣ୍ଟ୍ରାକ୍ଟର ଗୋଟିଏ ସୁନ୍ଦରୀ ଆଧୁନିକ ସ୍ତ୍ରୀକୁ ଭଲପାଇ ବସିଲେ । ଦୁହେଁ ଖଜୁରୀଆ ପ୍ରୋଜେକ୍ଟରେ ଭେଟ ହୋଇଥିଲେ । ଦିନେ ସନ୍ଧ୍ୟାରେ ଚିନ୍ତାମଣି ବେହେରା ତା’ ସହିତ ଗୋଟିଏ ହୋଟେଲରେ ଖିଆପିଆ କରିଥିଲେ । ସେତେବେଳେ ସେ ଖୁବ୍‌ ସୁସ୍ଥ ଜଣାପଡ଼ୁଥିଲେ; କିନ୍ତୁ ସକାଳୁ ତାଙ୍କୁ ମୃତ ଅବସ୍ଥାରେ ଆବିଷ୍କାର କରାଯାଇଥିଲା ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ ପଚାରିଲେ—ପୂର୍ବ ତିନିଜଣ ଯେଭଳି ଭାବରେ ମୃତ୍ୟୁ ବରଣ କରିଥିଲେ,ଏ ମୃତ୍ୟୁଟା କ’ଣ ସେଇଭଳି ଭାବରେ ହୋଇଥିଲା ?

 

—ହଁ, ଠିକ୍‌ ସେଇଭଳି ଭାବରେ । ଆଉ ସେ ଘଟଣାଟାକୁ ପୋଲିସ ହତ୍ୟାକାଣ୍ଡ ପରିବର୍ତ୍ତେ ଆତ୍ମହତ୍ୟା ବୋଲି ଘୋଷଣା କରିଦେଇଥିଲା । ତା’ର ରିପୋର୍ଟରେ ସେ ଜଣାଇଥିଲା ଯେ ସୁନ୍ଦରୀ ଆଧୁନିକା କଣ୍ଟ୍ରାକ୍ଟର ଚିନ୍ତାମଣି ବେହେରାଙ୍କୁ ବିବାହ କରିବା ପାଇଁ ମନା କରିଦେବାରୁ ସେ ଆତ୍ମହତ୍ୟା କରିଚନ୍ତି ।

 

—ଆପଣ ଯେଭଳି ହତ୍ୟାକାଣ୍ଡ କଥା ସବୁ କହୁଚନ୍ତି ସେସବୁ କେମିତି ଅସମ୍ଭବ ପରି ମନେ ହେଉଚି । ଜଗଦୀଶଚନ୍ଦ୍ର ମନ୍ତବ୍ୟ ଦେଲା ।

 

—ଆପଣ ଠିକ୍‌ କଥା କହୁଚନ୍ତି; କିନ୍ତୁ ଆପଣ ଭୁଲଯାଉଚନ୍ତି ଯେ ସେମିତି ଘଟଣା ନ ଘଟିଥିଲେ ଖବରକାଗଜରେ ବାହାରି ନ ଥାନ୍ତା ।

 

—ସେ ସୁନ୍ଦରୀ ଆଧୁନିକା ମହିଳା, ଯିଏକି ଆପଣଙ୍କ ମତରେ ଗିରିବାଳା, ଚିନ୍ତାମଣି ବେହେରାଙ୍କୁ ବିବାହ କରି ନ ଥିଲା ?

 

—ନା, ବିବାହ କରିନି ।

 

—ଚିନ୍ତାମଣି ବେହେରାଙ୍କ ମୃତ୍ୟୁରୁ ଗିରିବାଳ କ’ଣ ଲାଭ ପାଇଲା ? ସେ କ’ଣ ଚିନ୍ତାମଣି ବେହେରାଙ୍କ ସମ୍ପତ୍ତିରୁ କିଛି ପାଇଚି ?

 

—ନା ।

 

—ତେବେ ତାଙ୍କୁ ଏଭଳି ହତ୍ୟା କରିବାର ଉଦ୍ଦେଶ୍ୟଟା କ’ଣ ?

 

—ମୁଁ ଆପଣଙ୍କୁ ବୁଝେଇ ଦେଉଚି । ଆପଣ ହତ୍ୟାକରୀର ମନୋଭାବ ସହିତ ପରିଚିତ ନୁହନ୍ତି । ଏଭଳି ହତ୍ୟାକାରୀ, ଯେ କି ବିଷରଶ୍ମି ପ୍ରୟୋଗ କରି ହତ୍ୟା କରେ, ତା’ର ଏକ ପ୍ରକାର ହତ୍ୟା କରିବା ଅଭ୍ୟାସରେ ପଡ଼ିଯାଏ । ଯେ ପର୍ଯ୍ୟନ୍ତ ତାକୁ ଗିରଫ କରା ନ ଯାଇଚି ସେ ପର୍ଯ୍ୟନ୍ତ ସେ ସେଭଳି ହତ୍ୟା କରିଚାଲେ । ଏ ଭଳି ଲୋକମାନଙ୍କୁ ମାରିବା ତା’ର ଗୋଟାଏ ରୋଗ ବୋଲି ଧରାଯାଇପାରେ । ବିଷରଶ୍ମି ପ୍ରୟୋଗ କରି ସେ ଏକପ୍ରକାର ଅଦ୍ଭୁତ ଆନନ୍ଦ ଲାଭ କରେ । ତା’ର ସେ ମାନସିକ ଉତ୍ତେଜନା ଉଗ୍ର ନିଶାଭଳି ଦେଖାଦିଏ । ସେ ଭାବିବାକୁ ଲାଗେ,ମୃତ୍ୟୁ ତା’ର ଅଧୀନରେ ରହିଚି ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ କହିଉଠିଲେ— ଓ, ଆପଣ—କି ବିଚିତ୍ର କଥା କହୁଚନ୍ତି !

 

ଜୟନ୍ତ ଟିକିଏ ହସିଦେଇ କହିଲା ମଣିଷ ଏ ସଂସାରରେ ସବୁଠାରୁ ବିଚିତ୍ର ପ୍ରାଣୀ । ଡାକ୍ତର ସାହେବ ! ମୁଁ ଦୀପାଳି ଓରଫ୍‌ ଗିରିବାଳାକୁ ଜାଣିଶୁଣି ପ୍ରଶଂସା କରୁଚି ଯେ ସେ ଖୁବ୍‌ ଶୀଘ୍ର ଜାଣିପାରିଲା ମୁଁ ଜ୍ୟୋତିଷ ନୁହେଁ, ଏମିତି ଜଣେ ଲୋକ, ଯେ କି ତାର ସନ୍ଧାନରେ ଆସିଚି । କେହି ବୋଧହୁଏ ତାକୁ ଜଣେଇ ଦେଇଚି । ୟା ବି ସମ୍ଭବ ହେଇପାରେ ଯେ ଜଗଦୀଶଚନ୍ଦ୍ର ଆଉ ମୋ ଭିତରେ ହେଉଥିବା କଥାବାର୍ତ୍ତା କେହି ତମ୍ବୁ ପାଖରେ କାନେଇ ଶୁଣୁଥିଲା । ସେଇ କାରଣରୁ ମତେ ମାରିପକେଇବାର ଚେଷ୍ଟା କରାଯାଇଚି । ଯଦି ମୋ ଦେହରେ ଗୁଳି ନ ଭେଦିବାର ଆବରଣ ନ ଥାନ୍ତା ତାହେଲେ ତାର ସେ ଚେଷ୍ଟା ସଫଳ ହୋଇଥାଆନ୍ତା ।

 

ଜଗଦୀଶଚନ୍ଦ୍ର ପଚାରିଲା—ଦୀପାଳି କ’ଣ ଜାଣିଶୁଣି ଆପଣଙ୍କୁ ଗୁଳି କରିଚି ?

 

—ହଁ, ସେ ଜାଣିଶୁଣି ମତେ ଲକ୍ଷ୍ୟ କରି ଗୁଳି ଚଳାଇଚି, କାରଣ ସେ ଆପଣଙ୍କୁ ବି ବିଷରଶ୍ମି, ପ୍ରୟୋଗ କରିବାର ସ୍ଥିର କରିସାରିଚି ।

 

—ମୋ ପ୍ରତି ବିଷରଶ୍ମି ପ୍ରୟୋଗ କରିବ ?

 

—ହଁ, ଆପଣ ମତେ କହୁଥିଲେ ନା କାଲି ଆପଣ ତାକୁ ନେଇ ଶାନ୍ତାଗଡ଼ର କୌଣସି ଗୋଟାଏ ବଡ଼ ଧରଣର ରେଷ୍ଟୁରାଣ୍ଟରେ ଖିଆପିଆ କରିବେ, ଯେମିତି କି ମୃତ୍ୟୁଦିନ ପୂର୍ବରୁ ଚିନ୍ତାମଣି ବେହେରା ଗୋଟାଏ ଖିଆପିଆ କରିଥିଲେ !

 

କିଛି ସମୟ ପାଇଁ ଜଗଦୀଶଚନ୍ଦ୍ର କିଛି କହିପାରିଲାନି । ମାତ୍ର କେତେ ମିନିଟ ଚୁପ୍‌ ରହିବା ପରେ ସେ କହିଲା—ନା, ମୁଁ ଏଇଟା ମାନିନେଇପାରୁନି ଯେ ଦୀପାଳି ମୋ ପ୍ରତି ବିଷରଶ୍ମି ପ୍ରୟୋଗ କରିବ ।

 

—କାହିଁକି ? ଏଥିରେ ଅବିଶ୍ୱାସ କଲାଭଳି କ’ଣ ଅଛି ? ଆପଣ କ’ଣ ଭାବୁଚନ୍ତି, ସେ ଆପଣଙ୍କ ପ୍ରତି ଦୟା ପ୍ରଦର୍ଶନ କରିବ ?

 

—ମୁଁ ଭାବୁଚି, ଆପଣଙ୍କ ହିସାବରେ ନିଶ୍ଚୟ ଭୁଲ୍‍ ରହିଚି । ଯେଉଁ ସ୍ତ୍ରୀ ନିଜର ତିନୋଟି ସ୍ୱାମୀଙ୍କୁ ବିଷରଶ୍ମି ପ୍ରୟୋଗ କରିଚି, ସେ ଦୀପାଳି ହେଇ ନ ପାରେ, ଗିରିବାଳା ଅନ୍ୟ କେହି ହେବ-

 

—ତେବେ ଆପଣ କ’ଣ ବର୍ତ୍ତମାନ ତାକୁ ବିବାହ କରିବାକୁ ଇଚ୍ଛା କରୁଚନ୍ତି ?

 

ଜଗଦୀଶଚନ୍ଦ୍ର ଜୟନ୍ତର ଏ ପ୍ରଶ୍ନର ଉତ୍ତର ସଙ୍ଗେ ସଙ୍ଗେ ଦେଇପାରିଲାନି । କିଛି ସମୟ ଭାବିବ ପରେ ସେ କହିଲା—ମୁଁ ଦୀପାଳିକୁ ଭଲ ପାଇସାରିଚି; କିନ୍ତୁ ଆପଣ ମତେ ଗୋଟାଏ ଦ୍ୱନ୍ଦ୍ୱରେ ପକାଇଦେଲେ । କ’ଣ କରିବି ବୋଲି କିଛି ବୁଝିପାରୁନି ।

 

—ଆପଣ ଗୋଟାଏ କାମ କରିପାରନ୍ତି ।

 

—କି କାମ ?

 

—ମୋ ଅନୁମାନ ସତ କି ନୁହେଁ, ସେଇଟା ପରୀକ୍ଷା କରିବା ପାଇଁ ଆମେ ପରସ୍ପରକୁ ସାହାଯ୍ୟ କରିବା ।

 

ଏକଥା ଶୁଣି ଜଗଦୀଶଚନ୍ଦ୍ର କ୍ୟାବିନ୍‌ ମଧ୍ୟରେ ପଦଚାରଣା କରିବାରେ ଲାଗିଲା ।

 

କିଛି ସମୟ ପଦଚାରଣା କରିବା ପରେ ଜଗଦୀଶଚନ୍ଦ୍ର ପୁଣି ଆସି ତାର ଚେୟାରରେ ବସିଲା ।

 

ସେ ପଚାରିଲା—ପରସ୍ପରକୁ କିଭଳି ସାହାଯ୍ୟ କରିବା କଥା କହୁଚନ୍ତି ?

 

—କାଲି ଆପଣ ଶାନ୍ତାଗଡ଼ରେ କୌଣସି ଗୋଟାଏ ରେଷ୍ଟୁରାଣ୍ଟରେ ଖାଇବା ପିଇବାର ବ୍ୟବସ୍ଥା ରଖିଚନ୍ତି ତ ?

 

—ହ !

 

—କୌଣସି ନିର୍ଦ୍ଦିଷ୍ଟ ରେଷ୍ଟୁରାଣ୍ଟ ସ୍ଥିର କରିଚନ୍ତି ?

 

—ସ୍ୱରୂପ ରେଷ୍ଟୁରାଣ୍ଟରେ; କିନ୍ତୁ ଆପଣ ନିଶ୍ଚିନ୍ତ ରହନ୍ତୁ, ଦୀପାଳି ସହିତ ଖିଆପିଆ କରିବା ପରେ ଆମ ଘରୁମୋର ମୃତ ଦେହ ଆପଣ ଆବିଷ୍କାର କରିପାରିବେନି ।

 

—ଆପଣ ଏ କ୍ଷେତ୍ରରେ କେବଳ ଏତିକି କହିବେ, ସେକଥା ମୁଁ ଖୁବ୍‌ ଭଲ ଭାବରେ ଜାଣେ ।

 

—ତାର କାରଣ ?

 

—ଯେଉଁ ପକ୍ଷରୁ ଭଲ ପାଇବାରେ କୌଣସି ଖାଦ ମିଶି ନ ଥାଏ ସେ ପକ୍ଷରେ ବିଶ୍ୱାସଟା ଅଟଳ ହୋଇଉଠେ । ଆଉ ସେଇ ସୁଯୋଗରେ ଗୋଟାଏ ଅଘଟଣ ଆକସ୍ମିକ ଭାବରେ ଘଟିଯାଏ, ଯାହାକି ମଣିଷ ସ୍ୱପ୍ନରେ ବି କଳ୍ପନା କରି ନ ଥିବ ।

 

—ଏଇଟା କେବଳ ଆପଣଙ୍କର ଅନୁମାନ ।

 

—ଛାଡ଼ନ୍ତୁ,ମୋର ଗୋଟାଏ କଥାର ଉତ୍ତର ଦିଅନ୍ତୁ । ଦୀପାଳି କ’ଣ ଅଳଙ୍କାର ପ୍ରଭୃତିକୁ ଘୃଣା କରେ ? ସେ ଆପଣଙ୍କୁ କେବେହେଲେ କୌଣସି ଅଳଙ୍କାର ମାଗିନି ତ ?

 

—ନା । ପ୍ରକୃତରେ ଅଳଙ୍କାରକୁ ସେ ଘୃଣା କରେ । ଭୂଲରେ ବି ମତେ ସେ କେବେ କୌଣସି ଅଳଙ୍କାର ମାଗିନି ।

 

—ତା ପାଖରେ କୌଣସି ଅଳଙ୍କାର ନାହିଁ ?

 

—ନାହିଁ ବୋଲି ଜାଣେ ।

 

—ନଗଦ ଆକାରରେ ମୋଟା ଅଙ୍କର ଟଙ୍କା ବି କ’ଣ ତା’ ପାଖରେ ନ ଥିବ ?

 

–ମୋ’ ଜାଣିବାରେ ନାହିଁ ।

 

–ବର୍ତ୍ତମାନ ମୁଁ ଆପଣଙ୍କୁ ଗୋଟାଏ କଥା ଜଣେଇବି । ଦୀପାଳି ଓରଫ ଗିରିବାଳା ଯେତେବେଳେ ପ୍ରଫେସର ବିବାହ କରିଥିଲା, ସେତେବେଳେ ତାଙ୍କ ଲାଇବ୍ରେରୀ ଘର କାନ୍ଥରେ ଗୋଟାଏ ଖୁବ୍‌ବଡ଼ ଚେଷ୍ଟା ଲଗାଯାଇଥିଲା । ପ୍ରଫେସର ପଣ୍ଡାଙ୍କର ମୃତ୍ୟୁ ପରେ ପୋଲିସ୍‌ସେ ଚେଷ୍ଟ ବିଷୟରେ ପଚରା ପଚରା କଲା । ସେତେବେଳେ ଦୀପାଳି କହିଥିଲା ଯେ ତା’ର ସ୍ୱାମୀ କେତେକ ଦରକାରୀ କାଗଜପତ୍ର ଯେ ଚେଷ୍ଟରେ ରଖନ୍ତି ।

 

–ସମରେନ୍ଦ୍ର ଗୁରୁଙ୍କ ମୃତ ଦେହ ଯେଉଁ କକ୍ଷରୁ ଆବିଷ୍କାର କରାଯାଇଥିଲା,ସେ କକ୍ଷର କାନ୍ଥ ଦେହରେ ବି ଗୋଟାଏ ବଡ଼ ଆଇରନ୍‌ ଚେଷ୍ଟା ଥିବାର ଦେଖାଯାଇଥିଲା ।

 

ଡାକ୍ତର ଅପୂର୍ବରଞ୍ଚନ ଦାସ ମନ୍ତବ୍ୟ ଦେଲେ ।

 

ଜୟନ୍ତ କହିଲା—ଦେଖୁଚି, ଆପଣଙ୍କ ସ୍ମରଣଶକ୍ତି ପ୍ରଖର । କିନ୍ତୁ ପୋଲିସ୍‌ର ସେ ଚେଷ୍ଟଟା ଉପରେ କୌଣସି ସନ୍ଦେହ ହେଇ ନ ଥିଲା । ଯେତେବେଳେ ତୃତୀୟ ସ୍ୱାମୀର ମୃତ୍ୟୁ ହେଲା, ସେତେବେଳେ ବି ତା ଘରର କାନ୍ଥ ଦେହରେ ଗୋଟାଏ ବଡ଼ ଚେଷ୍ଟା ଲଗାଯାଇଥିବାର ଦେଖାଗଲା । ଯେଉଁ ଲୋକ ମତେ ଏ ଅନୁସନ୍ଧାନ କାମରେ ମୁକରିର କରିଚନ୍ତି ସେ କହନ୍ତି ଯେ ଦୀପାଳି ଯେତେବେଳେ ନନ୍ଦକିଶୋର ରାୟଙ୍କ ପାଖକୁ ଆସି ନ ଥିଲା, ସେତେବେଳେ ସେ ତାର ବାପଘରର କାନ୍ଥ ଦେହରେ ଗୋଟାଏ ଚେଷ୍ଟା ରଖିଥିଲା ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ କହିଲେ—ବଡ଼ ବିଚିତ୍ର କଥା ତ ! ତା’ପାଖରେ ଯେତେବେଳେ ଅଳଙ୍କାରପତ୍ର ନାହିଁ, କି ବିଶେଷ ଟଙ୍କାପଇସା ନାହିଁ, ସେତେବେଳେ ଏମିତି ଗୋଟାଏ ଚେଷ୍ଟା ବ୍ୟବହାର କରିବାର ଦରକାର କ’ଣ ? ସେ ଚେଷ୍ଟା ଦେହରେ ତା’ହେଲେ ସେ କ’ଣ ରଖୁଚି ?

 

ଜଗଦୀଶଚନ୍ଦ୍ର ଏଥର କହିଲା—ସେମିତି ଗୋଟାଏ ଚେଷ୍ଟା ନନ୍ଦକିଶୋର ରାୟଙ୍କ ପ୍ରସାଦପୁର ଘରେ ଥିବାର ମୁଁ ଦେଖଚି । ଥରେ ମୁଁ ଦୀପାଳି ବଖରାରେ ସେ ଚେଷ୍ଟାଟା ଦେଖି ତାକୁ ପଚାରିଥିଲି—ସେଥିରେ କ’ଣ ରହୁଚି । ଦୀପାଳି ହସିଦେଇ କହିଥିଲା ଯେ ସେ ଚେଷ୍ଟାରେ ତାର ଡ଼ାଏରୀଟା ରହୁଚି ।

 

—ତଥାପି ଆପଣ ଭୁଲିଯାଉଚନ୍ତି ଯେ ସେ ଗୋଟିଏ ସାଧାରଣ ଝିଅ ନୁହେଁ । ନନ୍ଦକିଶୋର ରାୟ ଏଠାକୁ ଆସି ଯେଉଁ ଭିଲା ପ୍ରସ୍ତୁତ କରିଚନ୍ତି, ସେଥିରେ ବି କ’ଣ ସେମିତି ଚେଷ୍ଟା ଲାଗିଚି ?

 

—ମତେ ଜଣା ନାହିଁ । ବୋଧହୁଏ ଲାଗିଥିବ ।

 

—ସେ କଥା ଛାଡ଼ନ୍ତୁ । ବର୍ତ୍ତମାନ କହନ୍ତୁ, ଦୀପାଳିର ସ୍ୱରୂପଟା ଉଦ୍‌ଘାଟନ କରିବାପାଇଁ ଆପଣ ମତେ ସାହାଯ୍ୟ କରିବେ ନା ନାହିଁ ?

 

—ହଁ, ମୁଁ ଆପଣଙ୍କୁ ସବୁପ୍ରକାରର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି ।

 

—ତା’ହେଲେ ଏଇୟା କରନ୍ତୁ, କାଲି ପର୍ଯ୍ୟନ୍ତ ଏକଥା ପ୍ରଚାର ଜାରି ରହୁ ଯେ ମୁଁ ଏବେ ବି ବି ଅଜ୍ଞାନ ଅବସ୍ଥାରେ ରହିଚି । କିଛି କହିବା ମୋ ପକ୍ଷରେ ପ୍ରାୟ କେତେ ଘଣ୍ଟା ପାଇଁ ସମ୍ଭବ ହେବନି ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ ଆଉ ଜଗଦୀଶଚନ୍ଦ୍ର ଏବ ସଙ୍ଗେ କହିଲେ—ଆପଣଙ୍କର ଏ ପରାମର୍ଶ ପାଳନ କରାଯିବ ।

 

—ଏମିତି କରିବାର କାରଣ ହେଉଚି ଯେ ଦୀପାଳି ମନେକରିବ ଏପର୍ଯ୍ୟନ୍ତ ମୁଁ ତାର କୌଣସି କଥା ପ୍ରକାଶ କରିନି; ଅଜ୍ଞାନ ହୋଇ ଡାକ୍ତରଖାନାରେ ପଡ଼ିରହିଚି ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ କହିଲେ—ଆପଣଙ୍କ କଥାର ଉଦ୍ଦେଶ୍ୟଟା ଆମେ ବୁଝିପାରିଚୁଁ ।

 

—ଦେଖନ୍ତୁ, ଦୀପାଳି ଗୋଟାକ ପରେ ଗୋଟାଏ ହତ୍ୟା କରିଯିବାର ଚେଷ୍ଟା କରୁଚି । ସେ ବିଷରଶ୍ମି ପ୍ରୟୋଗ ପରେ ଉତ୍ତେଜନାପୂର୍ଣ୍ଣ ଆନନ୍ଦ ଅନୁଭବ କରିବାକୁ ଇଚ୍ଛା କରୁଚି । ଜଗଦୀଶବାବୁ କାଲି ଆପଣ ଦୀପାଳକୁ ନେଇ ଶାନ୍ତାଗଡ଼ର ସେ ରେଷ୍ଟୁରଣ୍ଟରେ ଖାଇବା ପିଇବା କରିବାକୁ ନିଶ୍ଚୟ ଯିବେ । ଆପଣଙ୍କୁ ସେ ଯେଉଁ ପରାମଶ ଦେବ ତାକୁ ସ୍ୱୀକାର କରିନେବେ । ତା’ର ପ୍ରତ୍ୟେକଟି କଥା ଯେମିତି ମାନିନିଅନ୍ତି ।

 

—ମୁଁ ତା’ର କୌଣସି କଥା ଭାଙ୍ଗିଦେବିନି । ସେ ମତେ କିଭଳି ପରାମଶ ଦେବ ବୋଲି ଆପଣ ଅନୁମାନ କରୁଚନ୍ତି ?

 

—ସେ ବୋଧହୁଏ କାଲି ରାତିରେ ସେଇ ବଖରାରେ ଶୋଇଯିବା ପାଇଁ ଆହ୍ୱାନ ଦେଇପାରେ, ଯେଉଁ ବଖରାରେ କି ସେ ଆଇରନ୍‌ ଚେଷ୍ଟା ଲଗାଇ ରଖିଚି ।

 

–କିନ୍ତୁ....ମୁଁ.....

 

—ଆପଣ କିନ୍ତୁ ବ୍ୟସ୍ତ ହେବେନି । ସଦାବେଳେ ମୋର ଦୃଷ୍ଟି ଆପଣଙ୍କ ଉପରେ ରହିଥିବ । ମୁଁ ଶାନ୍ତାଗଡ଼ର ସ୍ୱରୂପ ରେଷ୍ଟୁରାଣ୍ଟ ଆଗରେ ଦରୁଆନ ବେଶରେ ଉପସ୍ଥିତ ଥିବି । ଆପଣ ମତେ ଖୁବ୍‌ ସହଜରେ ଚିହ୍ନିପାରିବେ । ମୋର ଡ଼ୋରିଆ ଫତେଇ ଛାତିରେ ଗୋଟାଏ ଧଳା କନାର ପକେଟ ଥିବ । ଆପଣ ଶାନ୍ତାଗଡ଼ ଗଲାବେଳେ ନିଜର ଗାଡ଼ି ନ ନେଇ ଖଣ୍ଡେ ଘୋଡ଼ାଗାଡ଼ିରେ ସେଠାକୁ ଯିବେ । ଫେରିଲାବେଳକୁ ମୋର ଘୋଡ଼ାଗାଡ଼ିଟାକୁ ଭଡ଼ାକରି ଆସିବେ-

 

—ଆପଣଙ୍କ ପରାମର୍ଶ ମୋର ମନେରହିଲା ।

 

ଡାକ୍ତର ଅପୂର୍ବଞ୍ଜନ ଦାସ କହିଲେ—ଏସବୁ ବିଷୟ ଖୁବ୍‌ଗୋପନ ରହିବା ଉଚିତ । ମନେହୁଏ ଦୀପାଳି ନିର୍ଦ୍ଦୋଷ ପ୍ରମାଣିତ ହେବ ।

 

—ଏ ଦୁନିଆରେ ଅନେକ କିଛି ସମ୍ଭବ ହୋଇପାରେ । ହଉ, କାଲି ତେବେ ରାତିରେ ଶାନ୍ତାଗଡ଼ରେ ଦେଖା ହେବ ।

 

ଜଗଦୀଶଚନ୍ଦ୍ରଙ୍କୁ ଏତକ କହିଦେଇ ଜୟନ୍ତ ଡାକ୍ତର ଅପୂର୍ବରଞ୍ଜନ ଦାସଙ୍କୁ ଚାହିଁ କହିଲା–ଡାକ୍ଟର ଦାସ, ଆପଣ ମିଷ୍ଟର ନନ୍ଦକିଶୋର ରାୟଙ୍କ ପାରିବାରିକ ଚିକିତ୍ସକ । ଆପଣ କ’ଣ ଆଗରୁ କୌଣସି ଦିନ ଦୀପାଳିକୁ ତାଙ୍କ ଘରେ ଦେଖିଥିଲେ ?

 

–ନା ।

 

–ଦୀପାଳି କ’ଣ ପ୍ରକୃତରେ ମିଷ୍ଟର ରାୟଙ୍କର ମାଉସୀ ଝିଅ ଭଉଣୀର ଝିଅ ?

 

–ମୁଁ ମିଷ୍ଟର ରାୟଙ୍କ ବନ୍ଧୁବାନ୍ଧବ ବିଷୟରେ କେବେ କୌଣସି କଥା ତାଙ୍କୁ ପଚାରିନି ।

 

–ଧନ୍ୟବାଦ, ଡକ୍ଟର ଦାସ ! ମୋ ପାଇଁ ଆପଣ ଟିକିଏ କଷ୍ଟ କରନ୍ତୁ । ମୋର ତମ୍ବୁ ଭିତରେ ଗୋଟାଏ ନୀଳରଙ୍ଗର କାଠର ବାକ୍‌ସ ରହିଚି । ଆଜି ରାତି ଅନ୍ଧାରରେ ସେଇଟା ମୋ ପାଖରେ ପହଞ୍ଚାଇଦେବାର ବ୍ୟବସ୍ଥା କରନ୍ତୁ ।

 

–ସେ ବାକ୍‌ସରେ କ’ଣ ଅଛି ?

 

–ସେଥିରେ ମୋର ଛଦ୍ମବେଶର ଉପକରଣ ରହିଚି ।

 

–ତା’ହେଲେ ତ ନିଶ୍ଚୟ ପହଞ୍ଚାଇଦେବି ।

 

କହୁ କହୁ ଡାକ୍ତର ଅପୂର୍ବରଞ୍ଜନ ଦାସ ଦ୍ୱାର ଆଡ଼େ ଆଗେଇ ଗଲେ ।

 

ଯାଉ ଯାଉ ଜଗଦୀଶ କହିଲା–ମିଷ୍ଟର ପାଣିଗ୍ରାହୀ, ଆପଣ ମତେ ଯେତେ କଥା କହିଲେ, ତା’ ଉପରେ ମୋର ଏବେ ମଧ୍ୟ ବିଶ୍ୱାସ ହେଉନି । ମୁଁ ଏକଥା ବୁଝିପାରୁନି ଯେ ଏତେ ଭଲ ପାଇବା ପରେ ଦୀପାଳି ମତେ ବିଷରଶ୍ମି କେମିତି ପ୍ରୟୋଗ କରିବାକୁ ଇଚ୍ଛା କରିବ ?

 

–ଆପଣ ଏକଥା ଭୁଲିଯାଉଚନ୍ତି ଯେ ଦୀପାଳି ଯେତେ ଲୋକଙ୍କୁ ବିଷରଶ୍ମି ପ୍ରୟୋଗ କରିଚି, ସେ ସେମାନଙ୍କୁ ବି ଭଲ ପାଉଥିଲା, ବିବାହ କରି ସ୍ୱାମୀ ବୋଲି ସ୍ୱୀକାର କରିଥିଲା ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ କହିଲେ—ଆପଣ ତା’ହେଲେ ଏଇ କଥା କହିବାକୁ ଇଚ୍ଛା କରୁଚନ୍ତି ଯେ ଦୀପାଳି କେବଳ ସେଇମାନଙ୍କୁ ବିଷରଶ୍ମି ପ୍ରୟୋଗ କରିଚି, ଯେଉଁମାନେ କି ତାକୁ ଭଲ ପାଆନ୍ତି ?

 

–ହ, ମୁଁ ସେଇକଥା କହୁଚି ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ ଆଉ ଜଗଦୀଶଚନ୍ଦ୍ର କ୍ୟାବିନ୍‌ଭିତରୁ ବାହାରି ଆସିଲେ ।

 

X X X

 

ଡାକ୍ତର ଅପୂର୍ବରଞ୍ଜନ ଦାସଙ୍କୁ ରାୟ ଭିଲା ଆଗରେ ଓହ୍ଲାଇ ଦେଇ ଜଗଦୀଶଚନ୍ଦ୍ର ତାଙ୍କ ଘରକୁ ଚାଲିଆସିଲା ! ତା’ ମନରେ ଗୋଟାଏ ତୁମୁଳ ତୋଫାନ ଦେଖା ଦେଇଚି । ଜୟନ୍ତ ପାଣିଗ୍ରାହୀଙ୍କ କଥାଗୁଡ଼ାକ ତା’ ଦୁନିଆଟାକୁ ଯେମିତି ଓଲଟ ପାଲଟ କରିଦେବାକୁ ବସିଚି । ତାର ମୁଣ୍ଡ ଭିତରଟା କେବଳ ଅନ୍ଧାର ଜଣାପଡ଼ୁଚି । ସେ ବିଶ୍ୱାସ କରିପାରୁନି ଯେ ଦୀପାଳିର ବୟସ ଛତିଶ ପାଖାପାଖି ହେବ ।

 

ରାତିଟା କେମିତି ଛିଣ୍ଡିଛିଣ୍ଡିଆ ଜଣାପଡ଼ୁଚି । ଆଖିକୁ ନିଦ ଆସୁନି । ତାର ଶୋଇବାଘରଟା କୋଟିର ଗୋଟାଏ କଣକୁ । ସେ ବିଛଣାରୁ ଉଠି ଖଣ୍ଡେ ବହି ଟେବୁଲ ଉପରୁ ଆଣି ପଢିବାର ଚେଷ୍ଟା କଲା । ନା, ସେ ଚେଷ୍ଟା ତାର ବୃଥା । ହଠାତ୍‌ତାର ଶୋଇବାଘର ଦ୍ୱାରରେ ମୃଦୁ କରାଘାତ ଶୁଣାଗଲା । ସେ ଚମକି ଚେୟାର ଉପରୁ ଉଠିପଡ଼ିଲା । ଆହତ ପକ୍ଷୀଭଳି ତାର ଛାତି ଭିତରଟ ଛଟପଟ ହେଉଚି । ଧୀରେ ଧୀରେ ଆଗେଇଆସି କବାଟଟା ଖୋଲି ଦେଲା । ଦ୍ୱାର ଆଗରେ ଦୀପାଳି ଠିଆ ହୋଇଚି । ସେ ଖୁବ୍‌ପତଳା ରାତ୍ରି ପୋଷାକ ପିନ୍ଧିଥାଏ । ଗାଲ ଉପର ଦେଇ ଦି’ଧାର ଲୁହ ଗଡ଼ିଆସୁଚି । ତାର ପୋଷାକ ତଳେ ଥିବା ଦେହଟା ସ୍ପଷ୍ଟ ପ୍ରମାଣ ଦେଉଥାଏ ଯେ ଜୟନ୍ତର କଥାଗୁଡ଼ାକ ନିରାଟ ମିଛ ।

 

ଜଗଦୀଶଚନ୍ଦ୍ର ହସିଦେଇ କହିଲା–ଆରେ ଦୀନା, ତମେ ଏତେବେଳେ ଏଠାରେ ?

 

–ମୋ ଆଖିକୁ ନିଦ ଆସୁନି । ମୁଁ ଶୁଣିବାକୁ ପାଉଚି ଯେ ପଣ୍ଡିତ ଜୀବନାନନ୍ଦ ସ୍ୱାମୀ ଶେଷ ଅବସ୍ଥାରେ ପହଞ୍ଚିଗଲେଣି । ବାରମ୍ବାର ମୋର ମନେହେଉଚି ଯେ ଅକାରଣରେ ଜଣେ ନିର୍ଦ୍ଦୋଷର ଜୀବନ ନଷ୍ଟ କରିଦେଲି ।

 

–ତମେ ଭିତରକୁ ଆସ, ଦୀପା !

 

ଦୀପାଳି ମନ୍ଥର ଗତିରେ ଶୋଇବାଘର ଭିତରକୁ ପଶିଆସିଲା । ଜଗଦୀଶଚନ୍ଦ୍ରକୁ ଦୁଇ ହାତରେ ଜାବୁଡ଼ିଧରି ପଚାରିବାରେ ଲାଗିଲା, ତୁମେ କୁହ... ! କୁହ ତୁମେ.... !! ତୁମେ ଭାବୁନ ତ–ମୁଁ ଜାଣିଶୁଣି ପଣ୍ଡିତଙ୍କ ଜୀବନ ନଷ୍ଟ କରିଚି ବୋଲି.... ?

 

ଟିକିଏ ସତର୍କ ହୋଇଯାଇ ଜଗଦୀଶଚନ୍ଦ୍ର କହିଲା–ନା, ନା, ସେମିତି କଥା ମୁଁ ଭୁଲରେ ବି ଭାବିବାକୁ ଯିବିନି । ତମେ କ’ଣ ଆଗରୁ କେବେ ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀଙ୍କୁ ଦେଖା କରିଥିଲ ?

 

–ନା ।

 

–ତା’ହୋଲେ ତମେ କାହିଁକି ତାଙ୍କର ଶତ୍ରୁ ହେବ ?

 

ଗଭୀର ଦୁଃଖରେ ଦୀପାଳି କହିଲା—ଆହତ ହେବା ପରେ ପ୍ରଥମ ଥର ପାଇଁ ମୁଁ ତାଙ୍କୁ ସେଇ ଅଜ୍ଞାତ ଅବସ୍ଥାରେ ଦେଖିଲି ।

 

—ତା’ହୋଲେ ତମେ ବ୍ୟସ୍ତ ହେଉଚ କାହିଁକି ?

 

—ସେ ଯଦି ମରିଯାଆନ୍ତି, ପୋଲିସ୍‌ ତ ମତେ ଧରିବ ।

 

—ତମେ ସେ ବିଷୟରେ ଚିନ୍ତା କରନି । ପୋଲିସ୍‌ କେବଳ ପଚରାପଚରି କରି ଚାଲିଯିବ ।

 

—ଆମର କାଲିର ଯୋଜନାରେ ବାଧା ପଡ଼ିବନି ତ ?

 

—କ’ଣ ଶାନ୍ତାଗଡ଼ ଯାଇ ଖାଇବା ପିଇବା କଥା ?

 

—ହଁ ।

 

—ନା, ଯେତେ ଯାହା ହୋଇଗଲେ ବି ଦୁନିଆର କୌଣସି ଶକ୍ତି ଆମକୁ ସେଥିରେ ବାଧା ଦେଇପାରିବନି ।

 

–କାଲି ସେଠାରେ ଆମ ଦୁହିଁଙ୍କ ବ୍ୟତୀତ କୌଣସି ତୃତୀୟ ବ୍ୟକ୍ତି ରହିବନି । ମୁଁ କାଲି ତୁମକୁ ଗୋଟାଏ ରହସ୍ୟ କଥା କହିବି, ଆଉ ଗୋଟାଏ ଜିନିଷ ବି ଦେଖାଇବାକୁ ଇଚ୍ଛା କରୁଚି ।

 

–ତମେ ମତେ କ’ଣ କହିବ ଆଉ କ’ଣ ଦେଖାଇବ ?

 

ଦୀପାଳି ଏ କଥାର ଉତ୍ତର ଦେବା ଆଗରୁ ଦ୍ୱାରରେ କରାଘାତ ଶୁଣାଗଲା । ଦୁହେଁ ସମ୍ଭାଳି ହୋଇ ବସିଲେ ।

 

–କିଏ..... ? ଆସନ୍ତୁ ।

 

ଜଣେ ପ୍ରୌଢ଼ ବ୍ୟକ୍ତି ଦ୍ୱାର ଖୋଲି ଭିତରେ ପ୍ରବେଶ କଲେ । ସେ ଏ ଅଞ୍ଚଳର ଜଣେ ବିଖ୍ୟାତ ବ୍ୟକ୍ତି । ରାଜବଂଶୀୟ ଲୋକ । ଜଗଦୀଶଚନ୍ଦ୍ର କେତେ ଥର ତାଙ୍କ ସଙ୍ଗେ ଦେଖାକରିଚି । ତାଙ୍କର ନାମଥିଲା ମୃତ୍ୟୁଞ୍ଜୟ ନାରାୟଣ ହରିଚନ୍ଦନ । ବିଲାତଫେରନ୍ତା ଲୋକ । ଦେହରେ ରହିଚି ପୂରା ସାହେବୀ ପୋଷାକ । ଜଗଦୀଶଚନ୍ଦ୍ର ଘରେ ଦୀପାଳିକୁ ଦେଖି ସେ ଟିକିଏ ବିସ୍ମିତ ହୋଇଗଲେ ।

 

–ଭାବିଥିଲି ବର୍ତ୍ତମାନ ଆପଣ ଏକା ଥିବେ ।

 

–କହନ୍ତୁ, ମୁଁ ଆପଣଙ୍କର କି ସେବା କରିପାରେ ?

 

—ମତେ ଆପଣଙ୍କର ରାଇଫଲ୍‌ଟା ଦରକାର ଥିଲା । କାଲି ଟିକିଏ ଶିକାରକୁ ଯିବାପାଇଁ ଭାବିଚି । ମୋ ରାଇଫଲ୍‌ର ଟ୍ରିଗାରଟା ଖରାପ ହେଇଯାଇଚି ।

 

ରାଇଫଲ୍‌ନାମ ଶୁଣିବା ମାତ୍ରେ ଜଗଦୀଶଚନ୍ଦ୍ରର ନିଜ ରାଇଫଲ୍‌କଥା ମନେପଡ଼ିଲା । ସେ ତ ଭୁଲରେ ଓଭରସିଅରଙ୍କର ଜିପ୍‌ରେ ସେଇଟା ଛାଡ଼ିଦେଇ ଆସିଚି । ସେ କହିଲା—ମୋର ରାଇଫଲ୍‌ଟା ଓଭରସିଅରଙ୍କ ଜିପ୍‌ରେ ରହିଯାଇଚି ।

 

—ମୁଁ ଓଭରସିଅରବାବୁଙ୍କ ସଙ୍ଗେ ଦେଖାକରି ଆସିଚି । ତାଙ୍କ ଜିପ୍‌ରେ ଆପଣଙ୍କ ରାଇଫଲ୍‌ଟା ନାହିଁ ।

 

—ଆପଣ ମୋ ରାଇଫଲ୍‌ଟା ପାଇଁ ଓଭରସିଅରଙ୍କ ପାଖରେ କେମିତି ପହଞ୍ଚିଗଲେ ?

 

–ମୁ ଏଇଟା ଦ୍ୱିତୀୟ ଥର ପାଇଁ ଆପଣଙ୍କ ପାଖକୁ ଆସିଚି । ପ୍ରଥମ ଥର ଯେତେବେଳେ ଆସିଥିଲି, ସେତେବେଳେ ଆପଣ ଘରେ ନ ଥିଲେ । କ୍ୟାପ୍‌ଟେନ୍‌ସାହେବ କହିଲେ ଯେ ଆପଣ କୁଆଡ଼େ ଯାଇଚନ୍ତି । ଆଉ ଏକଥା ବି କହିଲେ ଯେ ଆପଣଙ୍କ ରାଇଫଲ୍‌ଟା ଓଭରସିଅରବାବୁଙ୍କ ଜିପ୍‌ରେ ରହିଚି । ଖାଇସାରିବା ପରେ ମୁଁ ଯାଇ ଓଭରସିଅରଙ୍କ ସଙ୍ଗେ ଦେଖା କଲି । ଜିପ୍‌ଖଣ୍ଡକ ତାଙ୍କ ଗ୍ୟାରେଜରେ ଠିଆ ହୋଇଥିଲା । ଖୋଜାଖୋଜି କରି ସେ ଦେଖିଲେ କିନ୍ତୁ ମିଳିଲାନି ।

 

–ତା’ହେଲେ ସେଇଟା ଗଲା କୁଆଡ଼େ ?

 

ସମସ୍ତେ ବ୍ୟସ୍ତ ହେଉଚନ୍ତି । ମୁଁ ଭାବିଲି, ଆପଣ ସେଇଟାକୁ ବୋଧହୁଏ ନେଇଆସିଚନ୍ତି-

 

–ନା, ମୁଁ ରାଇଫଲ୍‌ତ ଆଣିନି ।

 

—ତା’ହେଲେ ତ ମୁଁ କାଲି ଶିକାର କରିବାକୁ ଯାଇପାରିବିନି । ଛାଡ଼ନ୍ତୁ, ବରାଦ ନାହିଁ । ଆଚ୍ଛା, ମୁଁ ଯାଉଚି ।

 

–ଆପଣ ଆଉ କୌଣସି ଖବର ଶୁଣୁଥିଲେ ?

 

ଯାଉ ଯାଉ ମୃତ୍ୟୁଞ୍ଜୟ ନାରାୟଣ ଦ୍ୱାରପାଖରେ ଠିଆ ହୋଇପଡ଼ି କହିଲେ–ଏକମାତ୍ର ଖବର ପାଇଚି ଯେ ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀଙ୍କ ଜ୍ଞାନ ଫେରିଆସିଚି; ସେ ବର୍ତ୍ତମାନ ବିପଦମୁକ୍ତ ।

 

ଆଶ୍ଚର୍ଯ୍ୟ ହୋଇ ଦୀପାଳି ପଚାରିଲା—ପଣ୍ଡିତଙ୍କ ଜ୍ଞାନ ଫେରିଲାଣି ?

 

–ହଁ ।

 

ମୃତ୍ୟୁଞ୍ଜୟ ନାରାୟଣ କହିଦେଇ ଚାଲିଗଲେ ।

 

ଜଗଦୀଶଚନ୍ଦ୍ର ମନେ ମନେ ବ୍ୟସ୍ତ ହୋଇ ଭାବିଲା, ମୃତ୍ୟୁଞ୍ଜୟ ନାରାୟଣଙ୍କୁ ସେ କାହିଁକି ଯିବାକୁ ଦେଲାନି, କୌଣସି ଖବର ଶୁଣିଚନ୍ତି କି ନାହିଁ ବୋଲି କାହିଁକି ପଚାରିବାକୁ ଗଲା ! ଏ ଖବର ଶୁଣି ଦୀପାଳି ମୁହଁରେ ଗୋଟାଏ ବିଚିତ୍ର ପ୍ରଫୁଲ୍ଲତା ଦେଖାଦେଇଚି ।

 

ସେ କହିଲା—ରାଜାସାହେବ ଗୋଟାଏ ସୁଖବର ଶୁଣାଇଲେ । କାଲି ତା’ହେଲେ ନିଶ୍ଚିନ୍ତ ହୋଇ ଶାନ୍ତାଗଡ଼ରେ ବୁଲିହେବ । ଆଚ୍ଛା ବର୍ତ୍ତମାନ ମୁଁ ଯାଉଚି ।

 

ଦୀପାଳି ଗଲାପରେ ବି ଜଗଦୀଶଚନ୍ଦ୍ରର ଆଖିକୁ ନିଦ ଆସିଲାନି ।

 

ଯେକୌଣସି ପ୍ରକାରେ ରାତି ସାଢ଼େ ତିନିଟା ପରେ ତା’ଆଖିକୁ ଟିକିଏ ନିଦ ଲାଗିଗଲା; କିନ୍ତୁ ସେ ବେଶି ସମୟ ପର୍ଯ୍ୟନ୍ତ ଶୋଇ ପାରିଲାନି । ଲଗାୟତ ଭାବରେ ଟେଲିଫୋନ୍‌ଟା ଝଣ୍‌ଝଣ୍‌ କରିଉଠିଲା । କଡ଼ ଲେଉଟାଇ ସେ ଆଖି ଫିଟାଇଲା । ଟେବୁଲ ଉପରେ ରଖାଯାଇଥିବା ଘଡ଼ିଟିକୁ ଚାହିଁଲା । ପାଞ୍ଚଟା ବାଜିବାକୁ ଆହୁରି ବାର ମିନିଟ ବାକି । ମାତ୍ର ଦେଢ଼ଘଣ୍ଟା ବି ସେ ଶୋଇପାରିବ-। ହାତଟା ବଢ଼ାଇ ସେ ରିସିଭର ଉଠାଇନେଲା-

 

—ମୁଁ ଜଗଦୀଶଚନ୍ଦ୍ର କହୁଚି ।

 

—ଡାକ୍ତରଖାନାରୁ ମୁଁ ଡାକ୍ତର ଦାମୋଦର ପରିଜା କହୁଚି । ଆପଣ ଖୁବ୍‌ ଶୀଘ୍ର ଚାଲିଆସନ୍ତୁ ।

 

ଏକଥା କହି ଡାକ୍ତର ଅପର ପକ୍ଷରୁ ସଂଯୋଗ ଛାଡ଼ିଦେଲେ । ଜଗଦୀଶଚନ୍ଦ୍ର ପଚାରି ପାରିଲାନି ଯେ ଏତେ ଭୋରରୁ ତାକୁ ଡାକ୍ତରଖାନାରୁ କାହିଁକି ଡାକରା ପଡ଼ିଲା । ପ୍ରାଇଭେଟ ଡିଟେକଟିଭ୍‌ ଜୟନ୍ତ କୁମାର ପାଣିଗ୍ରାହୀଙ୍କର କିଛି ହେଇଯାଇନି ତ ? ଏକଥା ଭାବି ସେ ବିଛଣାରୁ ଉଠି ଠିଆ ହୋଇପଡ଼ିଲା ଏବଂ ପୋଷାକ ପାଲଟି ପକାଇଲା ।

 

ବାହାରକୁ ଆସି ସେ ଗ୍ୟାରେଜରୁ ଗାଡ଼ି ବାହାର କଲା । ଡାକ୍ତରଖାନାକୁ ନିକଟ ପଡ଼ୁଥିବା ଗୋଟାଏ କଚ୍ଚ ରାସ୍ତା ଧରି ବାହାରି ପଡ଼ିଲା । ସେତେବେଳକୁ ମାତ୍ର ସାଢ଼େ ପାଞ୍ଚଟା ବାଜିଥାଏ । ରାତିର ଅନ୍ଧାର ଫିକା ଧରି ଆସିଲାଣି । ଗୋଟାଏ ସଦ୍ୟ ଚାଷ କରାଯାଇଥିବା ବିଲ ଭିତର ଦେଇ ରୁବି ଆଗେଇ ଆସୁଥିବାର ସେ ଦେଖିଲା । ସେ ଧୂଳିରେ ବୁଡ଼ିଯାଇଥାଏ ।

 

ଗାଡ଼ିରେ ବ୍ରେକ୍‌ ଧରି ଜଗଦୀଶଚନ୍ଦ୍ର ପଚାରିଲା—ରୁବି, ଏତେ ସକାଳୁ ତୁ କୁଆଡ଼େ ଯାଇଥିଲୁ ?

 

—କେଜାଣି କାହିଁକି ରାତିସାରା ମତେ ନିଦ ହେଲାନି । ତେଣୁ ମୁଁ ଖୁବ୍‌ଭୋରରୁ ବୁଲିବାପାଇଁ ବାହାରିପଡ଼ିଥିଲି ।

 

—ତୋ ଦେହସାରା ଏତେ ଧୂଳି କ’ଣ ଲାଗିଚି ?

 

—ବିଲ ଭିତରଟାରେ ଝୁଣ୍ଟି ପଡ଼ିଗଲି ।

 

ଜଗଦୀଶଚନ୍ଦ୍ର ଆଉ କିଛି ପଚାରିଲାନି । କ’ଣ ଭାବି ଗାଡ଼ିର ମୋଡ଼ ବୁଲାଇ ରାୟ ଭିଲାରୁ ଡାକ୍ତର ଅପୂର୍ବରଞ୍ଜନ ଦାସଙ୍କୁ ସାଙ୍ଗରେ ନେଇ ଭୋର ଛଅଟାବେଳକୁ ଡାକ୍ତରଖାନାରେ ପହଞ୍ଚିଗଲା । ଡାକ୍ତର ଦାମୋଦର ପରିଜା ସେ ଦୁହିଁଙ୍କୁ ପରିଦର୍ଶକ କକ୍ଷକୁ ନେଇଗଲେ ।

 

ସେ କହିଲେ—ଆଜି ରାତି ସାଢ଼େ ତିନିଟା ବେଳେ ଡାକ୍ତରଖାନାରେ ଗୋଟାଏ ବଡ଼ ଧରଣର ହୃଦୟ ବିଦାରକ ଦୁର୍ଘଟଣା ହୋଇଯାଇଚି ।

 

ଜଗଦୀଶଚନ୍ଦ୍ର ବ୍ୟଗ୍ର ହୋଇ ପଚାରିଲା କି— ଧରଣର ଦୁର୍ଘଟଣା ?

 

—କେହି ଜଣେ ମିଷ୍ଟର ପାଣିଗ୍ରାହୀଙ୍କ ଝରକା ନଳାବାଟେ ତାଙ୍କୁ ଲକ୍ଷ୍ୟ କରି ଗୁଳି ଚଳେଇଚି । ଯେତେବେଳେ ଆକ୍ରମଣକାରୀ ସେ ଉଦ୍ୟମରେ ସଫଳ ହେଲାନି, ସେତେବେଳେ ତାଙ୍କ ପ୍ରତି ଏକପ୍ରକାର ବିଷରଶ୍ମି ପ୍ରୟୋଗ କରିଚି ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ ପଚାରିଲେ—ମିଷ୍ଟର ପାଣିଗ୍ରାହୀ ଭଲରେ ଅଛନ୍ତି ତ ?

 

ଜଗଦୀଶଚନ୍ଦ୍ର କହିଲା—ଡକ୍ଟର ଦାସ, ଗୋଟାଏ ଲୋକ ଉପରେ ଦୁଇ ଥର ଏଭଳି ଆକ୍ରମଣ କରାଗଲେ ସେ ଭଲରେ ଥିବାର କେମିତି ଆଶା କରାଯାଇପାରେ ?

 

ଡାକ୍ତର ଦାମୋଦର ପରିଜା କହିଲେ—କିନ୍ତୁ ମିଷ୍ଟର ପାଣିଗ୍ରାହୀଙ୍କର ଏତେ ଟିକିଏ ବି କ୍ଷତି ହେଇନି । ଗୁଳିଟା ଲକ୍ଷ୍ୟଭ୍ରଷ୍ଟ ହେଇଯାଇଚି । ମୁଁ ରାତି ଡିଉଟିରେ ଥିଲି । ଗୁଳିଶବ୍ଦ ଶୁଣି ସମଗ୍ର ଡାକ୍ତରଖାନା ଚେତିଉଠିଲା । ମୁଁ ମିଷ୍ଟର ପାଣିଗ୍ରାହୀଙ୍କ କ୍ୟାବିନକୁ ଯାଇ ଦେଖେ ତ ତାଙ୍କର କିଛି କ୍ଷତି ହେଇନି । ତାଙ୍କ କ୍ୟାବିନ ବାହର କାନ୍ଥକୁ ଲାଗି ଗୋଟାଏ ରାଇଫଲ ଡେରା ହୋଇଥିବା ଅବସ୍ଥାରେ ମିଳିଚି ।

 

—ଆପଣ ମତେ ସେ ରାଇଫଲ୍‌ଟା ଦେଖାଇବେ କି ?

 

—ବର୍ତ୍ତମାନ ନେଇଆସୁଛି ।

 

କହିଦେଇ ଡାକ୍ତର ଦାମୋଦର ପରିଜା ବାହାରକୁ ଚାଲିଗଲେ । ଅଳ୍ପ ସମୟ ପରେ ସେ ଗୋଟାଏ ରାଇଫଲ୍‌ ଧରି ପହଞ୍ଚିଲେ ।

 

ରାଇଫଲ୍‌ଟା ଦେଖିବାମାତ୍ରେ ଜଗଦୀଶଚନ୍ଦ୍ର କହିଉଠିଲା ଏଇଟା ତ ମୋର ରାଇଫଲ୍‌ । କିଏ ଯେ ଏଇଟା ଓଭରସିଅରଙ୍କ ଜିପ୍‌ରୁ ଚୋରାଇ ଆଣିଚି, ସେକଥା ମୁଁ ଜାଣେନି ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ ଡାକ୍ତର ପରିଜାଙ୍କୁ ପଚାରିଲେ—ତା’ ପରେ କଣ ହେଲା ?

 

—ମିଷ୍ଟର ପାଣିଗ୍ରାହୀଙ୍କୁ ଅକ୍ଷତ ଥିବାର ଦେଖି ମୁଁ ପରାମର୍ଶ ଦେଲି ଯେ ସେ କ୍ୟାବିନ ଯେମିତି ବଦଳ କରିଦିଅନ୍ତି । କାରଣ ରାତି ଆଉ କିଛିଟା ବାକି ଥାଏ । ଦ୍ୱିତୀୟ ଥର ଆକ୍ରମଣ ହେବାର ଅନେକ ସମ୍ଭବନା ଥିଲା । କିନ୍ତୁ ସେ ସେଇ କ୍ୟାବିନରେ ରହିବା ପାଇଁ ଜିଦ୍‌ ଧରିଲେ । ମନେହେଲା, ମିଷ୍ଟର ପାଣିଗ୍ରାହୀ କୌଣସି ଦୁର୍ବଳତା ପ୍ରକାଶ କରିବାକୁ ପ୍ରସ୍ତୁତ ନ ଥିଲେ । ସେ ସେଇ କ୍ୟାବିନରେ ରହିଲେ । ପ୍ରତିଟି ଦ୍ୱାର ଝରକା ଭିତରପାଖରୁ ସାବଧାନରେ ବନ୍ଦି କରିଦିଆଗଲା । ଅଧଘଣ୍ଟାଏ ପରେ ମୁଁ ତାଙ୍କୁ ଦେଖା କରିବାକୁ ଗଲି ଦ୍ୱାରଟା ଖଡ଼ ଖଡ଼ କଲି; କିନ୍ତୁ କୌଣସି ଉତ୍ତର ମିଳିଲାନି ।

 

—କୌଣସି ଉତ୍ତର ମିଳିଲାନି ?

 

—ନା । କବାଟ ଫାଙ୍କରେ ଉଣ୍ଡି ଦେଖିଲି ଯେ କ୍ୟାବି ଭିତରେ ଗୋଟାଏ ନୀଳ ରଶ୍ମି ଆସି ପଡ଼ିଚି ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ କହିଲେ—ତା ମାନେ, ତାଙ୍କ ପ୍ରତି ବିଷରଶ୍ମି ପ୍ରୟୋଗ କରାଯାଉଥିଲା ?

 

—ମୋର ଯେତେ ଦୂର ମନେହୁଏ ସେଇୟା । ସେଇଟା ଦେଖିବା ମାତ୍ରେ ମୁଁ ସାମାନ୍ୟ ବିସ୍ମିତ ହୋଇଗଲି । ଲୋକ ଲଗାଇ ଦ୍ୱାରଟାକୁ ଭାଙ୍ଗିଲି । ମୁଁ ଯେତେବେଳେ କ୍ୟାବିନ ଭିତରକୁ ଗଲି, ସେତେବେଳକୁ ସେ ଆଲୁଅ ଆଉ ନ ଥିଲା ।

 

—ସେ ତ ହେବାର କଥାରେ—ପ୍ରୟୋଗରେ କବାଟ ଝରକା ବନ୍ଦ ଥିଲେ ମଧ୍ୟ କୌଣସି ଅସୁବିଧା ହୁଏନି । ଆଲୋକରେଖାଟା ଯେକୌଣସି ଦୃଢ଼ ବସ୍ତୁକୁ ଭେଦ କରି ସହଜରେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରେ; କିନ୍ତୁ ବିଦେଶ ଛଡ଼ା ସେ ଭଳି ପରୀକ୍ଷାକାରୀ ପ୍ରୟୋଗ ଆମ ଦେଶରେ ଦେଖାଯାଇନି ।

 

ଜଗଦୀଶଚନ୍ଦ୍ର କହିଲା—ହେଲେ, ମିଷ୍ଟର ପାଣିଗ୍ରାହୀଙ୍କ ଭଳି ଜଣେ ବୁଦ୍ଧିମାନ୍‌ ସତ୍ୟାନ୍ୱେଷୀ ପକ୍ଷେ ଏଇଟା କିଭଳି ସମ୍ଭବ ହେଲା ? ଜାଣିଶୁଣି ସେ ନିଜକୁ ମୃତ୍ୟୁ ମୁଖରେ ଠିଆ କରିବାକୁ ଗଲେ କାହିଁକି ?

 

ଡାକ୍ତର ପରିଜା ଗମ୍ଭୀରତାର ସହିତ ଡାକ୍ତର ଅପୂର୍ବରଞ୍ଜନ ଦାସ ଆଉ ଜଗଦୀଶଚନ୍ଦ୍ରକୁ ତାଙ୍କୁ ଅନୁସରଣ କରିବା ପାଇଁ ନୀରବ ଇଙ୍ଗିତ ଦେଲେ ।

 

ଆଶ୍ଚର୍ଯ୍ୟର ସହିତ ଏ ଦୁହେଁ ତାଙ୍କୁ ଅନୁସରଣ କରି ଡାକ୍ତର ପରିଜାଙ୍କ ଅଫିସ ରୁମ୍‌କୁ ଗଲେ ।

 

ରୋଗୀ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ଥିବା କାନଭାସ୍‌ବାଡ଼ଆଡ଼େ ମୁହଁ ବୁଲାଇ ଡାକ୍ତର ପରିଜା କହିଲେ–ମିଷ୍ଟର ପଣିଗ୍ରାହୀ, ବାହାରକୁ ଆସନ୍ତୁ ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ ଏବଂ ଜଗଦୀଶଚନ୍ଦ୍ର ତାଙ୍କର ଏକଥା ଶୁଣି ଅତିମାତ୍ରାରେ ବିସ୍ମିତ ହୋଇପଡ଼ିଲେ । ସେତିକିବେଳେ ଜୟନ୍ତ ଧୀର ଗତିରେ କାନଭାସ୍‌ବାଡ଼ା ସେପାଖରୁ ବାହାରିଆସିଲା । ବିସ୍ଫାରିତ ଦୃଷ୍ଟିରେ ଡାକ୍ତର ଅପୂର୍ବରଞ୍ଜନ ଦାସ ଆଉ ଜଗଦୀଶଚନ୍ଦ୍ର ତା ଆଡ଼େ ଚାହିଁ ରହିଥାଆନ୍ତି ।

 

ଡାକ୍ତର ପରିଜାଙ୍କ ଆଡ଼େ ଚାହିଁ ଡାକ୍ତର ଅପୂର୍ବରଞ୍ଜନ ଦାସ ଗୁରୁଗମ୍ଭୀର ସ୍ୱରରେ ପଚାରିଲେ—ଡକ୍ଟର ପରିଜା, ତା’ହେଲେ ଆପଣଙ୍କର ପ୍ରଥମ ଘୋଷଣାର ଉଦ୍ଦେଶ୍ୟଟା କଣ ?

 

—ସେକଥା କେବଳ ମିଷ୍ଟର ପାଣିଗ୍ରାହୀ ହିଁ କହିବେ । ଅନେକ ଦିନ ପୂର୍ବରୁ ମୁଁ ମିଷ୍ଟର ପାଣିଗ୍ରାହୀଙ୍କର ଗୁଣମୁଗ୍‌ଧ । ସେ ଯେତେବେଳେ ମତେ କହିଲେ ଯେ କୌଣସି ଗୋଟାଏ ତଦନ୍ତ କରିବାପାଇଁ ଏଠିକି ଆସିଚନ୍ତି, ସେତେବେଳେ ମୁଁ ତାଙ୍କୁ ଯଥାଶକ୍ତି ସାହାଯ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଇସାରିଚି । ସେଥିପାଇଁ ପ୍ରଥମରୁ ମୁଁ ଗୋଟାଏ ଫାଙ୍କା ଘୋଷଣା କରିଥିଲି ଯେ ମିଷ୍ଟର ପାଣିଗ୍ରାହୀଙ୍କ ଜୀବନ ସଂକଟାପନ୍ନ ଏବଂ ସେ ବେହୋସ ଅବସ୍ଥାରେ ପଡ଼ିଚନ୍ତି ।

 

ଜଗଦୀଶଚନ୍ଦ୍ର ପଚାରିଲା—ମିଷ୍ଟର ପାଣିଗ୍ରାହୀ, ୟାର ଅର୍ଥ କଣ ?

 

—ମୁଁ ଯାହା ପ୍ରମାଣିତ କରିବାକୁ ଇଚ୍ଛା କରୁଚି, ତାହାହିଁ ଅର୍ଥ । ଘଟଣାଟା କେତେଦୂର ଗମ୍ଭୀର ସେଇଟା କ’ଣ ଆପଣ ଏ ପର୍ଯ୍ୟନ୍ତ ବି ବିଶ୍ୱାସ କରିପାରିନାହାନ୍ତି ? ଆପଣମାନଙ୍କୁ ଅନୁରୋଧ କରିଥିଲି ଯେ ମୋ ବିଷୟରେ କାହାକୁ କିଛି କହିବେନି । ପରେ ମୁଁ ଭାବିଲି, କାଳେ ମୁଁ ସୁସ୍ଥଥିବା ଖବର ବାହାରେ ପ୍ରକାଶ ପାଇଯିବ । ସେଥିପାଇଁ ଆପଣମାନଙ୍କ ଯିବା ପରେ ମୁଁ ଡକ୍ଟର ପରିଜାଙ୍କୁ ଅନୁରୋଧ କଲି; ମତେ ତାଙ୍କର ଅଫିସର ଶୋଇବାପାଇଁ ଅନୁମତି ଦିଅନ୍ତୁ—ଆଉ ମୋ କ୍ୟାବିନରେ ଏମିତି ଜଣେ ରୋଗୀକୁ ରଖନ୍ତୁ, ଯେକି ଦୁଇ ତିନି ମିନିଟ ମଧ୍ୟରେ ମରିବାକୁ ଯାଉଚି ।

 

—କାହିଁକି, ଆପଣ କ’ଣ ସନ୍ଦେହ କରୁଥିଲେ ଯେ ଆପଣଙ୍କ ଉପରେ ଆକ୍ରମଣ ହେବ-?

 

—ସନ୍ଦେହ ନ ହୋଇ ଥିଲେ ମୁଁ ମୋର କ୍ୟାବିନ ଛାଡ଼ି ଥାଆନ୍ତି କାହିଁକି? ଆପଣମାନେ ଦେଖୁଚନ୍ତି ତ ମୋର ସନ୍ଦେହଟା ଅମୂଳକ ନୁହେଁ, ମୁଁ ଯେଉଁ କ୍ୟାବିନରେ ଥିଲି, ସେଠାରେ ପ୍ରଥମରୁ ରାଇଫଲରୁ ଗୁଳି ଚଳା ଯାଇଚି । ଲକ୍ଷ୍ୟ ଠିକ୍‌ ନ ହେବାରୁ ବିଚରା ମୃତ ବ୍ୟକ୍ତିଟି ଉପରେ ବିଷରଶ୍ମି ପ୍ରୟୋଗ କରାଯାଇଚି...ଠିକ୍‌ ଯେମିତି ଦୀପାଳିର ତିନିଜଣ ସ୍ୱାମୀଙ୍କ ପ୍ରତି ପ୍ରୟୋଗ କରାଯାଇଥିଲା-

 

—ଆପଣ କ’ଣ ମନେକରନ୍ତି ଯେ ରୋଗୀଟୀ ମୃତ୍ୟୁବରଣ କରିବାପରେ ତା’ପ୍ରତି ବିଷରଶ୍ମି ପ୍ରୟୋଗ କରାଯାଇଚି ?

 

ଡାକ୍ତର ଅପୂର୍ବରଞ୍ଜନ ଦାସ ପଚାରିଲେ ?

 

—ହଁ, ଏଥିରେ କୌଣସି ସନ୍ଦେହ ନାହିଁ । ଯାହାହେଉ, ଶତ୍ରୁ ମତେ ଗୋଟାଏ ସୁବର୍ଣ୍ଣ ସୁଯୋଗ ଦେଇଚି ।

 

—ସୁବର୍ଣ୍ଣ ସୁଯୋଗ କ’ଣ ?

 

—ବର୍ତ୍ତମାନ ଆଉ କେହି ସନ୍ଦେହ କହିପାରିବେନି ଯେ ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀ ଜୀବନରେ ରହିଚି । ଯେଉଁ ମୃତଦେହ ମୋର ସେ କ୍ୟାବିନରେ ପଡ଼ି ରହିଚି, ରୋଗରେ ହିଁ ତା’ର ମୃତ୍ୟୁ ହୋଇଥିଲା । ତାକୁ ସଂସ୍କାର କଲାବେଳେ ଘୋଷଣା କରାଯିବ ଯେ ପଣ୍ଡିତ ଜୀବନାନ୍ଦ ଗୋସ୍ୱାମୀଙ୍କର ମୃତଦେହ ସଂସ୍କାର କରାଯାଉଚି ।

 

—ପ୍ରକୃତରେ ମିଷ୍ଟର ପାଣିଗ୍ରାହୀ ଆପଣ ଜଣେ ଖୁବ୍‌ ବିଚକ୍ଷଣ ଲୋକ । ଶତ୍ରୁର ଭୁଲ୍‌ରୁ ଆପଣ ଲାଭ ଉଠେଇ ପାରୁଚନ୍ତି ।

 

ଜୟନ୍ତ ଜଗଦୀଶଚନ୍ଦ୍ର ଆଡ଼େ ଚାହିଁ କହିଲା—ଏଥର ଆପଣଙ୍କର ଶାନ୍ତାଗଡ଼ ଯିବା ପାଇଁ କ୍ଷେତ୍ର ପରିଷ୍କାର ହେଇଗଲା । ହୁଏତ ଆଜି ମୋର କେହି ନା କେହି ସହକାରୀ ଆସି ପହଞ୍ଚିଯିବ । କଚୁଆନ ବେଶରେ ମତେ ବର୍ତ୍ତମାନ କେତେକ ଦିନ କଟେଇବାକୁ ପଡ଼ିବ । ମୋ ସ୍ଥାନରେ ମୋର ସହକାରୀମାନେ ଖୋଲାଖୋଲି ଭାବରେ କାମ କରିଯିବେ । ଆପଣଙ୍କ ମୁଁ ସେମାନଙ୍କ ସଙ୍ଗେ ପରିଚୟ କରେଇଦେବି ।

 

—ସେମାନେ କୋଉଠି ଆପଣଙ୍କ ସଙ୍ଗେ ଦେଖା କରିବେ ?

 

—ସେ ବିଷୟରେ ମୁଁ ସେମାନଙ୍କୁ ଯଥାଯଥ ନିର୍ଦ୍ଦେଶ ଦେଇ ସାରିଚି । କେବଳ ନୂଆ ପରିସ୍ଥିତି ବିଷୟଟା ଜଣେଇଦେବା ପାଇଁ ଡକ୍ଟର ପରିଜାଙ୍କ ଦ୍ୱାରା ଫୋନ୍‌ କରି ଡକେଇ ଆଣିଥିଲି । ବର୍ତ୍ତମାନ ଆପଣମାନେ ଯାଇପାରନ୍ତି । ଶାନ୍ତାଗଡ଼ଠାରେ ପୁଣି ଦେଖା ସାକ୍ଷାତ ହେବ । ଏହା ମଧ୍ୟରେ ଯାଇ କୌଣସି ଜଣେ ଘୋଡ଼ାଗାଡ଼ିର ମାଲିକଙ୍କଠାରୁ ଖଣ୍ଡେ ଗାଡ଼ି ଭଡ଼ାକୁ ଆଣିବି ।

 

ଜଗଦୀଶଚନ୍ଦ୍ର ଆଉ ଡାକ୍ତର ଅପୂର୍ବରଞ୍ଜନ ଦାସ ଜୟନ୍ତ ସଙ୍ଗେ ସାକ୍ଷାତ କରି ଫେରିଆସିଲେ । ଏଥର ଜୟନ୍ତର କୌଣସି କଥାକୁ ଜଗଦୀଶଚନ୍ଦ୍ର ଅବିଶ୍ୱାସ କରିପାରୁ ନ ଥିଲା ।

 

ସକାଳ ସାତଟା ।

 

ନିଶ୍ଚିନ୍ତ ଭାବରେ ଦୀପାଳି ବିଛଣାରେ ଶୋଇଚି ।

 

ହଠାତ୍‌ ହାବୁକାଏ ଜୋର ପବନ ଝରକା ବାଟଦେଇ ଭିତରକୁ ପଶିଆସିଲା । ପବନ ଆଘାତ ବାଜି ଦୀପାଳିର ନିଦଟା ଭାଙ୍ଗିଗଲା । ସେ ଆଖି ଫିଟାଇ ଚାହିଁଲା; କିନ୍ତୁ ପଲକ ଆଉ ଯେମିତି ପଡ଼ିବନି । ବିସ୍ମିତ ହୋଇ ସେ କାନ୍ଥରେ ଲାଗିଥିବା ଆଇରନ୍‌ ଚେଷ୍ଟଟା ଆଡ଼େ ଚାହିଁରହିଲା । ତା’ ଉପରେ ଗୋଟାଏ ଚିତ୍ର ଝୁଲୁଚି । ସେଇଟା ନଜରରେ ପଡ଼ିବାମାତ୍ରେ ଧଡ଼ପଡ଼ ହୋଇ ଉଠିପଡ଼ିଲା । ରାତି ପୋଷାକକୁ ଦୁଇ ହାତରେ ସମ୍ଭାଳି ଚେଷ୍ଟ ପାଖକୁ ଆଗେଇଗଲା । ନିଠେଇ ହୋଇ ଚାହିଁଲା ଛବିଟିକୁ । ଖୁବ୍‌ ଭୟଙ୍କର ଛବିଟିଏ । ଆଦିମ କାଳର କୌଣସି ଦେବାଦେବୀ ହେବ ଅବା । ଭୟରେ ତାର ଦେହମନ ଥରିଉଠିଲା । ଥରଥର ହାତରେ ସେ ଚେଷ୍ଟର ହ୍ୟାଣ୍ଡଲଟା ପରୀକ୍ଷା କରିବାକୁ ଗଲାବେଳକୁ ବାହାରେ ପାଦଶବ୍ଦ ଶୁଣାଗଲା । ସେ ଜାଣିପାରିଲା ଯେ ଚାକରାଣୀ ତା ପାଇଁ ବେଡ୍‌ଟି ନେଇ ଆସୁଚି । ଚେଷ୍ଟ ପାଖରୁ ଘୁଞ୍ଚିଆସି ସେ ବିଛଣାରେ ଶୋଇପଡ଼ିଲା ଚାକରାଣୀ ଆସି କବାଟ ଖଟଖଟ କରିବାକୁ ସେ ଉଠିଆସି ଦ୍ୱାର ଖୋଲିଦେଲା । ସେତେବେଳକୁ ତା’ ଠାରୁ ପୂରା ନିଦ ଛାଡ଼ିଯାଇଥାଏ । ସେ ଭୟଙ୍କର ଚିତ୍ରଟି ଦେଖି ହସିବାରେ ଲାଗିଲା । ଚାକରାଣୀ ଭିତରକୁ ଆସି ଚା’ କପ୍‌ଟା ଛୋଟ ଟେବୁଲ ଉପରେ ଥୋଇଦେଲା । ସେତେବେଳେ ତାର ନଜର ପଡ଼ିଲା ଚଉକି ଉପରେ । ତା ଉପରେ କେତେକ ପାଲଟା ଲୁଗା ପଡ଼ିରହିଚି । ସେଗୁଡ଼ାକ ଉପରେ ଭଲଭାବରେ ଥରେ ଦୃଷ୍ଟି ବୁଲାଇଆଣି ଚାକରାଣୀଟି ଦୀପାଳି ପିନ୍ଧିଥିବା ପୋଷାକ ଆଡ଼େ ଚାହିଁଲା ।

ପଚାରିଲା,—ଏ କ’ଣ, ଦେଈ..... ? ତମେ କ’ଣ ରାତିରେ ବାହାରକୁ କୁଆଡ଼େ ଯାଇଥିଲ ?

ବିସ୍ମିତ ହୋଇ ଦୀପାଳି କହିଲା—ମୁଁ ରାତିରେ ବାହାରକୁ ଯାଇଥିଲି ? ...ତୁ କ’ଣ କହୁଚୁ-?

—ବୟସ ବଳେଇପଡ଼ିଲାଣି, ଦେଈ ! କାଲି ରାତିରେ ତମ ପାଇଁ ଯେତେବେଳେ ଦୁଧ ନେଇ ଆସିଥିଲି, ସେତେବେଳେ ଚଉକି ଉପରେ ପଡ଼ିଥିବା ଲୁଗାପଟା ପିନ୍ଧଥିବାର ଦେଖିଥିଲି । ସେସବୁ ରାତିବେଳେ ବାହାରକୁ ବାହାରିଲ ତମେ ପିନ୍ଧି କି ନା ! ଏଇନେ ଦେଖୁଚି ଦୋସରା ଲୁଗାପଟା ଦେହରେ ରହିଚି ।

—ମୁଁ ରାତିରେ ବାହାରକୁ କୁଆଡ଼େ ଯାଏନି । ଏଗୁଡ଼ାକ ବୋଧହୁଏ ତୋର ଆଖିର ଦୋଷ !

—ହେଇଥିବ ଦେଈ !

କହିଦେଇ ଚାକରାଣୀ ସେ ଘରୁ ବାହାର ଚାଲିଗଲା । ଦୀପାଳି କପ୍‌ଟା ଉଠାଇ ଚା’ପିଇବାରେ ଲାଗିଲା । କିଛି ସମୟ ପରେ ତା ବଖରାର ବାହାର ବାରନ୍ଦା ଉପରେ ଭାରୀ ପାଦର ଶବ୍ଦ ଶୁଣାଗଲା । ଅଳ୍ପ ସମୟପରେ ଡାକ୍ତର ଅପୂର୍ବରଞ୍ଜନ ଦାସ ଭିତରକୁ ଆସି କହିଲେ–ମୁଁ ତୁମର ଦ୍ୱାରଟା ଖୋଲା ଥିବାର ଦେଖି ଏଆଡ଼େ ଟିକିଏ ଚାଲିଆସିଲି ।

ଦୀପାଳି ଏତେ ସକାଳୁ ଡାକ୍ତର ଅପୂର୍ବରଞ୍ଜନ ଦାସଙ୍କୁ ପୋଷାକ ପତ୍ର ପିନ୍ଧା ଅବସ୍ଥାରେ ଦେଖି ପଚାରିଲା—ଆପଣ ଏତେ ସକାଳୁ କୁଆଡ଼େ ଯାଇଥିଲେ ?

—ମୁଁ ଟିକିଏ ଡାକ୍ତରଖାନାକୁ ଯାଇଥିଲି ।

—କାହିଁକି, ଏତେ ସକାଳୁ କ’ଣ ଦରକାର ପଡ଼ିଲା ? ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀଙ୍କ ଅବସ୍ଥା କିପରି ଅଛି ?

—ବଡ଼ ଦୁଃଖର କଥା, ଯେ ସେ ଆଜି ମରିଗଲେ ।

—ମରିଗଲେ ?

ଦୀପାଳି ଯେମିତି ଚିତ୍କାର କରିଉଠିଲା ।

—ତାଙ୍କର ମୃତ୍ୟୁଟା ସ୍ୱାଭାବିକ ଭାବରେ ହେଇନି । ପ୍ରଥମେ ତାଙ୍କ ପ୍ରତି ଗୁଳି ଚଳାଯାଇଚି, ତା’ପରେ ତାଙ୍କ ଦେହରେ ବିଷ ଚରିଯାଇଥିବାର ଲକ୍ଷଣ ଦେଖାଯାଇଚି; କିନ୍ତୁ ଡାକ୍ତରମାନେ ମତ ଦେଉଚନ୍ତି ଯେ ପଣ୍ଡିତ ଜୀବନାନନ୍ଦ ଗୋସ୍ୱାମୀ ଆତ୍ମହତ୍ୟା କରିଚନ୍ତି ।

 

—ତାଙ୍କର ସେ କ୍ଷତିଟା କ’ଣ ଏତେ ଯନ୍ତ୍ରଣାଦାୟକ ହେଲା ଯେ ସହି ନ ପାରି ଆତ୍ମହତ୍ୟା କରିଦେଲେ ? ଆପଣ ବିଶ୍ୱାସ କରନ୍ତୁ ଡକ୍ଟର ଦାସ ! ମୁଁ କେବେ ହେଲେ ଜାଣିଶୁଣି ତାଙ୍କୁ ଗୁଳି ଚଳେଇ ନ ଥିଲି ।

—ତୁମର ଏକଥା ଭାବିବା ଉଚିତ ନୁହେଁ । ଏଥିରେ ତୁମର ଯେ ତିଳେ ହେଲେ ଦୋଷ ନାହିଁ, ସମସ୍ତେ ଏକଥା ଜାଣନ୍ତି ।

—ଅଶେଷ ଧନ୍ୟବାଦ ଡକ୍‌ଟର ଦାସ...!

—ଆଚ୍ଛା, ମୁ ବର୍ତ୍ତମାନ ଯାଉଚି । ଖବରଟା ପାଇ ହଠାତ୍‌ ବାହାରିପଡ଼ିଥିଲି । ଏ ପର୍ଯ୍ୟନ୍ତ ନିତ୍ୟକର୍ମ ଶେଷ କରିନି ।

ଡାକ୍ତର ଅପୂର୍ବରଞ୍ଜନ ଦାସ ଚାଲିଗଲେ ।

ଦୀପାଳି ଚା’ ପିଇ ମୁହଁହାତ ଧୋଇବାପାଇଁ ଗାଧୁଆ ଘର ଭିତରକୁ ଚାଲିଗଲା । ଦଶ ମିନିଟ ପରେ ସେ ଯେତେବେଳେ ଗାଧୁଆ ଘର ଭିତର ବାହାରିଆସେ, ସେତେବେଳେ ଥକ୍‌କା ହୋଇ ଠିଆ ହୋଇପଡ଼ିଲା । ଆଇରନ୍‌ଚେଷ୍ଟ ଉପରେ ଲାଗିଥିବା ଛବିଖଣ୍ଡକ ତଳେ ପଡ଼ିଚି, ଆଉ ରୁବି ହ୍ୟାଣ୍ଡଲଟାକୁ ଘୁରାଇ ଚେଷ୍ଟଟାକୁ ଫିଟାଇବାର ଚେଷ୍ଟା କରୁଚି ।

ପାଦଶବ୍ଦ ଶୁଣି ରୁବି ମୁହଁ ବୁଲାଇ ଚାହିଁଲା । ଦୀପାଳିକୁ ଦେଖି ସେ କହିଲା—ଏ ଚେଷ୍ଟ ଭିତରେ କ’ଣ ଅଛି, ମୁଁ ଦେଖିବାକୁ ଇଚ୍ଛା କରୁଚି । ତୁ ଯଦି ମତେ ବାଧା ଦେବାର ଚେଷ୍ଟା କରୁ ତା’ ହେଲେ ତୋ ଗାଲ ଫଟାଇଦେବି ।

ଦୀପାଳି ତୁଣ୍ଡରୁ କୌଣସି କଥା ବାହାରିଲାନି ।

ଏଣେ ଦୁଇଟି ଝିଅ ମୁହାଁମୁହିଁ ଠିଆ ହୋଇଚନ୍ତି, ତେଣେ ରେଳଷ୍ଟେସନରେ ତିନୋଟି ଘୋଡ଼ାଗାଡି ଯାତ୍ରୀମାନଙ୍କ ଅପେକ୍ଷାରେ ଠିଆ ହୋଇ ରହିଚି । ଗାଡ଼ି ଆସିବାକୁ ଅଳ୍ପ ସମୟ ବାକି ଥାଏ । ଘୋଡ଼ା ଗାଡ଼ିଚାଳକମାନେ ମନେକରୁଥିଲେ, ଆଜି ଅନେକ ଯାତ୍ରୀ ଓହ୍ଲାଇବେ । ସେମାନଙ୍କ ଆଶା ଅନୁସାରେ ଯାତ୍ରୀ ଅବଶ୍ୟ ଓହ୍ଲାଇଲେ; କିନ୍ତୁ ତା ମଧ୍ୟରେ ଘୋଡ଼ାଗାଡ଼ି ଖୋଜିଲା ଭଳି ମାତ୍ର ଚାରିଜଣ ମଣିଷ ଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ମହିଳା ଏବଂ ଜଣେ ପୁରୁଷ । ପୁରୁଷଲୋକଟି ଜଣେ ଧନଶାଳୀ ମୁସଲମାନ ଭଳି ଜଣାପଡ଼ୁଚି । ଗୋଡ଼ରେ ଧଳା ମୋଜା ଉପରେ କାବୁଲି ସ୍ୟାଣ୍ଡାଲ୍‌, ସିଲ୍‌କ ଚେକ୍‌ଲୁଙ୍ଗି ଉପରେ ଚମ୍ପାରଙ୍ଗର ଢିଲା ପଞ୍ଜାବି । ମୁଣ୍ଡରେ ମଖମଲ ଟୋପି, ଆଖିରେ ସୁନା ଫ୍ରେମ୍‌ବନ୍ଧା ସବୁଜ ରଙ୍ଗର ଚଶମା । ମହିଳାଗୁଡ଼ିକ ବୋଧହୁଏ ଅବିବାହିତା ମୁସଲମାନ କନ୍ୟା । ବେଶପୋଷାକରୁ ଅନୁମାନ କରାଯାଏ, ଧନାଢ୍ୟ ପରିବାରର ଝିଅ ହେବେ । ରୂପ ସେମାନଙ୍କର ଖୁବ୍‌ ଆକର୍ଷଣୀୟ । ସମସ୍ତଙ୍କ ଦେହରେ ଖେଳୁଚି ଯୌବନର ଉଦ୍ଦାମ ତରଙ୍ଗ । ଚାଲିଲେ ଛନ୍ଦ ସୃଷ୍ଟି ହେଉଚି; କିନ୍ତୁ ମୁହଁରେ ନିର୍ଭୟତାର ଛାପ ।

ଖଣ୍ଡେ ଘୋଡ଼ାଗାଡ଼ି ଉଦ୍ଦେଶ୍ୟରେ ସେମାନେ ଆଗେଇ ଆସୁଥାନ୍ତି । ସେତିକିବେଳେ ଗୋଟାଏ ପ୍ରକାଣ୍ଡକାୟ କୁକୁର ପ୍ଲାଟଫର୍ମ ଭିତରୁ ବାହାରି ଆସି ଖୁବ୍‌ ଜୋରରେ ଭୁକିବାକୁ ଲାଗିଲା-। ତା’ପରେ ମଝିରେ ଠିଆ ହୋଇଥିବା ଘୋଡ଼ାଗାଡ଼ି ପାଖକୁ ଛପଟି ଆସି ତା’ର ଚାଳକ ହାତକୁ ଚାଟିବାରେ ଲାଗିଲା ।

 

—ସାବାସ୍‌ ବୋନାପାଟି ! ଯାହାହେଉ, ଏତେଗୁଡ଼ାଏ ଲୋକଙ୍କ ମଧ୍ୟରୁ ତୁ ମତେ ଠିକ ଚିହ୍ନିପାରିଲୁ ।

 

କହିଦେଇ ଗାଡ଼ିର ଚାଳକ ଧୀରେ ଧୀରେ କୁକୁରଟିର ମୁଣ୍ଡ ଥାପୁଡ଼େଇବାରେ ଲାଗିଲା-

 

ମୁସଲମାନେ ଭଦ୍ରଲୋକ ଜଣକ ଆଉ ତାଙ୍କ ସଙ୍ଗେ ଥିବା ତିନୋଟିଯାକ ଝିଅ, ସେଇ ପ୍ରକାଣ୍ଡକାୟ କୁକୁରଟାକୁ ଅନୁସରଣ କରି ମଝିରେ ଥୁଆ ହୋଇଥିବା ଘୋଡାଗାଡ଼ିଟି ପାଖରେ ଯାଇ ଠିଆ ହେଲେ ।

 

ଗାଡ଼ିର ଚାଳକ ଏମାନଙ୍କୁ ଦେଖି କହିଲା—ଦେଖୁଚି, ବୋନାପାର୍ଟଠାରୁ ତମେମାନେ ନିହାତି ହୋଇ ପଡ଼ିଲଣି ।

 

ଅପେକ୍ଷାକୃତ ସୁଦୃଶ୍ୟ ଝିଅଟି ଟିକିଏ ଆଗେଇ ଆସି କହିଲା—ଓ ତେବେ ମହାଶୟ ଏଠାରେ ବିଜେ କରିଚନ୍ତି ! ....କିନ୍ତୁ କଥା ଥିଲା, ଦମୟନ୍ତୀ ନଗର ମେନ୍‌ ପାଣିଟାଙ୍କି ପାଖରେ ସାକ୍ଷାତ ମିଳିବ ।

 

ଆଉ ଗୋଟିଏ ଝିଅ କହିଲା—କ’ଣ ଏମିତି ଗୋଟାଏ ଧନ୍ଦା ଧରିବାକୁ ଘରଦ୍ୱାର ଛାଡ଼ି ଏତେଦୂର ପଳେଇଆସିଚ ।

 

—କ’ଣ ଆଉ କରନ୍ତି ? ତୁମମାନଙ୍କ ଭଳି ଫେସନ୍‌ବାଲୀ ଅଣ୍ଟା ମୋର ଥିଲେ ସିନା ଫେସନ୍‌ମାର୍କା ଧନ୍ଦା କିଛି ଯୋଗାଡ଼ କରିଥାଆନ୍ତି । ଯେମିତି ଶିକ୍ଷା–ବୁଦ୍ଧି, ସେମିତି ଧନ୍ଦା ମିଳିଚି । କୌଣସି ପ୍ରକାରେ ପେଟ ପାଇଁ କିଛିଟା ଯୋଗାଡ଼ କରିପାରିଲେ ଯଥେଷ୍ଟ । ଏଇତ ତୁମମାନଙ୍କ ଭଳି ଯଦି ଚିହ୍ନା ପରିଚୟ ଦଳ ଗୋଟାଏ ଦୁଇଟା ଜୁଟିଗଲେ, ତା’ହେଲେ କେତେଟା ଦଫା ମୋଫତ୍‌ ଗଲା ।

 

ଏକଥା ଶୁଣି ସମସ୍ତେ ହସିପକେଇଲେ ।

 

ଅନ୍ୟ ଘୋଡ଼ାଗାଡ଼ିର ଚାଳକମାନେ ବିସ୍ମିତ ହୋଇଯାଇଥାଆନ୍ତି । ମୁସଲମାନ ଭଦ୍ରଲୋକ ଜଣକ ସେ ଗାଡ଼ିବାଲାଟାକୁ ଚିହ୍ନିଲା କେମିତି ? ତା’ଛଡ଼ା ସେମାନେ ବେଶି ବିସ୍ମିତ ହେଉଥିଲେ ଯେ, ସାଙ୍ଗରେ ଆସିଥିବା କୁକୁରଟା ବି ସେ ଘୋଡ଼ାଗାଡ଼ିର ଚାଳକକୁ ଭଲ ଭାବରେ ଚିହ୍ନିଚି ।

 

କୁଲିମାନେ ପ୍ଲାଟଫର୍ମ ଭିତରୁ ଆଗନ୍ତୁକମାନଙ୍କର ଜିନିଷପତ୍ର ଧରି ସେଠାରେ ପହଞ୍ଚିଗଲେ । ଗାଡ଼ିର ଚାଳକ ସେଗୁଡ଼ିକ ନେଇ ରଖିଦେଲା । ଝିଅମାନେ ଅନେକ ଆଗରୁ ଯାଇ ଗାଡ଼ି ଭିତରେ ବସି ସାରିଥାଆନ୍ତି । ମୁସଲମାନ ଭଦ୍ରଲୋକ ଜଣକ କେମିତି ଟିକିଏ ଲଜ୍ଜା ବୋଧ କଲା ପରି ମନେ ହେଉଥାଏ ।

 

ଚାଳକ ତାର ଆସନକୁ ଯାଇ ଲଗାମ ସଜାଡ଼, ସଜାଡ଼ୁ କହିଲେ–ବେକାର କ୍ୟୁ ସରମାତେ, ମୁନ୍‌ସିଜୀ ! ବେଠ୍‌ ଯାଇୟେ !

 

ମୁସଲମାନେ ଭଦ୍ରଲୋକ ଜଣକ ଭିତରକୁ ଉଠିଯିବା ମାତ୍ରେ ଗାଡ଼ିଟା ବୁଲି ଦମୟନ୍ତୀ ନଗର ଆଡ଼େ ଆଗେଇଗଲା ।

 

କିଛି ଦୂର ଆଗେଇଯିବା ପରେ ମୁସଲମାନେ ଭଦ୍ରଲୋକ ଗାଡ଼ିରୁ ଓହ୍ଲାଇ ଗାଡ଼ିବାଲାର ଆସନରେ ଯାଇ ବସିଲେ, ଆଉ ଚାଳକ ଓହ୍ଲାଇଆସି ଝିଅମାନଙ୍କ ପାଖରେ ବସିଲା ।

 

—ମୋର ବିଶ୍ୱାସ ଥିଲା ସୁଧୀର ଏକା ଆସି ଏଠାରେ ପହଞ୍ଚିବ; କିନ୍ତୁ ତମେ ସମସ୍ତେ ଚାଲିଆସିଚ !

 

—ନୂଆ ଜାଗାରେ କେମିତି ଧନ୍ଦାର ଗତି ଧରିଚି, ସେଇ କଥା ଦେଖିବାର ପ୍ରବଳ ଆଗ୍ରହ ଦେଖାଦେବାରୁ ଚାଲିଆସିଲୁଁ ।

 

—ଶୁଣ ! ତମେମାନେ ଏଠାରେ କୌଣସି ହୋଟେଲରେ ରହିପାରିବନି । ଏମିତି ଜାକଜମକ ପୋଷାକର ବି ଦରକାର ନାହିଁ । ହୁଏତ ସମସ୍ତେ ଧରା ପଡ଼ିଯାଇପାର । ତମେମାନେ ଯେ ମୋର ପରିଚିତ ସେଇଟା ଜଣା ପଡ଼ିଯାଇପାରେ । କୌଣସି ଚଟିଘରେ ରହିବାଟା ଭଲ ହେବ ଏବଂ ଯେତେବେଳେ ଇଚ୍ଛା ସେତେବେଳେ ଦେଖାସାକ୍ଷାତ ହୋଇପାରେ । ମୁଁ ମଧ୍ୟ ଆଜିଠାରୁ ଚଟିଘରେ ରହିବି ।

 

ଏ ଗାଡ଼ିଚାଲକ ଯେ ବିଖ୍ୟାତ ରହସ୍ୟାନ୍ୱେଷୀ ଜୟନ୍ତକୁମାର ପାଣିଗ୍ରାହୀ ସେକଥା ସହଜରେ ଅନୁମାନ କରିହୁଏନି । ସେ ତା’ର ସହକାରୀବୃନ୍ଦଙ୍କୁ ଦମୟନ୍ତୀ ନଗରର ସବୁକଥା ଶୁଣେଇଲା । ସେ ଯେ ଆଜି ଶାନ୍ତାଗଡ଼ ଯିବ, ସେକଥା ମଧ୍ୟ ଜଣେଇଦେଲା ।

 

ଜୟନ୍ତ ସେମାନଙ୍କୁ ନେଇ ଦମୟନ୍ତୀ ନଗରର ଗୋଟାଏ ଚଟିଘରେ ପହଞ୍ଚିଲା । ସେଠାରେ ପହଞ୍ଚି ମୁସଲମାନ ବେଶଧାର ତାର ସହକାରୀ ସୁଧୀରକୁ କହିଲା,—ଜିନିଷପତ୍ର ରଖିଦେଇ ତୁ ସିଧା ଡାକଘରକୁ ଚାଲିଯା, ଗୋଟାଏ ଏକ୍‌ସ୍‌ପ୍ରେସ୍‌ ଟ୍ରଙ୍କ କଲ୍‌ ବୁକ୍‌ କରିବୁ । ପି. ପି. ରେ ସଦାଶିବ ଗୌନ୍ତିଆ ରଖିବୁ । ସଂଯୋଗ ସ୍ଥାପନ ମାତ୍ରେ ଜଣେଇବୁ ଶୀଘ୍ର ଯେପରି ଆସି ପହଞ୍ଚନ୍ତି । ଏଠାରେ ତାଙ୍କର ଉପସ୍ଥିତ ରହିବା ଜରୁରୀ ଦରକାର । ଜମିଦାର ନୀଳାଦ୍ରିଭୂଷଣ ବଳଙ୍କ ଘରେ ତାଙ୍କର ରହିବା ବ୍ୟବସ୍ଥା କରାଯାଇଚି ।

 

ସୁଧୀର ଜୟନ୍ତଠାରୁ ଫୋନ୍‌ନମ୍ବର ଆଉ ଠିକଣା ନୋଟ୍‌ କରିନେଲା । ତା’ପରେ ଗାଡ଼ିରୁ ଜିନିଷପତ୍ର ଓହ୍ଲାଇ ନିର୍ଦ୍ଦିଷ୍ଟ କକ୍ଷକୁ ନେଇଗଲା ।

 

ଜୟନ୍ତ ନିଜ ପାଇଁ ସ୍ଥିର କରିଥିବା ବଖରା ଭିତରେ ପ୍ରବେଶ କଲା । ସେ ଏଠାକୁ ତା’ର ଜିନିଷପତ୍ରଗୁଡ଼ିକ ଆଗରୁ ନେଇଆସିଥାଏ ।

 

ଅଳ୍ପ ସମୟ ପରେ ନିଜର ଘୋଡ଼ାଗାଡ଼ି ଖଣ୍ଡକ ଧରି ଜୟନ୍ତ ନୀଳାଦ୍ରିଭୂଷଣ ବଳଙ୍କ କୋଠିଠାରେ ପହଞ୍ଚିଲା । ଗାଡ଼ିରୁ ଓହ୍ଲାଇ ଧୀରେ ଧୀରେ ସେ ଫାଟକ ପାର ହୋଇ ଭିତରେ ପଶିଲା । ବଗିଚାର ଫୁଲ ଗଛ ଗୁଡ଼ିକରେ ମାଳୀ ସେତେବେଳକୁ ପାଣି ଦେଉଥାଏ । ଜୟନ୍ତ ତାକୁ ତାର ସାନବାବୁ ଜଗଦୀଶଚନ୍ଦ୍ରଙ୍କୁ ଟିକିଏ ଡାକି ଦେବାପାଇଁ କହିଲା ।

 

ମାଳୀ ଭିତରକୁ ଚାଲିଗଲା ।

 

ଜଗଦୀଶଚନ୍ଦ୍ର ବାହାରକୁ ଆସିବା ମାତ୍ରେ ଘୋଡ଼ଗାଡ଼ିର ଚାଳକକୁ ଦେଖି ଚିହ୍ନିପାରିଲା ଯେ, ଜୟନ୍ତ ପାଣିଗ୍ରାହୀ ତା’ସଙ୍ଗେ ଦେଖା କରିବାକୁ ଆସିଚି । କାରଣ, ଜୟନ୍ତର କଥା ଅନୁସାରେ ତା’ର ଡୋରିଆ ଫତେଇଟାରେ ଗୋଟାଏ ଧଳାକନାରେ ତିଆରି ପକେଟ ଲଗାଯାଇଚି ।

 

—ଆରେ, ଆସନ୍ତୁ, ଆସନ୍ତୁ, ହଠାତ୍‌ ଏମିତି ସମୟରେ ଯେ ?

 

—ଆପଣଙ୍କ ସଙ୍ଗେ ଟିକିଏ ନିରୋଳାରେ କଥାବାର୍ତ୍ତା ଅଛି ।

 

ଜୟନ୍ତ ଆଗେଇ ଯାଉ ଯାଇ ହସି ହସି ଜଗଦୀଶଚନ୍ଦ୍ରକୁ କହିଲା । ଜଗଦୀଶଚନ୍ଦ୍ର ସମ୍ମାନର ସହିତ ଜୟନ୍ତକୁ ନେଇ ନିଜର ଶୋଇବା କକ୍ଷକୁ ଚାଲିଗଲା । ଜଗଦୀଶଚନ୍ଦ୍ର ଖଟିଆ ଆଗରେ ପଡ଼ିଥିବା ଖଣ୍ଡେ ଚେୟାର ଦଖଲ କରିନେଇ ଜୟନ୍ତ କହିଲା—ମୁଁ ଡାକ୍ତର ଅପୂର୍ବରଞ୍ଜନ ଦାସଙ୍କ ଆଗରେ ଆପଣଙ୍କ ସାଙ୍ଗରେ ଖୋଲା ଖୋଲି କଥାବାର୍ତ୍ତା ହୋଇପାରିଲିନି । କାଲି ରାତିର ଘଟଣା ଉପରେ ମୋର ବିଚାର ଜାରି ରହିବି । ମୁଁ କେମିତି ଟିକିଏ ସନ୍ଦେହ କରୁଚି ଯେ, କାଲି ଡାକ୍ତରଖାନାରେ ମୁଁ ଆପଣଙ୍କ ସହିତ ଯାହାଯାହା ସବୁ କଥାବାର୍ତ୍ତା ହେଇଚି, କେହି ତାକୁ ଶୁଣିଚି କିମ୍ବା କେହି କାହାକୁ ଆସି ସେସବୁ କଥା ଜଣେଇଦେଇଚି ।

 

—ମୁଁ ଆପଣଙ୍କ କଥାର ଗୋଟାଏ ଅକ୍ଷର ବି କାହାକୁ କହିନି !

 

—ଆପଣ ଯେ କହିବେନି, ସେଇଟା ମୁଁ ଭଲଭାବରେ ଜାଣିଥିଲି । ତେବେ, ଡାକ୍ତର ଅପୂର୍ବରଞ୍ଜନ ଦାସ କେମିତି ଲୋକ ସେଇଟା ମୋର ଜାଣିବା ଦରକାର ।

 

—ସେ ଖୁବ୍‌ ସହୃଦୟ ଆଉ ଭଲ ଲୋକ ବୋଲି ମୁଁ ଜାଣେ ।

 

—ମୋର ସନ୍ଦେହ ହେଉଚି ଯେ ଡାକ୍ତର ଅପୂର୍ବରଞ୍ଜନ ଦାସ ବୋଧହୁଏ ମୋ ଅବସ୍ଥା ବିଷୟ କାହାକୁ କହିଦେଇଚନ୍ତି ।

 

—ସେ ତ ଏକଥା ଆପଣଙ୍କ ପାଖରେ ସ୍ୱୀକାର କରିଚନ୍ତି, ଏକମାତ୍ର ମୃତ୍ୟୁଞ୍ଜୟ ନାରାୟଣ ହରିଚନ୍ଦନଙ୍କ ବ୍ୟତୀତ ଅନ୍ୟ କାହାରିକୁ ଏ ବିଷୟରେ ପଦେହେଲେ ବି କାହିନାହାନ୍ତି । କିନ୍ତୁ ଏକଥା ଆପଣ ପଚାରୁଚନ୍ତି କାହିଁକି ?

 

—ସେ ବିଷୟରେ ଯାହା କିଛି ଜାଣିବାର କଥା ପରେ ଜାଣିପାରିବେ ।

 

ତା’ପରେ ପୁଣି କ’ଣ ଟିକିଏ ଭାବି ଜୟନ୍ତ କହିଲା—ଡାକ୍ତର ପରିଜାଙ୍କ ଫୋନ୍‌ ପାଇ ଆଜି ଭୋରରୁ ଆପଣ ଯେତେବେଳେ ଡାକ୍ତରଖାନାକୁ ଗଲେ, ସେତେବେଳେ ବାଟରେ କ’ଣ କୌଣସି ଚିହ୍ନା ପରିଚୟ ଲୋକ ସଙ୍ଗେ ଦେଖା ହୋଇଥିଲା ?

 

—ରୁବି ସାଙ୍ଗରେ ଦେଖା ହୋଇଥିଲା । ସେ ଆମର ଦୂର ସମ୍ପର୍କୀୟା । ଗୋଟାଏ ବିଲ ଭିତର ଦେଇ ସେ ଆସୁଥିଲା । ଲୁଗାପଟା ତାର ଧୂଳି ହୋଇଯାଇଥାଏ ।

 

—ସେ କ’ଣ ପ୍ରତିଦିନ ପ୍ରାତଃ ଭ୍ରମଣ କରିବାକୁ ଯାଆନ୍ତି ?

 

—ମୁଁ ସକାଳୁ ଟିକିଏ ଡେରିରେ ବିଛଣା ଛାଡ଼େ । ପ୍ରତିଦିନ ସେ ପ୍ରାତଃଭ୍ରମଣରେ ଯାଏ କି ନାହିଁ, ସେ ବିଷୟ ମୁଁ କହିପାରିବି ନି ।

 

—ତାଙ୍କର ଲୁଗାପଟା ଧୂଳି ହୋଇଥିଲା କାହିଁକି ?

 

—ସେ କହୁଥିଲା, ଗୋଟାଏ ଟେଳା ଝୁଣ୍ଟି ପଡ଼ିଯାଇଥିଲା ।

 

—ତାଙ୍କ ଛଡ଼ା ଆପଣ ଆଉ କାହାକୁ ବାଟରେ ଦେଖିଥିଲେ ?

 

—ମୃତ୍ୟୁଞ୍ଜୟ ନାରାୟଣ ହରିଚନ୍ଦନ ତାଙ୍କର ବଗିଚା ଭିତରେ ବୁଲୁଥିବାର ଦେଖିଥିଲି ।

 

—ତାଙ୍କୁ ଆପଣ କୌଣସି କଥା କହିନାହାନ୍ତି ତ ?

 

—ନା ।

 

—ଠିକ୍‌ ଅଛି । ଆଜି ରାତିରେ ମୁଁ ପୁଣି ଶାନ୍ତାଗଡ଼ରେ ଦେଖା କରିବି ।

 

ଜୟନ୍ତ ଲେଉଟି ତାର ଘୋଡ଼ାଗାଡ଼ିକୁ ଫେରି ଆସିଲା

 

X X X

 

ରାତି ସାଢ଼େ ନଅଟା ବେଳେ ଜୟନ୍ତ ଶାନ୍ତାଗଡ଼ର ସ୍ୱରୂପ ରେଷ୍ଟୁରାଣ୍ଟଠାରୁ ତାର ଘୋଡ଼ାଗାଡ଼ିରେ ଜଗଦୀଶଚନ୍ଦ୍ର ଆଉ ଦୀପାଳିକୁ ଧରି ଦମୟନ୍ତୀ ନଗର ଫେରିଲା । ଶାନ୍ତାଗଡ଼ଠାରୁ ଦମୟନ୍ତୀ ନଗର ମାତ୍ର ଘଣ୍ଟାକର ବାଟ । ଜୟନ୍ତର ଘୋଡ଼ାଗାଡ଼ି ସାଢ଼େ ଦଶଟା ବେଳକୁ ଦମୟନ୍ତୀ ନଗରରେ ପହଞ୍ଚିଗଲା । ରାୟଭିଲାଠାରେ ଦୀପାଳିକୁ ଓହ୍ଲାଇ ଦିଆଗଲା । ଜୟନ୍ତ ଜଗଦୀଶଚନ୍ଦ୍ରକୁ ତାଙ୍କ କୋଠି ଆଗରେ ଓହ୍ଲାଇ ଦେଇ ନିଜେ ତାର ପଛେ ପଛେ ତା ବଖରାରେ ଆସି ହାଜର ହେଲା ।

 

—କହନ୍ତୁ ତ, ଦିପାଳୀ ସେଠାରେ ଆପଣଙ୍କୁ କ’ଣ ସବୁ କହିଲା ?

 

—ସେ ଏଠାରୁ ଗଲାବେଳେ ମତେ କହିଥିଲା ଯେ କଣ ଗୋଟାଏ କଥା କହିବ ଆଉ କୌଣସି ଗୋଟାଏ ଜିନିଷ ଦେଖାଇବ ।

 

—ସେ କି କଥା ଆପଣଙ୍କୁ କହିଲା ?

 

—କେବଳ ସେ ମତେ ତାର ବ୍ୟକ୍ତିଗତ କଥା କହିଥିଲା । ଏବେ ପ୍ରତିଦିନ ସେ କୁଆଡ଼େ ଭୟଙ୍କର ସ୍ୱପ୍ନମାନ ଦେଖୁଚି । ତା’ର ମନେ ହୁଏ, ପାଗଳୀଙ୍କ ଭଳି ସେ ଯେମିତି କେତେମ ଅଜଣା ରାଜ୍ୟରେ ବୁଲୁଚି । ଏ ଗୁଡ଼ାକ ନିହାତି ମାମୁଲି କଥା ବୋଲି ମୁଁ ଜାଣେ । ତାର କଥା ଶୁଣି ମୁଁ ପ୍ରାୟ ନିରାଶ ହୋଇଗଲି । ଆପଣ ବି ଏଗୁଡ଼ାକୁ ମାମୁଲି କଥା ବୋଲି ନିଶ୍ଚୟ ଭାବିବେ ।

 

—ନା, ଏଗୁଡ଼ାକ ମହତ୍ୱପୂର୍ଣ୍ଣ କଥା ବି ହେଇପାରେ । ଦୀପାଳି ଆପଣଙ୍କୁ ସେ ସ୍ୱପ୍ନ ବିଷୟରେ ଆଉ କିଛି କହିଚି ?

 

—ନା ।

 

—ଆପଣଙ୍କୁ ସେ କି ଜିନିଷ ଦେଖାଇଲା ?

 

—କୌଣସି ଜଣେ ସନ୍ୟାସୀଙ୍କ ପ୍ରଦତ୍ତ ମୁଦି । ଦୀପାଳି କହିଲା ଯେ, ପିଲାଦିନେ ତା’ଠାରେ କୋଉଠି ଗୋଟାଏ ଡାହାଣୀ ଲାଗିଥିଲା । ସେ ଲାଗିବା ପଛରେ କ’ଣ ଉଦ୍ଦେଶ୍ୟ ଥିଲା ସେକଥା ସେ ଜାଣେନି । ତାର ବୋଲି ବି ସେ ବିଷୟରେ ତାକୁ କିଛି କେବେ କହିନି । ଅନେକ ପ୍ରକାରର ଔଷଧ ତାକୁ ଦିଆଯାଇଥିଲା; କିନ୍ତୁ କିଛି ଫଳ ହେଲାନି । ଶେଷରେ ଜଣେ ସନ୍ୟାସୀ ଆସି ତା ବୋଉ ହାତରେ ସେ ମୁଦିଟାକୁ ଦେଇଥିଲେ । ଗୋଟାଏ ଗାଢ଼ କଳାରଙ୍ଗର ପଥର ସେଥିରେ ବସାଯାଇଚି । ସେ ସନ୍ୟାସୀ କହିଥିଲେ ଯେ ଦୀପାଳି ଯେତିକି ବଡ଼ ହେଉଥିବ ସେତିକି ବଡ଼ କରି ଗୋଟାଏ ମୁଦି ଗଢ଼ାଇ ସେଥିରେ ପଥରଟା ବସାଇ ପିନ୍ଧିବ । ସାରା ଜୀବନ ତାର ମୁଦିଟା ପିନ୍ଧିବା ଦରକାର ।

 

—ଏକଥା ସେ ଆପଣଙ୍କୁ କାହିଁକି କହିଲା ?

 

—ଦୀପାଳିର ଇଚ୍ଛା ଯେ ଦୁହିଁଙ୍କ ବିବାହ ପୂର୍ବରୁ ପରସ୍ପରର ପ୍ରତି କଥା ପରିଷ୍କାର ଭାବେ ବ୍ୟକ୍ତ କରିଦେବା ଉଚିତ ।

 

—ହୁଁ...ସେ ଆପଣଙ୍କୁ ତା କକ୍ଷରେ ରାତି କଟେଇବାପାଇଁ କୌଣସି ଆହ୍ୱାନ ଦେଇନି ତ ?

 

—ନା

 

—ଧନ୍ୟବାଦ । ମୁଁ ବର୍ତ୍ତମାନ ଯାଉଚି, କାଲି ଆପଣଙ୍କ ସଙ୍ଗେ ଦେଖା କରିବି ।

 

ଧୀରେ ଧୀରେ ଜୟନ୍ତ କକ୍ଷ ଭିତରୁ ବାହାରି ଆସିଲା ।

 

ଚଟିଘରେ ପହଞ୍ଚି ଜୟନ୍ତ ଦେଖିଲା, ସମସ୍ତେ ତାକୁ ଅପେକ୍ଷା କରି ବସିଚନ୍ତି । ଜୟନ୍ତ ମୁହଁରେ କୌଣସି ଆଗ୍ରହ କିମ୍ବା ବ୍ୟସ୍ତତାର ଛାପ ନ ଥାଏ ।

 

ସହକାରୀ ଝିଅଗୁଡ଼ିଙ୍କୁ ସେ ନମ୍ବର ଦେଇ ଡାକୁଥାଏ ।

 

ତାକୁ ଦେଖିବାମାତ୍ରେ ତିନିନମ୍ବର ଝିଅଟି ପଚାରିଲା—ମିଷ୍ଟର କଚୁଆନ ସାହେବ ! କାଲି ଆମମାନଙ୍କୁ କ’ଣ କରିବାକୁ ହେବ ?

 

—କାଲି ତ ଅନେକ ଡେରି, ମିସ୍‌ ନମ୍ବର ଥ୍ରୀ ! ବର୍ତ୍ତମାନ ଗୋଟାଏ କାମ କରିବାକୁ ହେବ ।

 

—କି କାମ ?

 

—ଏଠି ଗୋଟାଏ ଆଖାଡ଼ା ବସିବ ।

 

ସମସ୍ତେ ହସିବାରେ ଲାଗିଲେ ।

 

ଦୁଇ ନମ୍ବର ଝିଅଟି କହିଲା—ଆଖଡ଼ା ବସିବା କ’ଣ ଗୋଟାଏ କାମ ? ସେ ସବୁ ତ ମନ ଖୁସି କରିବା ପାଇଁ କରାଯାଏ ।

 

ତମେ ଠିକ୍‌ କଥା କହିଚ, ମିସ୍‌ ନମ୍ବର ଟୁ ! ମନଟା ଖୁସି ଥିଲେ କାମରେ ଖୁବ୍‌ ଖଟିହୁଏ-

 

—ଆଗରୁ କିଛି ଠିକ୍‌ ହେଇଚି ନା କ’ଣ ?

 

—କଚୁଆନର ସାଙ୍ଗସାଥୀଙ୍କ ପାଇଁ ଯୋଉଟା ନିହାତି ଯୋଗାଏ ତାର ଆଉ ଠିକ୍‌ ଠିକଣା କ’ଣ ? ଚଟି ଫଟେଇ ନାଚଗୀତରେ ନିଜର ପରିଚୟଟା କେବଳ ଘୋଡ଼ାଇବା କଥା ।

 

—ଓ, କଥାଟା ତା ହେଲେ ଏଇଠି !

 

—ଆମେ ଯୋଉଠି, କଥା ସେଇଠି । ବିନାକଥାରେ ଜୋତା ପାଲିସ ଧନ୍ଦା କେବେ କେହି ଧରିଲାଣି !

 

ତିନି ନମ୍ବର କହିଲା—ଘୋଡ଼ାଚଢ଼ାରୁ ତ ଘାସକଟାଯାଏ ସରିଚି; ନୂଆ ଆଉ କ’ଣ ହେବ ?

 

—ଘୋଡ଼ାଚଢ଼ା ଆଉ ଘାସକଟା ମଝିରେ ଆଉ ଯାହା ଯାହା ରହିଯାଉଚି, ସେଇଗୁଡ଼ାକ, ଯଥା:–ସତୀରାଣୀଠାରୁ ଆରମ୍ଭ କରି ରାସ୍ତାକଡ଼ର ଗଣିକା......

 

ଜୟନ୍ତକୁ ଚାପିଦେବା ଉଦ୍ଦେଶ୍ୟରେ ସମସ୍ତେ ଏକସଙ୍ଗେ କହି ଉଠିଲେ—ତଥା, ପଣ୍ଡିତ ଜ୍ୟୋତିଷ ବିଶାରଦଙ୍କଠାରୁ ଆରମ୍ଭ କରି ଭାଡ଼ୁଆ ଗିରି.......

 

ପକେଟ ଭିତରୁ ଖଣ୍ଡେ ପୋଡ଼ା ବିଡ଼ି କାଢ଼ି ଧରୋଉ ଧରୋଉ ଜୟନ୍ତ କହିଲା—ଏ ଜୀବନର ସେଗୁଡ଼ା ହାୟର ଡିଗ୍ରୀ, ମିସ୍‌ନମ୍ବରୀ ଦଳ ! କଚୁଆନ୍‌ ଜୟନ୍ତ ପାଖେ ହାତୀରୁ ମଶା ସମସ୍ତେ ମହାପରାକ୍ରମୀ । ହଉ, ଏଥର ବିଶ୍ରାମ କର । ଦେଖ, କାଲିକି କ’ଣ ହଉଚି ।

 

ଶୋଇବାପାଇଁ ନିଜ ବଖରାକୁ ଯିବା ଆଗରୁ ଜୟନ୍ତ ସୁଧୀରକୁ କହିଲା—ଟ୍ରଙ୍କ ଫୋନ୍‌ କରି ସଦାଶିବ ଗୌନ୍ତିଆଙ୍କୁ ପାଇଲୁ ?

 

—ହଁ, ମୁଁ ତାଙ୍କୁ ଜଣେଇଦେଇଚି ଯେ ସେ ପ୍ରଥମ ଗାଡ଼ି ଧରି ଏଠାକୁ ଚାଲିଆସନ୍ତୁ ।

 

ଜୟନ୍ତ ଆଉ କିଛି ନ କହି ତାର ଶୋଇବା ବଖରାକୁ ଚାଲିଗଲା ।

 

ପରଦିନ ଜୟନ୍ତ ଦୀବାଳି ସଙ୍ଗେ ଦେଖା କଲା । ସେ ତାର ନିଜ ବଖରାରେ ଥାଏ । ଜୟନ୍ତର ପରିଚୟ ପାଇ ସେ ଆଗ୍ରହର ସହିତ ତାକୁ ନେଇ ଖଣ୍ଡେ ଚେୟାରରେ ବସାଇଲା ।

 

ଖଣ୍ଡେ ସିଗାରେଟ୍‍ ଧରାଇ ଜୟନ୍ତ ପଚାରିଲା—ଦୀପାଳି ଦେବୀ, ଆପଣ କୋଉଯାଏ ପଢ଼ିଚନ୍ତି ?

 

—ମୁଁ ଗ୍ରାଜୁଏଟ । ବି. ଇଡ଼ି. କୋର୍ସ ବି ଶେଷ କରିଚି ।

 

—ତା’ ହେଲେ ଆପଣ ବି.ଏ., ବି. ଇଡ଼ି ?

 

—ହଁ ।

 

—ଆପଣଙ୍କ ପାଖରେ କ’ଣ ହାୟର ସେକେଣ୍ଡାରୀ ସାର୍ଟିଫିକେଟ ଅଛି, ଯେଉଁଥିରେ କି ଜନ୍ମ ତାରିଖ ଲେଖା ହୋଇଥାଏ ?

Unknown

 

—ହଁ, ଅଛି ।

 

—ଆପଣ ସେଇଟା ମତେ ଟିକିଏ ଦେଖାଇବେ ?

 

—ଦେଖାଉଚି ।

 

ଦୀପାଳି ଖଟ ଉପରୁ ଉଠିଯାଇ ଘରକୋଣକୁ ରଖାଯାଇଥିବା ଗୋଟାଏ ଟ୍ରଙ୍କ ଫିଟାଇଲା । କିଛି ସମୟ ପର୍ଯ୍ୟନ୍ତ ଟ୍ରଙ୍କ ଭିତରର କାଗଜପତ୍ର ଘଣ୍ଟାଘଣ୍ଟି କରିବାରେ ଲାଗିଲା । ତା’ପରେ ଖଣ୍ଡ ଏ ସାର୍ଟିଫିକେଟ ବାହାର କରି ଜୟନ୍ତ ହାତକୁ ବଢ଼ାଇଦେଲା । ଜୟନ୍ତ ସେ ଖଣ୍ଡକ ଉପରେ ଆଖି ବୁଲାଇ ଆଣି ଦୀପାଳିକୁ ପୁଣି ଫେରାଇ ଦେଲା । କହିଲା—ଆପଣଙ୍କ ସାର୍ଟିଫିକେଟ କହୁଚି, ଆପଣଙ୍କର ବୟସ ବାଇଶ ପୂରିବାକୁ ଆହୁରି ସାତଦିନ ବାକି ଅଛି । ଆପଣ ଖରାପ ଭାବିବେନି....ଏମିତି ଖାଲି ପଚାରୁଚି—ଆପଣଙ୍କର ବିବାହ କରିବା କେତେ ବର୍ଷ ହୋଇଗଲା ?

 

—ବିବାହ... ? ...ମୋର... ? ଆପଣ କ’ଣ ଭାବି ଏକଥା ମତେ କହୁଚନ୍ତି, ବୁଝିପାରୁନି-। ମୁଁ ଯେ ବିବାହ କରିନି ।

 

—ଆଗରୁ କହିଚି ଖରାପ ଭାବିବେନି । ଛାଡ଼ନ୍ତୁ ସେ ସବୁ କଥା । ଗୋଟାଏ କଥା କହନ୍ତୁ ତ, ଦମୟନ୍ତୀ ନଗର ହେଉ କିମ୍ବା ଅନ୍ୟ କୌଣସି ସ୍ଥାନ ହେଉ, ଏମିତି କୌଣସି ଲୋକ ଅଛି ଯାହାକୁ କି ଆପଣ ଘୃଣା କରନ୍ତି ? ଏମିତି ବି ହେଇପାରେ ଯେ ଆପଣଙ୍କର ବିବାହଟା ଭଣ୍ଡୁର କରିପାଇଁ କାହାକୁ ହତ୍ୟା ବି କରିପାରେ ?

 

—କୌଣସି ଲୋକକୁ ତ ମୁଁ କେବେ ଘୃଣା କରେନି ।

 

—ଧନ୍ୟବାଦ ! ଆପଣଙ୍କୁ ଖୁବ୍‌ ସତର୍କ ଆଉ ସାବଧାନରେ ରହିବାକୁ ପଡ଼ିବ ।

 

ଦୀପାଳି ସଙ୍ଗେ ଦେଖା କରି ଆସିବା ପରେ ଜୟନ୍ତ ପୁଣି ତାର ବେଶ ବଦଳାଇନେଲା-। ଦିପ୍ରହର ଖାଇବା ଶେଷକରି ଜୟନ୍ତ ତାର ଘୋଡ଼ାଗାଡ଼ି ଖଣ୍ଡିକ ଧରି ଜଗଦୀଶଚନ୍ଦ୍ର ସଙ୍ଗେ ଦେଖା କରିବାକୁ ଗଲା ।

 

ଜଗଦୀଶଚନ୍ଦ୍ର ସେତେବେଳକୁ ନିଜ ବଖରାରେ ଥାଏ । ଜୟନ୍ତ ତାକୁ କହିଲା—ଆଜି ମୋର ଜଣେ ଅତିଥି ଆସି ପହଞ୍ଚିବେ । ସେ ଆପଣଙ୍କର ଏଠାରେ ରହିବେ । ତାଙ୍କର ରହିବାପାଇଁ ଆପଣ ଟିକିଏ ବ୍ୟବସ୍ଥା କରିଦେବେ ।

 

—ବ୍ୟସ୍ତ ହେବା ଦରକାର ନାହିଁ, ମୁଁ ସେ ବ୍ୟବସ୍ଥା କରିଦେବି ।

 

—ଧନ୍ୟବାଦ, ମୁଁ ଉପରବେଳା ତାଙ୍କୁ ମୋ ଘୋଡ଼ାଗାଡ଼ିରେ ନେଇ ଆସିବି ।

 

—ମୁଁ ଖୁବ୍‌ ବିସ୍ମିତ ହୋଇଯାଉଚି ଯେ ଆପଣ ଜଣେ ବଡ଼ ବିଚିତ୍ର ଧରଣର ରହସ୍ୟାନ୍ୱେଷୀ । ସବୁ ପ୍ରକାରର ଜୀବନ କଟେଇବା ଆପଣଙ୍କ ପକ୍ଷେହିଁ ସମ୍ଭବ ।

 

—ଆପଣ ଠିକ୍‌ କଥା କହୁଚନ୍ତି । ଏ ସବୁ କାମରେ କେତେବେଳେ ଜୀବନ ଚାଲିଯିବ ତାର କିଛି ଠିକଣା ନାହିଁ ।

 

ସନ୍ଧ୍ୟା ଲାଗିଆସିଲା ବେଳକୁ ଜୟନ୍ତ ମିଷ୍ଟର ଗୌନ୍ତିଆଙ୍କୁ ନେଇ ଜଗଦୀଶଚନ୍ଦ୍ର ପାଖରେ ପହଞ୍ଚିଲା । ସେଠାରେ ତାଙ୍କ ପାଇଁ ଗୋଟାଏ ବଖରା ପ୍ରସ୍ତୁତ ହୋଇ ରହିଥାଏ । ମିଷ୍ଟର ଗୌନ୍ତିଆଙ୍କ ବୟସ ଚାଳିଶ ଟପିଗଲାଣି । ବେଶ୍‌ ସୁସ୍ଥ ସବଳ ବ୍ୟକ୍ତି । ସାଙ୍ଗରେ ସେ ଅନେକ ଜିନିଷ ଧରି ଆସିଥାଆନ୍ତି । ସେ ବୋଧହୁଏ ଭାବିଚନ୍ତି, ଦମୟନ୍ତୀ ନଗରରେ ତାଙ୍କୁ ଅନେକ ଦିନ ଅପେକ୍ଷା କରିବାକୁ ପଡ଼ିବ । ମିଷ୍ଟର ଗୌନ୍ତିଆ ଜୟନ୍ତଠାରୁ ଜାଣିବାକୁ ଇଚ୍ଛା କଲେ ଯେ, ତାଙ୍କୁ ଏଠାକୁ କାହିଁକି ଡକାଇ ଅଣାଯାଇଚି । କିନ୍ତୁ ଜୟନ୍ତ ତାଙ୍କ କଥା ନ ଶୁଣିଲା ଭଳି ହୋଇ କହିଲା—ଆଜି ରାତିଟା ବିଶ୍ରାମ କରନ୍ତୁ । କାହିଁକି ଡକେଇ ଅଣାଯାଇଚି ସେକଥା କାଲି ଜଣେଇ ଦିଆଯିବ ।

 

ସଦାଶିବ ଗୌନ୍ତିଆଙ୍କୁ ଜଗଦୀଶଚନ୍ଦ୍ରଙ୍କ କୋଠିରେ ଛାଡ଼ିଦେଇ ଜୟନ୍ତ ତାର ଚଟିକୁ ଫେରିଆସିଲା । ତାର ସହକାରୀମାନେ ବସି ଲୁଡ଼ୁ ଖେଳୁଥିଲେ ।

 

ତିନିନମ୍ବର ଝିଅ ଦେଖିବା ମାତ୍ରେ କହି ଉଠିଲା—ଏଠାରେ ତ ସମୟ କଟୁନି । କେବଳ ଲୁଡ଼ୁ ଖେଳିବା ଛଡ଼ା ଅନ୍ୟ କୌଣସି କାମ ନାହିଁ ।

 

ଜୟନ୍ତ କହିଲା—କାମ ନାହିଁ କାହିଁକି ! ଆଜି ରାତିରେ ତୁମମାନଙ୍କ ମଧ୍ୟରୁ କିଏ ଅନିଦ୍ରା ହେବାକୁ ରାଜି ଅଛି ?

 

ସମସ୍ତେ ଏକ ସଙ୍ଗେ କହି ଉଠିଲେ—ମୁଁ ।

 

—ସେ କଥା ହେବନି, ଗୁଳା ପକେଇ ଦେଖ ।

 

ତିନି ନମ୍ବର ଝିଅ ଖୁବ୍‌ ଶୀଘ୍ର ଚାରିଖଣ୍ଡି କାଗଜ ଟୁକୁରା ଆଣି ସେଥିରେ କ’ଣ ସବୁ ଲେଖିଲା । ସେଗୁଡ଼ିକ ଗୁଳା ମକଚି ମୁଠା ଭିତିରେ ହଲେଇ ପକେଇଦେଇ କହିଲା—ସମସ୍ତେ ଗୋଟାଏ କାଗଜ ଉଠାଅ । ଯାହା କାଗଜରେ ଛୁରୀ ଚିହ୍ନ ଥିବ ସେଇ ଆଜି ରାତିସାରା ଚାହିଁରହିବ-। ମୁଁ କାଗଜରେ ଛୁରୀ ଚିହ୍ନ ଏଇଥିପାଇଁ ଦେଇଚି ଯେ, ଯିଏ ଆଜି ରାତି ଅନିଦ୍ରା ହେବ ତା ଭାଗ୍ୟରେ ଛୁରୀ ଚାଲିଲା ବୋଲି ଜାଣ ।

 

ସମସ୍ତେ ହସି ହସି ଗୋଟାଏ ଗୋଟାଏ ଗୁଳା ଉଠାଇ ନେଲେ ।

 

ଛୁରୀ ଚିହ୍ନ ଥିବା କାଗଜ ଖଣ୍ଡିକ ଦୁଇ ନମ୍ବର ଝିଅପାଖରୁ ମିଳିଲା । ଖୁସିରେ ସେ କହିଉଠିଲା—ଯାହା ହେଉ ମୋ ଭାଗ୍ୟଟା ଖୁବ୍‌ ଭଲ । ଅନ୍ତତଃ ଚିଟା ଛାଡ଼ିଯିବ ।

 

—ମିସ୍‌ ନମ୍ବର ଟୁ, ତମେ ବୋନାପାର୍ଟକୁ ସାଙ୍ଗରେ ନେଇ ଜମିଦାର ବଳଙ୍କ କୋଠିକୁ ଯିବ । ସେଠାରେ ଗୋଟାଏ ବଖରା ଉପରେ ନଜର ରଖିବା ହେବ ତୁମର କାମ । ମୁ ତୁମକୁ ନେଇ ସେ କୋଠି ପାଖରେ ଛାଡ଼ିଦେବି । କିଭଳି ଭାବରେ ତମେ ସେ ବଖରାଟା ଉପରେ ନଜର ରଖିବ ସେକଥା ମଧ୍ୟ ବଢ଼ାଇଦେବି ।

 

ରାତି ସାଢ଼େ ଏଗାରଟା ବେଳେ ଜୟନ୍ତ ବୋନାପାର୍ଟ ଆଉ ଦୁଇ ନମ୍ବର ଝିଅକୁ ନେଇ ଯଥାସ୍ଥାନରେ ଛାଡ଼ିନେଇ ଆସିଲା ।

 

ଭୋର ସାଢ଼େ ପାଞ୍ଚଟା ହେବ । ହଠାତ୍‌ ବୋନାପାର୍ଟର ଭୁକିବା ଶବ୍ଦ ଶୁଣି ଜୟନ୍ତର : ନିଦ ଭାଙ୍ଗିଗଲା । ନିଜ ନିଜ ବଖରାରେ ଶୋଇଥିବା ସହକାରୀମାନେ ମଧ୍ୟ ଉଠିପଡ଼ିଲେ । ସେମାନେ ସମସ୍ତେ ଜାଣିପାରିଲେ ଯେ, ଦୁଇନମ୍ବର ଝିଅ ତାର କାମ ଶେଷ କରି ଫେରିଚି । ବୋଧହୁଏ କୌଣସି ମହତ୍ୱପୂର୍ଣ୍ଣ ସମ୍ବାଦ ଧରି ଆସିଛି ।

 

ଦୁଇ ନମ୍ବର ଝିଅ ପ୍ରାୟ ଧଇଁସଇଁ ହୋଇ ଜୟନ୍ତ ବଖରାରେ ପହଞ୍ଚିଲା । ତାର ମୁହଟା ପାଉଁଶିଆ ପଡ଼ିଯାଇଥାଏ ।

 

ଜୟନ୍ତ ଖଣ୍ଡେ ସିଗାରେଟ୍‍ ଧରାଇ ପଚାରିଲା—କ’ଣ ହେଲା, ମିସ୍‌ ନମ୍ବର ଟୁ ?

 

ସେମିତି ଧଇଁସଇଁ ହୋଇ ଦୁଇନମ୍ବର ଝିଅଟି କହିଲା—ମିଷ୍ଟର ଗୌନ୍ତିଆ ଆତ୍ମହତ୍ୟା କରିଦେଇଚନ୍ତି ?

 

—ତମେ ଏକଣ କହୁଚ ?

 

ଝିଅଟି ପୁଣି ତା କଥା ଦୋହରାଇ କହିଲା—ମିଷ୍ଟର ଗୌନ୍ତିଆ ଆତ୍ମହତ୍ୟା କରିଦେଇଚନ୍ତି । ତାଙ୍କ ଘରର କବାଟ ଝରକା ସବୁ ଭିତରୁ ବନ୍ଦ ରହିଥିଲା । ଦେଖାଯାଇଚି ଯେ ତାଙ୍କର ଦେହ ନେଳି ପଡ଼ିଯାଇଛି । ଦେହରେ ବିଷ ଚରିଯାଇଥିବାର ପରିଷ୍କାର ଲକ୍ଷଣ ଜଣାପଡ଼ୁଚି-

 

ଜୟନ୍ତ ପଚାରିଲା—ତୁମେ ତ ବାହାରେ ରହି ସେ ବଖରାଟା ଉପରେ ନଜର ରଖିବାର କଥା । ଏସବୁ କଥା ତମେ କେମିତି ଜାଣିପାରିଲ ?

 

—ଘଣ୍ଟାକ ତଳେ ଜମିଦାର ବଳଙ୍କ କୋଠିରେ ପାଟିତୁଣ୍ଡ ଶୁଣାଗଲା । ଅନେକ ଲୋକ ରୁଣ୍ଡ ହୋଇପଡ଼ିଲେ । ମୁଁ ବୋନାପାର୍ଟକୁ ଗୋଟାଏ ବୁଦା ପାଖରେ ଠିଆ କରେଇ ସେମାନଙ୍କ ସାଙ୍ଗରେ ମିଶିଗଲି ।

 

—ମିଷ୍ଟର ଗୌନ୍ତିଆ ଆତ୍ମହତ୍ୟା କରିଚନ୍ତି ବୋଲି ସର୍ବପ୍ରଥମେ ସେଠି କିଏ ଜାଣି ପାରିଲେ ?

 

—ଜମିଦାର ବଳଙ୍କ ଏକମାତ୍ର ପୁଅ ଜଗଦୀଶଚନ୍ଦ୍ର । ସେ ସାଢ଼େ ଚାରିଟାବେଳେ ପରିସ୍ରା କରି ଉଠିଥିଲେ । ହଠାତ୍‌ ତାଙ୍କର ମନେ ପଡ଼ିଲା ଯେ ତାଙ୍କ ଘରେ ଜଣେ ଅତିଥି ରହିଚନ୍ତି; ଏଠାରେ ତାଙ୍କର କୌଣସି ଅସୁବିଧା ହେଉଛି କି ନାହିଁ ସେଇଟା ତାଙ୍କର ଜାଣିବା ଦରକାର । ଜଗଦୀଶଚନ୍ଦ୍ର ଆସି ଅତିଥିଙ୍କ ବିଶ୍ରାମ କକ୍ଷରେ କବାଟ ଖଡ଼-ଖଡ଼ କଲେ । କିନ୍ତୁ ଭିତରୁ କୌଣସି ଉତ୍ତର ମିଳିଲା ନାହିଁ । ସେ ଟିକିଏ ବ୍ୟସ୍ତ ହୋଇପଡ଼ିଲେ । ଜୋରରେ ଦ୍ୱାରଟା ସେ ଖଡ଼୍‌ ଖଡ଼୍‌ କରିବାରେ ଲାଗିଲେ । ତଥାପି କୌଣସି ସ୍ୱରଶବ୍ଦ ଶୁଣାଗଲାନି । ଏକଥା ଦେଖି ତାଙ୍କ ମୁଣ୍ଡ ଖରାପ ହୋଇଗଲା । ସେ ପାଟି କରିବାରେ ଲାଗିଲେ । ଘରର ପ୍ରତ୍ୟେକ ଲୋକ ଉଠି ଘଟଣାସ୍ଥଳକୁ ଧାଇଁ ଆସିଲେ । ପାଖ ପଡ଼ୋଶୀମାନେ ଉଠି ତାଙ୍କ ଘରକୁ ଛପଟିଲେ । ସେ ବଖରାର ଦ୍ୱାରଟା ଭାଙ୍ଗି ଦିଆଗଲା । ଲୋକମାନେ ସେ ବଖରା ଭିତରେ ପଶି ଦେଖିଲେ, ମିଷ୍ଟର ଗୌନ୍ତିଆ ପ୍ରାଣହୀନ ଅବସ୍ଥାରେ ବିଛଣା ଉପରେ ପଡ଼ିଚନ୍ତି ।

 

—ତମେ ତ ରାତିସାରା ସେ ବଖରା ଉପରେ ନଜର ରଖିଥିଲ, କୌଣସି ସନ୍ଦିଗ୍‌ଧ ବ୍ୟକ୍ତିଙ୍କୁ ଆଖପାଖରେ ଦେଖିଚ କି କୌଣସି ଆଶ୍ଚର୍ଯ୍ୟଜନକ କଥା ଦେଖିପାରିଚ ?

 

—ରାତିରେ କେହି ସେ ଆଡ଼େ ଆସି ନ ଥିଲେ ।

 

—ମିଷ୍ଟର ଗୌନ୍ତିଆ ମୋଟେ ଆତ୍ମହତ୍ୟା କରିନାହାନ୍ତି । ତାଙ୍କୁ ହତ୍ୟା କରାଯାଇଛି । ତାଙ୍କୁ ଯେ ହତ୍ୟା କରାଯିବ, ଏଇଟା ମୁଁ ଆଶା କରି ନ ଥିଲି । ଆଶା କରିବା ତ ଦୂରର କଥା, ସନ୍ଦେହ ବି କରି ନଥିଲି । ଓଲଟା ଘଟଣା ଦେଖାଗଲା । ବର୍ତ୍ତମାନଠାରୁ ମତେ କଚୁଆନ ବେଶ ଛାଡ଼ି ଜୟନ୍ତର ବାସ୍ତବ ରୂପରେ ଦେଖା ଦେବାକୁ ପଡ଼ିବ ।

 

X X X

 

କୋଡ଼ିଏ ମିନିଟ ପରେ ଜୟନ୍ତ ଯେତେବେଳେ ଚଟିରୁ ବାହାରିଲା ସେତେବେଳେ ସେ ତାର ନିଜ ରୂପ ଧାରଣ କରିଥାଏ । ସେ ଦ୍ରୁତଗତିରେ ଯାଇ ଜମିଦାର ନୀଳାଦ୍ରିଭୂଷଣ ବଳଙ୍କ କୋଠିରେ ପହଞ୍ଚିଲା । ସେଠାରେ ଅନେକ ଲୋକ ରୁଣ୍ଡ ହୋଇଥାଆନ୍ତି । ଜୟନ୍ତ ସେ କୋଠିରେ ପହଞ୍ଚିଲାବେଳକୁ ମିଷ୍ଟର ବଳ ବ୍ୟସ୍ତତାର ସହିତ ହତା ଭିତରେ ପଦଚାରଣା କରୁଥିଲେ । ପୋଲିସ

 

ଜୟନ୍ତ ଖଣ୍ଡେ ସିଗାରେଟ୍‍ ଧରାଇ ପଚାରିଲା—କ’ଣ ହେଲା, ମିସ୍‌ନମ୍ବର ଟୁ ?

 

ସେମିତି ଧଇଁସଇଁ ହୋଇ ଦୁଇନମ୍ବର ଝିଅଟି କହିଲା—ମିଷ୍ଟର ଗୌନ୍ତିଆ ଆତ୍ମହତ୍ୟା କରିଦେଇଚନ୍ତି ?

 

—ତମେ ଏକଣ କହୁଚ ?

 

ଝିଅଟି ପୁଣି ତା କଥା ଦୋହରାଇ କହିଲା—ମିଷ୍ଟର ଗୌନ୍ତିଆ ଆତ୍ମହତ୍ୟା କରିଦେଇଚନ୍ତି । ତାଙ୍କ ଘରର କବାଟ ଝରକା ସବୁ ଭିତରୁ ବନ୍ଦ ରହିଥିଲା । ଦେଖାଯାଇଚି ଯେ ତାଙ୍କର ଦେହ ନେଳି ପଡ଼ିଯାଇଛି । ଦେହରେ ବିଷ ଚରିଯାଇଥିବାର ପରିଷ୍କାର ଲକ୍ଷଣ ଜଣାପଡ଼ୁଚି-

 

ଜୟନ୍ତ ପଚାରିଲା—ତୁମେ ତ ବାହାରେ ରହି ସେ ବଖରାଟା ଉପରେ ନଜର ରଖିବାର କଥା । ଏସବୁ କଥା ତମେ କେମିତି ଜାଣିପାରିଲ ?

 

—ଘଣ୍ଟାକ ତଳେ ଜମିଦାର ବଳଙ୍କ କୋଠିରେ ପାଟିତୁଣ୍ଡ ଶୁଣାଗଲା । ଅନେକ ଲୋକ ରୁଣ୍ଡ ହୋଇପଡ଼ିଲେ । ମୁଁ ବୋନାପାର୍ଟକୁ ଗୋଟାଏ ବୁଦା ପାଖରେ ଠିଆ କରେଇ ସେମାନଙ୍କ ସାଙ୍ଗରେ ମିଶିଗଲି ।

 

—ମିଷ୍ଟର ଗୌନ୍ତିଆ ଆତ୍ମହତ୍ୟା କରିଚନ୍ତି ବୋଲି ସର୍ବପ୍ରଥମେ ସେଠି କିଏ ଜାଣି ପାରିଲେ ?

 

—ଜମିଦାର ବଳଙ୍କ ଏକମାତ୍ର ପୁଅ ଜଗଦୀଶଚନ୍ଦ୍ର । ସେ ସାଢ଼େ ଚାରିଟା ବେଳେ ପରିସ୍ରା କରି ଉଠିଥିଲେ । ହଠାତ୍‌ ତାଙ୍କର ମନେ ପଡ଼ିଲା ଯେ ତାଙ୍କ ଘରେ ଜଣେ ଅତିଥି ରହିଚନ୍ତି; ଏଠାରେ ତାଙ୍କର କୌଣସି ଅସୁବିଧା ହେଉଛି କି ନାହିଁ ସେଇଟା ତାଙ୍କର ଜାଣିବା ଦରକାର । ଜଗଦୀଶଚନ୍ଦ୍ର ଆସି ଅତିଥିଙ୍କ ବିଶ୍ରାମ କକ୍ଷରେ କବାଟ ଖଡ଼-ଖଡ଼ କଲେ । କିନ୍ତୁ ଭିତରୁ କୌଣସି ଉତ୍ତର ମିଳିଲା ନାହିଁ । ସେ ଟିକିଏ ବ୍ୟସ୍ତ ହୋଇପଡ଼ିଲେ । ଜୋରରେ ଦ୍ୱାରଟା ସେ ଖଡ଼୍‌ଖଡ଼୍‌ କରିବାରେ ଲାଗିଲେ । ତଥାପି କୌଣସି ସ୍ୱରଶବ୍ଦ ଶୁଣାଗଲାନି । ଏକଥା ଦେଖି ତାଙ୍କ ମୁଣ୍ଡ ଖରାପ ହୋଇଗଲା । ସେ ପାଟି କରିବାରେ ଲାଗିଲେ । ଘରର ପ୍ରତ୍ୟେକ ଲୋକ ଉଠି ଘଟଣା ସ୍ଥଳକୁ ଧାଇଁଆସିଲେ । ପାଖ ପଡ଼ୋଶୀମାନେ ଉଠି ତାଙ୍କ ଘରକୁ ଛପଟିଲେ । ସେ ବଖରାର ଦ୍ୱାରଟା ଭାଙ୍ଗି ଦିଆଗଲା । ଲୋକମାନେ ସେ ବଖରା ଭିତରେ ପଶି ଦେଖିଲେ, ମିଷ୍ଟର ଗୌନ୍ତିଆ ପ୍ରାଣହୀନ ଅବସ୍ଥାରେ ବିଛଣା ଉପରେ ପଡ଼ିଚନ୍ତି ।

 

—ତମେ ତ ରାତିସାରା ସେ ବଖରା ଉପରେ ନଜର ରଖିଥିଲ, କୌଣସି ସନ୍ଦିଗ୍‌ଧ ବ୍ୟକ୍ତିଙ୍କୁ ଆଖପାଖରେ ଦେଖିଚ କି କୌଣସି ଆଶ୍ଚର୍ଯ୍ୟଜନକ କଥା ଦେଖିପାରିଚ ?

 

—ରାତିରେ କେହି ସେ ଆଡ଼େ ଆସି ନ ଥିଲେ ।

 

—ମିଷ୍ଟର ଗୌନ୍ତିଆ ମୋଟେ ଆତ୍ମହତ୍ୟା କରିନାହାନ୍ତି । ତାଙ୍କୁ ହତ୍ୟା କରାଯାଇଛି । ତାଙ୍କୁ ଯେ ହତ୍ୟା କରାଯିବ, ଏଇଟା ମୁଁ ଆଶା କରି ନ ଥିଲି । ଆଶା କରିବା ତ ଦୂରର କଥା, ସନ୍ଦେହ ବି କରି ନଥିଲି । ଓଲଟା ଘଟଣା ଦେଖାଗଲା । ବର୍ତ୍ତମାନଠାରୁ ମତେ କଚୁଆନ ବେଶ ଛାଡ଼ି ଜୟନ୍ତର ବାସ୍ତବ ରୂପରେ ଦେଖା ଦେବାକୁ ପଡ଼ିବ ।

 

X X X

 

କୋଡ଼ିଏ ମିନିଟ ପରେ ଜୟନ୍ତ ଯେତେବେଳେ ଚଟିରୁ ବାହାରିଲା ସେତେବେଳେ ସେ ତାର ନିଜ ରୂପ ଧାରଣ କରିଥାଏ । ସେ ଦ୍ରୁତଗତିରେ ଯାଇ ଜମିଦାର ନୀଳାଦ୍ରିଭୂଷଣ ବଳଙ୍କ କୋଠିରେ ପହଞ୍ଚିଲା । ସେଠାରେ ଅନେକ ଲୋକ ରୁଣ୍ଡ ହୋଇଥାଆନ୍ତି । ଜୟନ୍ତ ସେ କୋଠିରେ ପହଞ୍ଚିଲାବେଳକୁ ମିଷ୍ଟର ବଳ ବ୍ୟସ୍ତତାର ସହିତ ହତା ଭିତରେ ପଦଚାରଣା କରୁଥିଲେ । ପୋଲିସ ଘଟଣା ସ୍ଥାନରେ ପହଞ୍ଚି ସାରିଥାଏ । ମିଷ୍ଟର ବଳଙ୍କ ଆଖିରେ ଜୟନ୍ତର ଆଖି ପଡ଼ିଲା । ମୁହୂର୍ତ୍ତକ ପାଇଁ ଦୁହେଁ ଦୁହିଁଙ୍କୁ ଚାହିଁ ରହିଲେ । ମିଷ୍ଟର ବଳଙ୍କ ଆଖିରେ ଆଶ୍ଚର୍ଯ୍ୟ ଧରଣର ବିସ୍ମିତତା ଫୁଟିଉଠିଲା । ପଲକମାତ୍ରେ ମନେହେଲା, ଏଇଟା ଜଣେ ଅପରିଚିତକୁ ଦେଖିବା ଭାବ । ଜୟନ୍ତ ନୀରବରେ କୋଠି ଭିତରକୁ ଚାଲିଗଲା । ମିଷ୍ଟର ବଳ ତା ପଛେ ପଛେ କୋଠି ଭିତରକୁ ଗଲେ ।

 

ଜଗଦୀଶଚନ୍ଦ୍ର ହଠାତ୍‌ ଜୟନ୍ତକୁ ତାର ନିଜ ରୂପରେ ଦେଖି ଟିକିଏ ବିସ୍ମିତ ହୋଇଗଲା । ସେ ସମସ୍ତଙ୍କ ସହିତ ଜୟନ୍ତର ପରିଚୟ କରେଇଦେଲା । ପୋଲିସ ଅଫିସର ତା ଆଡ଼େ ଏକ ଦୃଷ୍ଟିରେ ଚାହିଁରହି ଥାଆନ୍ତି । ସେ ଅନେକ ଆଗରୁ ଜୟନ୍ତର ସୁଖ୍ୟାତି ସମ୍ବାଦ ପାଇସାରିଥିଲେ । ମିଷ୍ଟର ବଳ ଯେମିତି ଆନନ୍ଦ ସମ୍ଭାଳି ପାରୁ ନ ଥିଲେ ।

 

ଜୟନ୍ତ ପଚାରିଲା—ମୁଁ କ’ଣ ମିଷ୍ଟର ଗୌନ୍ତିଆଙ୍କର ମୃତ ଦେହଟା ଦେଖିପାରିବି ?

 

—ନିଶ୍ଚୟ, ନିଶ୍ଚୟ !

 

ସ୍ଥାନୀୟ ପୋଲିସ ଅଫିସର ଜୟନ୍ତକୁ ମିଷ୍ଟର ଗୌନ୍ତିଆଙ୍କ ମୃତ ଦେହ ପଡ଼ିଥିବା ବଖରାକୁ ନେଇଗଲେ । ନୀଳ ପଡ଼ିଆସିଥିବ ନିର୍ଜୀବ ଦେହଟାକୁ ଜୟନ୍ତ ଦେଖିନେଇ ଇସାରାରେ ମିଷ୍ଟର ବଳଙ୍କୁ ପାଖକୁ ଡାକିଲା ।

 

ମିଷ୍ଟର ବଳ ପାଖକୁ ଆସିବାରୁ ସେ କହିଲା—ଆପଣ ଟିକିଏ ଭଲଭାବେ ମୃତ ଦେହଟାକୁ ଦେଖନ୍ତୁ, ଆଗରୁ ଆପଣ କେବେ ଏ ଲୋକକୁ ଦେଖିଥିଲେ ?

 

—ନା, ମୁଁ କେବଳ ଏତିକି ଶୁଣିବାକୁ ପାଇଥିଲି ଯେ ସେ କୌଣସି ମିଷ୍ଟର ଗୌନ୍ତିଆ । ଆପଣ କ’ଣ ତାଙ୍କର ପୂରା ନାମ ଜାଣନ୍ତି ?

 

—ହଁ, ତାଙ୍କର ନାମ ସଦାଶିବ ଗୌନ୍ତିଆ । ପ୍ରସାଦପୁରର ଜଣାଶୁଣା ପଞ୍ଚାୟତ ଚେୟାରମ୍ୟାନ । ସେଠିକାର ବିଶିଷ୍ଟ ସିମେଣ୍ଟ ବ୍ୟବସାୟୀ ଭାବରେ ପରିଚିତ ।

 

—ନା ଆଜ୍ଞା, ଏ ସଦାଶିବ ଗୌନ୍ତିଆ ନୁହନ୍ତି । ସେ ତ ମୋର ଜଣେ ଅନ୍ତରଙ୍ଗ ସାଥୀ । ଏ ଅନ୍ୟ କୌଣସି ଗୌନ୍ତିଆ ହେବେ । ମୋର ସେ ସାଙ୍ଗ ସଦାଶିବ ଗୌନ୍ତିଆ ତାଙ୍କ ପରିବାର ସହିତ କଲିକତାରେ ଅଛନ୍ତି । ଛଅମାସ ହେଲା ତାଙ୍କ ବଡ଼ ପୁଅର ଚିକିତ୍ସା ସେଠାରେ ଚାଲିଛି । କିଏ ଏ ଅଜଣା ଗୌନ୍ତିଆଙ୍କୁ ଆତ୍ମହତ୍ୟା କରିବା ପାଇଁ ଏଠିକି ପଠେଇ ଦେଲା କେଜାଣି ।

 

—ଏ ଗୌନ୍ତିଆ ମହାଶୟଙ୍କୁ ମୁଁ ପଠେଇଥିଲି । ମୁଁ ଭଲ ଭାବରେ ଜାଣିଥିଲି ଯେ ଏ ବିଶିଷ୍ଟ ସିମେଣ୍ଟ ବ୍ୟବସାୟୀ ଗୌନ୍ତିଆ ନୁହନ୍ତି ।

 

—ଆପଣ ଯଦି ଏ ମହାଶୟଙ୍କ ସ୍ୱରୂପ ଜାଣିଥିଲେ, ତେବେ ତାଙ୍କୁ ଗୌନ୍ତିଆ ନାମରେ ଏଠକି କାହିଁକି ପଠେଇଥିଲେ ?

 

ସେଥିରେ ମୋର ଗୋଟାଏ ଉଦ୍ଦେଶ୍ୟ ଥିଲା । ସେ ଉଦ୍ଦେଶ୍ୟଟା କଣ, ମୁଁ ଆପଣଙ୍କୁ କହୁଚି । ଆଜିକି କୋଡ଼ିଏ ଦିନ ତଳେ ଏ ମହାଶୟ ମୋ ପାଖକୁ ଯାଇଥିଲେ ଏବଂ ନିଜକୁ ସିମେଣ୍ଟ ବ୍ୟବସାୟୀ ସଦାଶିବ ଗୌନ୍ତିଆ ବୋଲି ପରିଚୟ ଦେଇଥିଲେ । ଗୋଟିଏ ଝିଅକୁ ସେ ଖୋଜୁଥାଆନ୍ତି, ଯେ କି ତାଙ୍କର ଜଣେ ବନ୍ଧୁଙ୍କୁ ହତ୍ୟା କରିଚି । ସେ ଝିଅଟିକୁ ଖୋଜି ହତ୍ୟାକାରୀ ବୋଲି ପ୍ରମାଣ କରିଦେଇପାରିଲେ ଏ ମହାଶୟ ମତେ ପଚିଶ ହହାର ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲେ ଏବଂ ପନ୍ଦର ହଜାର ଟଙ୍କା ଅଗ୍ରିମ ଦେଇସାରିଛନ୍ତି ।

 

—ପନ୍ଦର ହଜାର ଟଙ୍କା ଅଗ୍ରୀମ ଦେଇଥିଲେ ?

 

—ହଁ, ଆଉ ଏ ମହାଶୟ ପ୍ରସ୍ତାବ ଦେଇଥିଲେ ଯେ, ମୁଁ ଯେମିତି ସଦାଶିବ ଗୌନ୍ତିଆଙ୍କ ଘରକୁ କୌଣସି ଦିନ ଫୋନ୍‌ନ କରେ ଏବଂ ଦେଖା କରିବା ପାଇଁ ନ ଯାଏ । ସେ ନିଜେ ଆସି ମୋ ସଙ୍ଗେ ଦେଖା କରିବେ । ମୁଁ ତାଙ୍କ କଥା ମାନିଗଲି; କିନ୍ତୁ ମୁ ରହସ୍ୟାନ୍ୱେଷୀ । ତଦନ୍ତ ଭାରଟା ଗ୍ରହଣ କଲେ ମଧ୍ୟ ଏ ମହାଶୟଙ୍କ ଖୋଜ ଖବର ନେବା ଆରମ୍ଭ କରିଦେଲି । ଜଣାପଡ଼ିଲା ଯେ ସଦାଶିବ ଗୌନ୍ତିଆ କେତେମାସ ହେଲା ବାହାରେ ଯାଇ ରହୁଚନ୍ତି ।

 

—ମୁ ଟିକିଏ ଆଗରୁ ତ ସେଇ କଥା କହୁଥିଲି, ସେ ତାଙ୍କର ବଡ଼ ପୁଅକୁ ଭଲ କରିବାପାଇଁ ପରିବାର ସହ କଲିକତାରେ ରହୁଚନ୍ତି ।

 

ଖୋଜ ଖବର ନେଇ ଜାଣିବା ପରେ ମଧ୍ୟ ମତେ ଏ ନକଲି ଗୌନ୍ତିଆଙ୍କ କଥାକୁ ବିଶ୍ୱାସ କରିବାକୁ ପଡ଼ିଲା ।

 

ପୋଲିସ ଅଫିସର ପଚାରିଲେ—ତାର କାରଣ ?

 

—ଏ ମହାଶୟ ମତେ କହିଥିଲେ ଯେ ମୁଁ ତାଙ୍କୁ ସଦାଶିବ ଗୌନ୍ତିଆଙ୍କ ଘରକୁ ଫୋନ୍ କରି ଖୋଜିବିନି କିମ୍ବା ସେଠାକୁ ଦେଖା କରିବାପାଇଁ ଯିବିନି । ମୁ ଏକଥା ଭାବିଲି ଯେ ବୋଧହୁଏ ଏ ବିଷୟ ତଦନ୍ତ କରିବା ପାଇଁ ଲୁଚିକରି କଲିକତାରୁ ଚାଲି ଆସିଚନ୍ତି, ଲୋକମାନଙ୍କୁ ଦେଖା ଦେବାକୁ ସେଥିପାଇଁ ଇଚ୍ଛା କରୁନାହାନ୍ତି ।

 

ପୋଲିସ ଅଫିସର କହିଲେ—ଏଭଳି ମନେହେବା ସ୍ୱାଭାବିକ ।

 

—ମୁଁ ଏ ଗୌନ୍ତିଆ ମହାଶୟଙ୍କୁ ଅପେକ୍ଷା କରିଥାଏ । ଦୁଇଦିନ ପରେ ଏ ପୁଣି ମୋ ପାଖକୁ ଗଲେ । ଏଠିକାର ଠିକଣା ଦେଇ ମତେ କହିଲେ ଯେ, ପ୍ରସାଦପୁରର ଜଣାଶୁଣା ବ୍ୟକ୍ତି ଜମିଦାର ଭଳି ଲୋକ ମିଷ୍ଟର ନନ୍ଦକିଶୋର ରାୟ ଗୋଟାଏ ଶିଳ୍ପନଗରୀ ସ୍ଥାପନ କରୁଚନ୍ତି । ତାଙ୍କ ଘରେ ଦୀପାଳି ନାମରେ ଗୋଟିଏ ଝିଅ ରହୁଚି । ବୟସ ଛତିଶ ପାଖାପାଖି ହେବ ଏବଂ ସେ କେତୋଟି ହତ୍ୟାକାଣ୍ଡ ଘଟାଇସାରିଚି ।

 

ମୃତବ୍ୟକ୍ତି ଆଡ଼େ ଘୃଣାପୂର୍ଣ୍ଣ ଦୃଷ୍ଟିନିକ୍ଷେପ କରି ଜଗଦୀଶଚନ୍ଦ୍ର କହିଲା—ଏ ଯେଉଁ ଲୋକ ଆତ୍ମହତ୍ୟା କରିଚି, ସେଇ ଆପଣଙ୍କୁ ଏଭଳି କଥା କହିଥିଲା ?

 

—ହ, ଆଉ ମତେ ବି ତା କଥା ବିଶ୍ୱାସ କରିବାକୁ ପଡ଼ିଥିଲା ।

 

—ତାର କାରଣ ?

 

—ଏ ମହାଶୟ ମତେ ତିନୋଟି ବିଚିତ୍ର କାହାଣୀ ଶୁଣେଇଥିଲେ ଯେ, କୌଣସି ଗୋଟାଏ ସ୍ଥିତିରୁ ଦୀପାଳି ଓରଫ ଗିରିବାଳାର ତିନୋଟି ସ୍ୱାମୀ ସାମାନ୍ୟ କେତେବର୍ଷ ବ୍ୟବଧାନରେ ସେମାନଙ୍କ ଘରୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଚନ୍ତି । କବାଟ ଝରକା ବନ୍ଦ ଥାଇ ସେମାନଙ୍କୁ ବାହାରୁ ହତ୍ୟା କରାଯିବା ସମ୍ବାଦ ମୁଁ ଖବରକାଗଜରୁ ପଢ଼ିଥିଲି । ପରେ ଡାକ୍ତର ଅପୂର୍ବରଞ୍ଜନ ଦାସ ସେ ଘଟଣା ଉପରେ ନିଶ୍ଚିତତା ଆଣି ଦେଇଚନ୍ତି ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ କହିଲେ—ଆଜ୍ଞା ହଁ, ମୋର ଭଲ ଭାବରେ ମନେଅଛି, ପ୍ରଫେସର ଅଚ୍ୟୁତାନନ୍ଦ ପଣ୍ଡା, ସମରେନ୍ଦ୍ର ଗୁରୁ ଆଉ ନାରାୟଣ ଚୌଧୁରୀଙ୍କ ହତ୍ୟା ବିଷୟରେ ମୁଁ ଖବର କାଗଜରୁ ଜାଣିବାକୁ ପାଇଥିଲି । ସେ ତିନିଜଣଯାକଙ୍କର ମୃତ ଦେହ ବନ୍ଦ କୋଠରି ଭିତରୁ ମିଳିଥିଲା । ପ୍ରତି ମୃତଦେହରେ ବିଷ ଚରିଯାଇଥିବାର ଲକ୍ଷଣ ସୁସ୍ପଷ୍ଟ । ଖବରକାଗଜରେ ତିନୋଟିଯାକ ମୃତବ୍ୟକ୍ତିଙ୍କ ସ୍ତ୍ରୀଙ୍କର ନାମ ପ୍ରକାଶ ମଧ୍ୟ ପାଇଥିଲା ।

 

—କିନ୍ତୁ ଏ ମହାଶୟ ମତେ ଜଣାଇଥିଲେ ଯେ ସେମାନଙ୍କ ପତ୍ନୀମାନଙ୍କ ନାମ ଗିରିବାଳା ଆଉ ଯଶୋଧାରା ରାଉତ ଥିଲା । ଦୁଇଟାଯାକ ନାମ ଗୋଟିଏ ସ୍ତ୍ରୀଲୋକର । ଘଟଣାଟା ହୃଦୟସ୍ପର୍ଶୀ ଥିଲା । ତେଣୁ ମୁଁ ସେଇଟାକୁ ହାତକୁ ନେବାକୁ ରାଜି ହୋଇଗଲି । ଭିତରୁ ବନ୍ଦ ଥିବା ଅବସ୍ଥାରେ କେମିତି ବିଷ ଦିଆଯାଇ ହତ୍ୟା କରାଯାଇଛି ? ହତ୍ୟାକାରୀର ସନ୍ଧାନ ନ ମିଳିବାର କାରଣ କଣ ହେଇପାରେ ? ଏ ଦୁଇଟା ପ୍ରଶ୍ନ : ମୋ ମନରେ ଆଗ୍ରହ ସୃଷ୍ଟିକଲା । ମୁ ନକଲି ଗୌନ୍ତିଆ ମହାଶୟଙ୍କୁ ଜଣାଇଦେଲି ଯେ ଖୁବ୍‌ ଶୀଘ୍ର ମୁଁ ଦମୟନ୍ତୀ ନଗର ଯାଉଚି । ମୁ ସିଦ୍ଧାନ୍ତ କରି ସାରିଥିଲି ଯେ ଦମୟନ୍ତୀ ନଗର ଆସିବା ପରେ ଗୌନ୍ତିଆଙ୍କ ଚାରିକଡ଼େ ଜାଲ ଘେରାଇବି ।

 

—ଆପଣ ଗୌନ୍ତିଆଙ୍କ ଚାରିକଡ଼େ ଜାଲ ଘେରାଇବା ପାଇଁ ଏଠିକି ଆସିଥିଲେ ?

 

—ହ ।

 

—ସେ କେମିତି କଥା ?

 

—ଆପଣ ଶୁଣନ୍ତୁ । ଗୌନ୍ତିଅଙ୍କ: କଥାରୁ ମୋର ସନ୍ଦେହ ହୋଇଥିଲା ଯେ ପ୍ରଫେସର ଅଚ୍ୟୁତାନନ୍ଦ ପଣ୍ଡା, ସମରେନ୍ଦ୍ର ଗୁରୁ ଆଉ ଡ୍ରଗିଷ୍ଟ ନାରାୟଣ ଚୌଧୁରୀଙ୍କ ହତ୍ୟା ପଛରେ ଗୌନ୍ତିଅଙ୍କ ହାତ ଥାଉ କିମ୍ବା ଅନ୍ୟ କୌଣସି ଲୋକର କଥାରେ ଦୀପାଳିକୁ ହତ୍ୟାକାରୀ ପ୍ରମାଣିତ କରିବାର ଉଦ୍ୟମ କରୁଚନ୍ତି । ଏଭଳି ସନ୍ଦେହ କରିବାର ଗୋଟିଏ କାରଣ ଥିଲା ।

 

—ସେ କାରଣଟା କ’ଣ ?

 

—ଏ ଗୌନ୍ତିଆ ମହାଶୟ କହିଥିଲେ, ମୁଁ ଜଣେ ବିଖ୍ୟାତ ଜ୍ୟୋତିଷ ହୋଇ ଦମୟନ୍ତୀ ନଗର ଆସିବି । ନିଜକୁ ଏଭଳି ଭାବରେ ପ୍ରଚାର କରିବି ଯେ ଜଗଦୀଶଚନ୍ଦ୍ର ତାଙ୍କ ଭାଗ୍ୟ ବିଷୟ ପଚାରିବାକୁ ଯେମିତି ମୋ ପାଖକୁ ଚାଲିଆସିବେ । ମୁଁ ଗୌନ୍ତିଆ ମହାଶୟଙ୍କ ସେ ପରାମର୍ଶ ଅନୁସାରେ କାମ କରିଥିଲି, କାରଣ ଏ ମହାଶୟଙ୍କ ଚାରିକଡ଼େ ଭଲ ଭାବରେ ଜାଲ ଘେରାଇବା ମୋର ଇଚ୍ଛା ଥିଲା ।

 

—ଆପଣ ସେ ଜାଲ ବିଷୟରେ କିଛି କହିଲେନି ତ ?

 

—କହୁଚି । ମୁଁ ଜଗଦୀଶଚନ୍ଦ୍ରଙ୍କୁ ମୋ ପାଖକୁ ଆସି ବା ଭଳି ଉଦ୍ୟମ କରି ଚାଲିଥାଏ । ଏଠାକୁ ଆସି ମୁଁ ଜଗଦୀଶଚନ୍ଦ୍ର ଆଉ ଦୀପାଳିଙ୍କ ପାରସ୍ୱରିକ ସମ୍ବନ୍ଧ ବିଷୟ ଜାଣିସାରିଥିଲି, ତେଣୁ ଅକ୍ଲେଶରେ ତାଙ୍କୁ ପ୍ରଭାବିତ କରିପାରିଥିଲି । ଗୌନ୍ତିଆଙ୍କ କହିବା ଅନୁସାରେ ମୁଁ ଦୀପାଳିଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ରହସ୍ୟ ଉଦ୍‌ଘାଟନ କରିବାକୁ ଗଲାବେଳେ ମତେ ଗୁଳି କରାଗଲା । ଦୀପାଳିଙ୍କ ବନ୍ଧୁକରୁ ଆସି ନ ଥିଲା ।

 

 

—କଣ କହିଲେ ? ଯେଉଁ ଗୁଳି ଆପଣଙ୍କଠାରେ ଲାଗିଥିଲା ସେଇଟା ଦୀପାଳି ଧରିଥିବା ବନ୍ଧୁକରୁ ଫୁଟିନି ?

 

—ହଁ, ସେଇଟା ସେ ରାଇଫଲ୍‌ରୁ ଫୁଟାଯାଇ ନ ଥିଲା । ପ୍ରକୃତ କଥା ହେଲା, ଗୁଳି ଶବ୍ଦ ଶୁଣି ଦୀପାଳି ଘାବରେଇ ଯାଇଥିଲା । ଯଦି ସେତେବେଳେ କେହି ଦୀପାଳିଙ୍କଠାରୁ ଜଗଦୀଶଚନ୍ଦ୍ରଙ୍କ ରାଇଫଲ୍‌ଟା ନେଇ ଦେଖିଥାଆନ୍ତା ତାହେଲେ ଜାଣିପାରିଥାନ୍ତା ସେଇଟାରେ ପୂରା ଗୁଳି ରହିଚି ।

 

ଜଗଦୀଶଚନ୍ଦ୍ର କହିଉଠିଲା—ମିଷ୍ଟର ପାଣିଗ୍ରାହୀ, ଯେତିକି ଆପଣଙ୍କ ଜାଣିବାକୁ ପାଉଚି ସେତିକି ବିଚିତ୍ର ଲାଗୁଚି ।

 

—ଦୀପାଳି ଧରିଥିବା ରାଇଫଲ୍‌ରୁ ଗୁଳି ଚାଲିନି ଏକଥା ନ ଜଣେଇଦେବାପାଇଁ, ଜଗଦୀଶଚନ୍ଦ୍ରଙ୍କ ରାଇଫଲ୍‌ଟା ଚୋରିକରି ନିଆଯାଇଚି । ପ୍ରଥମରୁ ମୁଁ ଜାଣିପାରିଚି, ମତେ ଦୀପାଳି ଗୁଳି କରିନାହାନ୍ତି; ଅନ୍ୟ କେହି ଗୁଳି କରିଚି । ସେ ଲୋକ ବୋଧହୁଏ ଜଗଦୀଶଚନ୍ଦ୍ରଙ୍କ ସହିତ ମୋର ହେଉଥିବା କଥାବାର୍ତ୍ତା ଶୁଣିପାରିଚି । ଗୁଳି ଚଳାଇ ସଙ୍ଗେ ସଙ୍ଗେ ସେ ଅନ୍ତର୍ଦ୍ଧାନ ହୋଇଯାଇଚି । ଦୀପାଳିଙ୍କ ବ୍ୟସ୍ତ ହୋଇପଡ଼ିବା ଯୋଗୁ ତାକୁ ସୁବିଧା ମିଳିଗଲା । ବର୍ତ୍ତମାନ ପ୍ରଶ୍ନ ଉଠୁଚି ଯେ ଯେଉଁ ଲୋକ ମତେ ଗୁଳି କରିଚି, ମୁଁ ତାରି କାମ କରୁଥିଲି, ଅର୍ଥାତ୍‌ ଦୀପାଳି ବିଷୟରେ ଜଗଦୀଶଚନ୍ଦ୍ରଙ୍କୁ ଫଡ଼କେଇବାରେ ଲାଗିଥିଲି; ତାହେଲେ ମତେ ଗୁଳି କରାଗଲା କାହିଁକି ? ଯେଉଁ ଲୋକ ମତେ ଗୁଳି କଲା, ସେ କ’ଣ ଦୀପାଳିଙ୍କର ଶୁଭାକାଂକ୍ଷୀ ?

 

ପୋଲିସ ଅଫିସର କହିଲେ—ଏଥିରୁ ତ ପ୍ରମାଣ ମିଳୁଚି ଯେ ସେ ଲୋକ ଦୀପାଳିଙ୍କର ଶୁଭାକାଂକ୍ଷୀ ।

 

—ନା, ସେ ଲୋକ ଦୀପାଳିଙ୍କର ଆଦୌ ଶୁଭାକାଂକ୍ଷୀ ନୁହେ । ସେ ଦୀପାଳିଙ୍କୁ ହତ୍ୟାକାରୀ ପ୍ରମାଣିତ କରିବ ଆଉ ତାଙ୍କ ଉପରେ ଲାଗୁ ହୋଇଥିବା ପୁରୁଣା କଥାଗୁଡ଼ାକୁ ସତ ପ୍ରମାଣିତ କରିବାକୁ ମୋ ଉପରକୁ ଗୁଳି କରାଯାଇଚି । ଦୀପାଳିଙ୍କ ହାତରେ ରାଇଫଲ ଥିଲା, ଆଉ ମୁଁ ତମ୍ବୁ ଭିତରେ ତାଙ୍କ ଭାବୀ-ସ୍ୱାମୀଙ୍କୁ କହିବାରେ ଲାଗିଚି ଯେ ଦୀପାଳି ଜଣେ ଭୟଙ୍କର ସ୍ତ୍ରୀ । ସେତେବେଳେ ମୋ ଉପରକୁ ଗୁଳି ଚଳାଇ ଦୀପାଳିଙ୍କୁ ବାସ୍ତବ ଅପରାଧୀ ପ୍ରମାଣିତ କରିବାର ଇଚ୍ଛା ତା’ର ଥିଲା ।

 

ମିଷ୍ଟର ବଳ କହିଲେ—ହତ୍ୟାକାରୀ ଖୁବ୍‌ ଚତୁର ଲୋକ ।

 

—ଆଜ୍ଞା ହଁ, ହତ୍ୟାକାରୀ ଖୁବ୍‌ ଚତୁର ଥିଲା.......କିମ୍ବା ଅଛି ।

 

ପୋଲିସ ଅଫିସର କହିଲେ—ଆପଣଙ୍କ କଥାରୁ ଠିକ୍‌ଭାବରେ ଜାଣି ହେଉନି ଯେ ହତ୍ୟାକାରୀ ଚତୁର ଥିଲା ନା ଅଛି ।

 

—ମୋ କଥା ସାଧାସିଧା ଏବଂ ଖୁବ୍‌ ସ୍ପଷ୍ଟ । ଯଦି ହତ୍ୟାକାରୀ ଏ ଗୌନ୍ତିଆ ନ ହୋଇଆଆନ୍ତି, ତେବେ ହତ୍ୟାକାରୀ ଏବେ ମଧ୍ୟ ରହିଚି । ତାର ଅର୍ଥ ହେଉଚି ଯେ ହତ୍ୟାକାରୀ ଖୁବ୍‌ ଚତୁର, କାରଣ ସେ ଖୁବ୍‌ ଚତୁରତାର ସହିତ ଗୌନ୍ତିଆଙ୍କୁ ମାରି ଦେଇଯାଇଚି । ବର୍ତ୍ତମାନ ମୁଁ ଆପଣମାନଙ୍କୁ କହିବି ଗୌନ୍ତିଆଙ୍କ ଚାରିକଡ଼େ କେମିତି ଜାଲ ଘେରେଇଥିଲି । ମୁଁ ଜଗଦୀଶଚନ୍ଦ୍ରଙ୍କୁ ଗୌନ୍ତିଆଙ୍କ କହିବା ଅନୁସାରେ ଦୀପାଳି ବିଷୟରେ ସବୁ କଥା ଶୁଣେଇଦେଲି :—କେହି ବୋଧହୁଏ ଆମ ଦୁହିଁଙ୍କ କଥା ଶୁଣୁଥିଲା ଆଉ ସେ କଥାକୁ ବାସ୍ତବ ବୋଲି ରୂପ ଦେଇ ବସିଲା । ଡାକ୍ତରଖାନାରେ ଜଣେ ମୃତ୍ୟୁ ବରଣ କରିବାକୁ ଯାଉଥିବା ରୋଗୀକୁ ଶିକାର କରାଯାଇଚି । ମୃତ୍ୟୁ ବରଣ କରିଥିଲେ । ମଧ୍ୟ ତା ପ୍ରତି ବିଷରଶ୍ମି ପ୍ରୟୋଗ କରାଯିବାର ଜଣା ପଡ଼ିଚି । ମୁଁ ଯେଉଁ ଜାଲ ଘେରେଇଥିଲି, ତାହା କେତେକାଂଶରେ ସଫଳ ହେଇଚି ।

 

ଜଗଦୀଶଚନ୍ଦ୍ର ପଚାରିଲା—ସଫଳ କଣ ହେଲା ?

 

—ଏକଥା ଜଣା ପଡ଼ିଗଲା ଯେ ଗୌନ୍ତିଆ ମହାଶୟ ଯେଉଁ ଧରଣର ହତ୍ୟା କଥା କହୁଥିଲେ, ସେ ଧରଣର ହତ୍ୟା କଲାଭଳି କୌଣସି ଲୋକ ଏଠାରେ ନିଶ୍ଚୟ ରହିଚି । ତା ସଙ୍ଗେ ଆଉ ଗୋଟାଏ କଥା ବି ସ୍ପଷ୍ଟ ହୋଇଯାଇଚି । ସେଇଟା ହେଲା, ହତ୍ୟାକାରୀ ଗୌନ୍ତିଆ ମହାଶୟ ଅଥବା ତାଙ୍କର କୌଣସି ସାଥୀ ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ କହିଲେ—ହଁ, ଏ କଥା ତ ପରିଷ୍କାର ଜଣା ପଡ଼ିଯାଉଚି ।

 

—ମୁଁ ପ୍ରଥମରୁ ଭାବୁଥିଲି ଯେ ଏ ନକଲି ଗୌନ୍ତିଆହିଁ ହତ୍ୟାକାରୀ ଏବଂ ସେ ନିଜ ଖଞ୍ଜରେ ରହିଚନ୍ତି । ମତେ ଏଣେ ଦମୟନ୍ତୀ ନଗର ପଠେଇଦେଇ ନିଜେ ବି ଦମୟନ୍ତୀ ନଗର ଚାଲିଆସିଚନ୍ତି ।

 

ଜଗଦୀଶଚନ୍ଦ୍ର କହିଲା—ଏହା ମଧ୍ୟରେ ଆପଣ କଣ ଆପଣଙ୍କର ବିଚାର ବଦଳାଇ ଦେଇଥିଲେ ?

 

—ନା, ମୁଁ ମୋର ବିଚାର ମୋଟେ ବଦଳାଇନି; ବରଂ ତାର ସତ୍ୟତା ପରୀକ୍ଷା କରିବା ଚେଷ୍ଟା କରିଚି ।

 

ପୋଲିସ ଅଫିସର ପଚାରିଲେ—କି ଧରଣର ଚେଷ୍ଟା ?

 

—ମୁ ପରଦିନ ସନ୍ଧ୍ୟାରେ ଗୋଟାଏ ଟ୍ରଙ୍କକଲ୍‌ ପଠାଇଥିଲି । ସେଥିରେ ଜଣେଇଥିଲି ଯେ ଫୋନ ପାଇବା ମାତ୍ରେ ପ୍ରଥମ ଗାଡ଼ି ଧରି ଯେମିତି ଏଠାରେ ଆସି ପହଞ୍ଚଯାଆନ୍ତି । ଯାହାହେଉ ଗୌନ୍ତିଆ ମହାଶୟ ମୋର ଫାନ୍ଦରେ ପଡ଼ିଗଲେ ।

 

ମିଷ୍ଟର ବଳ କହିଲେ—ଫାନ୍ଦ ଆଉ କ’ଣ ?

 

—ପଅରଦିନ ସନ୍ଧ୍ୟାରେ ଟ୍ରଙ୍କକଲ୍‌ ପାଇ କାଲି ସନ୍ଧ୍ୟା ସୁଦ୍ଧା କାର୍‌ ସାହାଯ୍ୟରେ କେହି ଦମୟନ୍ତୀ ନଗରରେ ପହଞ୍ଚିପାରିବନି । ଟ୍ରେନ ଏକମାତ୍ର ସେଥିପାଇଁ ସୁବିଧା; କିନ୍ତୁ ଆପଣ ଯଦି ନିୟମିତ ଖବର କାଗଜ ପଢ଼ୁଥିବେ ତାହେଲେ ଜାଣିପାରିଥିବେ ପ୍ରସାଦପୁର ଆଉ ଦମୟନ୍ତୀ ନଗର ମଝିରେ ଥିବା ନଦୀ ପୋଲଟି ଭାଙ୍ଗି ପଡ଼ିଚି ଏବଂ ମରାମତି ପାଇଁ ସାତଦିନରୁ କମ୍‌ ଲାଗିବ ନାହିଁ ବୋଲି ସମ୍ବାଦ ପ୍ରକାଶ ପାଇଚି । ଏଭଳି ଅବସ୍ଥାରେ ଗୌନ୍ତିଆ ମହାଶୟ ଆସିଲେ କେମିତି ?

 

ଡାକ୍ତର ଅପୂର୍ବରଞ୍ଜନ ଦାସ କହିଲେ ପ୍ରକୃତରେ ଏ ତ ବିଚିତ୍ର କଥା । ଆପଣ କହନ୍ତୁ ତ ଟଙ୍କକଲ୍‌ ପାଇ ଗୌନ୍ତିଆ ଏତେ ଶୀଘ୍ର କେମିତି ଆସିପାରିଲେ ?

 

ଗୌନ୍ତିଆ ମହାଶୟ ପ୍ରସାଦପୁରରେ ନ ଥିଲେ, ଏଇଠି ଥିଲେ । ଟେଲିଫୋନ ଅଫିସର୍‌ କର୍ମଚାରୀମାନଙ୍କୁ ହାତରେ ରଖିଥିଲେ ଯେ ଯଦି ତାଙ୍କ ପାଖକୁ କୌଣସି ଫୋନ୍‌ କରାଯାଏ ତେବେ ତାଙ୍କର ଏଠିକା ଫୋନକୁ ଯେମିତି ସଂଯୋଗ ଲଗାଇ ଦିଆଯାଏ ।

 

ତା’ପରେ ପୋଲିସ ଅଫିସ୍‌ରଙ୍କ ଆଡ଼େ ଚାହିଁ ଜୟନ୍ତ କହିଲା—ଆପଣ ସ୍ଥାନୀୟ ଡାକଘରକୁ ଯାଇ ଏ ବିଷୟରେ ଅନୁସନ୍ଧାନ କଲେ ଏ କଥାର ସତ୍ୟତା ନିଶ୍ଚୟ ଜାଣିପାରିବେ ।

ମିଷ୍ଟର ବଳ କହିଲେ—ଯାହା କହନ୍ତୁ ମିଷ୍ଟର ପାଣିଗ୍ରାହୀ, ଶତ୍ରୁ ବି ଆପଣଙ୍କୁ ପ୍ରଶଂସା ନ କରି ରହିପାରିବ ନି ।

—କାଲି ମୁଁ ଯେତେବେଳେ ଗୌନ୍ତିଆ ମହାଶୟଙ୍କୁ ଏଠାରେ ଦେଖିବାକୁ ପାଇଲି, ସେତେବେଳେ ଜାଣିଗଲି ମୋର କୌଶଳଟା ଠିକ୍‌ କାମରେ ଲାଗିଚି । ସେ ଏଇ ଦମୟନ୍ତୀ ନଗରରେ ଥିଲେ; କିନ୍ତୁ ଜଣୋଉଥିଲେ ଟ୍ରଙ୍କକଲ୍‌ ପାଇ ଏଠାରେ ପହଞ୍ଚିଚନ୍ତି ସେ ଆସିବା ସଙ୍ଗେ ସଙ୍ଗେ ତାଙ୍କ ଉପରେ ନଜର ରଖିବାକୁ ପଡ଼ିଲା

—ଆପଣ କ’ଣ ଏ ମହାଶୟଙ୍କ ଉପରେ ନଜର ରଖିଥିଲେ ?

—ମୋର ଜଣେ ସହକାରୀ ନଜର ରଖିଥିଲା । ମୋର ଚାରିଜଣ ସହକାରୀ ବର୍ତ୍ତମାନ ଦମୟନ୍ତୀ ନଗରରେ ଉପସ୍ଥିତ ଅଛନ୍ତି; କିନ୍ତୁ ମୋର ସାମାନ୍ୟ ଭୁଲ୍‍ ହୋଇଗଲା ।

—ଭୁଲ୍‍ ! ସେ ପୁଣି ଆପଣଙ୍କର ?

—ହଁ, ମୁଁ ମଣିଷ, ମୋର ବି ଭୁଲ ହୁଏ । ମୁଁ ମୋର ସହକାରୀକୁ ଏଇଥିପାଇଁ ଗୌନ୍ତିଆଙ୍କ ଉପରେ ନଜର ରଖିବାକୁ କହିଥିଲି ଯେ ଯଦିବା ଗୌନ୍ତିଆ କିଛି କରିବାକୁ ଯାଆନ୍ତି, ତାହାହେଲେ ସେ ତାଙ୍କୁ ନିଜ କବଳକୁ ନେଇଯିବ କିନ୍ତୁ କଥାଟା ଓଲଟା ହୋଇଗଲା କେହି ଗୌନ୍ତିଆଙ୍କୁ ମାରି ପକେଇଲା । ଗୌନ୍ତିଆ ଖୋଲାଖୋଲି ଭାବରେ ଜଣା ନ ପଡ଼ନ୍ତୁ, କେବଳ ଏଇଥିପାଇଁ ତାଙ୍କୁ ହତ୍ୟା କରାଯାଇଚି । ବର୍ତ୍ତମାନ ଘଟଣାଟା ଖୁବ୍‌ ସ୍ୱଷ୍ଟ ହୋଇଯାଇଚି, ଏ ଅଞ୍ଚଳରେ ଦୁଇଜଣ ଲୋକ ଅଛନ୍ତି ଯେ କି ବନ୍ଦକକ୍ଷ ଭିତରେ ଲୋକମାନଙ୍କୁ କିଭଳି ବିଷରଶ୍ମି ଦେଇ ହତ୍ୟା କରାଯାଏ ତାର ରହସ୍ୟ ଜାଣନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଚନ୍ତି ଗୌନ୍ତିଆ ମହାଶୟ, ଯାହାଙ୍କୁ କି ଶେଷ କରିଦିଆଗଲା । ଅନ୍ୟ ଜଣକ ବି ଏଇଠ ଅଛନ୍ତି; କିନ୍ତୁ କେହି ଜାଣେନି ସେ ଲୋକ ଜଣକ କିଏ ।

ଡାକ୍ତର ଅପୂର୍ବରଞ୍ଜନ ଦାସ କହିଲେ—ତାର ଅର୍ଥଟା ଏଇୟା ହେଉଚି ଯେ ଏବେ ବି ଦୀପାଳି ଏ ଘଟଣାର କେନ୍ଦ୍ରବିନ୍ଦୁ ହୋଇ ରହିଚି ।

—ହଁ, ଆପଣ ଠିକ୍‌ କଥା କହିଚନ୍ତି । ଦୀପାଳି ଏ ଦୃଷ୍ଟକୋଣରୁ ନିଶ୍ଚୟ କେନ୍ଦ୍ରବିନ୍ଦୁ ବୋଲି ଧରାଯାଇପାରେ । ଯେତେଦୂର ମନେହୁଏ ଏବେ ବି ଏମିତି କୌଣସି ଲୋକ ରହିଚି ଯେ କି ଦୀପାଳିଙ୍କ ସହିତ ଜଗଦୀଶଚନ୍ଦ୍ରଙ୍କର ବିବାହ ହେବାଟା ଇଚ୍ଛା କରୁନି ।

ପୋଲିସ ଅଫିସର ପଚାରିଲେ—ଏମିତି ଲୋକ କିଏ ହୋଇପାରେ ?

ହସି ହସି ଜୟନ୍ତ କହିଲା—ସେ ଲୋକଟିକୁ ଆପଣ ହୁଅନ୍ତୁ ବା ମୁଁ ହୁଏ, ଯେ କେହି ଖୋଜି ବାହାର କରିବା ଦରକାର । ବର୍ତ୍ତମାନ ମୁଁ ଯାଉଚି । ଅନେକ କିଛି ଚିନ୍ତା କରିବାର ଅଛି ।

ଜୟନ୍ତ ଖଣ୍ଡେ ସିଗାରେଟ୍‍ ଧରାଇ ଦ୍ୱାରଆଡ଼େ ଆଗେଇଗଲା ।

ମିଷ୍ଟର ବଳଙ୍କ କୋଠିରୁ ବାହାରି ଜୟନ୍ତ ସିଧାଯାଇ ରାୟଭିଲାରେ ପହଞ୍ଚିଲା । ସିଧା ଯାଇ ଦୀପାଳି ବଖରାରେ ହାଜର ହୋଇଗଲା । ଦୀପାଳି ବସି କଣ ଗୋଟାଏ ଚିଠି ଲେଖୁଥିଲା । ହଠାତ୍‌ ଜଣେ ଲୋକ ତା’ର ବଖରାରେ ପ୍ରବେଶ କରିବାରେ ଜାଣିପାରି ମୁହଁ ଉଠାଇ ଚାହିଁଲା ।

 

—ଆପଣ ?

 

—ହଁ, ମୁଁ । ପୁଣି ଗୋଟାଏ କଥା ପଚାରିବା ଦରକାର ପଡ଼ିଲା ।

 

ଏଭଳି ଜଣେ ରହସ୍ୟାନ୍ୱେଷୀର ବାରମ୍ବାର ଆସିବାରେ ଦୀପାଳି ମନେ ମନେ ଆତଙ୍କିତ ହୋଇଉଠୁଥିଲା । ଧୀରେ ଧୀରେ ତା ମୁହଁର ରଙ୍ଗ ବଦଳିଯିବାକୁ ଲାଗିଲା ।

 

—ଆପଣଙ୍କର କିଛି ଭାବିବା ଦରକାର ନାହିଁ । ମୁଁ ଆପଣଙ୍କର ଶୁଭାକାଂକ୍ଷୀ ଆଉ ଜଗଦୀଶଚନ୍ଦ୍ରଙ୍କର ବନ୍ଧୁ ।

 

—ପୂର୍ବରୁ ଆପଣଙ୍କର ସ୍ୱର ଆଉ କେଉଁଠି ଶୁଣିଲା ଭଳି ମୋର ମନେ ହେଉଛି ।

 

—ହୁଏତ ସାର୍ଟିଫିକେଟ ଦେଖି ଆସିଥିବା ଦିନ ଶୁଣିଥିବେ ।

 

—ନା, ତା ଆଗରୁ କୋଉଠି.......

 

—ଶାନ୍ତାଗଡ଼ରୁ ଫେରିଲା ବେଳେ ମୁଁ ଆପଣମାନଙ୍କ ପାଖରେ ବି ରହିଥିଲି ।

 

—ଓ...ତା’ ହେଲେ କଣ....?

 

—ହଁ, ମୁଁ ସେ ଘୋଡ଼ାଗାଡ଼ିର ଚାଳକ ଥିଲି । କେତେକ କାରଣରୁ ମତେ ବେଶ ବଦଳାଇବାକୁ ପଡ଼ିଥିଲା ।

 

—ବସନ୍ତୁ...ପୁଣି କୁଆଡ଼େ ଆସିଲେ ?

 

ଖଣ୍ଡେ ଚେୟାର ଦଖଲ କରି ଜୟନ୍ତ ପଚାରିଲା—ଆପଣ କ’ଣ କୌଣସି ରହସ୍ୟାନ୍ୱେଷୀକୁ ଘୃଣା କରନ୍ତି ?

 

—ନା ତ ।

 

—ତା’ହେଲେ ମୋର ଗୋଟାଏ କଥାର ପରିଷ୍କାର ଉତ୍ତର ଦିଅନ୍ତୁ । କୌଣସି ଲୋକ କେବେ କ’ଣ ଜଗଦୀଶଚନ୍ଦ୍ରଙ୍କ ବିଷୟରେ ଆପଣଙ୍କୁ କିଛି ତେଢ଼ା କଥା କହିଛି ?

 

ଦୀପାଳି ମୁହୂର୍ତ୍ତକ ପାଇଁ ଜୟନ୍ତର ମୁହଁ ଆଡ଼େ ଚାହିଁ ରହିଲା ତା’ପରେ କହିଲା—ନା, ତାଙ୍କ ବିଷୟରେ ସେଭଳି କୌଣସି କଥା କେହି କେବେ ମତେ କହିନି ।

 

ଜୟନ୍ତ ଉଠିପଡ଼ି ଖଣ୍ଡେ ସିଗାରେଟ୍‍ ଧରୋଇ ଧରୋଉ କହିଲା—ଧନ୍ୟବାଦ, ମୁଁ କେବଳ ଏତିକି କଥା ଜାଣିବାକୁ ଆସିଥିଲି ।

 

ଦୀପାଳି ଜୟନ୍ତର ଫେରିବା ବାଟକୁ ଚାହିଁ ମନେ ମନେ ଭାବୁଥିଲା, କି ବିଚିତ୍ର ଧରଣର ଲୋକ !

 

X X X

 

ଜୟନ୍ତ ତାର ଚଟିଆଡ଼େ ବାହାରିପଡ଼ିଲା । କିଛି ବାଟ ଆସିବା ପରେ ହଠାତ୍‌ ତାର ଗୋଟିଏ କଥା ମନେ ପଡ଼ିଗଲା । ଦୀପାଳି ବଖରାକୁ ଯାଇ କାନ୍ଥ ଦେହରେ ଗୋଟାଏ ଆଇରନ୍‌ ଚେଷ୍ଟ ତା ନଜରରେ ପଡ଼ିଥିଲା । ରାସ୍ତାର କଡ଼କୁ ଠିଆ ହୋଇପଡ଼ି କପାଳଟା ସେ ରଗଡ଼ିବାରେ ଲାଗିଲା । ଜୀବନରେ ଏତେ ବଡ଼ ଭୁଲ୍‍ ସେ କେବେ କଲାଭଳି ତାର ମନେପଡ଼ୁନି । ପୁଣି ସେ ଫେରିପଡ଼ିଲା ।

 

ମନେ ମନେ ଭାବୁଥାଏ, ମୃତ୍ୟୁ ବରଣ କରିଥିବା ଗୌନ୍ତିଆ କହୁଥିଲା, ଯେଉଁ ସ୍ତ୍ରୀ ତାର ତିନୋଟିଯାକ ସ୍ୱାମୀଙ୍କୁ ବିଷରଶ୍ମି ପ୍ରୟୋଗ କରି ହତ୍ୟା କରିଚି ତା ବଖରାର କାନ୍ଥରେ ପ୍ରତି ସ୍ଥାନରେ ଗୋଟାଏ ଆଇରନ୍‌ ଚେଷ୍ଟ ଲାଗିଥାଏ । ଦୀପାଳି ଶୋଇବା ବଖରା କାନ୍ଥରେ ସେମିତି ଗୋଟାଏ ଚେଷ୍ଟା ଲାଗି ରହିବାର କାରଣ କଣ ?

 

ଜୟନ୍ତ ରାୟଭିଲାଠାରୁ ଫେରି ପୁଣି ବାଟରେ ମନେ ପକାଇ ସେଠାରେ ଯାଇ ପହଞ୍ଚିଲା ବେଳକୁ ଅଧଘଣ୍ଟାଏ ଲାଗିଗଲା । ସେ ସେଠାକୁ ଯାଇ ବିସ୍ମିତ ହୋଇଗଲା ଯେ ଏଇ ଅଧଘଣ୍ଟାଏ ଭିତରେ ରାୟଭିଲା ନିଶୁନ ହୋଇଯାଇଚି । ମନେ ମନେ ଭାବିଲା, ରାୟଭିଲାର ଲୋକମାନେ ଖବର ପାଇ ବୋଧହୁଏ ମିଷ୍ଟର ବଳଙ୍କ କୋଠିକୁ ଚାଲିଯାଇଚନ୍ତି । ଅଧଘଣ୍ଟାଏ ଆଗରୁ ସେ ଯେତେବେଳେ ଦୀପାଳି ସଙ୍ଗେ ଦେଖା କରିବାକୁ ଆସିଥିବା, ସେତେବେଳେ ସେ ଖଣ୍ଡେ ଚିଠ ଲେଖୁଥିଲା । ସେ ଏତେଶୀଘ୍ର ଚିଠି ଖଣ୍ଡକ ଲେଖି କୌଣସି ଆଡ଼େ ଯାଇ ପାରି ନ ଥିବ, ନିଜ ବଖରାରେ ଥାଇପାରେ ।

 

ଦ୍ରୁତଗତିରେ ଜୟନ୍ତ ଦୀପାଳି ବଖରାଆଡ଼େ ଆଗେଇଗଲା । ଘରର ଦ୍ୱାରଟା ଆଉଜା ହୋଇଥିଲା । ଜୟନ୍ତ ଦ୍ୱାର ଉପରେ ହାତ ପକାଇଲା । କବାଟ ଖୋଲି ସେ ଘର ଭିତରକୁ ଆସିଲା, ମାତ୍ର ଭିତରେ ପାଦ ପକାଇ ସେ ଆଶ୍ଚର୍ଯ୍ୟ ହୋଇଗଲା । ସମ୍ମୁଖ କାନ୍ଥରେ ଲାଗିଥିବା ଟ୍ରେଜେରୀଟା ଖୋଲା ପଡ଼ିଚି, ଆଉ ଟ୍ରେଜେରୀ ତଳ ଚଟାଣ ଉପରେ ଗୋଟିଏ ଯୁବତୀ ଝିଅ ଅଜ୍ଞାନ ହୋଇପଡ଼ିଚି । ଝିଅଟି ଦେହରେ କଳାରଙ୍ଗର ବ୍ଲାଉଜ ଆଉ କଳାରଙ୍ଗର ଶାଢ଼ୀ ରହିଚି ।

 

ଜୟନ୍ତ ଟିକିଏ ଆଗେଇ ଆସିଲା । ଚଟାଣ ଉପରେ ପଡ଼ିଥିବା ଝିଅଟିକୁ ସେ ଚିହ୍ନିପାରିଲା; ସେ କେହି ନୁହେଁ, ଜଗଦୀଶଚନ୍ଦ୍ରର ଦୂର ସମ୍ପର୍କୀୟ ଭଉଣୀ ରୁବି । ତାର କାନ ପାଖରେ ଗୋଟିଏ କ୍ଷତ ରହିଚି । ଜୟନ୍ତ ତାକୁ କୋଳକରି ଉଠାଇଲା । ଝିଅଟି ପୂର୍ଣ୍ଣ ଯୌବନା; କିନ୍ତୁ ଖୁବ୍‌ ହାଲୁକା । ଜୟନ୍ତ ତାକୁ ନେଇ ଖଟ ଉପରେ ଶୁଆଇଦେଲା ।

 

ଠିକ୍‌ ସେତିକିବେଳେ ସେ ଦୀପାଳି ବଖରାର ବାହାରେ ପାଦଶବ୍ଦ ଶୁଣିବାକୁ ପାଇଲା । ଭାବଲା, ଦୀପାଳି ବୋଧହୁଏ ଆସୁଚି । ସେ ଘର ଭିତରୁ ବାହାରକୁ ବାହାରି ଆସିଲା । ଆସୁଥିବା ସ୍ତ୍ରୀଲୋକଟି ଦୀପାଳି ନୁହେଁ, ତା’ଠାରୁ ସାମାନ୍ୟ ବେଶି ବୟସର ଜଣେ ସ୍ତ୍ରୀଲୋକ । ହାତରେ ଧରିଚି ଉଲ୍‌ର ବଣ୍ଡିଲ ।

 

—ଆପଣ...ଆପଣ କିଏ ?

 

—ମୁଁ ଆଜ୍ଞା, ଜୟନ୍ତ ପାଣିଗ୍ରାହୀ । ଗୋଟାଏ ହତ୍ୟାକାଣ୍ଡର ଅନୁସନ୍ଧାନ କରିବାପାଇଁ ଏଠାକୁ ଆସିଚି ।

 

କହିଲାବେଳେ ଜୟନ୍ତ ଏକଦୃଷ୍ଟିରେ ସ୍ତ୍ରୀଲୋକଟି ଆଡ଼େ ଚାହିଁ ରହିଥାଏ । ବୟସର ଉଗ୍ରତା ସାମାନ୍ୟ ମଳିନ ପଡ଼ିଆସିଥିଲେ ମଧ୍ୟ ରୂପରେ ଏତେ ଟିକିଏ ବି ମଳିନତା ଦେଖା ଦେଇନି-। ପ୍ରଥମେ ସାକ୍ଷାତରୁ ଜୟନ୍ତ ଅନୁମାନ କରିପାରିଲା ଯେ ଏ ହେଉଚନ୍ତି ମିସେସ୍‌ ରାୟ-

 

—ଆପଣ ଗୋଇନ୍ଦା ହୋଇପାରନ୍ତି, ଯେ କୌଣସି କାମରେ ଆସି ପାରନ୍ତି; କିନ୍ତୁ ଆପଣ ଏଠାରେ କ’ଣ କରୁଚନ୍ତି ?

 

—ମୁଁ ଦୀପାଳି ଦେବୀଙ୍କ ସାଙ୍ଗରେ ଦେଖା କରିବାକୁ ଆସିଚି ।

 

—ଦୀପାଳି ଏ ଘରେ କ’ଣ କରୁଥିବାର ଘଣ୍ଟାକ ତଳେ ମୁ ଦେଖିଯାଇଥିଲି । ସେ କ’ଣ ଘରେ ନାହିଁ ?

 

—ନାଁ, ଏ ଘରେ ତ......

 

—ହ, କିଏ ଅଛି ସେ ଘରେ ?

 

—ରୁବି ।

 

—ରୁବି ?

 

ମିସେସ୍‌ ରାୟ ଦ୍ରୁତଗତିରେ ଦୀପାଳି ଘର ଭିତରକୁ ପଶିଯାଇ ସଙ୍ଗେ ସଙ୍ଗେ ବାହରି ଆସିଲେ ।

 

—ଆପଣ କ’ଣ ରୁବିକୁ ଆଘାତ କରିଚନ୍ତି ?

 

—ନା ।

 

—ଦେଖନ୍ତୁ, ଆପଣ ଜଣେ ଗୋଇନ୍ଦା ବୋଲି ମୋର ବିଶ୍ୱାସ ହେଉନି । ଦୀପାଳି ତା ବଖରାରେ ନାହିଁ; ରୁବି ବେହୋସ୍‍ ହୋଇ ପଡ଼ିଚି । କହନ୍ତୁ, ଆପଣ କିଏ ?

 

–ମୁଁ ଆପଣଙ୍କୁ ମିଛ କହୁନି, ମିସେସ୍‌ରାୟ !

 

ସେତିକିବେଳେ ପାଦଶବ୍ଦ ଶୁଣାଗଲା । ଦ୍ରୁତ ପଦକ୍ଷେପରେ ଜଗଦୀଶଚନ୍ଦ୍ର ରାୟଭିଲା ଭିତରକୁ ପଶି ଆସିବାର ଦେଖାଗଲା । ଜୟନ୍ତକୁ ଦେଖି ସେ ବିସ୍ମିତ ହୋଇ କହିଲା—ମିଷ୍ଟର ପାଣିଗ୍ରାହୀ, ଆପଣ..... ? ଆପଣ ଏଠାରେ କେମିତି ?

 

ଜୟନ୍ତ ହସିଦେଲା । ଜଗଦୀଶଚନ୍ଦ୍ର ଆସି ତାକୁ ଗୋଟାଏ ବିଷମ ପରିସ୍ଥିତିରୁ ଉଦ୍ଧାର କରିଦେଇଚି । ମିସେସ୍‌ ରାୟଙ୍କ ମୁହଁର ଭାବ ବଦଳିଯାଇଥାଏ । ଯେଉଁ ସୁପୁରୁଷ ପ୍ରତି ତାଙ୍କର ସନ୍ଦେହ ଦେଖା ଦେଇଥିଲା । ପ୍ରକୃତରେ ସେ ଜଣେ ଗୋଇନ୍ଦା ।

 

ଜଗଦୀଶଚନ୍ଦ୍ରକୁ ଚାହିଁ ଜୟନ୍ତ ପଚାରିଲା—ଆପଣ ଏତେ ଦ୍ରୁତ ଗତିରେ ଏଠାକୁ କାହିଁକି ଆସୁଥିଲେ ?

 

—ମୁଁ ଦୀପାଳିଙ୍କୁ କ୍ଷମା ମାଗିବା ପାଇଁ ଆସିଥିଲି । ମୁଁ ଶୁଣିଥିବା କଥାଗୁଡ଼ାକ ଉପରେ ବିଶ୍ୱାସ କରି ତାଙ୍କୁ ସନ୍ଦେହ କରିଥିଲି ।

 

—ଦୀପାଳି ତ ନାହାନ୍ତି ।

 

—ତା’ହେଲେ ସେ କେଉଁଠି ଅଛନ୍ତି ?

 

—ମୁଁ ବି ସେଇକଥା ଜାଣିବାକୁ ଇଚ୍ଛା କରୁଚି ।

 

—ତାଙ୍କ ବଖରାରେ କିଏ ଅଛି ?

 

—ରୁବି ।

 

—ରୁବି ? ସେ ଏଠିକି କେମିତି ଆସିଲା ?

 

—ଦୀପାଳିଙ୍କ ଖଟ ଉପରେ ସେ ବେହୋସ ହୋଇ ପଡ଼ିଚନ୍ତି ।

 

—ରୁବି ବେହୋସ ହୋଇପଡ଼ିଚି ?

 

—ସେ କେବଳ ବେହୋସ ନୁହନ୍ତି, ଆହତ ବି ହେଇଚନ୍ତି ।

 

—ସେ ଆହତ ହେଲା କେମିତି ?

 

—ତାଙ୍କର ଜ୍ଞାନ ଫେରିଲେ ସେକଥା ଜଣାପଡ଼ିବ ।

 

—ମୁଁ ରୁବିର ଚେତା ଫେରାଇବା ଚେଷ୍ଟା କରୁଚି ।

 

କହି ଦେଇ ମିସେସ୍‌ ରାୟ ଦ୍ରୁତଗତିରେ ଅନ୍ୟ ଗୋଟାଏ ବଖରାରୁ ତୁଳା, ଡେଟଲ, ସାବୁନ ପ୍ରଭୃତି ନେଇ ଆସିଲେ ।

 

ଜୟନ୍ତ ଆଉ ଜଗଦୀଶଚନ୍ଦ୍ର ଦୀପାଳି ବଖରାରେ ଠିଆ ହୋଇଥାଆନ୍ତି । ଜଗଦୀଶଚନ୍ଦ୍ର କହୁଥାଏ—କିଛି ଜଣାପଡ଼ୁନି ଯେ ଏମିତି ଗୋଟାଏ ନୂଆ ହୋଇ ଗଢ଼ିଉଠୁଥିବା ନଗରୀରେ ଏସବୁ କ’ଣ ଘଟିଯାଉଚି ।

 

ମିସେସ୍‌ ରାୟ ଡେଟଲରେ ରୁବିର କାନମୁଣ୍ଡାର କ୍ଷତ ସଫା କରିଦେଇଥିଲେ । ତାର ଜ୍ଞାନ ଫେରିଆସୁଥାଏ । ସେ ଗୋଡ଼ ପିଟି ଖଟ ଉପରେ ହାତ ପଟିବାରେ ଲାଗିଚି ।

 

ଜଗଦୀଶଚନ୍ଦ୍ର କହିଲା—ରୁବିର ଏ କଣ ହେଲା ? ମୁ ଧାଇଁଯାଇ ବର୍ତ୍ତମାନ ଡାକ୍ତରଙ୍କୁ ଡାକିଆଣୁଚି ।

 

ଜୟନ୍ତ ଜଗଦୀଶଚନ୍ଦ୍ରର ହାତଟା ଧର ତାକୁ ଅଟକାଇନେଲା ନା, ଡାକ୍ତରଙ୍କୁ ଡାକିବା ଦରକାର ନାହିଁ ।

 

ମିସେସ୍‌ରାୟ ଗୋଟାଏ କଡ଼କୁ ପାଖେଇ ହୋଇଗଲେ । ଜୟନ୍ତ ଖଣ୍ଡେ ଚେୟାର ଟାଣିନେଇ ଖଟ ପାଖରେ ବସିପଡ଼ିଲା । ରୁବିର ଡେଣାଟିକୁ ଚାପି ଧରିବାରୁ ସେ ଟିକିଏ ଶାନ୍ତ ପଡ଼ିଗଲା । ଡେଣାଟାକୁ ଛାଡ଼ିଦେବାରୁ ରୁବି କାନମୂଳରେ ହାତ ଚାପ ରଖିଲା । ବୋଧହୁଏ ଜାଗାଟା ଭୀଷଣ ଦରଜ ଲାଗୁଚି ।

 

ରୁବି ଆଖି ଖୋଲି ଚାହିଁବାମାତ୍ରେ ଜୟନ୍ତ ତାକୁ ପଚାରିଲା ତମର କଣ ହେଲା ?

 

ରୁବି ଘରର ଚାରିଆଡ଼େ ଥରେ ଦୃଷ୍ଟି ବୁଲାଇଆଣିଲା । ଆଗରେ ମିସେସ୍‌ରାୟଙ୍କୁ ଦେଖି ସେ ଖଟ ଉପରେ ଉଠି ବସିଲା ଏବଂ ନିଜ ଦେହର ଲୁଗାପଟା ସଜାଡ଼ି ନେଇ କହିଲା—ସେ ମୋ କାନମୂଳକୁ ଲକ୍ଷ୍ୟକରି ଜୋରରେ ଖଣ୍ଡେ କାଚ ଫୋପାଡ଼ିଦେଲା ।

 

ଜୟନ୍ତ ପଚାରିଲା—କିଏ ଫୋପାଡ଼ିଲା ?

 

ରୁବି ଜୟନ୍ତ କଥାର ଉତ୍ତରଦେବାକୁ ଗଲାବେଳେ ତାର ଦୃଷ୍ଟିଟା ଟ୍ରେଜେରୀ ଉପରେ ପଡ଼ିଲା । ସେଇଟା ଖାଲି ପଡିଚ଼ି ।

 

—ଭାଇ, ଏ ଟ୍ରେଜେରୀ....

 

—ହଁ, ଏ ଟ୍ରେଜେରୀର କଣ ହେଲା ?

 

—ଟ୍ରେଜେରୀ ଖାଲି ପଡ଼ିଚି ।

 

—କ’ଣ ଥିଲା ଏ ଟ୍ରେଜେରୀରେ?

 

—ତମେ ଜାଣିନ ଏ ଟ୍ରେଜେରୀରେ କ’ଣ ଥିଲା ? ତା ଭିତରେ କଣ ଥିଲା ମୁଁ ବି ଜାଣିପାରିଲିନି । ମୁଁ ପ୍ରଥମେ ଥରେ ଟ୍ରେଜେରୀ ଖୋଲି ଦେଖିବାର ଚେଷ୍ଟା କରିଥିଲି; କିନ୍ତୁ ଦେଖିପାରିଲିନି । ଆଜି ମୁଁ ପୁଣି ଖୋଲି ଦେଖିବାର ଚେଷ୍ଟା କଲି; କିନ୍ତୁ ସେ ମୋ କାନ ମୂଳକୁ ଖଣ୍ଡେ କାଚ ମାରିଦେଇ ମତେ ଅଜ୍ଞାତ କରିଦେଲା ।

 

ଜଗଦୀଶଚନ୍ଦ୍ର ପଚାରିଲା—ଏ ଟ୍ରେଜେରୀ ଭିତରେ କୌଣସି ସନ୍ଦେହଜନକ ଜିନିଷ ଅଛି ବୋଲି ତତେ କିଏ କହିଲା ? ତୋର ଏ ଟ୍ରେଜେରୀଟା ଖୋଲି ଦେଖିବା କଣ ଦରକାର ଥିଲା-?

 

—ଏ ଅଞ୍ଚଳରେ ଏ ଟ୍ରେଜେରୀଟା ବହୁତ ଜାଣିବା ଜିନିଷ ହୋଇଯାଇଚି । ସମସ୍ତେ ଏ ଟେଜେରୀ ବିଷୟରେ କଥାବାର୍ତ୍ତା ହେଉଚନ୍ତି । ମୁଁ ଯେମିତି ଟ୍ରେଜେରୀଟା ଖୋଲିବାପାଇଁ ଆଗେଇ ଆସିଚି ସେମିତି ଦୀପାଳି ମୋ କାନମୂଳକୁ ଲକ୍ଷ୍ୟକରି କାଚଖଣ୍ଡେ ଫୋପାଡ଼ିଲା । ମନେହେଲା ଯେମିତି ନଖବିଶିଷ୍ଟ କୌଣସି ପଶୁ ପନ୍‌ଝା ବସେଇ ଦେଇଚି ।

 

ଜଗଦୀଶଚନ୍ଦ୍ର ପଚାରିଲା—ଦୀପାଳି ତୋ କାନମୂଳକୁ କାହିଁକି କାଚ ମାରିଲେ ?

 

—ମୁଁ ତାକୁ ଟ୍ରେଜେରୀ ଖୋଲି ଦେଖାଇବାକୁ କହିଲି ।

 

ଜୟନ୍ତ ପଚାରିଲା—ସେ କଣ ତୁମ ଆଗରେ ଠିଆ ହୋଇଥିଲେ ?

 

—ହଁ, ସେ ତାର ଡ୍ରେସିଙ୍ଗ୍‌ ଟେବୁଲକୁ ଆଉଜି ଠିଆ ହୋଇଥିଲା ।

 

—ତୁମେ ସତ କଥା କହୁଚ ତ ?

 

—ମିଛ କହି ଲାଭ କ’ଣ ?

 

—ଯଦି ଦୀପାଳି ତୁମ ଆଗରେ ଠିଆ ହୋଇଥିଲେ ତେବେ କ୍ଷତଟା ତୁମର ଡାହାଣ କାନମୂଳରେ ହୋଇଥାଆନ୍ତା; ବାମ କାନମୂଳରେ କେମିତି ହେଲା ?

 

ରୁବି ଜୟନ୍ତ ଆଡ଼େ ଗାଢେଇକରି ଚାହିଁ ରହିଲା । ମୁହଁଟା ଶୁଖେଇ ଦେଇ କହିଲା—ମୋ କଥା ତାହେଲେ ବିଶ୍ୱାସ ହେଉନି ?

 

ଜୟନ୍ତ କହିଲା—ତୁମ କଥାରେ ଯେ ଅବିଶ୍ୱାସ ହେଉଚି ତା ନୁହେଁ । ଏ ଘର ଭିତରେ କ’ଣ ଘଟିଗଲା ସେଇଟା ଆମର ଜାଣିବା ଦରକାର ।

 

ରୁବି ସୁଁ—ସୁଁ ହୋଇ କାନ୍ଦିବାରେ ଲାଗିଲା ।

 

ଜଗଦୀଶଚନ୍ଦ୍ର ପଚାରିଲା—ଦୀପାଳି କେଉଁଠି ଅଛନ୍ତି ?

 

—ମୁଁ କେମିତି ଜାଣିଲି ସେ କେଉଁଠି ଅଛି ?

 

—ଦୀପାଳି ଘରେ ନାହାନ୍ତି, ଆଉ ଟ୍ରେଜେରୀଟା ଖାଲି ପଡ଼ିବି । ଏହାର ଅର୍ଥଟା କ’ଣ ହୋଇପାରେ ?

 

—ତା’ର ଅର୍ଥଟା ଏଇୟା ଯେ, ଏ ଟ୍ରେଜେରୀ ଭିତରେ କୌଣସି ଜିନିଷ ଲୁଚେଇ ରଖାଯାଇଥିଲା । ଦୀପାଳି ତାକୁ ବାହାର କରି ନେଇଯାଇଚି ।

 

ଜୟନ୍ତ ପଚାରିଲା—ତମେ ଦୀପାଳିଙ୍କ ଟ୍ରେଜେରୀ ଖୋଲି ଦେଖିବାକୁ କାହିଁକି ଇଚ୍ଛା କରୁଥିଲା ?

 

—ସେ ଟ୍ରେଜେରୀ ବିଷୟରେ ଗୋଟାଏ ଭୟଙ୍କର କଥା ଶୁଣିଥିଲି ।

 

—ତମେ ସେ କଥା କୋଉଠୁ ଶୁଣିଲ ?

 

ହଠାତ୍‌ ଜୟନ୍ତର ମନେ ପଡ଼ିଗଲା ଯେ ସେ ଏ ଟ୍ରେଜେରୀ ବିଷୟ ଡାକ୍ତରଖାନାର କ୍ୟାବିନ ଭିତରେ ଜଗଦୀଶଚନ୍ଦ୍ରକୁ କହୁଥିଲା । ଡାକ୍ତର ଅପୂର୍ବରଞ୍ଜନ ଦାସ ବି ସେଠାରେ ଥିଲେ । ସେକଥା ମନେପଡ଼ିବାର ସେ : ରୁବିକୁ ପଚାରିଲା—ତିନିଦିନ ତଳେ ତମେ କଣ ଡାକ୍ତରଖାନାକୁ ଯାଇଥିଲ ?

 

—ନା !

 

ଜଗଦୀଶଚନ୍ଦ୍ର ଜାଣିପାରିଲା ଯେ ଜୟନ୍ତ ରୁବିକୁ ଗୋଟାଏ ସୁନ୍ଦର ଜାଲ ଘେରାଇଦେଇଚି ।

 

ଜୟନ୍ତ କହିଲା—ଆଚ୍ଛା, ତମେ ଆଉ ଗୋଟାଏ କଥା କୁହ । ପଅରଦିନ ଖୁବ୍‌ ଭୋରରୁ ତମେ ବୁଲିବାକୁ ବାହାରିଥିଲ । ଦେହଯାକ ତୁମର ଧୂଳି ହୋଇଯାଇଥିଲା । ବୁଲୁ ବୁଲୁ ତମେ କୋଉଯାଏ ଚାଲିଯାଇଥିଲ ?

 

—ମୁଁ ବିଲଗୁଡ଼ାକ ଭିତରେ ବୁଲୁଥିଲି ।

 

—ତମେ କଣ ଏମିତି କୌଣସି ଜିନିଷ ଦେଖିଚ ଯାହାକି ଆମକୁ ହତ୍ୟାକାଣ୍ଡ ସମ୍ପର୍କରେ ସାହାଯ୍ୟ କରିପାରିବ ?

 

ଟିକିଏ ଥଙ୍ଗ ଥଙ୍ଗ ହୋଇ ରୁବି କହିଲା—ମୁଁ......ମୁଁ ଗୋଟାଏ କଥା ଦେଖିଥିଲି ।

 

—କଣ ଦେଖିଥିଲ ?

 

—କେହି ଜଣେ ଦଉଡ଼ୁଥିବାର ଦେଖିଚି ।

 

—କେତେବେଳେ ?

 

—କେଉଠି ଗୋଟାଏ ଗୁଳି ଶବ୍ଦ ଶୁଣାଯିବାର କୋଡ଼ିଏ ପଚିଶ ମିନିଶ ପରେ ।

 

—ତାର ଅର୍ଥ, ତମେ ଡାକ୍ତରଖାନାର ଖୁବ୍‌ ନିକଟରେ ଯାଇ ପହଞ୍ଚିଯାଇଥିଲ ?

 

—ହ ।

 

—ଦଉଡ଼ୁଥିବା ଲୋକକୁ ତମେ ଚିହ୍ନିପାରି ନ ଥିଲ ?

 

—ମୁଁ କେବଳ ତାର ଛାୟାଟା ଦେଖିଥିଲି ।

 

—ସେ ଛାୟାଟା ପୁରୁଷ ଲୋକର ନା ସ୍ତ୍ରୀ ଲୋକର ?

 

—ଠିକ୍‌ କହିହେବନି ।

 

ଜୟନ୍ତ ଆଉ କ’ଣ ପଚାରିବା ଆଗରୁ ରୁବି ବ୍ୟସ୍ତ ହୋଇ କହି ଉଠିଲା—ମୁଁ ଅନେକ କଥାର ଉତ୍ତର ଦେଲିଣି । ଏବେ ମତେ ଯିବାକୁ ଦିଅ । ମୁଣ୍ଡଟା ମୋର ବିନ୍ଧିଉଠିଲାଣି ।

 

—ଯାଅ । ତୁମ ଯିବାରେ କେହି ତ ବାଧା ଦେଉନି ।

 

ଜଗଦୀଶଚନ୍ଦ୍ର କହିଲା—ଚାଲ୍‌, ମୁଁ ତତେ ଛାଡ଼ିଦେଇ ଆସେ ।

 

—ନା ଭାଇ, ତମେ ମୋଠାରୁ ଦୂରେଇ ରହିଲେ ଭଲ ହେବ । ଆଜି ମୋ ପାଇଁ ତମର ଏତେ ଚିନ୍ତା କାହିଁକି ହେଉଚି ? ତା ଛଡ଼ା ତ ତୁମକୁ ଏଇଲେ ଆଉ କେହି ଦିଶୁନାହାନ୍ତି । କହିଦେଇ ରୁବି ଦ୍ରୁତଗତିରେ ସେ ସ୍ଥାନ ଛାଡ଼ି ଚାଲିଗଲା ।

 

ବିସ୍ମିତ ହୋଇ ଜଗଦୀଶଚନ୍ଦ୍ର ତାର ଯିବା ବାଟକୁ ଚାହିଁ ରହିଥାଏ ।

 

ସେତିକିବେଳେ ଟେଲିଫୋନ୍‌ଟା ଝଣ୍‌ଝଣ୍‌ ହୋଇ ବାଜି ଉଠିଲା । ଫୋନ୍‌ ଆଡ଼େ ଜଗଦୀଶଚନ୍ଦ୍ର ଆଗେଇ ଗଲା । ରିସିଭର୍‌ଟା ଉଠାଇ କହିଲା—ହ୍ୟାଲୋ !

 

ଅନ୍ୟ ପକ୍ଷରୁ ଶୁଣାଗଲା—ମୁଁ ଡାକ୍ତର ଅପୂର୍ବରଞ୍ଜନ ଦାସ କହୁଛି ।

 

—ଆପଣ କୋଉଠୁ କହୁଚନ୍ତି ଡକ୍ଟର ଦାସ ?

 

—ମୁଁ ମୃତ୍ୟୁଞ୍ଜୟ ନାରାୟଣ ହରିଚନ୍ଦନଙ୍କ ନଅରରୁ କହୁଚି ।

 

—କାହିଁକି, କଣ ହେଲା ?

 

—ଆପଣ ବର୍ତ୍ତମାନ ଚାଲିଆସନ୍ତୁ ।

 

—କଣ ଦୀପାଳି ବିଷୟରେ....?

 

—ହଁ, ହଁ ଶିଘ୍ର ଚାଲିଆସନ୍ତୁ ।

 

—ମୋ ପାଖରେ ମିଷ୍ଟର ପାଣିଗ୍ରାହୀ ମଧ୍ୟ ରହିଚନ୍ତି ।

 

—ତାଙ୍କୁ ବି ସାଙ୍ଗରେ ନେଇଆସନ୍ତୁ ।

 

ଜଗଦୀଶଚନ୍ଦ୍ର କ୍ରୋଡ୍‌ଲ ଉପରେ ରିସିଭରଟା ରଖିଦେଇ ଜୟନ୍ତ ଆଡ଼େ ଚାହିଁବାରେ ଲାଗିଲା । ଜୟନ୍ତ ଟ୍ରେଜେରୀ ତଳେ ପଡ଼ିଥିବା ସେ ଭୟଙ୍କର ଚିତ୍ରଟାକୁ ଦେଖିବାରେ ଲାଗିଥାଏ ।

 

—ମିଷ୍ଟର ପାଣିଗ୍ରାହୀ, ମୋ ସାଙ୍ଗରେ ଟିକିଏ ମୃତ୍ୟୁଞ୍ଜୟ ନାରାୟଣ ହରିଚନ୍ଦନଙ୍କ ନଅର ଯାଏ ଚାଲନ୍ତୁ ।

 

X X X

 

ଦଶମିନିଟ ପରେ ଜୟନ୍ତ ଆଉ ଜଗଦୀଶଚନ୍ଦ୍ର ମୃତ୍ୟୁଞ୍ଜୟ ନାରାୟଣ ହରିଚନ୍ଦନଙ୍କ ନଅରଠାରେ ପହଞ୍ଚିଗଲେ । ନଅରତ କଚେରୀ କକ୍ଷରେ ସ୍ଥାନୀୟ ଥାନାର ଅଫିସର, ଡାକ୍ତର ଅପୂର୍ବରଞ୍ଜନ ଦାସ, ମୃତ୍ୟୁଞ୍ଜୟ ନାରାୟଣ ହରିଚନ୍ଦନ ଆଉ ଦୀପାଳି ବସିଥିଲେ । ଚୁପ୍‌ଚାପ ମୁହଁ ତଳକୁ କରି ଦୀପାଳି ବସିଥାଏ ।

 

ଜୟନ୍ତ ଆଉ ଜଗଦୀଶଚନ୍ଦ୍ରକୁ କଚେରୀ ଆଡ଼େ ଆସିବାର ଦେଖି ସେ ସ୍ୱପ୍ନାଚ୍ଛନ୍ନ ଭଳି ଚମକି ଉଠିଲା । ସେ ଚଉକି ଛାଡ଼ି ଉଠି ଠିଆ ହୋଇପଡ଼ିଲା ଏବଂ ପୋଲିସ୍‍ ଅଫିସରଙ୍କ ଆଡ଼େ ଚାହିଁ କହିଲା—ମୁଁ କିଛି ସମୟ ପାଇଁ ବାହାରକୁ ଯାଉଚି । ଆପଣ ଏମାନଙ୍କୁ ସବୁ କଥା କହିଦିଅନ୍ତୁ-। କଥାବାର୍ତ୍ତା ବେଳେ ମୋର ଏଠାରେ ରହିବାଟା ସୁନ୍ଦର ହେବନି ।

 

ଜଗଦୀଶଚନ୍ଦ୍ର ପାଖଦେଇ ବାହାରି ଗଲାବେଳେ ଦୀପାଳି କହିଲା,—ମୁଁ ଯେ ହତ୍ୟାକାରିଣୀ, ସେ ବିଷୟରେ ତମେ ଭଲ ଖେଳ ଦେଖୁଚ ।

 

କହିଦେଇ ସେ ଘରଭିତରୁ ବାହାରିଗଲା ।

ଥାନା ଅଫିସର ଜୟନ୍ତ ଆଉ ଜଗଦୀଶଚନ୍ଦ୍ରକୁ ଚାହିଁ କହିଲେ—ବସିପଡ଼ନ୍ତୁ ।

ସେ ଦୁହେ ବସିବା ପରେ ପୋଲିସ ଅଫିସର କହିଲେ—ମୁଁ ଡାକ୍ତର ଅପୂର୍ବରଞ୍ଜନ ଦାସଙ୍କ କଥା ଅନୁସାରେ କେବଳ ଏଇଥି ପାଇଁ ଏଠାକୁ ଡକେଇଚି ଯେ ନକଲି ଗୌନ୍ତିଆ ଜଣକ କିଏ, ଚିହ୍ନା ପଡ଼ିବି ।

—ତାଙ୍କୁ କିଏ ଚିହ୍ନି ପାରିଲେ ?

ଜୟନ୍ତ ଖଣ୍ଡେ ସିଗାରେଟ୍‍ ଧରାଇ ପଚାରିଲା ।

ଡାକ୍ତର ଅପୂର୍ବରଞ୍ଜନ ଦାସ କହିଲେ—ମିଷ୍ଟର ହରିଚନ୍ଦନ ।

—ସେ ଗୌନ୍ତିଆଜଣକ କିଏ ?

ମୃତ୍ୟୁଞ୍ଜୟ ନାରାୟଣ ହରିଚନ୍ଦନ କହିଲେ—ଗୋଟାଏ କୁଖ୍ୟାତ ଠକ । ମୁଁ ଆପଣଙ୍କୁ କେତେକ ଜିନିଷ ଦେଖାଉଚି ।

ଏକଥା କହି ମୃତ୍ୟୁଞ୍ଜୟ ନାରାୟଣ ହରିଚନ୍ଦନ ତାଙ୍କ ଚେୟାର ପାଖ ଟେବୁଲର ଡ୍ରୟର ଫିଟାଇଲେ । ହାତ ପୂରାଇ ତା ମଧ୍ୟରୁ ଗୋଟାଏ ପାଟକନାର ପୁଟୁଳା ବାହାର କରି ଆଣିଲେ । ଖୁବ୍‌ ସାବଧାନରେ ସେ ସେଇ ପୁଟୁଳା ଫିଟାଇଲେ । ସେଥିରୁ ଚାରୋଟି ଜିନିଷ ବାହାରିଲା : କାନରେ ପିନ୍ଧିବାର ଝରା, ଡେଣାରେ ପିନ୍ଧିବାର ଅନନ୍ତ, ଖୋପାରେ ଲଗେଇବାର ଚଉଁରୀଝୁମ୍ପା ଆଉ ଗୋଟାଏ ତିନିଧାଡ଼ିର ପଦକ ମାଳ । ଜୟନ୍ତ ତୀକ୍ଷ୍‌ଣ ଦୃଷ୍ଟିରେ ଅଳଙ୍କାରଗୁଡ଼ିକ ଆଡ଼େ ଚାହିଁଥାଏ । ମନେହୁଏ, ସେଗୁଡ଼ିକ ପୁରୁଣାକାଳିଆ ଅଳଙ୍କାର ।

—ଏ ଅଳଙ୍କାର କଣ ନକଲି ?

—ନା, ଅସଲି । ଏ ଅଳଙ୍କାର କାଶ୍ମୀରର ବିଖ୍ୟାତ କାରିଗରମାନଙ୍କର ଶ୍ରେଷ୍ଠ କୃତିତ୍ୱ । ଅଷ୍ଟାଦଶ ଶତାଦ୍ଦୀ ପ୍ରସ୍ତୁତ ।

—ଏଗୁଡ଼ିକ କଣ ଆପଣଙ୍କର ?

—ମୋର ନୁହେଁ, ଦୀପାଳିଙ୍କର ।

ଜଗଦୀଶଚନ୍ଦ୍ର କହିଉଠିଲା—ମିଛ କଥା, ଦୀପାଳି ପାଖରେ କୌଣସି ଅଳଙ୍କାର ନାହିଁ ।

—ଆପଣ କେବଳ ଶୁଣାଶୁଣିରୁ କହୁଛନ୍ତି ଯେ ଦୀପାଳି ପାଖରେ କୌଣସି ଅଳଙ୍କାର ନାହିଁ । ଏକଥା ସତ ଯେ ସେ ଏ ଅଳଙ୍କାର କେବେ ପିନ୍ଧିନାହିଁ । କିନ୍ତୁ ତା ଅର୍ଥ ନୁହେଁ ଯେ, ଅଳଙ୍କାରକୁ ଘୃଣା କରୁଥିବା ଲୋକ ପାଖରେ ଅଳଙ୍କାର ରହିବନି ।

କିଛି ସମୟ ପାଇଁ କକ୍ଷ ମଧ୍ୟରେ ନୀରବତା ଖେଳିଗଲା । କିଛି ସମୟ ପରେ ମୃତ୍ୟୁଞ୍ଜୟ ନାରାୟଣ ପୋଲିସ ଅଫିସରଙ୍କୁ ଚାହିଁ କହିଲେ—ଆପଣ ମତେ ଅନୁମତି ଦିଅନ୍ତୁ, ଦୀପାଳି ମତେ ଯେଉଁ କଥା କହିଚି, ସେକଥା ଏମାନଙ୍କୁ କହିଦିଏ ।

 

—କହିପାରନ୍ତି, କୌଣସି ଆପତ୍ତି ନାହିଁ ।

 

ମୃତ୍ୟୁଞ୍ଜୟ ନାରାୟଣ ଆରମ୍ଭ କଲେ—ଏଇଟା ଗୋଟାଏ ମୂର୍ଖତାପୂର୍ଣ୍ଣ କାହାଣୀ, କିନ୍ତୁ ଖୁବ୍‌ ବେଦନାଦାୟକ ହେବ । ଗୋଟିଏ ଗରିବ ଦୁଃଖିନୀ ଝିଅର କଥା, ଯେ କି ସମାଜରେ ସମ୍ମାନପୂର୍ଣ୍ଣ ସ୍ଥାନ ପାଇବା ପାଇଁ ପିଲାଦିନୁ ଆଜି ପର୍ଯ୍ୟନ୍ତ ଚେଷ୍ଟା ଚଳାଇ ଆସିଚି ।

 

ହଠାତ୍‌ ମୃତ୍ୟୁଞ୍ଜୟ ନାରାୟଣ ଟିକିଏ ରହିଯାଇ ଗୁରୁ ଗମ୍ଭୀର ସ୍ୱରରେ କହିଲେ ଆପଣମାନେ କୁମୁଦ ନାମରେ କୌଣସି ସ୍ତ୍ରୀଲୋକର ନାମ ଶୁଣିଛନ୍ତି ?

 

ସମସ୍ତେ ଏକସଙ୍ଗେ ଅସ୍ୱୀକାର କଲେ ।

 

—କୁମୁଦ ସେତେବେଳେ କୁଖ୍ୟାତ ଡକାୟତ ରମଣୀ ଭାବରେ ପରିଚିତ ଥିଲା । ଅଷ୍ଟାଦଶ ଶତାଦ୍ଦୀର ସେ ତାର ପ୍ରେମିକ ଡକାୟତ ସାହାଯ୍ୟରେ ଅନେକ ଛୋଟ ଛୋଟ ରାଜା ଜମିଦାରଙ୍କ ସମ୍ପତ୍ତି ଲୁଣ୍ଠନ କରିଥିଲା । ସେତେବେଳକୁ ମୋର ବଡ଼ବାପା ଜୀବିତ ଥାଆନ୍ତି । ହଠାତ୍‌ କୁମୁଦ ଦିନେ ଏ ନଗର ଉପରେ ଦୃଷ୍ଟି ପକେଇଲା ଏବଂ ଏ ଅଳଙ୍କାରତକ ସାଙ୍ଗରେ ନେଇଗଲା ।

 

—କୋଉ ଅଳଙ୍କାର, ଯାହାକୁ ଆପଣ ଆମକୁ ଦେଖାଇଲେ ?

 

—ଆଜ୍ଞା, ହଁ । ଯେତେବେଳେ କୁମୁଦର ବୟସ ବଳେଇ ପଡ଼ିଲା ସେତେବେଳେ ତାର ପ୍ରେମିକ ତାକୁ ଛାଡ଼ି ଚାଲିଗଲା । ବୟସାଧିକ୍ୟ ଯୋଗୁ ଅନ୍ୟ ପ୍ରେମିକ ମଧ୍ୟ ଜୁଟିଲେନି । ତାକୁ ଛାଡ଼ି ଚାଲି ଯାଇଥିବା ପ୍ରେମିକ ଉପରେ ପ୍ରତିଶୋଧ ନେବା ପାଇଁ ସେ ଏକପ୍ରକାର ପାଗଳୀ ହୋଇଉଠିଲା । କିନ୍ତୁ ତା ପୂର୍ବରୁ ଗୋଟାଏ ଦୁର୍ଘଟଣାରେ ତାର ମୃତ୍ୟୁ ହୋଇଗଲା । ସେତେବେଳେ ତା କୋଳରେ ଗୋଟିଏ ସୁନ୍ଦରୀ ଝିଅ ରହିଥାଏ । ତା ଦଳରେ ଜଣେ ପୁରୁଣା ଡକାୟତ ଯେ କି ଅନେକ ଦିନ ହେଲା ଡକାୟତ ବୃତ୍ତି ଛାଡ଼ି ସାଧୁ ଜୀବନ ଯାପନ କରୁଥିଲା ସେ ଝିଅଟିକୁ ନେଇ ଭଳ ଭାବରେ ପାଳି ପୋଷି ଗୋଟିଏ ଭଲ ଘରେ ତାର ବିବାହ ଦେଇଥିଲା । ସେଇ ଝିଅଟି ହିଁ ନନ୍ଦିକିଶୋର ରାୟଙ୍କ ମାଉସୀର ଝିଅ । ସେ ନିଜ ମାଉସୀ ଝିଅ ନୁହେଁ, କେବଳ ତାଙ୍କ ମାଉସୀ କୋଳରେ ପାଳିତ ହୋଇଥିଲା । ବର୍ତ୍ତମାନ ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ପଡ଼ିଚି । ଦୀପାଳି ହେଉଚି ତା’ରି ଝିଅ ।

 

ଜଗଦୀଶଚନ୍ଦ୍ର ପଚାରିଲା—ଏକଥା କଣ ଦୀପାଳି ଆପଣଙ୍କୁ କହିଛନ୍ତି ?

 

—ହ ।

 

ସଂକ୍ଷିପ୍ତ ଉତ୍ତର ଦେଇ ମୃତ୍ୟୁଞ୍ଜୟ ନାରାୟଣ ଚୁପ୍‌ ହୋଇଗଲେ ।

 

ଜୟନ୍ତ ମନଯୋଗ ଦେଇ ମୃତ୍ୟୁଞ୍ଜୟ ନାରାୟଣଙ୍କ କଥାଗୁଡ଼ା ଶୁଣୁଥିଲା । କଥା ଶେଷ ହୋଇଯିବା ପରେ ସେ ମୁହଁ ଉଠାଇ ମୃତ୍ୟୁଞ୍ଜୟ ନାରୟଣଙ୍କ ଆଡ଼େ ଚାହିଁଲା । ମନେହେଉଥିଲା, ସେ ଯେମିତି ଆଉ କିଛି କହିବାକୁ ଇଚ୍ଛା କରୁଛନ୍ତି ।

 

ମୃତ୍ୟୁଞ୍ଜୟ ନାରାୟଣ ତାଙ୍କ ଡ୍ରୟାର ଭିତରୁ ଖଣ୍ତେ ସିଗାରେଟ୍‍ କାଢ଼ି ଧରାଇଲେ । ଗୋଟାଏ ଲମ୍ବା ଟାଣ ଦେଇ କହିଲେ—ଏକଥା ମୁଁ ଜୀବନରେ କୌଣସି ଦିନ ଜାଣି ପାରି ନ ଥାନ୍ତି-। ଏଇ ଅଳ୍ପ ସମୟ ତଳେ ଦୀପାଳି ଏଠାକୁ ଆସି ଏ ପୁଟୁଳାଟା ମୋ ପାଦ ପାଖରେ ରଖି କହିଲା, ‘ଏ ଅଳଙ୍କାରଗୁଡ଼ିକ ଆପଣ ରଖନ୍ତୁ । ଏ ହେଉଚି ଆପଣଙ୍କ ଘରର ଜିନିଷ । ମୋ ପାଖରେ କେବଳ ସାଇତା ହୋଇ ରହିଥିଲା । ବର୍ତ୍ତମାନ ଆପଣମାନେ ଅନୁମାନ କରନ୍ତୁ ଦୀପାଳି କି ଧରଣର ଆଉ କି ମନୋବୃତ୍ତିର ପିଲା ହୋଇପାରେ । ଯେଉଁ ଝିଅ ଶତାଧିକ ବର୍ଷ ପରେ କୌଣସି ଗୃହସ୍ଥର ଏପରି ମୂଲ୍ୟବାନ ଅଳଙ୍କାର ଆଣି ଫେରାଇ ଦେଇପାରେ, ତାକୁ ଏ ଯୁଗର ସବୁଠାରୁ ଚରିତ୍ରବାନ୍‌ ଆଉ ମହାନ୍‌ମତିର ଝିଅ ବୋଲି ବୋଲି ମୁଁ ଭାବୁଛି ।

 

ସମସ୍ତେ ଆଶ୍ଚର୍ଯ୍ୟସାଗରରେ ବୁଡ଼ି ରହିଥାଆନ୍ତି । ମୃତ୍ୟୁଞ୍ଜୟ ନାରାୟଣ ଠିକ୍‌ କଥା କହୁଛନ୍ତି ।

 

ସେ ପୁଣି କହିଲେ—ଦୀପାଳି ଏ ଅଳଙ୍କାରଗୁଡ଼ିକୁ ତା ଜୀବନର କଣ୍ଟା ବୋଲି ମନେ କରୁଥିଲା । ମାଆଠାରୁ ଅଳଙ୍କାରଗୁଡ଼ିକ ପାଇବା ପରଠାରୁ ସେ ଏଗୁଡ଼ିକ ଲୁଚେଇ ରଖୁଥିଲା । ସେଥିପାଇଁ ସେ ଏଠାକୁ ଆସି ତା ବଖରାର କାନ୍ଥରେ ଗୋଟାଏ ଟ୍ରେଜେରୀ ଲଗେଇଥିଲା । ପ୍ରଥମେ ସେ ବିଚାରୀ ଜାଣି ପାରି ନ ଥିଲା ଏ ଅଳଙ୍କାରଗୁଡ଼ିକ କାହାର । ଦିନେ ମୁଁ ନନ୍ଦକିଶୋର ରାୟଙ୍କ ପରିବାରକୁ ଆମ ନଅରକୁ ନିମନ୍ତ୍ରଣ କରିଥିଲି । ଦୀପାଳି ସେମାନଙ୍କ ସାଙ୍ଗରେ ଆସି ନଅରରେ ଥିବା ମୋର ଜେଜେମାଆଙ୍କ ଫଟୋଆଡ଼େ ଏକଦୃଷ୍ଟିରେ ଚାହିଁରହିଥିଲା । ମୋର ଜେଜେମାଆ ସେ ଫଟୋରେ ଏ ଅଳଙ୍କାରଗୁଡ଼ିକ ଲଗାଇଥିଲେ । ଦୀପାଳି ଜାଣିପାରିଲା ଯେ ତା’ ପାଖରେଥିବା ଅଳଙ୍କାରଗୁଡ଼ିକ ମୋ ଜେଜେମାଆଙ୍କର ।

 

—ଅଳଙ୍କାରଗୁଡ଼ିକର ମୂଲ୍ୟ କେତେ ହେବ ?

 

—ସାତଲକ୍ଷରୁ କମ୍‌ ହେବନି ।

 

ମୃତ୍ୟୁଞ୍ଜୟ ନାରାୟଣ ଏଥର ସିଗାରେଟ୍‍ରେ ଆଉ ଗୋଟିଏ ଲମ୍ବା ଟାଣଦେଇ କହିଲେ–ମୁଁ ଆପଣମାଙ୍କୁ ଏଥର ଶେଷ ପରିଚ୍ଛେଦଟା ଶୁଣୋଉଚି । କୁମୁଦର ସେ ପ୍ରେମିକ ଡକାୟତ ତାକୁ ଛାଡ଼ିଗଲେ ମଧ୍ୟ ଏ ଅଳଙ୍କାରଗୁଡ଼ିକ କଥା ଭୁଲି ନ ଥିଲା । କିନ୍ତୁ କୁମୁଦପାଖରୁ ସେତକ କାଢ଼ି ନେବା ତା ପକ୍ଷେ ସମ୍ଭବ ହୋଇ ନ ଥିଲା । ମୃତ୍ୟୁ ସମୟରେ ସେ ତାର ପୁଅକୁ କହି ଦେଇ ଯାଇଥିଲା ଯେ, କୌଣସି ପ୍ରକାରେ ଏ ଅଳଙ୍କାର ଯେମିତି ସେ ସଂଗ୍ରହ କରେ । ସେ ପୁଅ ଆଉ କେହି ନୁହେଁ, ସେ ଏଇ ନକଲି ଗୌନ୍ତିଆ । କୌଣସି ପ୍ରକାରେ ଦୀପାଳିଠାରୁ ଗହଣାତକ କାଢ଼ି ନେବାପାଇଁ ସେ ଚେଷ୍ଟା ଚଳେଇଥିଲା ।

 

ଜୟନ୍ତ କହିଲା—ଏ କଥାରୁ ତ ଗୋଟାଏ ଗଭୀର ଅର୍ଥ ବାହାରୁଚି ।

 

—କଣ ସ ଅର୍ଥଟା ?

 

—ନକଲି ଗୌନ୍ତିଆ ଅଳଙ୍କାରଗୁଡ଼ିକ ପାଇବାପାଇଁ ପ୍ରାଣପଣେ ଚେଷ୍ଟା କରୁଚି ବୋଲି ହୁଏତ କାହାକୁ କହିଦେଇଚି । ଜାଣିପାରିଥିବା ଲୋକଟି ବୋଧହୁଏ ଏକା ସବୁତକ ଅଳଙ୍କାର ହାତେଇନେବା ଉଦ୍ଦେଶ୍ୟରେ ନକଲି ଗୌନ୍ତିଆକୁ ରାସ୍ତାରୁ ପାଖେଇ ଦେଇଚି ।

 

ପୋଲିସ ଅଫସର ପଚାରିଲେ–ସେ ଏକଥା କାହାକୁ କହିଥିବ ବୋଲି ଆପଣ ଅନୁମାନ କରୁଛନ୍ତି ?

 

—ସମୟ ଆସିଲେ ସେଇଟା ଜଣାପଡ଼ିବ ।

 

ଶେଷ ଟାଣ ଦେଇ ସିଗାରେଟ୍‍ଟା ଆସ୍‌ଟ୍ରେ ଭିତରେ ଗୁଞ୍ଜିଦେଇ ମୃତ୍ୟୁଞ୍ଜୟ ନାରାୟଣ କହିଲେ—ଶେଷରେ ଆଉ ଗୋଟାଏ ରହସ୍ୟ ମୁଁ ଆପଣମାନଙ୍କୁ କହୁଚି । ଏ ନକଲି ଗୌନ୍ତିଆ ଦୀପାଳିକୁ ଡରାଇ ଥିଲା ଯେ ସେ ତାର ବଂଶର ପୁରୁଣା ଇତିହାସ ଜାଣେ । ସେକଥା କହି ଦୀପାଳିକୁ ସେ ବ୍ଲାକ୍‌ମେଲ କରିବାର ଚେଷ୍ଟା କରୁଥିଲା ।

 

ଦୀପାଳିକୁ ଏଥର ଭିତରକୁ ନେଇଆସିବା ପାଇଁ ଜୟନ୍ତୁ ଜଗଦୀଶଚନ୍ଦ୍ରକୁ କହିଲା ।

 

ଜଗଦୀଶଚନ୍ଦ୍ର ଦୀପାଳିକୁ ନେଇ ଭିତରକୁ ଆସିଲା । ଭିତରକୁ ଆସି ଦୀପାଳି ତା ଚଉକିରେ ମୁହଁ ପୋତି ବସି ରହିଲା ।

 

ମୃତ୍ୟୁଞ୍ଜୟ ନାରାୟଣ କହିଲେ—ମୁଁ ଏ ଭଦ୍ରଲୋକମାନଙ୍କୁ ତୁମର ସବୁକଥା ଶୁଣେଇଦେଇଚି ।

 

ଦୀପାଳି କହିଲା, ଆପଣଙ୍କର ଅଶେଷ ଦୟା ।

 

ଜୟନ୍ତ ପଚାରିଲା, ଆଚ୍ଛା, ଦୀପାଳି ଦେବୀ, ରୁବି ଯେତେବେଳେ ଆପଣଙ୍କ ବଖରାକୁ ଗଲେ ସେତେବେଳେ କଣ ହେଲା ?

 

ଖଣ୍ତେ ଛୋଟ ରୁମାଲରେ ମୁହ ପୋଛି ଦୀପାଳି କହିଲା—ଆପଣ ଜାଣନ୍ତି ଆପଣ ଗଲାବେଳକୁ ମୁଁ ମୋ ଖଟ ଉପରେ ବସି ଖଣ୍ତେ ଚିଠି ଲେଖୁଥିଲି । ଆପଣ ଆସିବା ପରେ ମୁଁ ପୁଣି ସେ ଅଧା ଚିଠି ଖଣ୍ତକ ଲେଖିବାକୁ ଗଲି । ସେତିକିବେଳେ ରୁବି ମୋ ବଖରାକୁ ପଶିଆସିଲା । ତାର ଆଖି ଦୁଇଟାରୁ ନିଆଁ ବାହାରୁଥାଏ । ଅସିବାମାତ୍ରେ ମତେ ସେ କହିଲା—ପୁଣି କାହାକୁ ବିଷରଶ୍ମି ଦେଇ ମାରିବା ଚେଷ୍ଟା ହେଉଚି ? ତ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ତା ପରେ ଟ୍ରେଜେରୀ ଆଡ଼େ ଆଗେଇ ଯାଇ ସେ ମତେ ଆଦେଶ ଦେଲା ଯେ ଟ୍ରେଜେରୀଟା ଖୋଲି ମୁଁ ତାକୁ ଯେମିତି ଦେଖାଏଁ । ମୁଁ ତାର ସେ ଆଦେଶ ମାନିବାକୁ ସିଧା ମନା କରିଦେଲି । ଆଗରୁ ଥରେ ସେ ସେମିତି ଆସି ମୋତେ ଧମକ ଦେଇ କହିଥିଲା, ବାଧାଦେଲେ ମୋର ଗାଲ ଫଟେଇଦେବ । ଏଥର ବି ସେ ମତେ ସେଇ ଧମକ ଦେଲା । ମୁଁ ଚିଠିଟାକୁ ଆଡ଼େଇ ରଖିଦେଲି ।

 

—ତା’ ପରେ ଖଣ୍ତେ କାଚ ଉଠାଇ ତାଙ୍କୁ ଆଘାତ ଦେଲ ?

 

—ଏ କି କଥା ଆପଣ କହୁଛନ୍ତି ? ମୁଁ ତାକୁ ଆଘାତ କରିବା ଦୂରେ ଥାଉ, ତେଢ଼ା କରି ବି କିଛି କହିନି ।

 

—ଆପଣ କାଚରେ ତାଙ୍କୁ ମାରି ନାହାନ୍ତି ?

 

—ମୋଟେ ନୁହେଁ ।

 

—ତା’ହେଲେ ତାଙ୍କ କାନମୂଳରେ କ୍ଷତି ହେଲା କେମିତି ? ସେ ବେହୋସ ହୋଇ ପଡ଼ିଥିଲେ ଯେ ?

 

—ସେକଥା ଶୁଣନ୍ତୁ । ମୋ ଆଡ଼କୁ ରାଗରେ ଯେତେବେଳେ ସେ ଛପଟି ଆସିଲା, ମୁଁ ଟିକିଏ ଆଡ଼େଇ ହୋଇଗଲି । ମୋ ଖଟବାଡ଼ ପାଖରେ ସେ ବାଡ଼େଇ ହୋଇ ପଡ଼ିଲା । ସଙ୍ଗେ ସଙ୍ଗେ ସେ ବେହୋସ ହୋଇଗଲା । ତାର ଅଜ୍ଞାତ ହୋଇଯିବା ଦେଖି ମୁଁ ଟ୍ରେଜେରୀରୁ ଅଳଙ୍କାର କାଢ଼ି ସେଇଟା ସେମିତି ଫଟା ଅବସ୍ଥାରେ ଛାଡ଼ି ଧାଇଁଆସିଲି ।

—ମୋର ପ୍ରଥମରୁ ସନ୍ଦେହ ହେଉଥିଲା ଯେ ଦୀପାଳି କେବେହେଲେ ଆଘାତ କରି ନାହାନ୍ତି; କାରଣ ଏ ଯଦି ଆଘାତ କରିଥାଆନ୍ତି, ତେବେ ତାଙ୍କ ଡାହାଣ ପାଖ କାନମୂଳରେ କ୍ଷତି ହୋଇଥାଆନ୍ତି । କିନ୍ତୁ କ୍ଷତଟା ଯେ ବାମ କାନମୂଳରେ ହେଇଚି ।

ଡାକ୍ତର ଅପୂର୍ବ ରଞ୍ଜନ ଦାସ କହିଲେ—ମିଷ୍ଟର ପାଣିଗ୍ରାହୀ ଆପଣ ସାଧାରଣ କଥାକୁ ବି କୌଶଳର ସହିତ ଅସାଧାରଣ ପ୍ରତିପାଦନ କରିପାରିଛନ୍ତି ।

—ଆପଣମାନେ ମତେ ଅଯଥା ପ୍ରଶଂସା କରିବା ଅପେକ୍ଷା ଏ କଥା ବିଚାର କରନ୍ତୁ ଯେ ରୁବି ମିଛ କଥା କାହିଁକି କହିଲେ, ଆଉ ସିଧା କହିଲେ ଯେ ଦୀପାଳି ତାଙ୍କୁ ଖଣ୍ତେ କାଚରେ ମାରି ବେହୋସ କରି ଦେଇଚନ୍ତି ?

ପୋଲିସ ଅଫିସର କହିଲେ—ସେ କଥା ତ ଜାଣିହେଉନି ।

—ମୋର ବିଚାର, ଚାଲନ୍ତୁ ସମସ୍ତେ ଏକସଙ୍ଗେ ମିଶି ରୁବିଙ୍କ ସଙ୍ଗେ ଦେଖା କରିବା ।

ପୋଲିସ ଅଫିସର ଉଠିପଡ଼ି କହିଲେ—ଚାଲନ୍ତୁ ।

ମୃତ୍ୟୁଞ୍ଜୟ ନାରାୟଣଙ୍କୁ ଧନ୍ୟବାଦ ଜଣାଇ ସମସ୍ତେ ଉଠି ଠିଆ ହେଲେ ।

ଅଳଙ୍କାରଗୁଡ଼ିକ ପୁଣି କନା ଦେହରେ ବାନ୍ଧି ମୃତ୍ୟୁଞ୍ଜୟ ନାରାୟଣ ସେଇଟା ଦୀପାଳି ଆଡ଼େ ବଢ଼ାଇ ଧରି କହିଲେ—ଏ ଅଳଙ୍କାର ବର୍ତ୍ତମାନ ମୋର ନୁହେଁ, ତୁମର; କାରଣ ଅନେଇ ଦିନ ହେଲା ଏସବୁ ତୁମ ପରିବାରର ଅଧିକାରରେ ରହିଚି ।

ହାତଯୋଡ଼ି ଦୀପାଳି କହିଲା—ନା, ମୁଁ ଏ ଅଳଙ୍କାର ନେଇପାରିବନି । ଆପଣଙ୍କ ଘରୁ ଏସବୁ ଲୁଟି ନିଆ ଯାଇଥିଲା । ଆପଣ ମତେ ଏ ଭୟଙ୍କର ପାପର ପ୍ରାୟଶ୍ଚିତ୍ତ କରିବାକୁ ଦିଅନ୍ତୁ ।

ବାଧ୍ୟ ହୋଇ ମୃତ୍ୟୁଞ୍ଜୟ ନାରାୟଣ ଅଳଙ୍କାରଗୁଡ଼ିକ ରଖିଲେ ।

କିଛି ସମୟ ପରେ ପୋଲିସ୍‌ ଅଫିସର ଆଉ ଜୟନ୍ତି, ଜଗଦୀଶଚନ୍ଦ୍ର ସହିତ ତାଙ୍କ କୋଠିରେ ପହଞ୍ଚିଲେ । ଜଗଦୀଶଚନ୍ଦ୍ର ରୁବି ବଖରାକୁ ଗଲା । ଫେରିଆସି ସେ କହିଲା—ଦୁଃଖର ବିଷୟ ଯେ ଆପଣମାନେ ରୁବି ସଙ୍ଗେ ଦେଖା କରିପାରୁନାହାନ୍ତି । ତାକୁ ଭୀଷଣ ଜର ହୋଇଯାଇଚି । ଜରରେ ସେ ପ୍ରଳାପ କରୁଚି ।

ଡାକ୍ତର ଅପୂର୍ବରଞ୍ଜନ ଦାନ କହିଲେ—ମୁଁ ବର୍ତ୍ତମାନ ରୁବିଙ୍କର ଅବସ୍ଥା ଦେଖି ଆସୁଚି ।

ଅଳ୍ପ ସମୟ ପରେ ଡାକ୍ତର ଅପୂର୍ବରଞ୍ଜନ ଦାସ କହିଲେ—ରୁବିଙ୍କୁ ମୁଁ ଗୋଟାଏ ଇଞ୍ଜେକସନ ଦେଇ ଆସିଚି । ସକାଳକୁ ସେ ସୁସ୍ଥ ହୋଇଯାଇଥିବେ । ଆପଣ ସକାଳେ ତାଙ୍କ ସଙ୍ଗେ କଥାବାର୍ତ୍ତା କରିପାରିବେ ।

 

ଜୟନ୍ତ କହିଲା—ମୁ୍ଁ ଟିକିଏ ସେ ଗୌନ୍ତିଆଙ୍କ ବଖରାଟା ଦେଖିବାକୁ ଇଚ୍ଛା କରୁଚି । ସେ ବଖରା ଭିତରକୁ କାହାକୁ ଛଡ଼ା ଯାଇନି ତ ?

 

—ନା, କାହାରିକୁ ଛଡ଼ାଯାଇନି ।

 

ଜଗଦୀଶଚନ୍ଦ୍ର ତାକୁ ନେଇ ଗୌନ୍ତିଆଙ୍କ ବଖରାକୁ ଗଲା । ଜୟନ୍ତୁ ସର୍ବପ୍ରଥମେ ତାଙ୍କର ଜିନିଷପତ୍ର ତଲାସ କରିବାରେ ଲାଗିଗଲା । କେତେକ ପିନ୍ଧିବା ଲୁଗାପଟା ଏବଂ ନିତ୍ୟ ବ୍ୟବହାର ଉପଯୋଗୀ ଜିନିଷ ମିଳିଲା ।

 

ଜୟନ୍ତ କହିଲା—ଗୌନ୍ତିଆ ଖୁବ୍‌ ହୁସିଆର ଲୋକ । ସେ ନିଜର ଜିନିଷ ଭିତରେ ଏମିତି କିଛି ରଖି ନାହାନ୍ତି, ଯୋଉଥିରୁ କି ତାଙ୍କ ଅତୀତ ଜୀବନ ବିଷୟରେ କିଛି ଜାଣିହେବ ।

 

କହିଦେଇ ଜୟନ୍ତ ସବୁ ଜିନିଷଗୁଡ଼ିକ ପୁଣି ବାକ୍‌ସ ଭିତରେ ପୂରାଇଦେଲା । ତା’ପରେ ବଖରାଟିର ଚାରିଆଡ଼େ ନଜର ବୁଲାଇବାରେ ଲାଗିଲା । ଖଟ ପାଖରେ ଖଣ୍ତେ ଟେବୁଲ ପଡ଼ିଚି । ଟେବୁଲ ଉପରେ ରଖାଯାଇଥିବା ଆସଟ୍ରେ’ଟା ଅଧାପୋଡ଼ା ସିଗାରେଟ୍‌ରେ ପୂର୍ଣ୍ଣ ହୋଇଯାଇଚି । ଜୟନ୍ତି ସେଗୁଡ଼ିକ ଗଣିଲା । ପୂରା ଚାଳିଶଟି ଖଣ୍ତ ଥିଲା ।

 

ଜୟନ୍ତ ଡାକ୍ତର ଅପୂର୍ବରଞ୍ଜନ ଦାସଙ୍କୁ ପଚାରିଲା—ଜଣେ ଦକ୍ଷା ସିଗାରେଟ୍‌ ଖିଆଳି ବା ଲଗାୟତ ସିଗାରେଟ୍‌ ଟାଣିପାରୁଥିବା ବ୍ୟକ୍ତି ଖଣ୍ତେ ସିଗାରେଟ୍‌ କେତେ ମିନିଟ୍‌ମଧ୍ୟରେ ଟାଣି ପାରିବ ?

 

—ଯେଉଁ ଲୋକ ମଉଜରେ ସିଗାରେଟ୍‌ ଟାଣନ୍ତି, ସେମାନେ ଆଠ ଦଶ ମିନିଟ ଭିତରେ ଖଣ୍ତେ ସିଗାରେଟ୍‌ ଟାଣି ପାରିବେ । ଯେଉଁ ଲୋକମାନେ ଜୋରରେ ଟାଣନ୍ତି, ସେମାନଙ୍କୁ ଖଣ୍ତେ ସିଗାରେଟ୍‌ ଟାଣିବାପାଇଁ ପାଞ୍ଚମିନିଟ ଲାଗିବ ।

 

—ମାନିଲି ଏବେ, ଗୌନ୍ତିଆ ଜଣେ ଲଗାୟତ ସିଗାରେଟ୍‌ ଟାଣିବା ଲୋକ ଥିଲେ । ସେ ଚାଳିଶ ଖଣ୍ତ ସିଗାରେଟ୍‌ ସାଢ଼େ ତିନି ଘଣ୍ଟା ଭିତରେ ଟାଣିଥିବେ; କିମ୍ବା ମଝିରେ କିଛିଟା ସମୟ ନେଇଥିବେ । ମୋଟାମୋଟି ବୁଝିବାକୁ ହେବ, ସେ ତିନି ଘଣ୍ଟା ଉପରେ ସିଗାରେଟ୍‌ ଟାଣିଛନ୍ତି ।

 

ଜଗଦୀଶଚନ୍ଦ୍ର କହିଲା—ମୁଁ କହିବି ଯେ ଗୌନ୍ତିଆ ଲଗାତରୁ ସିଗାରେଟ୍‌ ଟାଣନ୍ତିନି । ଆପଣ ତାଙ୍କୁ ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ଆମ ଏଠାକୁ ନେଇ ଆସିଥିଲେ । ଆମେ ସାଢ଼େ ନଅଟା ସୁଦ୍ଧା ରାତି ଖାଇବା ଶେଷ କରିଛୁ । ତା ମଧ୍ୟରେ ତାଙ୍କୁ ଖଣ୍ତେ ବି ସିଗାରେଟ୍‍ ଟାଣିବାର ଦେଖିନି । ଦଶଟାବେଳେ ଶୋଇବାପାଇଁ ସେ ତାଙ୍କୁ ବଖରାକୁ ଚାଲିଯାଇଥିଲେ ।

 

—ଯଦି ଏକଥା ମନେକରାଯାଏ ଯେ, ସେ ତାଙ୍କ ବଖରାକୁ ଯିବା ପରେ ସିଗାରେଟ୍‌ ଟାଣିବା ଆରମ୍ଭ କରିଦେଇଛନ୍ତି, ତା’ ହେଲେ ତାର ଅର୍ଥ ହେବ ଯେ ସେ ରାତି ଦୁଇଟା ପର୍ଯ୍ୟନ୍ତ ଚାହିଁ ରହିଥିଲେ ।

 

—ହଁ ।

 

—ପ୍ରଶ୍ନ ଉଠୁଚି, ସେ ରାତି ଦୁଇଟା ପର୍ଯ୍ୟନ୍ତ କାହିଁକି ଚାହିଁ ରହିଥିଲେ ? ସେ କ’ଣ କାହାକୁ ଅପେକ୍ଷା କରିଥିଲେ ?

କିଛି ସମୟ ପରେ ଜୟନ୍ତ ସମସ୍ତଙ୍କ ପାଖରୁ ବିଦା ହୋଇ ରହୁଥିବା ଚଟିକୁ ଫେରିଆସିଲା । ସହକାରୀ ଦଳ ସେତେବେଳକୁ ତାକୁ ଅପେକ୍ଷା କରି ବସିଥାଆନ୍ତି ।

ଜୟନ୍ତୁ ସେମାନଙ୍କୁ ଶାନ୍ତାଗଡ଼ ବୁଲିଯିବା ପାଇଁ ନିର୍ଦ୍ଦେଶ ଦେଲା । ଖଣ୍ତେ ଘୋଡ଼ାଗାଡ଼ି ଭଡ଼ାକରି ସମସ୍ତେ ଶାନ୍ତାଗଡ଼ ବୁଲିବାକୁ ଗଲେ । ଫେରିଆସି ଜୟନ୍ତି ଦେଖିଲା, ଜଗଦୀଶଚନ୍ଦ୍ର ଚଟି ଆଗରେ ବୁଲୁଚି ।

—ମୁଁ ଆପଣଙ୍କୁ ଘଣ୍ଟାଏ ହେବ ଅପେକ୍ଷା କରିଚି ।

—କାହିଁକି ?

—ରୁବିର ଚେତା ଫେରିଲାଣି । ସେ କାହିଁକି ମିଛକଥା କହିଲା, ମୁଁ ତାକୁ ପଚାରିଲି । ରୁବି କାନ୍ଦୁଣୁ ମାନ୍ଦୁଣୁ ହୋଇ ବ୍ୟଥିତ ସ୍ୱରରେ କହିଲା—ସେ ମୋଟେ ମିଛ କଥା କହନି । ନିଶ୍ଚୟ କେହି ତା କାନ ମୂଳରେ ଆଘାତ କରିଚି । ସେ କହୁଚି ଯେ, ଆଘାତକାରୀ ଦୀପାଳି ନ ହୋଇ ହୁଏତ ଅନ୍ୟ କେହି ହୋଇପାରେ । ବୋଧହୁଏ ସେ ବଖରାରେ ଆଗରୁ କେହି ଲୁଚି ରହିଥିଲା । ସେଥିପାଇଁ ତା’ର ଡାହାଣ କାନମୂଳରେ କ୍ଷତି ନ ହୋଇ ବାମ କାନମୂଳରେ ହୋଇଚି । ଏ ନୂଆ କଥାଟା ଆପଣଙ୍କୁ ଜଣାଇଦେବା ଉଚିତ ମନେକଲି ।

ଜୟନ୍ତ ଜଗଦୀଶଚନ୍ଦ୍ରକୁ ଚଟିରେ ଥିବା ତା’ ବଖରାକୁ ନେଇଗଲା । ଖଣ୍ତେ ମୋଡ଼ା ଉପରେ ତାକୁ ବସାଇ କହିଲା—ସେତେବେଳେ ଦୀପାଳିଙ୍କ ଘରେ ଯଦି କେହି ଲୁଚି ରହିଥାଏ, ତା’ହେଲେ ସେଇଟା ଗୋଟାଏ ଭାବିବାର କଥା । ବର୍ତ୍ତମାନ ଦୁଇଟି କଥାରୁ ଗୋଟାଏ କଥାର ବିଶେଷ ଭାବେ ଆବଶ୍ୟକତା ରହିଚି । ମୋର ଭଲ ଭାବରେ ଏକଥା ଉଚିତ ଯେ, ରୁବି ମିଛ କହୁଚନ୍ତି ନା ଦୀପାଳି ମିଛ କହୁଚନ୍ତି ?

—ପୋଲିସ୍‌ ଅଫିସର ଗୋଟାଏ ଆଶ୍ଚର୍ଯ୍ୟଜନକ କଥା କହିଚନ୍ତି ।

—କ’ଣ ସେ କଥାଟା ?

—ଆପଣଙ୍କର ସେ ନକଲି ଗୌନ୍ତିଆଙ୍କର ପୋଷ୍ଟମର୍ଟମ ରିପୋର୍ଟି ଆସିଯାଇଚି ।

—ଆପଣ ବୋଧହୁଏ ମତେ ଏକଥା ଶୁଣେଇବେ ଯେ, ସେ ନକଲି ଗୌନ୍ତିଆଙ୍କୁ ବିଷରଶ୍ମି ଦ୍ୱାରା ହତ୍ୟା କରାଯାଇନି ?

—ତାଙ୍କ ପ୍ରତି ବିଷରଶ୍ମି ପ୍ରୟୋଗକୁ କେହି ଅସ୍ୱୀକାର କରୁନି; କିନ୍ତୁ ତାଙ୍କ ପାକସ୍ଥଳୀର ରାସାୟନିକ ରିପୋର୍ଟ ବଡ଼ ବିସ୍ମୟକର । ଭଲଭାବେ ମିଳାଇ ନ ଥିବା କେତେକ କୋଡ଼ିଏ ଗ୍ରେନ୍‌ର ମରଫିନ୍‌ ଟାବେଲେଟ୍‌ ମିଳିଚି ।

—ସର୍ବମୋଟ କେତେଟା ଟ୍ୟାବଲେଟ ମିଳିଚି ?

—ଅଧାମିଳା ଅବସ୍ଥାରେ ସାତୋଟି ଖଣ୍ତା ।

—ଆରେ ବାପ୍‌ରେ, ଏକସଙ୍ଗେ ଏତେଗୁଡ଼ାଏ ଗିଳାଯାଇଚି ! ସାମାନ୍ୟ କେତୋଟି ହେଲେ ମଣିଷ ମରି ଶୋଇବ । ଏତେଗୁଡ଼ାଏ ଟାବଲେଟ୍‌ ଗିଳିବାକୁ ଗଲେ କାହିଁକି ? ପୋଷ୍ଟମର୍ଟମ ରିପୋର୍ଟ ତ ଗୋଟାଏ ବିଚିତ୍ର କଥା ପ୍ରକାଶ କରିବି । ଆପଣ କ’ଣ କହିପାରିବେ ସେ ଟ୍ୟାବଲେଟ୍‌ଗୁଡ଼ିକ ନକଲି ଗୌନ୍ତିଆଙ୍କ ପେଟରେ ଆଗ ପଡ଼ିଚି ନା ବିଷରଶ୍ମି ଆଗେ ପ୍ରୟୋଗ କରାଯାଇଚି ?

 

—ରିପୋର୍ଟରୁ ଜଣାପଡ଼ିଚି, ବିଷରଶ୍ମି ପ୍ରୟୋଗ ହେବାର ଚାରିଘଣ୍ଟା ଆଗରୁ ଟ୍ୟାବଲେଟ୍‌ ଗୁଡ଼ିକ ପେଟକୁ ଯାଇଚି । ତା’ଛଡ଼ା ମୁଁ ଆପଣଙ୍କୁ ଆଉ ଗୋଟାଏ ଆଶ୍ଚର୍ଯ୍ୟ କଥା ଏପର୍ଯ୍ୟନ୍ତ କହିନି ।

 

—କ’ଣ ସେଇଟା ?

 

—ରୁବି ମତେ କହିଚି ଯେ, ସେଦିନ ସେ ଯେଉଁ ଛାୟାମୂର୍ତ୍ତିଟା ଧାଇଁବାର ଦେଖିଥିଲା, ସେ ଛାୟାଟା କୌଣସି ସ୍ତ୍ରୀଲୋକର ହେବ । ସେ ଛାୟା ଧଳାରଙ୍ଗର ବ୍ଲାଉଜ ଏବଂ କଳାରଙ୍ଗର ଶାଢ଼ୀ ପିନ୍ଧିଥିଲା । ଏଠାରେ କଳାରଙ୍ଗର ଶାଢ଼ୀ କେବଳ ଦୀପାଳି ପିନ୍ଧିଥାଏ । ବର୍ତ୍ତମାନ ମୁଁ ବଡ଼ ଅଡ଼ୁଆରେ ପଡ଼ିଯାଇଚି ।

 

—ଅଡ଼ୁଆ ଆଉ କ’ଣ ?

 

—କେତେବେଳେ ଭାବୁଚି, ଦୀପାଳି ଏକାବେଳେ ନିର୍ଦ୍ଦୋଷ ଆଉ ମୋର ତା’ପାଖକୁ ଯାଇ କ୍ଷମା ମାଗିବା ଦରକାର । ତା’ପରେ ଏକଥା ମଧ୍ୟ ଭାବୁଚି ଯେ, ଦୀପାଳି ହିଁ ଅପରାଧିନୀ; ତାକୁ ପୋଲିସ୍‌ ହାତରେ ଦେଇଦେବାଟା ଉଚିତ ହେବ ।

 

ଆପଣଙ୍କର ସେସବୁ କିଛି ଚିନ୍ତା କରିବା ଦରକାର ନାହିଁ । କେବଳ ମତେ ସାହେଯ୍ୟ କରନ୍ତୁ । ଦେଖିବେ, ଦିନେ ନା ଦିନେ ପ୍ରକୃତ ଅପରାଧୀ ଆଲୋକକୁ ବାହାରିଆସିବ । ଆପଣ ଯାଇ ବିଶ୍ରାମ କରନ୍ତୁ । ମୁଁ ମୋର ଉଦ୍ୟମ ଜାରି ରଖିଚି ।

 

ଆକାଶରେ ଫୁକିଆ ଆସିବାର ଅଳ୍ପ ସମୟ ହେଇଚି । ରାତିର ବହଳତା କଟି ଆସିଥିଲେ ମଧ୍ୟ ଅନ୍ଧାର ଘନେଇ ରହିଚି । ବୋନାପାର୍ଟ ସହିତ ଜୟନ୍ତ ରାୟଭିଲା ପଛରେ ଠିଆହୋଇ କ’ଣ ଯେମିତି ଭାବୁଚି । ସେ ପକେଟରୁ ଗୋଟାଏ ବ୍ଳାଉଜ ବାହାର କଲା । ସେଇଟା ତା’ର ଏକନମ୍ବର ମହିଳା ସହକାରୀର । ଜୟନ୍ତ ସେ ବ୍ଳାଉଜ ଖଣ୍ତକ ବୋନାପାର୍ଟକୁ ଦେଖାଇଲା । ତା’ପରେ ଠାରିଠୁରି ତାକୁ କ’ଣ କରିବାକୁ ହେବ ବୁଝାଇଦେଲା ।

 

ଯେତେବେଳେ ଜୟନ୍ତ ଜାଣିପାରିଲା ବୋନାପାର୍ଟ ତା’ର ଇଙ୍ଗିତ ଭଲଭାବରେ ବୁଝିପାରିଚି, ସେତେବେଳେ ସେ ଗୋଟାଏ ବଖରାଆଡ଼େ ଆଗେଇଗଲା । କାନ୍ଥଦେହକୁ ଆଉଜି ଝରିକା ଉପରେ ହାତ ରଖିଲା । ଅଳ୍ପକେ ଜାଣିପାରିଲା ଯେ, ସେଇଟା ରେଲିଂବିହୀନ କାଚଲଗା ଝରକା ପ୍ୟାଣ୍ଟପକେଟରୁ ସେ ଗୋଟାଏ ଫୁଟ୍‌ରୁଲ୍‌ କାଢ଼ିଲା । ଅନ୍ୟ ପକେଟରେ ହାତ ପୁରାଇ କ’ଣ ଗୋଟାଏ ଜିନିଷ ବାହାର କରିଆଣିଲା । ଝରକା କାଚଉପରେ ଫୁଟରୁଲ୍‌ ରଖି ସେ ଜିନିଷଟା ଘୋଷାରି ଆଣିଲା । ଜଣାପଡ଼ିଲା, ଜିନିଷଟା ଗ୍ଳାସକଟର । ଝରକାର ଖଣ୍ତେ କାଚ ଦୁଇଖଣ୍ତ ହୋଇ ବାହାରିଆସିଲା । ଏଭଳି ଭାବେ ସେ ଗୋଟାଏ ପାଖ ଝରକାର ଢଳ ଉପର ତିନିଖଣ୍ତି କାଚ ବାହାର କରିଦେଲା । ଖଣ୍ତେ ପତଳା ଆରି ସାର୍ଟପକେଟରୁ କାଢ଼ି କାଠ ଫ୍ରେମଗୁଡ଼ିକ ଉପରେ ଘଷି କାଟିଦେଲା । ଝରକାର ବର୍ତ୍ତମାନ ଯେତିକି ଅଂଶ ଖୋଲା ରହିଚି, ସେଥିରେ ବୋନାପାର୍ଟ ଅକେଶରେ ଭିତରକୁ ଯାଇପାରିବ ।

 

ଜୟନ୍ତ ବୋନାପାର୍ଟକୁ ସେ ଝରକା ପାଖକୁ ନେଇଆସିଲା । ତା’ର ଅଣ୍ଟଠାରୁ ଟେକି ଝରକାବାଟେ ଘର ଭିତରକୁ ଗଳାଇଦେଲା ଏବଂ ନିଶ୍ୱାସ ବନ୍ଦ କରି ସେଠାରେ ଅପେକ୍ଷା କରି ରହିଲା । ସାତ ଆଠ ମିନିଟ ପରେ ଝରକାରେ ବୋନାପାର୍ଟ ମୁହଟା ଟେକି ଧରିଲା । ହାତ ଚଳାଇ ଜୟନ୍ତି ତାକୁ ଟେକିଆଣିଲା ବାହାରକୁ । ତା ମୁହଁରେ ରହିଚି ଖଣ୍ତେ ବ୍ଳାଉଜ୍‌ ।

 

ତା’ପରେ ଜୟନ୍ତ ତାକୁ ସେଇଠିକି ନେଇଗଲା, ଯେଉଁଠି ରୁବି କହୁଥିଲା ଗୋଟାଏ ଛାୟା ଆସି ବୁଦାପାଖରେ ଛପି ଯାଇଥିଲା । ସେଇ ବୁଦାପାଖରେ ପହଞ୍ଚି ବୋନାପାଟ ଆଣିଥିବା ବ୍ଳାଉଜଟା ତା ମୁହଁରେ ଧରାଇଦେଲା । ଦୁଇ ମିନିଟ ମୁହଁରେ ଧରିବା ପରେ ବୋନାପାର୍ଟ ସେ ଖଣ୍ତକ ପକାଇଦେଲା ଏବଂ ଗୋଟାଏ ଦିଗ ଧରି ଆଗେଇଗଲା । ମୃତ୍ୟୁଞ୍ଜୟନାରାୟଣଙ୍କ ଜାଗା ରହିବି । ସେଇଠି ବୋନାପାଟ ଠିଆ ହୋଇପଡ଼ିଲା ।

 

ଜୟନ୍ତର ମୁହଁ ଉଜ୍ଜ୍ୱଳ ହୋଇଉଠିଲା । ସେ ଯେଉଁ ପଦ୍ଧତିରେ ଅଗ୍ରସର ହେଉଥିଲା ସେଥିରେ ସେ ସଫଳତା ଲାଭ କରିଚି ।

 

ଦେଢ଼ଘଣ୍ଟା ପରେ ଜୟନ୍ତ ଯେହତେବେଳେ ଚଟିକୁ ଫେରିଲେ, ସେତେବେଳେ ତା’ର ସହକାରୀମାନେ ବିଛଣା ଛାଡ଼ିସାରିଥାଆନ୍ତି । ସେମାନେ ଜୟନ୍ତକୁ ପ୍ରଫୁଲ୍ଲ ଥିବାର ଦେଖି ଜାଣିପାରିଲେ ଯେ, ସେ ହତ୍ୟାକାରୀକୁ ଆବିଷ୍କାର କରିବାପାଇଁ କୌଣସି ଆଲୋକ ପାଇସାରିଚି ।

 

ସକାଳର ଚା’ଜଳଖିଆ ପର୍ବ ଶେଷ ହେବାପରେ ଜୟନ୍ତ କହିଲା—ଆଜିଠାରୁ ତୁମମାନଙ୍କର କର୍ତ୍ତବ୍ୟ ଡାକରା ଆସିଗଲା । ମୁଁ ଗୋଟାଏ ଜରୁରୀ କାମରେ ଯାଉଚି । ମୋର ବିଶ୍ୱାସ, ଯେତେବେଳେ ଫେରିଆସିବି ସେତେବେଳେ ମୋ ସାଙ୍ଗେ ତୁମମାନଙ୍କ ପାଇଁ ଗୋଟାଏ ବିରାଟ ଆହ୍ୱାନ ରହିଥିବ ।

 

ଅଧଘଣ୍ଟାଏ ପରେ ଦେଖାଗଲା ଜୟନ୍ତ ଦୀପାଲିର ବଖରାରେ ବସିଚି ।

 

ସେ କହୁଥାଏ—ଦୀପାଳି ଦେବୀ, ଯେଉଁଦିନ ଡାକ୍ତରଖାନାରେ ପଣ୍ତିତ ଜୀବନାନନ୍ଦ ଗୋସ୍ୱାମୀଙ୍କୁ ବିଷରଶ୍ମି ପ୍ରୟୋଗ କରାଯାଇଥିଲା, ସେଦିନ ଭୋରବେଳେ ଆପଣ କେଉଁଠି ଥିଲେ-?

 

—ମୁଁ ଶୋଇପଡ଼ିଥିଲି ।

 

ଗମ୍ଭୀର ହୋଇ ଜୟନ୍ତ କହିଲା—ଭଲ ଭାବରେ ମନେପକାଇ କହନ୍ତୁ । ଆପଣ ମିଛକଥା କହୁନାହାନ୍ତି ତ ! ମୁଁ ଯେତେଦୂର ସନ୍ଧାନ ନେଇ ଜାଣିପାରିଚି, ସେଥିରୁ ସ୍ପଷ୍ଟ ମନେ ହେଉଚି ଯେ, ଆପଣ ଭୋରରୁ ବୁଲିବାପାଇଁ ଯାଇଥିଲେ ଏବଂ ଡାକ୍ତରଖାନା ପର୍ଯ୍ୟନ୍ତ ଯାଇଥିଲେ । ସେଠାରୁ ବୁଦୁବୁଦିଆ ରାସ୍ତା ଧରି ଆପଣ ମୃତ୍ୟୁଞ୍ଜୟ ନାରାୟଣଙ୍କ ନଅରର ତିନିଶହ ଗଜ ପାଖାପାଖି ପର୍ଯ୍ୟନ୍ତ ଯାଇ ରହିଯାଇଥିଲେ । ସେଠାରେ ଆପଣଙ୍କୁ କେହି ଅପେକ୍ଷା କରିଥିଲା ।

 

ଦୀପାଳି ଜୟନ୍ତର ଗୋଡ଼ଠାରୁ ମୁଣ୍ତଯାଏ ଦେଖିନେଇ କହିଲା—ସେ ଅନୁସନ୍ଧାନଟା ଆପଣଙ୍କର ଏକାବେଳେ ଭୁଲ୍ । ସେଦିନ ମୁଁ କୌଣସିଆଡ଼େ ଯାଇନି ।

 

—ଜାଣେ, ସହଜରେ ମନା କରିଦେବେ । ଆଚ୍ଛା, ମୁଁ ସେକଥା ଆଉ ଆପଣଙ୍କୁ ପଚାରିବିନି । ଆପଣ ଏକଥା କହନ୍ତୁ ତ, ପିଲାଦିନେ ଆପଣଙ୍କଠାରେ କି ଧରଣର ଡାହାଣୀ ଲାଗିଥିଲା ?

 

—ମତେ ଜଣା ନାହିଁ ।

 

—ଏଇଟା କେବେ ହୋଇ ନ ପାରେ । ମୁଁ କହିଦେଉଚି ଆପଣଙ୍କଠାରେ କି ଧରଣର ଡାହାଣୀ ଲାଗିଥିଲା । ରାତିରେ ଶୋଇବା ଅବସ୍ଥାରେ ଆପଣ ବୁଲିବାକୁ ବାହାରିପଡ଼ନ୍ତି, ଆଉ ଅନେକ ଦୁର ଚାଲିଯାଆନ୍ତି ।

 

ଜୟନ୍ତର ଏକଥା ଶୁଣି ଦୀପାଳିର ଆଖି ବିସ୍ଫାରିତ ହୋଇଗଲା । ସେ ଖୁବ୍ ଧୀରେ କହିଲା—ହଁ, ଏବେ ବି ବେଳେବେଳେ ସେମିତି ହୋଇଯାଇଚି । ରାତିରେ ଶୋଇବା ଅବସ୍ଥାରେ ମୁଁ ଅନେକଦୂର ପର୍ଯ୍ୟନ୍ତ ଚାଲିଯାଏ । ସେତେବେଳେ ମୁଁ କୁଆଡ଼େ ଯାଏ କ’ଣ କରେ ସେକଥା ଜାଣିପାରେନି ।

 

—ଆପଣ ମତେ କେତେଦିନ ତଳେ ଖଣ୍ତେ ସାର୍ଟିଫିକେଟ୍‌ ଦେଖାଇଥିଲେ, ଯେଉଁଥିରେ କି ଜନ୍ମତାରିଖ ଲେଖାଥିଲା । ଦିନେ ଦୁଇଦିନ ପାଇଁ ମୋର ସେ ସାର୍ଟିଫିକେଟ୍‌ଟା ଦରକାର ପଡ଼ୁଚି-

 

ଦୀପାଳି ସାର୍ଟିଫିକେଟଟା କାଢ଼ି ଜୟନ୍ତ ହାତରେ ଦେଲା ।

 

—ଆପଣଙ୍କ ପିଲାଦିନ କେଉଁଠି କଟିଚି ?

 

—ଜନକପଡ଼ାରେ ।

 

—ଆଉ ଆପଣ ପଢ଼ିଛନ୍ତି ଗୟାଗଣ୍ତରେ ?

 

—ସ୍କୁଲପାଠ ଜନକପଡ଼ାରେ ଶେଷକରି ଗୟାଗଣ୍ତ କଲେଜରେ ଭର୍ତ୍ତି ହୋଇଥିଲି ।

 

—ଗୟାଗଣ୍ତ କଲେଜରେ ପଢ଼ିବା ପରେ ଆପଣ କୋଉଠି ଥିଲେ ?

 

—ପାରସୁଆଁ ବାଡ଼ିବର, ଘନପୁର । ଯେଉଁ ଯେଉଁ ଜାଗାକୁ ବୋଉର ବଦଳି ହେଇଚି, ସେଇସବୁ ଜାଗାରେ ।

 

ଜୟନ୍ତ ତାର ଜନକପଡ଼ା ଠିକଣା ବୁଝିବା ପରେ ଖୁବ୍‌ ଗମ୍ଭୀର ଭାବରେ ପଚାରିଲା—ଆପଣ ମିଷ୍ଟର ରାୟଙ୍କ ଏଠିକି କାହିଁକି ଆସିଲେ ?

 

—ଆପଣ ତ ମୋ ରୋଗ ବିଷୟରେ ଜାଣନ୍ତି । ମୁଁ ରାତିରେ ଶୋଇବା ଅବସ୍ଥାରେ ବୁଲିବାକୁ ବାହାରିଯାଏ । ସେଥିପାଇଁ ଏକୁଟିଆ ରହିପାରେନି । ତେଣୁ ମନେ କୌଣସି ଜଣାଶୁଣା ପରିବାର ଭିତରେ ରହିବା ଦରକାର ପଡ଼େ । ମୋର ବୋଉ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ବାଧ୍ୟ ହୋଇ ମତେ ଏଠାକୁ ଆସିବାକୁ ପଡ଼ିଲା । ମିଷ୍ଟର ରାୟ ହେଉଚନ୍ତି ମୋ ବୋଉର ମାଉସୀପୁଅ ।

 

ଧନ୍ୟବାଦ ଜଣାଇ ଜୟନ୍ତି ସେଠାରୁ ଚାଲିଆସିଲା ।

 

ସେଠାରୁ ଆସି ଜୟନ୍ତୁ ସିଧା ଚଟିଠାରେ ପହଞ୍ଚିଲା । ସେ ତାର ସହକାରୀ ଦୁଇ ନମ୍ବର ଝିଅକୁ ଦୀପାଲିର ସାର୍ଟିଫିକେଟଟି ଦେଇ କହିଲା—ମିସ୍‌ନମ୍ବର ଟୁ, ତୁମେ ବର୍ତ୍ତମାନ ଯାଉଥିବା ବସ୍‌ଟା ଧରି ଗୟାଗଣ୍ତ ଚାଲିଯାଅ । କାଲି ସନ୍ଧ୍ୟାହେବା ଆଗରୁ ଯେମିତି ଫେରିଆସିବ । ଏଇଟା ଯୋଉ କଲେଜର ସାର୍ଟିଫିକେଟ ସେ କଲେଜକୁ ଯାଇ ବୁଝିବ ପ୍ରକୃତରେ ଏଇଟା ଦୀପାଳିର ସାର୍ଟିଫିକେଟ କି ନୁହେଁ ।

 

ଦୁଇ ନମ୍ବର ଝିଅଟିକୁ ବୁଝାଇ ସାରିବା ପରେ ଜୟନ୍ତ ସୁଧୀରକୁ କହିଲା ସୁଧୀର ! ତୁ ଜନକପଡ଼ା ବସ୍‌ ଧରି ସେଠିକି ଚାଲିଯା । ମୁଁ ସେଠିକାର ଦୀପାଳି ରହୁଥିବା ଠିକଣା ତତେ ଦେଉଚି-। ସେଠାକୁ ଯାଇ ଦୀପାଳି ରହୁଥିବା ସବୁକଥା ବୁଝାସୁଝା କରିବୁ । ତୋର ବି ସନ୍ଧ୍ୟାସୁଦ୍ଧା କାଲି ଫେରିଆସିବା ଦରକାର । ତା’ପରେ ଜୟନ୍ତ ଏକନମ୍ବର ଆଉ ତିନି ନମ୍ବର ଝିଅକୁ ନେଇ ତା ବଖରାକୁ ଚାଲିଗଲା-। କୋଡ଼ିଏ ମିନିଟ ଲାଗି ସେ ସେମାନଙ୍କୁ ସେଠାରେ କ’ଣ ସବୁ ବୁଝାଇବାରେ ଲାଗିଲା-। ସେ ଦୁହେଁ ଜୟନ୍ତ ବଖରାରୁ ବାହାରି ପ୍ରସ୍ତୁତ ହେବାପାଇଁ ନିଜ ନିଜ ବଖରାକୁ ଚାଲିଗଲ-

 

ଜୟନ୍ତ ତା ବଖରାରେ ଏକୁଟିଆ ରହିବା ପରେ ଏ ଘଟଣା ବିଷୟରେ ଚିନ୍ତା କରିବାକୁ ଲାଗିଲା । ହଠାତ୍‌ ତା’ର ମନେ ପଡ଼ିଗଲା ଯେ, ସେ ଏ ପର୍ଯ୍ୟନ୍ତ ନୀଳାଦ୍ରିଭୂଷଣ ବଳଙ୍କ ଭାଇ ଫଣୀନ୍ଦ୍ରକୁମାର ବଳଙ୍କ ସଙ୍ଗେ ଦେଖା କରିପାରିନି, ଯେ କି ପ୍ରଥମ ଅବସ୍ଥାରେ ଦୀପାଳି ପାଖରେ ଠିଆ ହୋଇଥିଲେ । ଅର୍ଥାତ୍‌ ଯୋଉଦିନ ତମ୍ବୁ ଭିତରେ ସେ ଜ୍ୟୋତିଷବିଶାରଦ ଭାବରେ ବସି ଗୁଳିମାଡ଼ ଖାଇଥିଲା ସେଦିନ କ୍ୟାପ୍‌ଟେନ୍‌ ଫଣୀନ୍ଦ୍ରକୁମାର ଦୀପାଳି ପାଖରେ ଆସି ପହଞ୍ଚିଯାଇଥିଲେ । କ୍ୟାପ୍‌ଟେନ ଫଣୀନ୍ଦ୍ରକୁମାରଙ୍କ କଥା ମନେପଡ଼ିବା ମାତ୍ରେ ତାଙ୍କ ସଙ୍ଗେ ସାକ୍ଷାତ୍‌ କରିବାର ଆବଶ୍ୟକତା ଜୟନ୍ତ ଅନୁଭବ କଲା । ସେ ଚଟିରୁ ବାହାରି ଖଣ୍ତେ ରିକ୍‌ସା ଧରି ମିଷ୍ଟରବଳଙ୍କ କୋଠିଆଡ଼େ ବାହାରିପଡ଼ିଲା । କ୍ୟାପ୍‌ଟେନ୍‌ ଫଣୀନ୍ଦ୍ରକୁମାର ନିଜ ବଖରାର ଟେବୁଲ ପାଖରେ ବସି ନିଜର ଆତ୍ମକାହାଣୀ ଲେଖୁଥିଲେ । ଜୟନ୍ତ, ଜଗଦୀଶଚନ୍ଦ୍ର ହାତରେ ତାର ଆସିବା ଖବର ପଠେଇଦେଲା-। ତା ସହିତ ସେ ଜଗଦୀଶଚନ୍ଦ୍ରଙ୍କୁ କହିଲା ଯେ କ୍ୟାପ୍‌ଟେନଙ୍କ ସହିତ ପରିଚୟ କରାଇଦେଲା ପରେ ଯେମିତି ସେ ସେଠାରେ ଚାଲିଯାଏ । ଏକାନ୍ତରେ ଜୟନ୍ତ ଆଉ କ୍ୟାପ୍‌ଟେନ୍‌ ବସି କଥାବାର୍ତ୍ତା କରିବେ ।

 

ଜଗଦୀଶଚନ୍ଦ୍ର ସେଇୟା କଲା ।

 

ଜୟନ୍ତ କ୍ୟାପ୍‌ଟେନ୍‌ ଫଣୀନ୍ଦ୍ରକୁମାରଙ୍କ ଆଗରେ ବସି କହିଲା କ୍ୟାପ୍‌ଟେନ୍‌ସାହେବ, ଯେଉଁଦିନ ପଣ୍ତିତ ଜୀବନାନନ୍ଦ ଗୋସ୍ୱାମୀଙ୍କୁ ଗୁଳି କରାଗଲା, ଆପଣ ଦୀପାଳିଙ୍କ ପାଖରେ ଥିଲେ-?

 

—ନା, ମୁଁ କିଛି ଦୂରରେ ଥିଲି ।

 

—ଆପଣ ଜୀବନଟା ସେନା ବିଭାଗରେ କଟାଇ ଆସିଚନ୍ତି । ଆଶା କରେ,ଆପଣ ସଠିକ ଭାବରେ ସବୁ ଉତ୍ତର ଦେବେ । ଆପଣ କହିପାରିବେ, ସେ ଗୁଳି ଦୀପାଳିଙ୍କ ରାଇଫଲ୍‌ରୁ ବାହାରିଥିଲା ?

 

—ଆପଣ ଖୁବ୍‌ ଭଲ ପ୍ରଶ୍ନଟାଏ ପଚାରିଚନ୍ତି । ମୁ ଯେଉଁ ଗୁଳି ଫୁଟିବାର ଶୁଣିଲି ସେଥିରୁ ମୋର ଅନୁମାନ ହୁଏ ସେ ଗୁଳିଟା ଦୀପାଳି ଧରିଥିବା ରାଇଫଲରୁ ଫୁଟିନି ।

 

—ଆପଣ ଏ ଅନୁମାନ କେମିତି କଲେ ?

 

—ଦେଖନ୍ତୁ, ଯଦି ଗୁଳି ସମ୍ମୁଖ ଭାଗରୁ ଚଳାଯାଏ, ତାହାହେଲେ ତାର ଶଦ୍ଦଟା ପ୍ରଚଣ୍ତ ଭାବରେ ଶୁଣାଯାଏ; ପରିଷ୍କାର ଶଦ୍ଦ ହୁଏ । କିନ୍ତୁ ଯେଉଁ ଗୁଳି ପଛରୁ ଫୁଟାଯାଏ, ତାର ଶଦ୍ଦଟା ସେତେ ପ୍ରଚଣ୍ତ ଶୁଣାଯାଏ ନି କି ପରିଷ୍କାର ଶଦ୍ଦ ଜଣାପଡ଼େନି ।

 

—ଅର୍ଥାତ୍‌, ଆପଣ କହିବାକୁ ଚାହୁଚନ୍ତି ଯେ ଆପଣ ଯେଉଁ ଗୁଳି ଶଦ୍ଦ ଶୁଣିଥିଲେ ସେ ଶଦ୍ଦରେ ପ୍ରଚଣ୍ତତା ନ ଥିଲା କି ପରିଷ୍କାର ଶୁଣା ଯାଇ ନ ଥିଲା । ତାର ଅର୍ଥ ହେଉଚି ଯେ ସେ ଗୁଳିଟା ଦୀପାଳି ଧରିଥିବା ରାଇଫଲ୍‌ର ଫୁଟିନି । ଯେଉଁ ଗୁଳିଟା ପଣ୍ତିତ ଜୀବନନ୍ଦଗୋସ୍ୱାମୀଙ୍କୁ ଲକ୍ଷ୍ୟକରି ଚଳାଯାଇଥିଲା ସେଇଟା ତମ୍ବୁ ପଛଆଡ଼ୁ କରାଯାଇଥିଲା ?

 

—ହ, ତାତ୍ପର୍ଯ୍ୟଟା ସେଇୟା । କୌଣସି ବ୍ୟକ୍ତି ତମ୍ବୁର ପଛ ପାଖରୁ ପଣ୍ତିତ ଜୀବନାନନ୍ଦ ଗୋସ୍ୱାମୀଙ୍କ ଉପରକୁ ଗୁଳି କରିଚି, ଆଉ ଖୁବ୍‌ ସହଜରେ ଖସିଯାଇଚି । କାରଣ, ଦୀପାଳି ପାଟିତୁଣ୍ତ ଆରମ୍ଭ କରିଦେଲା ଯେ ଗୁଳିଟା ତାର ଧରିଥିବା ରାଇଫଲ୍‌ରୁ ବାହାରିଯାଇଚି ।

 

ଆପଣଙ୍କ କଥାରେ ମୁଁ ଏକମତ ହେଉଚି । ମନେହୁଏ ପଣ୍ତିତ ଜୀବନାନନ୍ଦ ଗୋସ୍ୱାମୀଙ୍କୁ ଗୁଳି କରିଥିବା ଲୋକ ତମ୍ବୁପଛରେ ଥିଲା । ଆଚ୍ଛା, ଆପଣ କଣ ତାକୁ ଦେଖିପାରିଥିଲେ ?

 

—ନା ।

 

କହିଦେଇ କ୍ୟାପଟେନ ଫଣୀନ୍ଦ୍ରକୁମାର ଜୟନ୍ତର ଗୋଡ଼ଠାରୁ ମୁଣ୍ତ ପର୍ଯ୍ୟନ୍ତ ଥରେ ଚାହିଁବା ପରେ ପୁଣି କହିଲେ—ମୁଁ ଗୋଟାଏ କଥା କାହାରିକୁ କହିନି; କିନ୍ତୁ ଆପଣଙ୍କୁ କହୁଚି । ଯେତେବେଳେ ପଣ୍ତିତ ଜୀବନାନନ୍ଦ ଗୋସ୍ୱାମୀଙ୍କୁ ନେଇ ଡାକ୍ତରଖାନାକୁ ଯାଉଥିଲୁଁ, ସେତେବେଳେ ଦୀପାଳି ହାତରେ ଥିବା ରାଇଫଲଟା ନେଇ ଜିପ୍‌ ଭିତରେ ଖୋଲି ଦେଖିଥିଲି । ସେ ରାଇଫଲ୍‌ ପୂର୍ଣ୍ଣ ଭର୍ତ୍ତି ଅବସ୍ଥାରେ ଥିଲା । ଗୋଟାଏ ବି ଗୁଳି ସେଥିରୁ ଫୁଟିନି । ଯେତେବେଳେ ସେ ରାଇଫଲ୍‌ଟାର ପତ୍ତା ମିଳିଲାନି ସେତେବେଳେ ମୋର ପୂର୍ଣ୍ଣ ବିଶ୍ୱାସ ହୋଇଗଲା ଯେ, ପଣ୍ତିତଙ୍କ ଉପରକୁ ଅନ୍ୟ କେହି ଜଣେ ଗୁଳି ଚଳେଇଚି । ଦୀପାଳି କିଛି ସମୟ ପାଇଁ ଧରିଥିବା ରାଇଫଲଟା ନ ମିଳିବାର ଅର୍ଥ, ଲୋକମାନଙ୍କ ମନରେ ଭ୍ରମଧାରଣ ସୃଷ୍ଟି କରିବା; ମାନେ, ସମସ୍ତେ ଭାବିବେ ଦୀପାଳି ହିଁ ପଣ୍ତିତଙ୍କୁ ଗୁଳି କରିଚି ।

 

—ଏକାବେଳେ ଠିକ୍‌ । ମୁଁ ଆପଣଙ୍କର ଏ ଅନୁମାନକୁ ପ୍ରଶଂସା କରୁଚି । ଆପଣ ବର୍ତ୍ତମାନ କହୁଥିଲେ ଯେ ଏ ଘଟଣା ଉପରେ ଆପଣ ବି ଗଭୀର ଚିନ୍ତା କରୁଚନ୍ତି । ଏ ସଂକ୍ରାନ୍ତରେ ଆପଣଙ୍କ ମତ କଣ ?

 

—ଜଗଦୀଶଚନ୍ଦ୍ରଠାରୁ ମୁଁ ଏ ବିଷୟରେ ଅନେକ କିଛି ଶୁଣିସାରିଚି । ସେଥିରୁ ମୋର ବିଚାର ଆସୁଚି, ଏହା ପଛରେ କେତେକ ଚିନ୍ତା କାମ କରିଚି ।

 

ଜୟନ୍ତ କ୍ୟାପ୍‌ଟେନ୍‌ ଫଣୀନ୍ଦ୍ର କୁମାରଙ୍କ ବୁଦ୍ଧ ମତ୍ତାରେ ପ୍ରଭାବିତ ହୋଇପଡ଼ିଥିଲା । ସେ କହିଲା ଦୟାକରି ସେ ଚିନ୍ତା ବିଷୟରେ ଟିକିଏ ଖୋଲା ଭାବରେ କହନ୍ତୁ ତ, କ୍ୟାପଟେନ୍‌ସାହେବ !

 

ମୋର ଅନୁମାନ ହେଉଚି ଯେ ଏ ଘଟଣାରେ ଦୁଇଟି ଚିନ୍ତାଧାରା କାମ କରୁଚି । ଏଗୁଡ଼ାକ କୌଣସି ବ୍ୟକ୍ତିଗତ କାରଣଜନିତ ଭଳି ଜଣାପଡ଼େ । ସେ ଦୁଇଟି ମନର ଚିନ୍ତା କେବଳ ଦୀପାଳି ଆଉ ରୁବିର ବୋଲି ମନେ ହୁଏ । ସେମାନଙ୍କ ମଧ୍ୟ୍ୟରୁ କୌଣସି ଗୋଟିଏ ଝିଅ ନିଜର ଭଲ ପାଇବା ଉପରେ ଦୃଢ଼ତା ଏବଂ ଆସ୍ଥା ରଖିଚି; କିନ୍ତୁ ଅନ୍ୟ ଜଣେ କୌଣସି ଏକ ବିଶେଷ କାରଣରୁ ଠକି ଚାଲିଚି ଏବଂ ମିଛ କହୁଚି । ଏପର୍ଯ୍ୟନ୍ତ ମୁଁ ସିଦ୍ଧାନ୍ତ ଉପରକୁ ଆସିପାରିନି ଯେ, ସେମାନଙ୍କ ମଧ୍ୟରୁ ସତ କିଏ କହୁଚି, ମିଛ କିଏ କହୁଚି । ଦୁଇଟିଯାଇ ଝିଅଙ୍କର ସ୍ଥିତ ସନ୍ଦିଗ୍‌ଧ ଏବଂ ଶୋଚନୀୟ ମଧ୍ୟ ।

 

ସେତିକିବେଳେ ସେ କୋଠରି ବାହାରେ ଦ୍ରୁତ ପାଦଶଦ୍ଦ ଶୁଣାଗଲା । ମୁହୂର୍ତ୍ତିକ ମଧ୍ୟରେ ପୋଲିସ ଅଫିସର ଏବଂ ଜଗଦୀଶଚନ୍ଦ୍ର ଘରଭିତରକୁ ପଶିଆସିଲେ । ଦୁହିଁଙ୍କ ମୁହଁରେ ଗମ୍ଭୀରତାର ଆବରଣ ପଡ଼ିଯାଇଥାଏ ।

 

ଜୟନ୍ତ ପଚାରିଲା—ଘଟଣା କ’ଣ ?

 

ପୋଲିସ୍‌ ଅଫିସର କହିଲେ—ପୁଣି ଗୋଟାଏ ଦୁଃଖଦାୟକ ଘଟଣା ଘଟିଯାଇଚି ।

 

—କ’ଣ ସେ ଦୁଃଖଦାୟକ ଘଟଣା ?

 

ପୋଲିସ୍‌ ଅଫିସର ଖଣ୍ତେ ଚଉକି ଦଖଲ କରି କହିଲେ—ଆପଣଙ୍କର ମନେଥିବ, ଆପଣ ମତେ କହିଥିଲେ ଯେ, ଡାକଘରେ ଯାଇ ଅନୁସନ୍ଧାନ କଲେ ଜଣାପଡ଼ିଯିବ, ଟେଲିଫୋନ୍‌ ବିଭାଗର ଲୋକଙ୍କୁ ନକଲି ଗୌନ୍ତିଆ ହାତ କରିନେଇଥିବ ।

 

—ଆପଣ କ’ଣ ଜାଣିପାରିଲେ ?

 

—ମୁଁ ପୋଷ୍ଟମାଷ୍ଟରଙ୍କ ସଙ୍ଗେ ଦେଖାକଲି । ସେ ମହାଶୟ ମତେ ପୂରା ସହଯୋଗ କଲେ । ଟେଲିଫୋନ୍‌ ବିଭାଗରେ ମାତ୍ର ଦୁଇଜଣ କାମ କରନ୍ତି । ଆପଣ ଯେଉଁଦିନ ଟ୍ରଙ୍କକଲ୍‌ ବୁକ୍‌ କରିଥିଲେ ସେଦିନ ଯେଉଁ ଯୁବକଟି ଡିଉଟିରେ ଥିଲା, ଆଜି ମଧ୍ୟ ସେ ଡିଉଟିକୁ ଆସିଥିଲା । ମୁଁ ତାକୁ ଟିକିଏ ନିରୋଳାରେ ଦେଖା କରିବାପାଇଁ ଇସାରା ଦେଇ ଡାକଘରଠାରେ ଖଣ୍ତେଦୂର ଦେଖା କରିବାପାଇଁ ଇସାରା ଦେଇ ଡାକଘରଠାରୁ ଖଣ୍ତେଦୂର ପଛକୁ ଚାଲିଆସିଲି । ସେତିକିବେଳେ ଗୁଳି ଚାଲିବାର ଶୁଣାଗଲା ।

 

—ଆପଣ ଗୁଳି ଚାଲିବା ଶଦ୍ଦ ଶୁଣିଲେ ?

 

—ହଁ, ପୋଷ୍ଟଅଫିସ ବନ୍ଦ ହେବାକୁ ଯାଉଥିଲା । ଆଖପାଖରେ କେହି ନ ଥିଲେ । ମୁଁ ଦ୍ରୁତଗତିରେ ପୋଷ୍ଟଅଫସ ଆଡ଼େ ଆଗେଇଗଲି । କେବଳ ଟେଲିଗ୍ରାମ ବିଭାଗ ଝରକା ଖୋଲାଥିଲା । ମୁଁ ଭିତରକୁ ପଶିଗଲି । ଭିତରର ଦୃଶ୍ୟ ଦେଖି ମୋର ମୁଣ୍ତ ବୁଲେଇଗଲା । ପୀରପ୍ରସାଦ ମହାନ୍ତି ନାମକ ଯୁବକଟି କାଗଜପତ୍ର ଉପରେ ମୁହଁମାଡ଼ି ପଡ଼ିଚି । ରକ୍ତରେ କାଗଜପତ୍ର ଓଦା ହୋଇଯାଇଚି । ଗୋଟାଏ ଧାର ରକ୍ତ ଚଟାଣ ଉପରକୁ ଗଡ଼ି ଆସୁଥିଲା ।

 

କ୍ୟାପ୍‌ଟେନ୍‌ ଫଣୀନ୍ଦ୍ରକୁମାର କହିଲେ—ଆମେ ସମସ୍ତେ ସେ ପିଲାଟିକୁ ଜାଣୁ । ଜଣେ ଅକର୍ମଣ୍ୟ ବୃଦ୍ଧାର ପୁଅ ସେ । ବିଚାରୀ ବୁଢ଼ୀଟି ନିରାଶ୍ରୟ ହୋଇଗଲା ।

 

—ତା ପରେ କ’ଣ ହେଲା ?

 

—ମୁଁ ଯେତେବେଳେ ଯୁବକଟିକୁ ସିଧାକରି ଦେଖିଲି ସେତେବେଳେ ଜଣାଗଲା ଯେ, ଗୁଳି ତା ମୁହଁରେ ବାଜି ବେକପାଖେ ବାହାରିଯାଇଚି । ସେତେବେଳକୁ ଅନେକ ଲୋକ ସେଠାରେ ଜମା ହୋଇଯାଇଥିଲେ । ମୁଁ ଲୋକ ଦଉଡ଼ାଇ ଥାନାରୁ ଦୁଇଜଣ କନେଷ୍ଟବଳ ଡକାଇ ଆଣିଲି । ସେମାନେ ଆସି ଯିବାରୁ ମୁଁ ଡାକଘର ଆଖପାଖ ଦେଖାଦେବି କଲି । ଟେଲିଗ୍ରାମ କାଉଣ୍ଟର ସିଧା ଗୋଟାଏ ପଥର ପଛରେ ଖଣ୍ତେ ରାଇଫଲ୍‌ ନଜରରେ ପଡ଼ିଲା ।

 

—ରାଇଫଲ୍‌ ?

 

—ହଁ ।

 

—କୋଉଠି ଅଛି ସେ ରାଇଫଲ ?

 

—ପୋଷ୍ଟ ଅଫିସରେ ରଖାଯାଇଚି ।

 

—ଏ ଦୁଃଖଦାୟକ ଘଟଣା ଏ ବିଷୟରେ ଗୋଟାଏ ନୂଆ ଆଲୋକ ପ୍ରଦାନ କରୁଚି ।

 

—ନୂଆ ଆଲୋକ ?

 

—ସେଇଟା ହେଉଚି ଯେ, ସେ ଟେଲିଫୋନ୍‌ କ୍ଳର୍କଟିକୁ ଯିଏ ହାତେଇ ରଖିଥିଲା, ସେ ଆମର ନକଲି ଗୌନ୍ତିଆ ନୁହେଁ । ତାକୁ ସେଇ ବ୍ୟକ୍ତି ହାତରେ ରଖିଥିଲା ଯେ କି ପଣ୍ତିତ ଜୀବନାନନ୍ଦ ଗୋସ୍ୱାମୀ ଆଉ ଗୌନ୍ତିଆଙ୍କର ହତ୍ୟାକାରୀ ଗୋସ୍ୱାମୀ ଆଉ ଗୌନ୍ତିଆଙ୍କର ହତ୍ୟାକାରୀ ଏବଂ ବର୍ତ୍ତମାନ ଟେଲିଫୋନ୍‌ କ୍ଳର୍କଟିର ବି ହତ୍ୟାକାରୀ ହୋଇ ବସିଚି ।

 

ପୋଲିସ୍‌ ଅଫିସର ପଚାରିଲେ—ବର୍ତ୍ତମାନ ଆପଣଙ୍କ ବିଚାର କଣ ?

 

ଜୟନ୍ତ ଆସନ ଛାଡ଼ି ଖଣ୍ତେ ସିଗାରେଟ୍‌ ଧରୋଉ ଧରୋଉ କହିଲା—ମୁଁ ଟିକିଏ ଡାକଘରକୁ ଯିବାକୁ ଯିବାକୁ ଇଚ୍ଛା କରୁଚି ।

 

ସମସ୍ତେ ତାର ପଛେ ପଛେ ଯିବାପାଇଁ ପ୍ରସ୍ତୁତ ହୋଇପଡ଼ିଲେ ।

 

ଡାକଘର ପାଖରେ ଅସମ୍ଭବ ଲୋକଭିଡ଼ ହୋଇଥାଏ । ପୋଲିସ୍‌ ଅଫିସର ସେଠାରୁ ସେମାନଙ୍କୁ ବାହାର କରିଦେଲେ । ଏହା ମଧ୍ୟରେ ପୋଷ୍ଟମାଷ୍ଟର ଆସି ସେଠାରେ ହାଜର ହୋଇଥାଆନ୍ତି ।

 

ପୋଲିସ୍‌ ଅଫିସର ସାନ୍ତ୍ୱନା ଦେଇ କହିଲେ—ଆପଣ ମୋଟେ ବ୍ୟସ୍ତ ହୁଅନ୍ତୁ ନାହିଁ । ଯାହା କିଛି ବ୍ୟବସ୍ଥା ଆମେମାନେ କରିବୁଁ ।

 

ଜୟନ୍ତ ମୃତଦେହବ ପଡ଼ିଥିବା ସ୍ଥାନକୁ ଯାଇ ସେଠାରେ ଜଗି ରହିଥିବା କନେଷ୍ଟବଳମାନଙ୍କୁ ପଚାରିଲା—ଏଠାକୁ କାହାରିକୁ ଛାଡ଼ି ନାହିଁ ତ ?

 

—ନା ଆଜ୍ଞା, କାହାରିକୁ ଛଡ଼ାଯାଇନି ।

 

ଯୁବକଟିର ମୃତଦେହ ସେତେବେଳେ ପର୍ଯ୍ୟନ୍ତ ସେମିତି ଟେଲିଫୋନ କାଉଣ୍ଟରରେ ପଡ଼ିଥାଏ । ଜୟନ୍ତ ସେ ଝରକା ପାଖେ ଠିଆହୋଇ ଚଟାଣଟାକୁ ଦେଖିବାର ଲାଗିଲା । କିଛି ସମୟ ପରେ ପୋଲିସ୍‌ ଅଫିସରଙ୍କ ଆଡ଼େ ଚାହିଁ କହିଲା—ସେ ରାଇଫଲ୍‌ଟା କୋଉଠି ଅଛି ?

 

ପୋଲିସ୍‌ ଅଫିସର ରାଇଫଲ୍‌ଟା ଆଣି ଜୟକୁ ହାତରେ ଦେଲେ । ଜୟନ୍ତ ସେଖଣ୍ତକ ଜଗଦୀଶଚନ୍ଦ୍ର ଆଡ଼େ ବଢ଼ାଇଦେଇ ପଚାରିଲା—ଏଇଟା ଆପଣଙ୍କ ରାଇଫଲ୍‌କି ନୁହେଁ ଦେଖନ୍ତୁ ତ-

 

ଜଗଦୀଶ ଦେଖିବା ମାତ୍ରେ କହିଲା—ହଁ, ଏଇଟା ମୋ ରାଇଫଲ୍‌ । ତା’ର ଶେଷଆଡ଼କୁ ମୋ ନାମ ଲେଖାଯାଇ ପିତଳର ପାତ ବସାଯାଇଚି ।

 

ଏକଥା ଶୁଣି ଜୟନ୍ତ ଟିକିଏ ହସିଦେଲା । ତା ପରେ ସେ ଭିତରୁ ବହାରି ଆସି ବାରଣ୍ତାଠାରୁ ପଥର ପର୍ଯ୍ୟନ୍ତ ପାହୁଣ୍ତ ପକାଇ ମାପିବାରେ ଲାଗିଲା । ଯେଉଁ ପଥର ପଛ ପାଖରୁ ରାଇଫଲଟି ମିଳିଥିଲା, :ସେ ଯାଇ ସେଇ ପଥର ପାଖେ ପହଞ୍ଚିଗଲା । ସ୍ଥାନଟା ଭଲଭାବେ ନିରୀକ୍ଷଣ କରିବା ପରେ କ’ଣ ଗୋଟାଏ ଉଠାଇ ପକେଟରେ ପୂରାଇଲା । ଫେରିଆସି କ୍ୟାପଟେନଙ୍କୁ ଚାହିଁ କହିଲା—ମୋର ଯେତେଦୂର ବିଶ୍ୱାସ, ହତ୍ୟାକାରୀ ପୋଖତ ଲକ୍ଷ୍ୟଭେଦୀ ।

 

କ୍ୟାପଟେନ୍‌ କହିଲେ—ସେ କଥା ତ ନିଶ୍ଚୟ ।

 

—ଟେଲିଫୋନ୍‌ କାଉଣ୍ଟରଠାରୁ ସେ ବଡ଼ ପଥରଟା କେତେଦୂର ହେବ ବୋଲି ଆପଣଙ୍କର ଅନୁମାନ ?

 

—ପ୍ରାୟ ଅଶୀଫୁଟ୍‍ ହୋଇପାରେ ?

 

—ଆପଣଙ୍କ ଅନୁମାନ ଠିକ୍‌ । ମୋର ଜାଣିବା ଦରକାର ପଡ଼ୁଚି ଯେ ଏ ଅଞ୍ଚଳରେ ଏମିତି କେତେଜଣ ବନ୍ଧୁ କଚଳାଳି ଅଛନ୍ତି, ଯେ କି ଅଶୀ ଫୁଟଦୂରରୁ ଲକ୍ଷ୍ୟ ଭେଦ କରିପାରନ୍ତି ?

 

ଟିକିଏ ବିଷର୍ଣ୍ଣ ହସ ହସିଦେଇ କ୍ୟାପଟେନ୍‌ କହିଲେ—ସୌଭାଗ୍ୟ ଯେ, ଏ ଗୁଳି ଚାଲିଲାବେଳେ ଆପଣ ମୋ ପାଖରେ ବସିଥିଲେ; ନ ହେଲେ, ସର୍ବପ୍ରଥମେ ଆପଣ ମତେ ବୋଧହୁଏ ସନ୍ଦେହ କରିଥାଆନ୍ତି ।

 

—ତା’ପରେ ସନ୍ଦେହ ହୋଇଥାଆନ୍ତି ଜଗଦୀଶବାବୁଙ୍କ ଉପରେ । କାରଣ ସେ ମଧ୍ୟ ଏତିକି ଦୂରରୁ ଲକ୍ଷ୍ୟ ଭେଦ କରିପାରନ୍ତି । କିନ୍ତୁ ସନ୍ଦେହର ଏତେ ଟିକିଏ ବି ଆପଣଙ୍କୁ ସ୍ପର୍ଶ କରିପାରୁନି; ଜଗଦୀଶବାବୁଙ୍କୁ ବି ନୁହେଁ । ଆଚ୍ଛା, ଆପଣ ମୋର ଗୋଟାଏ ଅନୁରୋଧ ରକ୍ଷା କରିପାରିବେ ?

 

—କ’ଣ, କହନ୍ତୁ ।

 

—ଆଜି ସାରାରାତି ପାଇଁ ଶାନ୍ତାଗଡ଼ରେ ଆପଣ ଗୋଟାଏ ଉତ୍ସବର ଆୟୋଜନ କରିବେ । ଆପଣଙ୍କର ପରିଚିତ ସମସ୍ତ ବ୍ୟକ୍ତି ଯେମିତି ସେ ଉତ୍ସବରେ ଯୋଗ ଦିଅନ୍ତି ।

—ତା’ର ଅର୍ଥ ?

—ନିଶ୍ଚୟ ଅଛି । ମନେହୁଏ ହତ୍ୟାକାରୀ ଖୁବ୍‌ ନିକଟେଇ ଆସିଚି । ଯଦି ସମ୍ଭବ ହୁଏ କାଲି ରାତି ସୁଦ୍ଧା ମୁଁ ସେ ହତ୍ୟାକାରୀକୁ ଆବିଷ୍କାର କରିବାପାଇଁ ସକ୍ଷମ ହେବି । ଆପଣଙ୍କ ରାଇଫଲଟା ନେଇ ସାବଧାନରେ ରଖନ୍ତୁ, ଜଗଦୀଶବାବୁ !

ପୋଲିସ ଅଫିସର କହିଲେ—ସେଥିରୁ ଫିଙ୍ଗର ପ୍ରିଣ୍ଟ୍‌ ନେବା ଦରକାର ହେବ ବୋଧହୁଏ ।

ଜୟନ୍ତ ହସିଦେଇ କହିଲା—ହତ୍ୟାକାରୀକୁ ଆପଣ ଯେତେ ବୋକା ବୋଲି ମନେକରୁଚନ୍ତି, ସେ ସେତେଟା ନୁହେଁ । ଶତଚେଷ୍ଟା କଲେ ବି ତା’ର ଫିଙ୍ଗର ପ୍ରିଣ୍ଟ ଆପଣ ପାଇବେନି । ଯଦି ହୁଏ, ଆପଣଙ୍କର, ମୋର ଆଉ ଜଗଦୀଶବାବୁଙ୍କ ହାତଛାପ କେବଳ ପାଇବେ-

ପୋଲିସ୍‌ ଅଫିସରଙ୍କ ମୁହଁ ଏତେ ଟିକିଏ ହୋଇଗଲା । ସେ ମନେ ମନେ ଭାବିଥିଲେ ରାଇଫଲ ଦେହରୁ ଅଙ୍ଗୁଳି ଛାପ ସଂଗ୍ରହ କରିପାରିଲେ ଅନୁସନ୍ଧାନଟା ସୁଗମ ହୋଇଯିବ ।

ଜୟନ୍ତ ଏଥର କ୍ୟାପଟେନ୍‌ଙ୍କୁ ଚାହିଁ କହିଲା—ଆପଣ ଯେଉଁମାନଙ୍କୁ ନିମନ୍ତ୍ରଣ କରିବେ ସେମାନଙ୍କର ଗୋଟାଏ ତାଲିକା ମୋ ପାଖରେ ଯେମିତି ପହଞ୍ଚେ ତାର ବ୍ୟବସ୍ଥା କରିବେ ।

କ୍ୟାପଟେନ ଖଣ୍ତେ ସିଗାରେଟ୍‍ ଧରାଇ ପଚାରିଲେ—ଆପଣ ଏବଂ ଆପଣଙ୍କ ସହକାରୀମାନେ କଣ ସେ ଉତ୍ସବରେ ଅଂଶ ଗ୍ରହଣ କରିବେ ?

—ନା, କ୍ୟାପଟେନ୍‌ ସାହେବ ! ମୁଁ ଏବଂ ମୋର ସହକାରୀମାନେ କାଲିପାଇଁ ଅନ୍ତତଃ ଗୋଟାଏ ବିଶେଷ ଉତ୍ସବର ଆୟୋଜନରେ ଲାଗିପଡ଼ିବୁ ।

ରାତି ବାରଟାବେଳେ ଜୟନ୍ତି ତା’ର ସହକାରୀ ଝିଅ ଦୁଇଟିଙ୍କୁ ଧରି ଚାଲି ଚାଲି ଚଟିରୁ ବାହାରିପଡ଼ିଲା । ସାଙ୍ଗରେ ଚାଲିଚି ବୋନାପାର୍ଟ । ସମସ୍ତେ କଳାପୋଷାକ ପିନ୍ଧିଚନ୍ତି ।

ସାଢ଼େ ବାରଟା ସୁଦ୍ଧା ସେମାନେ ଗୋଟାଏ କୋଠି ପାଖରେ ପହଞ୍ଚିଗଲେ । ଜୟନ୍ତ ତା’ର ସହକାରୀ ଝିଅ ଦୁଇଟିଙ୍କୁ କ’ଣ କଣ କରିବାକୁ ହେବ ବୁଝାଇଦେଲା । ବୋନାପାର୍ଟ ଖୁବ୍‌ ଖୁସି ଜଣାପଡ଼ୁଥାଏ । ସେ ଯେମିତି ଜାଣିପାରିଚି, ଗୋଟାଏ ଖୁବ୍‌ ଭଲ କାମରେ ହାତ ପଡ଼ିବାକୁ ଯାଉଚି ।

ଅନ୍ଧାରପକ୍ଷର ରାତିଟାକୁ ଖଣ୍ତେ ମେଘ ଆହୁରି ଅନ୍ଧାରରେ ପରିଣତ କରିଦେଇଚି । ମୁହଁକୁ ମୁହଁ ଦିଶୁନି । କେଜାଣି କାହିଁକି ସେଦିନ ବିକୁଳି ଆଲୁଅଗୁଡ଼ାକ ଲିଭିଯାଇଥାଏ ।

 

ଯଥାସ୍ଥାନରେ ପହଞ୍ଚି ଜୟନ୍ତ ତା’ର ସହକାରୀମାନଙ୍କ ମୁଣ୍ତରେ ହାତ ବୁଲାଇ ସେମାନଙ୍କ ସଫଳତା ପାଇଁ ଆଶୀର୍ବାଦ କରି କହିଲା—ତୁମେ ଦୁହେଁ ମୋଟେ ଚଞ୍ଚଳ ହେବନି । ତୁମମାନଙ୍କୁ ସାହାଯ୍ୟ କରିବାପାଇଁ ମୁଁ ସଦାବେଳେ ପ୍ରସ୍ତୁତ ହୋଇ ରହିବି । ପୁଣି ଥରେ । ଦେଖିନିଅ, ଆବଶ୍ୟକ ଜିନିଷପତ୍ର ତୁମମାନଙ୍କ ପାଖରେ ଅଛି କି ନାହିଁ ।

 

ସହକାରୀ ଦୁହେଁ ର ପକେଟ୍‌ ପ୍ରଭୃତି ପରୀକ୍ଷା କରି ଅଳ୍ପ ସମୟ ପରେ କହିଲେ—ସବୁ ଜିନିଷ ଠିକ୍‌ ଅଛି ।

 

—ଆଚ୍ଛା, ଯାଅ ତା’ହେଲେ ।

 

ଅନ୍ଧାର ଭିତରେ ଝିଅ ଦୁଇଟି ପାଦ ଚିପି ଯେତେବେଳେ କୋଠିର କଡ଼ ଦେଇ ଆଗେଇ ଯାଉଥିଲେ, ସେତେବେଳେ ମନେ ହେଉଥିଲା ଦୁଇଟି ପ୍ରେତମୂର୍ତ୍ତି ଯେମିତି ଆଗେଇ ଯାଉଚନ୍ତି ।

 

ଜୟନ୍ତ ବୋନାପାର୍ଟିକୁ ଧରି ସେଠାରେ ଟହଲ ମାରିବାରେ ଲାଗିଲା ।

 

ସହକାରୀ ଝିଅ ଦୁଇଟି ଆଗେଇ ଯାଇ ଗୋଟାଏ କାଚ ଝରକା ପାଖେ ଠିଆ ହେଲେ । ଗ୍ଳାସ କଟର ସାହାଯ୍ୟରେ ଖୁବ୍‍ ଧୀରେ କେତେଖଣ୍ତି କାଚ କାଟି ବାହାର କଲେ ଏବଂ ଆରି ଚଳାଇ ସରୁ ଫ୍ରେମଗୁଡ଼ିକ କାଟିପକାଇଲେ । ଅକ୍ଳେଶରେ ସେ ବାଟ ଦେଇ କକ୍ଷ ଭିତରେ ପଶିଲେ ।

 

ଏକ ନମ୍ବର ଝିଅ ପକେଟ ଭିତରୁ ପେନସିଲ୍‌ ଟର୍ଚ୍ଚ କାଢ଼ି ଜଳେଇଲା । ଦେଖାଗଲା, ସେ ଘରେ ଜଣେ ବୃଦ୍ଧ ଶୋଇଚି । ଦୁଇ ନମ୍ବର ଝିଅ ସଙ୍ଗେ ସଙ୍ଗେ ଖଣ୍ତେ ରୁମାଲରେ ତା ମୁହଁଟାକୁ ଚାପି ଧରିଲା । ବୃଦ୍ଧଟି ମୁହୂର୍ତ୍ତକ ପାଇଁ ଟିକିଏ ହଲଚଲ ହୋଇ ସ୍ଥିର ହୋଇଗଲା ।

 

ଝିଅ ଦୁଇଟି ଏଥର ନିର୍ଭୟରେ ସେ ବଖରାର ଦ୍ୱାର ଫିଟାଇ ଅନ୍ୟ ଗୋଟାଏ ବଖରା ପାଖରେ ଯାଇ ଠିଆ ହେଲେ । ସେ ବଖରାରେ ବାହାରୁ ତାଲା ପଡ଼ିଥିଲା । ସବ୍‌ଖୋଲ୍‌ ଚାବି ସାହାଯ୍ୟରେ ତାଲଟା ଫିଟାଇ ଝିଅ ଦୁହେଁ ସେ ବଖରାରେ ପଶିଲେ ।

 

ଦେଖାଗଲା, ସେ ଦୁହେଁ ଖୁବ୍‌ ତତ୍ପର ହୋଇଉଠିଚନ୍ତି । ଘରର ପ୍ରତିଟି ଟ୍ରଙ୍କ, ବାକ୍‌ସ, ଆଲମାରି, ବିଛଣା ପରୀକ୍ଷା କରିବାରେ ଲାଗିପଡ଼ିଲେ । କେତେକ ଜିନିଷ ବାହାର କରି ନିଜର ପକେଟରେ ପୂରାଇବାରେ ଲାଗିଲେ । ଖୁବ ସତର୍କତାର ସହିତ ସେମାନେ କାମ କରିଚାଲିଚନ୍ତି । ସେଗୁଡ଼ିକ ଯେ ପରୀକ୍ଷା କରାଯାଇଚି, କେହି ସେକଥା ଜାଣିପାରିବନି ।

 

ଏକ ନମ୍ବର ଝିଅ ଆଉ କ’ଣ ଗୋଟା, ଯେମିତି ଖୋଜିବାରେ ଲାଗିବି । କିନ୍ତୁ କୋଉଠି ସେଇଟା ? ଘରର ପ୍ରତିଟି ସ୍ଥାନ ତ ସେମାନେ ଖୋଜାଖୋଜି କରିସାରିଲେଣି ! ହଠାତ୍‌ ଚଟାଣ ଉପରେ ପକାଯାଇଥିବା ଗାଲିଚା କଥା ତାର ମନେପଡ଼ିଗଲା । ସରୁଧାର ପେନ୍‌ସିଲ ଟର୍ଚ୍ଚର ଆଲୁଅ ହଠାତ୍‌ ଗୋଟିଏ ସ୍ଥାନରେ ସ୍ଥିର ହୋଇଗଲା । ଗୋଟାଏ କୋଣର ଗାଲିଚା ଟିକିଏ ଉଚ୍ଚା ଦେଖାଯାଉଚି । ସେ ସ୍ଥାନର ଗାଲିଚା ଉଠେଇଦେବା ମାତ୍ରେ ଈପ୍‌ସିତ ବସ୍ତୁଟି ତା ଦୃଷ୍ଟିରେ ପଡ଼ିଲା-। ସେଇଟା ଗୋଟାଏ ରିଭଲଭର । ଏକ ନମ୍ବର ଝିଅ ତାର ଗୁଳିଘରା ଫିଟାଇ ଦେଖିଲା । ଛଅଟି ଗୁଳି ସେଥିରେ ରହିଚି । ଛଅଟିଯାକ ଗୁଳି କାଢ଼ି ଏକ ନମ୍ବର ଝିଅ ତା’ର ପକେଟରେ ପୂରାଇଲା-। ତା’ପରେ ଦୁଇନମ୍ବର ଝିଅଆଡ଼େ ହାତ ବଢ଼ାଇଦେଲା-। ଦୁଇ ନମ୍ବର ଝିଅ ତା ହାତକୁ ବଢ଼ାଇଦେଲା ଛଅଟି ଗୁଳି । ରିଭଲଭରରେ ସେଗୁଡ଼ିକ ପୂରାଇଦେଇ ଏକନମ୍ବର ଝିଅ ସେଇଟି ଯଥାସ୍ଥାନରେ ଥୋଇଦେଲା ।

 

ତା’ପରେ ଝିଅ ଦୁଇଟି ଯେଉଁ ରାସ୍ତା ଦେଇ ପ୍ରବେଶ କରିଥିଲେ, ସେଇ ରାସ୍ତାରେ ବାହାରକୁ ବାହାରିଆସିଲେ ।

 

ଜୟନ୍ତ ସେମାନଙ୍କୁ ଦେଖି କହିଲା—ଖୁବ୍‌ ଶୀଘ୍ର କାମ ଶେଷ କରିଚ ଦେଖୁଚି ।

 

—ହ, କୌଣସି ଅସୁବିଧା ହେଇନି ।

 

—ଜିନିଷ ଗୁଡ଼ିକ ମିଳିଲା ତ ?

 

—ହଁ ।

 

ତା’ପରେ ସମସ୍ତେ ମିଶି ଝରକାଟି ସଜାଡ଼ିବାରେ ଲାଗିଲେ । ସେ ସଜଡ଼ା ଦେଖି କେହି ମନେକରିବନି ଯେ, ଏଗୁଡ଼ିକ ରାତିରେ କାଟି କଢ଼ାଯାଇଥିଲା ।

 

ପରଦିନ ରାତି ନଅଟା ।

 

ରାୟଭିଲାର ଦୀପାଳି କକ୍ଷରେ ବସିଚନ୍ତି ନୀଳାଦ୍ରିଭୂଷଣ ବଳ ନନ୍ଦକିଶୋର ରାୟ, ଡାକ୍ତର ଅପୂର୍ବରଞ୍ଜନ ଦାସ, କ୍ୟାପଟେନ୍‌ ଫଣୀନ୍ଦ୍ର କୁମାର, ଜଗଦୀଶଚନ୍ଦ୍ର, ମୃତ୍ୟୁଞ୍ଜୟ ନରାଣୟ ହରିଚନ୍ଦନ, ମିସେସ୍‌ ହରିଚନ୍ଦନ, ମିସେସ୍‌ରାୟ, ରୁବି, ଦୀପାଳି ଆଉ ସ୍ଥାନୀୟ ପୋଲିସ ଅଫିସର । ଏମାନେ ସମସ୍ତେ କାଲି ଶାନ୍ତାଗଡ଼ ଉତ୍ସବରେ ଭାଗ ନେଇଥିଲେ ।

 

ଜୟନ୍ତର ଅନୁରୋଧରେ ଆଜି ଏଠାରେ ସମସ୍ତ ଏକାଠି ହୋଇଚନ୍ତି ।

 

ଅଳ୍ପ ସମୟ ପରେ ଜୟନ୍ତ ତା’ର ସହକାରୀମାନଙ୍କୁ ଧରି ସେଠାରେ ହାଜର ହୋଇଗଲା । ଜଗଦୀଶଚନ୍ଦ୍ର ସମସ୍ତଙ୍କୁ ଆସନ ଗ୍ରହଣ କରିବାପାଇଁ ଅନୁରୋଧ ଜଣେଇଲା । ପରେ ପରେ ଆରମ୍ଭ ହେଲା ଚା’ ପର୍ବ ।

 

ଜୟନ୍ତ ଖଣ୍ତେ ସିଗାରେଟ୍‌ ଧରାଇ କହିଲା—ଆମମାନଙ୍କର କାର୍ଯ୍ୟକାଳ ଶେଷ ହୋଇଯାଇଚି । ଆଜି ରାତିଗାଡ଼ିରେ ଆମେ ସମସ୍ତେ ଫେରିଯାଉଚୁଁ । ଆପଣମାନଙ୍କ ସାହାଯ୍ୟ ସହଯୋଗ ପାଇଥିବାରୁ ଆମେ ସମସ୍ତେ ଧନ୍ୟ ବୋଧ କରୁଚୁଁ । ସେଥିପାଇଁ ଆଜି ଏ ମିଳନର ଆୟୋଜନ । ଅବସ୍ଥାଚକ୍ରରେ କାହା ପ୍ରତି କୌଣସି ଅପ୍ରୀତିକର ବ୍ୟବହାର ଯଦି କରିଥାଏ, ସେଥିପାଇଁ କ୍ଷମାଦେବେ ।

 

ନୀଳାଦ୍ରି ଭୂଷଣ ବଳ ଉଠିପଡ଼ି କହିଲେ—ଆପଣ କିନ୍ତୁ କୌଣସି ଗୋଟାଏ ତଦନ୍ତ ପାଇଁ ଏଠାକୁ ଆସିଥିଲେ; ତାର ପଳାଫଳ କ’ଣ ହେଲା ? ସେ ବିଷୟ ନ ଜଣାଇ ଆପଣ ଯିବେ କେମିତି ?

 

ଜୟନ୍ତ ଟିକିଏ ହସିଦେଇ କହିଲା–ଫଳଟା ଓଲଟା ହେବାର ଦେଖିଲି । ଚୋଟ ମାରୁଥିବା ସାପଟି ଆମରି ଅଣ୍ଟି ଭିତରେ ରହଚି ।

 

ନନ୍ଦକିଶୋର ରାୟ କହିଲେ—ଆମେ ମନେକରୁ ଆପଣ ଏ ବିଷୟରେ ଆମମାନଙ୍କର ଶୁଭାକାଂକ୍ଷା । ଆପଣ ଅନ୍ତତଃ ସେ ସାପଟିକୁ ଚିହ୍ନାଇଦେଇଗଲେ ଆମେ ସମସ୍ତେ ବାଧିତ ହେବୁଁ ।

 

ନୀଳାଦ୍ରି ଭୂଷଣ ବଳ କହିଲେ—ସେଇଟା ନ ଜଣେଇବା ପର୍ଯ୍ୟନ୍ତ ଆମେମାନେ ଆପଣଙ୍କୁ ଛାଡ଼ିଦେଉନୁ ।

 

—ଆପଣ ଯେତେବେଳେ ଏ ତଦନ୍ତ ଭାର ମୋ ହାତରେ ଦେଇଥିଲେ, ଅବଶ୍ୟ ସେ ନକଲଇ ଗୌନ୍ତିଆଙ୍କ ମାରଫତରେ, ସେତେବେଳେ ଆପଣଙ୍କୁ ଜଣାଇଦେବା ମୋର ନିଶ୍ଚୟ କର୍ତ୍ତବ୍ୟ । ଦେଇଥାନ୍ତି ମଧ୍ୟ । କିନ୍ତୁ ଆପଣ ପ୍ରକାଶ୍ୟ ଦାବୀ ଜଣାଇବାରେ ମୁଁ ବାଧ୍ୟ ହେଉଚି । ସମସ୍ତେ ଧୈର୍ଯ୍ୟର ସହିତ ଶୁଣିବେ ବୋଲି ଆଶାକରେ ।

 

ସିଗାରେଟ୍‍ରେ ଶେଷଟାଣ ଦେଇ ସେଇଟା ଆସ୍‌ଟ୍ରେ ଦେହରେ ଗୁଞ୍ଜିଦେଇ ଜୟନ୍ତ ଥରେ ସମସ୍ତଙ୍କ ଆଡ଼େ ଚାହିଁଲା । ତା’ପରେ ଆରମ୍ଭ କଲା—କୌଣସି ତଦନ୍ତ ଆରମ୍ଭ କରିବା ପୂର୍ବରୁ ନିୟୋଜିତ କରିଥିବା ବ୍ୟକ୍ତିର ଉଦ୍ଦେଶ୍ୟ ଜାଣିବା ମୋର ଆବଶ୍ୟକ ପଡ଼ିଥାଏ । ସେ ସୂତ୍ରରୁ ମୁଁ ଏଠାକୁ ଆସିବା ଆଗରୁ ଜାଣିବାକୁ ପାଇଲି ମିଷ୍ଟର ରାୟ ଆଉ ମିଷ୍ଟର ବଳଙ୍କ ମଧ୍ୟରେ ଘନିଷ୍ଟ ବନ୍ଧୁତ୍ୱ ରହିଚି । ତା’ଛଡ଼ା ଆଉ ଗୋଟାଏ ଘନିଷ୍ଠତା ଜଗଦୀଶବାବୁ ଆଉ ଦୀପାଳି ଦେବୀଙ୍କ ମାର୍ଫତରେ ଗଢ଼ି ଉଠୁଥିଲା । ମିଷ୍ଟର ବଳ ଦିନେ ହଠାତ୍‌ ଗୋଟାଏ ଅଶ୍ଳୀଳ ଛାୟାଦୃଶ୍ୟ ଦେଖି କିନ୍ତୁ ବୋଧକଲେ । ଦୀପାଳିଙ୍କ ପ୍ରତି ତାଙ୍କର ଘୃଣାର ସୀମା ରହିଲାନି । ଭାବୀ ପୁତ୍ରବଧୂ ଯେ ଏତେଟା ନିମ୍ନ ସୋପାନରେ ପହଞ୍ଚିଯାଇଚି ସେଇଟା ସେ କଳ୍ପନା ବି କରି ନ ଥିଲେ ।

 

ଦୀପାଳି ଚିତ୍କାର କରିଉଠିଲା—ଏ ସବୁ ମିଛ ।

 

—ମତେ କହିବାକୁ ଦିଅନ୍ତୁ, ଦୀପାଳି ଦେବୀ ! ଧୀରେ ଧୀରେ ପ୍ରତିଟି ସତ୍ୟ ମୁଁ ଏଠାରେ ପ୍ରକାଶ କରିଦେବି । ତା’ପରେ କିଛି କହିବାର ଥିଲେ, ସେ ସୁଯୋଗ ଆପଣ ନିଶ୍ଚୟ ପାଇବେ । ହଁ,...ଯାହା କହୁଥିଲି ମିଷ୍ଟର ବଳ ଯେତେବେଳେ ସେ ଦୃଶ୍ୟ ଦେଖି ଫେରିଲେ ସେତେବେଳେ ସେ ଆଉ କେତୋଟି କଥା ମଧ୍ୟ ଶୁଣି ଆସିଥିଲେ । ଦୀପାଳି ଦେବୀଙ୍କର ବୟସ ଛତିଶ ପାଖାପାଖି ଏବଂ ସେ ଏହା ପୂର୍ବରୁ କେତୋଟି ବିବାହ କରିସାରିଚନ୍ତି । କେବଳ ବିବାହ ନୁହେଁ, ସ୍ୱାମୀମାନଙ୍କୁ ବିଷରଶ୍ମି ପ୍ରୟୋଗ କରି ହତ୍ୟା କରିଚନ୍ତି । ବିଷରଶ୍ମି ପ୍ରୟୋଗର କ୍ଷୁଦ୍ର ଯନ୍ତ୍ରଟି ସେ ତାଙ୍କ ଶୋଇବା ବଖରାର ଗୋଟାଏ ଆଇରନ୍‌ଚେଷ୍ଟ ଭିତରେ ରଖୁଥିଲେ ।

 

ରୁବି କହିଉଠିଲା–ସେଇକଥା ସେଦିନ ମୁଁ ଦୀପାଳିକୁ ତା’ର ଚେଷ୍ଟଟା ଖୋଲି ଦେଖାଇବାପାଇର୍ ଧମକ ଦେଇଥିଲି ।

 

–କିନ୍ତୁ ଆପଣ କିଏ ? ଆପଣ ଜାଣନ୍ତି, ରୁବି ଦେବୀ, ସେଥିପାଇଁ ପୋଲିସ୍‌ ରହିଚି, ମୋ ହାତରେ ତଦନ୍ତ ଭାର ରହିଚି । ଆମେ ଚେଷ୍ଟା କରିଯିବୁ....... ।

 

ରୁବିର ମୁହଁ ଶୁଖି ଏତେଟିକିଏ ହୋଇଗଲା ।

 

ଜୟନ୍ତ ପୁଣି କହିଲା—ଦୀପାଳିଦେବୀଙ୍କ ବିଷୟରେ ମିଷ୍ଟର ବଳ ଅଧିକ ଖୋରାକ ପାଇଲେ ନକଲି ଗୌନ୍ତିଆଙ୍କଠାରୁ । ଦୀପାଳିଙ୍କର ପ୍ରକୃତ ନାମ ଯେ ଗିରିବାଳା ଓରଫ୍‌ ଯଶୋଧାରା ରାଉତ ସେ ବିଷୟରେ କୌଣସି ସନ୍ଦେହ ରହିଲାନି । ଦୀପାଳିଙ୍କର ପ୍ରକୃତ ସ୍ୱରୂପଟା ପଦାରେ ପକାଇଦେବା ପାଇଁ ସେ ନକଲି ଗୌନ୍ତିଆଙ୍କୁ ପଠାଇ ମତେ ନିଯୁକ୍ତ କଲେ ।

 

ଏ ଘଟଣାର ଅଳ୍ପଦିନ ପରେ ଗଢ଼ି ଉଠିଲା ଦମୟନ୍ତୀ ନଗର । ମିଷ୍ଟର ରାୟ ଏବଂ ମିଷ୍ଟର ବଳଙ୍କ ପରିବାର ଏଠାକୁ ଚାଲିଆସିଲେ । ମତେ ବି ଆସିବାକୁ ପଡ଼ିଲା । ମୋ ସାଙ୍ଗରେ ଆସିଲେ ବିଖ୍ୟାତ ସି. ଆଇ. ଡ଼ି. ଅଫିସର ଲକ୍ଷ୍ମୀନାରାୟଣ ମୂର୍ତ୍ତିପାତ୍ର । ସେ ବନ୍ଧୁକ ଖେଳର ତମ୍ବୁ ପକାଇଲେ ଏବଂ ମୁଁ ବିଖ୍ୟାତ ଜ୍ୟୋତିଷ ପଣ୍ତିତ ଜୀବନାନନ୍ଦ ଗୋସ୍ୱାମୀ ନାମରେ ତମ୍ବୁ ପକାଇଲି ।

 

ଜଦଶୀଚନ୍ଦ୍ରଙ୍କୁ ନିଜଆଡ଼କୁ ଟାଣିବାପାଇଁ ମତେ କ୍ୟାପଟେନ୍‌ ସାହେବଙ୍କର ସହାୟତା ନେବାକୁ ପଡ଼ିଲା । ସେ ଦିଗରେ ମୁଁ ତାଙ୍କଠାରୁ ପୂର୍ଣ୍ଣ ସାହାଯ୍ୟ ପାଇଚି । ଜଗଦୀଶଚନ୍ଦ୍ର ଆସିଲେ । ଦୀପାଳୀଙ୍କର ପ୍ରକୃତ ସ୍ୱରୂପ ଯେତେବେଳେ କହିବାକୁ ଗଲି, ସେତେବେଳେ ମୋ ଉପରକୁ ଗୁଳି କରାଗଲା ।

 

କ୍ୟାପଟେନ୍‌କହିଲେ—ଆପଣ ଜାଣନ୍ତି, ଦୀପାଳି ଧରିଥିବା ରାଇଫଲ୍‌ରୁ ସେ ଗୁଳି ବାହାରିନି । ତେବେ, ଆପଣଙ୍କୁ ଗୁଳି କଲା କିଏ ?

 

—ସିଧା ଗୁଳିକରି ଧରାପଡ଼ିବା ଭୁଲ ଦୀପାଳି ଦେବୀ କରିବାକୁ ଯାଆନ୍ତେ କାହିଁକି ? ତମ୍ବୁ ପଛରୁ ଅନ୍ୟ ବ୍ୟକ୍ତି ମୋ ଉପରକୁ ଗୁଳି କରିଥିଲେ । ସେଇ ସନ୍ଦେହରୁ ମୁଁ ଦ୍ରୁତ ଦୀପାଳି ଦେବୀଙ୍କୁ ପଦାକୁ ଆଣିବାର ଚେଷ୍ଟା ଚଳାଇଲି । ଡାକ୍ତରଖାନାରେ ଥିବା ସମୟରେ ମୋ ଉପରେ ମଧ୍ୟ ଆକ୍ରମଣ କରାଗଲା । ସୌଭାଗ୍ୟ ଯେ ସେଥିରୁ ରକ୍ଷା ପାଇଗଲି । ଏଥିପାଇଁ ମୁଁ ଡକ୍ଟର ପରିଜାଙ୍କ ପାଖରେ ଚିରକୃଜ୍ଞ ରହିବି । ସେଇ ଡାକ୍ତରଖାନାରେ ହିଁ ମୋ ଅନୁସନ୍ଧାନର ପ୍ରଥମ ଆଲୋକ ପାଇଲି ।

 

ପୋଲିସ୍‌ଅଫିସର ପଚାରିଲେ–କି ଧରଣର ଆଲୋକ ସେଇଟା ?

 

–କୌଣସି ପ୍ରକାରେ ଦୀପାଳି ଦେବୀଙ୍କୁ ସୋଜାଲରେ ଗୁଡ଼ାକଦେଇ ପ୍ରକୃତ ଅପରାଧୀ ଉଦ୍ଦେଶ୍ୟ ସାଧନ କରିବାର ଚେଷ୍ଟା କରୁଚି ।

 

–ସେଦିନ ଭୋର ବେଳେ କଳା ଶାଢୀ ଆଉ ଧଳା ବ୍ଳାଉଜ୍‌ପିନ୍ଧି ଯେଉଁ ନାରୀମୂର୍ତ୍ତିଟି ଡାକ୍ତରଖାନାଆଡ଼ୁ ଧାଇଁ ଧାଇଁ ବୁଦା ଆଢୁ ଆଳରେ ଛପିଗଲା, ସେ କିଏ ?

 

—ସେ ହେଉଚନ୍ତି ଦୀପାଳି ଦେବୀ । ଆପଣ ଜାଣନ୍ତି, ମିଷ୍ଟର ହରିଚନ୍ଦନଙ୍କ ପରିବାରର କେତେକ ଅଳଙ୍କାର ଦୀପାଳି ଦେବୀଙ୍କ ପାଖରେ ରହିଥିଲା ଏବଂ ସେଦିନ ସେଗୁଡ଼ିକ ସେ ଫେରାଇ ଦେଇ ଆସିଚନ୍ତି । ସେତକ ହାତେଇ ନେବା ପାଇଁ ନକଲି ଗୌନ୍ତିଆ ଉଦ୍ୟମ ଚଳାଇଥାଏ-। ଦୀପାଳି ଦେବୀଙ୍କୁ ବ୍ଳାକମେଲ୍‌ କରିବା ପାଇଁ ସେଦିନ ଭୋରରେ ନକଲି ଗୌନ୍ତିଆ ତାଙ୍କୁ ସେଠାରୁ ଡକେଇ ନେଇଥିଲା; କିନ୍ତୁ ସେ ଲୋକଟାକୁ ଅଳଙ୍କାର ଦେବା ଅପେକ୍ଷା ଯାହାଙ୍କର ଜିନିଷ ତାଙ୍କୁ ଫେରାଇଦେବାଟା ଦୀପାଳି ଦେବୀ ଉଚିତ ମନେ କରିଥିଲେ । ନକଲି ଗୌନ୍ତିଆ ଶେଷରେ ଦୀପାଳି ଦେବୀଙ୍କ ବଂଶ ପରିଚୟ ଅନ୍ୟ ଜଣକୁ କହିଲା । ସେ ବ୍ୟକ୍ତି ଯେ ପ୍ରକୃତ ଅପରାଧୀ ସେ କଥା ସେ ଗୌନ୍ତିଆକୁ ଜଣା ନ ଥିଲା । ଅପରାଧୀ ଜାଣେ, ଦୀପାଳି ଦେବୀଙ୍କ ବିରୁଦ୍ଧରେ ଅନେକ କିଛଇ ଅବସ୍ଥା ସୃଷ୍ଟି ହେଇସାରିଚି, ଯେଉଁଥିରେ କି ସେ ଅଳ୍ପଦିନ ଭିତରେ ଅପରାଧୀ ସାବ୍ୟସ୍ତ ହୋଇଯିବେ । ନକଲି ଗୌନ୍ତିଆକୁ ରାସ୍ତାରୁ ପାଖେଇଦେଲେ ସମସ୍ତ ଅଳଙ୍କାର ଅକ୍ଳେଶରେ ହାତେଇହେବ ଏବଂ ଗୌନ୍ତିଆର ହତ୍ୟାକାରୀ ଦୀପାଳି ଦେବୀ ବୋଲି ଧରିନିଆଯିବ । ଶେଷରେ ବିଚରା ନକଲି ଗୌନ୍ତିଆ ବିଷରଶ୍ମିର ଶିକାର ହୋଇପଡ଼ିଲା ।

 

—ରୁବି ଦେବୀ ଯେ ଆହତ ହେଲେ, ତାର କାରଣଟା କ’ଣ ?

 

–—ରଣ ସେଇ ଅଳଙ୍କାର । ଦୀପାଳି ଦେବୀ ଯେ ତାଙ୍କ କାନ୍ଥରେ ଲଗାଯାଇଥିବା ଚେଷ୍ଟାରେ ଅଳଙ୍କାରଗୁଡ଼ିକ ରଖିଛନ୍ତି ସେ କଥା ରୁବି ଦେବୀଙ୍କୁ ଜଣେଇ ନ ଦେବା ଅପରାଧୀର ଉଦ୍ଦେଶ୍ୟ । ଯେତେବେଳେ ରୁବି ଦେବୀ ଆଉ ଦୀପାଳି ଦେବୀଙ୍କ ମଧ୍ୟରେ ତେଢ଼ା ତେଢ଼ି ଚାଲିଥିଲା, ସେତେବେଳେ ଅପରାଧୀ ସ୍କାଇଲାଇଟ ବାଟେ ଖଣ୍ତେ କାଚ ରୁବି ଦେବୀଙ୍କୁ ଲକ୍ଷ୍ୟ କରି ମାରିଥିଲା ଏବଂ ସେ ବେହୋସ ହୋଇପଡ଼ିଥିଲେ ।

 

—କିନ୍ତୁ କୌଣସି କାଚ ତ ସେ ଘରେ ଦେଖା ଗଲାନି ।

 

—ଅପରାଧୀ ଜାଣେ ସେ କାଚ ଦେହରେ ତା’ର ହାତଛାପ ରହିଚି । ରୁବି ଦେବୀ ବେହୋସ ହେବାପରେ ଦୀପାଳି ଦେବୀ ଅଳଙ୍କାର ଗୁଡ଼ିକ ନେଇ ଯେତେବେଳେ ମିଷ୍ଟର ହରିଚନ୍ଦନଙ୍କ ଘରକୁ ଚାଲିଗଲେ, ସେତେବେଳେ ଅପରାଧୀ ଆସି କାଚଖଣ୍ତକ ନେଇଯାଇଚି ।

 

—ଆପଣ ସେତେବେଳେ କ’ଣ ଏଇଟା ଅନୁମାନ କରିଥିଲେ ?

 

—ନା, ଆଜି ସନ୍ଧ୍ୟା ସୁଦ୍ଧା ଦୀପାଳି ଦେବୀଙ୍କ ବିଷୟରେ କେତେକ ତଥ୍ୟ ପାଇଲି ଯେଉଁଥିରୁ କି ପ୍ରମାଣିତ ହେଲା, ତାଙ୍କ ବିରୁଦ୍ଧରେ ଯେଉଁ ପ୍ରମାଣକୁ ବଳିଷ୍ଠ କରାଯାଉଚି ସେ ସମସ୍ତେ ଚକ୍ରାନ୍ତମୂଳକ । ତା’ପରେ ମୁଁ ଏ ସିଦ୍ଧାନ୍ତକୁ ଆସିଲି ।

 

–ବିଚରା ଟେଲିଫୋନ୍‌କ୍ଳର୍କକୁ ହତ୍ୟା କରାଗଲା କାହିଁକି ?

 

–ତାକୁ ଅପରାଧୀ ମଧ୍ୟ ହାତରେ ରଖିଥିଲା । ମୁଁ ଏଠାକୁ ଆସି କାହା ପାଖକୁ କ’ଣ ଖବର ଦେଉଚି ସେ ଜାଣିବାକୁ ବ୍ୟଗ୍ର ଥିଲା । ଆପଣ ନକଲି ଗୌନ୍ତିଆ ବିଷୟରେ ପଚରାପଚରି କରିବାକୁ ଯାଉଚନ୍ତି ଜାଣିବାରି ତା’ର ଭୟ ହେଲା, ହୁଏତ ଚାପ ପାଇ ସେ ଅପରାଧୀ କଥା ମଧ୍ୟ କହିଦେଇପାରେ । ତେଣୁ ଆପଣ ସେ ଚେଷ୍ଟା କରିବା ପୁର୍ବରୁ ବିଚରାକୁ ଗୁଳି କରିଦିଆଗଲା । ସର୍ବଶେଷରେ ଆଉଜଣଙ୍କୁ ବିଷରଶ୍ମି ପ୍ରୟୋଗର ଯୋଜନା ଚାଲିଚି ।

 

–କାହା ପ୍ରତି ?

 

–ମିଷ୍ଟର ରାୟଙ୍କ ପ୍ରତି ।

 

ସମସ୍ତେ ଏକସଙ୍ଗେ ଚମକି ଉଠିଲେ—ମିଷ୍ଟର ରାୟଙ୍କ ପ୍ରତି ? କିଏ...କିଏ ସେ ହତ୍ୟାକାରୀ ?

 

—ଅପରାଧୀ ଏଇ କକ୍ଷରେ, ଆମମାନଙ୍କ ଭିତରେ ବିଦ୍ୟମାନ । ମୋର ଅନୁରୋଧ ସେ ନିଜେ ଉଠି ପରିଚୟ ଦେବେ । ଅନ୍ୟଥା ମତେ ଅଙ୍ଗୁଳି ନିର୍ଦ୍ଦେଶ କରି ତାଙ୍କୁ ଚିହ୍ନାଇଦେବାକୁ ପଡ଼ିବ ।

 

ନିମିଷକ ମଧ୍ୟରେ କକ୍ଷ ଭିତରେ ଗୁରୁଗମ୍ଭୀରତା ବଢ଼ିଗଲା । ସମସ୍ତେ ପରସ୍ପର ଆଡ଼େ ଚାହିଁବାରେ ଲାଗିଲେ; କିନ୍ତୁ କେହି ଆସନ ଛାଡ଼ି ଠିଆ ହେବାର ଦେଖାଗଲାନି ।

 

ଜୟନ୍ତ ଆଉ କିଛି କହିବାକୁ ଯିବା ଆଗରୁ ମିସେସ୍‌ ରାୟ ତାଙ୍କ ହାତବ୍ୟାଗରୁ ରିଭଲଭରଟା କାଢ଼ି ନିଜର ନିଜର କାନମୂଳରେ ଲଗାଇ ଟ୍ରିଗାରଟା ଚାପିଦେଲେ । ଖୁଟ୍‌ କରି ଗୋଟାଏ ଶଦ୍ଦ ହେଲା ଏବଂ ଗୋଟାଏ ଗୁଳି ତଳକୁ ଗଳିପଡ଼ିଲା ।

 

ଖୁବ୍‌ ଉଚ୍ଚସ୍ୱରରେ ହସିଉଠିଲା ଜୟନ୍ତ ।

 

ଏଥର ମିସେସ୍‌ ରାୟ ଜୟନ୍ତ ଆଡ଼େ ଲକ୍ଷ୍ୟ କରି ରିଭଲଭରଟାକୁ ଚଳାଇଲେ, ମାତ୍ର ଖୁଟ୍‌ କରି ଗୋଟିଏ ଗୁଳି ଖସିପଡ଼ିଲା ।

 

—ମିସେସ୍‌ରାୟ, ଓରଫ୍‌ ଗିରିବାଳା, ଓରଫ୍‌ ଯଶୋଧାରା ରାଉତ ! ବୃଥା ଚେଷ୍ଟା କରିବା ଆଗରୁ ଆପଣଙ୍କୁ ପୋଲିସ୍‌ ପାଖରେ ଆତ୍ମସମର୍ପଣ କରିବାକୁ ପଡ଼ିବ । ଏପର୍ଯ୍ୟନ୍ତ ଆପଣ ବେଶ୍‌ ଚତୁରତା ସହିତ ଆଗେଇ ଆସିଚନ୍ତି । କାଲି ରାତିରେ ମୁଁ ଆପଣଙ୍କ ରିଭଲଭରର ପ୍ରତିଟି ଗୁଳି ମୋର ସହକାରୀମାନଙ୍କ ଦ୍ୱାରା କାଢ଼ି ଆଣିଚି । ବର୍ତ୍ତମାନ ସେଥିରୁ ଯେଉଁ ଗୁଳି ବାହାରୁବି, ସେଗୁଡ଼ିକ ରସଦବିହୀନ । ଆପଣଙ୍କର ଏଭଳି କାର୍ଯ୍ୟର ଅନୁମାନ ଅନେକ ଆଗରୁ ମୁଁ କରିସାରିଥିଲି; ତେଣୁ ସହିତ ଆଗେଇ ଆସିଚନ୍ତି । କାଲି ରାତିରେ ମୁଁ ଆପଣଙ୍କ ରିଭଲଭରର ପ୍ରତିଟି ଗୁଳି ମୋର ସହକାରୀମାନଙ୍କ ଦ୍ୱାରା କାଢ଼ି ଆଣିଚି । ବର୍ତ୍ତମାନ ସେଥିରୁ ଯେଉଁ ଗୁଳି ବାହାରୁଚି, ସେଗୁଡ଼ିକ ରସଦବିହୀନ । ଆପଣଙ୍କର ଏଭଳି କାର୍ଯ୍ୟର ଅନୁମାନ ଅନେକ ଆଗରୁ ମୁଁ କରିସାରିଥିଲି; ତେଣୁ ଅସଲି ଗୁଳି ସ୍ଥାନରେ ଖାଲି ଗୁଳି କଞ୍ଜିଦେଇଚି । ଯଦି ଆତ୍ମହତ୍ୟା କରିବାର ଇଚ୍ଛା କରୁଥାଆନ୍ତି ତା’ହେଲେ ଆପଣଙ୍କର ପ୍ରିୟ ପ୍ରମିକ ଡକ୍ଟର ଅପୂର୍ବରଞ୍ଜନ ଦାସଙ୍କ ରିଭଲଭରଟି ବ୍ୟବହାର କରିପାରନ୍ତି । ଏପର୍ଯ୍ୟନ୍ତ ସେ ଆପଣଙ୍କୁ ସାହାଯ୍ୟ କରି ଆସିଛନ୍ତି; ଶେଷ ମୁହୂର୍ତ୍ତରେ ନିଶ୍ଚୟ ସାହାଯ୍ୟ କରିବେ ।

 

ସମସ୍ତଙ୍କ ଆଖି ବିସ୍ମୟରେ ବିସ୍ଫାରିତ । ଅଚାନକ ଏମିତି ଗୋଟାଏ କଥା ଶୁଣିବେ ବୋଲି କେହି ଆଶା କରି ନ ଥିଲେ ।

 

ଆସନ ଛାଡ଼ି ଡାକ୍ତର ଅପୂର୍ବରଞ୍ଜନ ଦାସ ଦ୍ୱାର ଆଡ଼େ ଆଗେଇ ଯାଉଥିଲେ; କିନ୍ତୁ ତାଙ୍କର ସେ ଚେଷ୍ଟା ସଫଳ ହେଲାନି । ପଲକ ମାତ୍ରେ ପୋଲିସ୍‌ ଅଫିସର ଛପଟିଗଲେ । ତାଙ୍କୁ ଧରିଆଣି ଚେୟାର ଉପରେ ବସାଇଦେଲେ ଏବଂ ତାଙ୍କର କୋଟ ପକେଟ ଭିତରୁ ରିଭଲଭରଟା କାଢ଼ିନେଲେ ।

 

ଜୟନ୍ତ ତା’ର ପକେଟ୍‌ ଭିତରୁ ଛୋଟ ଜିନିଷଟିଏ କାଢ଼ି କହିଲା—ଡକ୍ଟର ଦାସ ! ଏ ଜିନିଷଟା ଯେ ବିଷରଶ୍ମି ପ୍ରୟୋଗ କରିବାର ଯନ୍ତ୍ର ସେଇଟା ଆପଣ ନିଶ୍ଚୟ ସ୍ୱୀକାର କରିବେ । ଆଉ ଏଇଟା ଯେ ଆପଣ ଆପଣଙ୍କ ପ୍ରେୟସୀଙ୍କୁ ଉପହାର ଦେଇଥିଲେ ଏଥିରେ କୌଣସି ସନ୍ଦେହ ନାହିଁ ।

 

ଡାକ୍ତର ଅପୂର୍ବରଞ୍ଜନ ଦାସ ତଳକୁ ମୁହଁ କରି ବସିାହିଲେ ।

 

ଖଣ୍ତେ ସିଗାରେଟ୍‌ରେ ଅଗ୍ନି ସଂଯୋଗ କରି କ୍ୟାପ୍‌ଟେନ୍‌କହିଲେ—ମିଷ୍ଟର ପାଣିଗ୍ରାହୀ-! ଆପଣ ଡକ୍ଟର ଦାସଙ୍କୁ ସନ୍ଦେହ କଲେ କେବେଠାରୁ ? ମିସେସ୍‌ ରାୟଙ୍କ ପ୍ରତି ଆପଣ ସ୍ଥିରନିଶ୍ଚିତ କେବେ ହେଲେ ?

 

—ମୂଳରୁ ମୁଁ ଡାକ୍ତର ଦାସଙ୍କୁ ସନ୍ଦେହ କରୁଥିଲି । କରିବାର ଅନେକ କାରଣ ଥିଲା । ପ୍ରଥମ ହେଲା ବିଷରଶ୍ଚି ପ୍ରୟୋଗ । ଅନଭିଜ୍ଞ ଲୋକ କେବେ ରଶ୍ଚି ପ୍ରୟୋଗ କରିପାରେନି । ତା’ଛଡ଼ା ଏଭଳି ରଶ୍ମିକୁ ବିଷାକ୍ତ କରି ପ୍ରୟୋଗ କରିବା ପଦ୍ଧତି ଆମ ଦେଶରେ ଦେଖାଯାଏନି । ସେ ଯନ୍ତ୍ର କେବଳ ବିଦେଶରୁ ଆମଦାନୀ କରାଯାଏ । ସେଇଟା ଅବଶ୍ୟ ଉପଶମକାରୀ ଔଷଧକୁ ରଶ୍ମିରୂପେ ପ୍ରୟୋଗ ଉଦ୍ଦେଶ୍ୟରେ ଉଦ୍‌ଭାବିତ ହୋଇଥିଲା ।

 

—ତା’ହେଲେ....?

 

—ଶୁଣନ୍ତୁ ! ଡକ୍ଟର ଦାସ ବିଦେଶ ରହଣୀ ସମୟରେ ଏ ଯନ୍ତ୍ରଟିର କୌଶଳ ଜାଣିପାରିଥିଲେ । ଫେରିଆସି ଦେଖନ୍ତି, ତାଙ୍କର ପ୍ରେମିକା ପ୍ରଫେସର ଅଚ୍ୟୁତାନନ୍ଦ ଫେରିବାର ଦେଖି ତାଙ୍କ ପ୍ରତି ପୁଣି ଆକୃଷ୍ଟ ହେଲେ । ପ୍ରଫେସର ପଣ୍ତାଙ୍କ ଜୀବଦ୍ଦଶାରେ କରିବାପାଇଁ ଚାଲିଲା ଯୋଜନା । ରୋଗ ଉପଶମକାରୀ ଯନ୍ତ୍ରଟି ପ୍ରଥମ ଥର ପାଇଁ ବିଷରଶ୍ମି ଭାବେ ପ୍ରତିଫଳିତ ହେଲା ପ୍ରଫେସର ପଣ୍ତାଙ୍କ ଉପରେ ।

 

ଯନ୍ତ୍ରଟିର ପ୍ରଭାବରେ ଗିରିବାଳା ଅଧୀର ଆଗ୍ରହୀ ହୋଇଉଠିଲେ । ତା’ପରେ ଆରମ୍ଭ ହୋଇଗଲା ତାଙ୍କର ସେ ଆଗ୍ରହ ଚରିତାର୍ଥ କରିବାର ବାସନା । ସେ ବାସନାର ଶିକାର ହେଲେ ସମରେନ୍ଦ୍ର ଗୁରୁ ।

 

ମୋର ମନେହୁଏ, ଆବଶ୍ୟକ ରସଦର ଅଭାବ ଦେଖାଦେଇଥିଲା । ସେଇଥିପାଇଁ ତୃତୀୟ ଶିକାର ହେଲେ ଜଣେ ହାଉସ ସର୍ଜନ ନାରାୟଣ ଚୌଧୁରୀ । ତା’ପରେ କଣ୍ଟ୍ରାଣ୍ଟର ଚିନ୍ତାମଣି ବେହେରାଙ୍କ ପାଳି ପଡ଼ିଥିଲା ।

 

ହଁ, ଆପଣ ପଚାରିଥିଲେ ମିସେସ୍‌ରାୟଙ୍କ ପ୍ରତି କେବେ ସ୍ଥିର ନିଶ୍ଚିତ ହେଲି ? ବିଚରା ଟେଲିଫୋନ୍‌ କ୍ଳାର୍କକୁ ଯେଉଁଦିନ ହତ୍ୟା କରାଗଲା ସେଇଦିନହିଁ ମୁଁ ନିଃସନ୍ଦେହ ହେଲି ।

 

—କେମିତି ?

 

—ଆଗରୁ କହିଚି, ମୋ ସହିତ ବିଖ୍ୟାତ ସି. ଆଇ. ଡି. ଅଫିସର ଲକ୍ଷ୍ମୀନାରାୟଣ ମୂର୍ତ୍ତିପାତ୍ର ଆସିଥିଲେ । ଦମୟନ୍ତୀ ନଗରରେ ସେ ଏକ ବନ୍ଧୁକ ଖେଳର ତମ୍ବୁ ପକାଇଥିଲେ । ତାଙ୍କଠାରୁ ଖବର ନେଇ ଜାଣିଥିଲି, ମାତ୍ର ତିନିଜଣ ଲୋକ ଏଠାରେ ଗୁଳି ଚାଳନାରେ ସିଦ୍ଧହସ୍ତ ।

 

—କିଏ ସେମାନେ ?

 

—ଆପଣ, ଜଗଦୀଶବାବୁ ଏବଂ ମିସେସ୍‌ ରାୟ । ଆପଣ କହୁଥିଲେ ନା, ଟେଲିଫୋନ୍‌ କ୍ଳର୍କଟିକୁ ପ୍ରାୟ ଅଶୀଫୁଟ ଦୂରରୁ ଗୁଳି କରାଯାଇଚି । ଏତେ ଦୂରରୁ ଗୁଳି କରିବା କେବଳ ଆପଣ ତିନିଜଣଙ୍କ ପକ୍ଷେ ସମ୍ଭବ । ଯେଉଁ ସମୟରେ ବିଚରା ଟେଲିଫୋନ୍‌କ୍ଳ ର୍କକୁ ଗୁଳି କରାଯାଇଚି, ସେତେବେଳେ ଆପଣ ଏବଂ ଜଗଦୀଶଚନ୍ଦ୍ର ମୋ ପାଖରେ ଥିଲେ । ସନ୍ଦେହଟା ତେଣୁ ତୃତୀୟ ଜଣକ ଉପରେ ସ୍ଥିର ହେବା ସ୍ୱାଭାବିକ । ତା’ଛଡ଼ା ସର୍ବଶେଷ ବିଶ୍ୱାସ ହେଲା.....

 

କଥା ଅସମାପ୍ତ ରଖି ଜୟନ୍ତ ପକେଟରୁ ଗୋଟିଏ ଛୋଟ ପୁଡ଼ିଆ କାଢ଼ିଲା । ତା’ ମଧ୍ୟରୁ ଗୋଟିଏ ଛୋଟ ମୋତି ଦାନା ବାହାର କରି କହିଲା—ଏ ଜିନିଷଟି ପ୍ରତି ପୋଲିସ୍‍ର ନଜର ପଡ଼ିନି-। ଯେଉଁ ପଥର ପାଖରୁ ଗୁଳି ଚଳାଯାଇଥିଲା ସେଠାରୁ ଏ ଜିନିଷଟି ପାଇଥିଲି । ଦ୍ରୁତକାର୍ଯ୍ୟ ଶେଷ କରିବାକୁ ଯାଇ ମିସେସ୍‌ରାୟ ଏଇଟି ଅସାବଧାନତାରେ ପକେଇ ଆସିଥିଲେ । ଏବେ ବି ତାଙ୍କ କାନଫୁଲରୁ ଏଇଟା ବାଦପଡ଼ିଚି, ଦେଖିପାରନ୍ତି ।

 

ସମସ୍ତଙ୍କ ଦୃଷ୍ଟି ମିସେସ୍‌ରାୟଙ୍କ କାନ ଫୁଲ ଉପରେ ନିବଦ୍ଧ ହେଲା ।

 

ଜୟନ୍ତ କହିଲା—ମିଷ୍ଟର ବଳ, ସେଦିନ ରାତିରେ ଆପଣ ଯେଉଁ ଅଶ୍ଳୀଳ ଛାୟାଦୃଶ୍ୟ ପ୍ରସାଦପୁରର ରାୟ କୋଠିରେ ଦେଖିଥିଲେ, ସେଇଟା ଦୀପାଳି ଦେବୀ କିମ୍ବା ଅନ୍ୟ କୌଣସି ପ୍ରେମିକର ନୁହେଁ । ଦୀପାଳି ଦେବୀ ଶୁଦ୍ଧ କଳିକା । ତା’ର ନାୟକନାୟିକା ବର୍ତ୍ତମାନ ଆପଣଙ୍କ ସମ୍ମୁଖରେ । ପୋଲିସ୍‌ ସେମାନଙ୍କର ଉପଯୁକ୍ତ ସତ୍କାର କରିବ ଏବଂ ଯଥାସମୟରେ କୋର୍ଟରେ ମୁଁ ଅନ୍ୟାନ୍ୟ ପ୍ରମାଣ ଦେବି । ଆମର ଗାଡ଼ି ସମୟ ହେଇଯାଇଚି, ପରେ ଦେଖା ହେବ ।

 

ଆଚ୍ଛନ୍ନତାଘେରା କକ୍ଷ ଛାଡ଼ି ଜୟନ୍ତ ତାର ସହକାରୀମାନଙ୍କ ସହିତ ବାହାରିଗଲା ।

 

ଦୀପାଳି ଆଉ ଜଗଦୀଶଚନ୍ଦ୍ରଙ୍କ ଆଖିରେ ଲୁହ । ଦୁହେଁ ଭାବୁଚନ୍ତି, ସେଇ ଲୁହରେ ସେମାନେ ଜୟନ୍ତର ଗୋଡ଼ ଦୁଇଟା ଧୋଇଦିଅନ୍ତେ ।

Image